ବହ୍ନିକନ୍ୟା
ବହ୍ନିକନ୍ୟା
ତମେ ସୁନ୍ଦରୀ
ଏଥିରେ ତ ସନ୍ଦେହ ନାହିଁ,
ହେଲେ ତୁମେ ବିଷ କନ୍ୟା
ଏହା ମୋ ବିଶ୍ଵାସର ବାହାରେ,
ତୁମେ ସୁନ୍ଦରୀ
ଏହା ବି ଦିବା ସତ୍ୟ
ହେଲେ ତୁମେ ଜ୍ୱାଳା ମୂଖି
ଏହା ମୋ କଳ୍ପନାର ସେପାରେ।
ତମେ ସୁବର୍ଣ୍ଣ ର ମୃଗ
ହେଲେ ତମ ଦେହର ଧାସାଗ୍ନିରେ
ମୁଁ ଯେ ଦିନେ ଧ୍ୱଂସ ହୋଇଯିବି
ଏ କଳ୍ପନା ମୁଁ ସ୍ବପ୍ନରେ ବି କରିନଥିଲି।
ତମେ ଥିଲ ମୋ ଜୀବନର
ପ୍ରିତିମୟ ଶାନ୍ତି ର ମୃଗୟା
ତମେ ଥିଲ ହାସ୍ୟମୟୀ ଲାସ୍ୟମୟୀ
ମଦମତ୍ତ ରୂପସୀ ଲଳନା,
ମୁଁ ଥିଲି ତମ ପ୍ରେମର
ମାୟା ମୁଗ୍ଧ ଥୁଣ୍ଟା ବରଗଛ।
ତମ ଉତ୍ତପ୍ତ ଖର ନିଃଶ୍ୱାସରେ
ମୁଁ ସର୍ବଦା ପତ୍ରଝଡ଼ା ଏକ ଜଡସ୍ତମ୍ଭ,
ତମ ଶିରର ସିନ୍ଥିରେ
ଲାଗିଥିବା ଲାଲ ଗାରଟି ମୋତେ
ସବୁବେଳେ ଭବିଷ୍ୟତର ଏକ
ଉଜ୍ବଳ ବତୀଘର ଆଲୋକ
ଭଳି ଦୃଶ୍ୟ ମାନ ହୁଏ।
ସ୍ବପ୍ନ ଦେଖିବାକୁ ବାଧ୍ୟ କରେ,
କାଳେ ମୋ ନାଆ କେଉଁଦିନ କୂଳ ଲାଗିଯିବ।
ହେଲେ ମୁଁ ଜାଣିନଥିଲି
କୂଳରେ କୁମ୍ଭିର ମୋତେ ଜଗି ବସିଛି
ତା ଲାଙ୍ଗୁଡରେ ପିଟି
ଏମିତି କ୍ଷତାକ୍ତ କରିଦେବ ବୋଲି।
ତମେ ତମ ପାପ ପ୍ରଣୟକୁ
ଜୀବନ୍ୟାସ ଦେବ ବୋଲି
କୁମ୍ଭୀରକୁ ଜଗାଇ ଅନ୍ୟ ପଟେ
ତମେ ନିଆଁ ଜାଳିଦେଲ।
ମୋ ସ୍ବପ୍ନବିଳାସ ଜୀବନଟା
ବିକଳରେ ବୁକୁଫଟେଇ ଚିତ୍କାର କଲା,
ଶେଷରେ ତମର ଷଡ଼ଯନ୍ତ୍ରର
ଜାଲରେ ପଡି ମୁଁ ଜଳି ପୋଡ଼ି
ପାଉଁଶ ହୋଇଗଲି।
ଦୁନିଆକୁ ତମର କୁମ୍ଭୀର କାନ୍ଦଣା ଦେଖାଗଲା,
ତମ ନିଆଁ କାହାକୁ ଦେଖାଗଲା ନାହିଁ,
ତମ ଇଚ୍ଛାରେ ପୋଛା ଯାଇଥିବା
ମୋ ନାମର ସିନ୍ଦୁରକୁ
କେହି ଜାଣି ପାରିଲେ ନାହିଁ,
ଏବଂ ଏକ ଉଚ୍ଚପଦସ୍ଥ ଅଫିସରର
କଅଁଳି ଆସୁଥିବା ସବୁଜିମା ମୟ
ଘାସ ଗାଲିଚାରେ ହଠାତ୍
ନିଆଁ କାହିଁକି ଲାଗିଗଲା
ଏ ପ୍ରଶ୍ନ ବି କେଉଁ ଅନୁସନ୍ଧାନି ଅଫିସରର
ମନକୁ ଆନ୍ଦୋଳିତ କଲା ନାହିଁ
ସର୍ବ ଶେଷର-
କେବଳ ଦେଖାଗଲା ମୋର ଆତ୍ମହତ୍ୟା।