ବିରାଡ଼ି ବୈଷ୍ଣବ
ବିରାଡ଼ି ବୈଷ୍ଣବ
ଗଳାରେ ପକାଇ ସୁବର୍ଣ୍ଣ - ତୁଳସୀ ମାଳି
ତୁଣ୍ଡରେ ଦିଅନ୍ତି ଅଶ୍ରାବ୍ଯ ଅସଭ୍ଯ ଗାଳି।
ଆନକୁ ଭାଷନ୍ତି ସଦା ସର୍ବଦା ପ୍ରବଚନ
ନିଜ ବେଳକୁ ମୁଖରୁ ନ ସ୍ଫୁରେ ବଚନ।
କଥାରେ କରନ୍ତି ସାତ୍ତ୍ଵିକ ସାରତତ୍ତ୍ବ ଉଚ୍ଚାରଣ
କାମରେ ଦେଖାନ୍ତି ତଦଭିନ୍ନ ଉଦ୍ଭଟ ଆଚରଣ।
ଶୁଦ୍ଧ ଭୋଜନ ଲାଗି ଦିଅନ୍ତି ଉପଦେଶ ବାଣୀ
ଖୋଲିଥାନ୍ତି ସୁରା ସାକୀର ସୌଖିନ ବିପଣି।
ମନ ସଦା ପରଧନ ଲୁଣ୍ଠନ କରିବାରେ ବ୍ଯସ୍ତ
ଧନ ନଟୀ ପାଦର ଘୁଙ୍ଗୁର ଶବ୍ଦରେ ବିନ୍ୟସ୍ତ।
ଦିନରେ ମାତୃଜାତିର ସମ୍ମାନରେ ଦିଅନ୍ତି ଭାଷଣ
ଅନ୍ଧାର ଘୋଟିଲେ ଅବଳା ନାରୀକୁ କରନ୍ତି ଧର୍ଷଣ।
ଦେହେ ଶୁଭ୍ର ପୋଷାକ ସଦା କରିଥାନ୍ତି ପରିଧାନ
ସ୍ପଷ୍ଟ ଦିବାଲୋକରେ କଳାଧନ କରନ୍ତି ଆହରଣ।
ଅତି ସନ୍ତର୍ପଣେ କରନ୍ତି ପରସ୍ବ ରାଜସ୍ବ ହରଣ
ନାଗରା ବଜାଇ ବିଜ୍ଞାପନେ କରନ୍ତି ଦାନ ପ୍ରଦାନ।
ଶତ ସହସ୍ର କୋଟି କଳା ଟଙ୍କା କରିଣ ଲୁଣ୍ଠନ
କଦବା କ୍ଵଚିତ ଲକ୍ଷେ ହଜାରେ କରନ୍ତି ଦାନ।
କଳ ବଳ କୌଶଳେ ଭାଙ୍ଗେ ଦରିଦ୍ର କୁଟୀର
କଳାଧନ ବିନିଯୋଗେ ଗଢଇ ସୁରମ୍ୟ ମନ୍ଦିର।
ଦିଏ ନାହିଁ କେବେ ମୁନ୍ଦେ ଜଳ ତୃଷାର୍ତ୍ତ ଜନରେ
ଭାସୁଥାଏ ଦିନରାତି ବିଦେଶୀ ମଦିରା
ବନ୍ୟାରେ।
ବିବାଦରେ ମଜ୍ଜି ଚାହେଁ ରହିବାକୁ ଚର୍ଚ୍ଚାର ବଳୟରେ
ଲଭେ ଗଦା ଗଦା ପୁରସ୍କାର ଅର୍ଥ ପ୍ରତିପତ୍ତି ବଳରେ।
ସଭାସମିତିରେ ମଣ୍ଡିଥାଏ ଶୋଭା ମଞ୍ଚରେ ବସି
ଇଛା ନଥାଇ ବି ଦେଉଥାଏ ଟିକେ ମୁରୁକି ହସି।
ଏହିମାନେ ସମାଜର ମହାମାନ୍ଯ ଅଗ୍ରଗଣ୍ୟ ଗଣ
ଏମାନଙ୍କ ପାଦତଳେ ଲୋଟୁଥାଏ ଧନ ଜନ ମାନ।
ଦରିଦ୍ରର ଦୁଃଖ ଦୁର୍ଦ୍ଦଶା ବିପତ୍ତି ଅବା ସର୍ବନାଶ
ଏମାନଙ୍କ ଲାଗି ସମ୍ପତ୍ତି ବଢାଇବାର ପୁଷମାସ।
ଧର୍ମର ଦ୍ବାହି ଦେଇ ନାନାଦି ବ୍ଯଭିଚାରେ ଲିପ୍ତ
ନ୍ଯସ୍ତ ସ୍ବାର୍ଥ ପୁର୍ତ୍ତି ଲାଗି ଦଙ୍ଗା ଭିଆଣେ ଅଭ୍ୟସ୍ତ।
ସଚ୍ଚୋଟ ସାଧୁ ବ୍ଯକ୍ତିକୁ ସହାସ୍ଯେ କରେ ସଂଭାଷିତ
ସ୍ବାର୍ଥହାନି ହୋଇଲେ କରେ ତା' ଜୀବନ ନିର୍ବାପିତ।
ଆସ୍ଥା ବିଶ୍ବାସକୁ ନେଇ ବ୍ଯାପାରରେ ମଦମତ୍ତ
ପରମ୍ପରା ରୀତିନୀତି ବିଧି ହନନରେ ସିଦ୍ଧହସ୍ତ।
ଏମାନେ ଭଦ୍ର ମୁଖା ତଳେ ଥିବା ଠକ ପ୍ରବଞ୍ଚକ
ଜନତା ଆଖିରେ ଧୂଳି ଦିଏ ଏମାନଙ୍କ ରୂପ ଭେକ।
ଆମୀଷ ପ୍ରିୟ ବିରାଡ଼ି କି ସାଜିପାରେ ବୈଷ୍ଣବ ଜନ
ତଥା ପୁଣ୍ୟାତ୍ମା କି ହୋଇ ପାରିବ କୁଳଷିତ ମନ।
ଚିହ୍ନିରଖ ସାଧୁଜନ ଏ ମାୟାବୀ କପଟୀ ଜନରେ
ଏମାନଙ୍କୁ ନେଇ ଫିଙ୍ଗ କଳିଙ୍ଗ ସାଗର ଗର୍ଭରେ।