STORYMIRROR

Upendra prasad Mahala

Crime Inspirational

4  

Upendra prasad Mahala

Crime Inspirational

ରକ୍ତରଞ୍ଜିତ ଡାଏରୀ

ରକ୍ତରଞ୍ଜିତ ଡାଏରୀ

2 mins
306

ପାସବୁକରୁ ଭତ୍ତା ଟଙ୍କା ଉଠାଇ
ଫେରିବା ବେଳେ ବୃଦ୍ଧଙ୍କୁ ଲୁଟ
ରୋଗୀଙ୍କୁ ସେବା ଯୋଗାଇ
ଜୀବନ ଦାନ ଦେଉଥିବା
ଡାକ୍ତରାଣୀଙ୍କୁ ବଳାତ୍କାର
ପ୍ରେମିକାର ଗଳା କାଟିବା
ବେଳର ଭିଡିଓ ରେକର୍ଡିଂ।
ଦିନକର କାହାଣୀରେ
କେତେଥର ରକ୍ତରଞ୍ଜିତ ହୁଏ
ମୋ ଜର୍ଣ୍ଣାଲ ଡାଏରୀ ପୃଷ୍ଠା
ହିସାବ ରଖି ପାରେନି ।

ପିଲା ଦିନେ ଶିଖାଯାଇଥିଲା
ଦେଖିବୁନି କି ପଢିବୁନି
କାହାରି ହାତଲେଖା ଡାଏରୀ
ଲେଖା ଥାଇପାରେ
ଅନେକ ଅପ୍ରିୟ ସତ୍ୟ
ଗର୍ହିତ ପାପର କାହାଣୀ ।

ଦେଖ, ସତକୁ ସତ ଦେଖ
ନିତିଦିନ ଡାଏରୀ ପୃଷ୍ଠାରେ
ଘଟଣାବହୁଳ ସମୟ
ଲଗାଉଛି କେତେ
ରକ୍ତର ଦାଗ !!

ନିଚ୍ଛକ ଜୀବନାନୁଭୂତିର
ଖୋଲା ବହି ମୋ ଡାଏରୀ‌।
ଦିନଟେ ବିତିଲେ ସମୟର 
ରଂଗ ମାଖି କଡ ଲେଉଟାଏ
ଡାଏରୀର ଗୋଟାଏ ପୃଷ୍ଠା ।
ନିତିଦିନ ଟିପିରଖେ ଆଖିଦେଖା
କଳାଧଳା ଦୁନିଆର ଛବି।
ସାଇତି ରଖେ ଆଗାମୀ
ଦିନକୁ ପ୍ରାକ୍ ସଙ୍କେତ
ପାପପୂଣ୍ୟର ଠିକଣା
ଗହୀର କ୍ଷତର ଦରଦ।
ଅନେକ କଥା ଲେଖିହୁଏନି
ବାକି ରହେ ଅଧା ଅଧା।

ଆସ ମୋ ଡାଏରୀ ଓଲଟାଇ
ପୃଷ୍ଠା ପରେ ପୃଷ୍ଠା ଦେଖିବ
ଏସିଡି ମାଡରେ କ୍ଷତାକ୍ତ
ଯୁବତୀଙ୍କ ଆଖିରେ ଦେଖିବ
ପୃଥିବୀ କେମିତି ଦିଶେ !!
କ୍ୟାନସର ପୀଡିତା ମା' ଜନ୍ମିତ
ଶିଶୁକୁ ସ୍ତନ୍ୟପାନ କରାଇ
କେମିତି ଜୀବନକୁ ଖୋଜେ !!

ମନ ଖୋଜେ ସାଉଁଣ୍ଟି ଆଣନ୍ତି
ସଫଳ ଜୀବନର କାହାଣୀ
ସ୍ନେହ, ଭଲ ପାଇବା, ସ୍ବପ୍ନ
ଓ ସଂଘର୍ଷର ଜଳଛବି ।
ଅପରାଧ ଦୁନିଆ ଲାଗି ଆଣନ୍ତି
ଆଶା ଓ ଆଲୋକର ବାର୍ତ୍ତା
ଡାଏରୀ ପୃଷ୍ଠା ସଜାଇବାକୁ !!

ସ୍ନେହ, ପ୍ରେମ ଏଠି ମହଙ୍ଗା
ଲଭ୍ ପଏଣ୍ଟରେ ବଢିଚାଲିଛି
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ।
କେଉଁଠି ପ୍ରେମ ଫାଶ ବସାଇ
ପ୍ରେମିକାଠାରୁ ଲୁଟ ହେଉଛି
ଟଙ୍କା, ସୁନା । ଜଙ୍ଗଲରୁ
ମିଳୁଛି ରକ୍ତାକ୍ତ ଦେହ।
ଅପରାଧ ଡାଏରୀ ପୃଷ୍ଠାରେ
ବଢୁଛି ଦାଗର ଚିହ୍ନ।

ଜାଣେନି ବେଳେବେଳେ
କାହିଁକି ହୃଦୟ ଖୋଜେ
ପୂଣ୍ୟ ଓ ପବିତ୍ର ପାପର
ସଂଜ୍ଞା, ଯାହା ଅବୁଝା ରହେ ।
ଜାଣେନି ସହ ମୋ ଅପରାଧ
ଡାଏରୀ ସମୟ ଓ ମଣିଷର
ମନକୁ କେତେ ଚିହ୍ନିଲା ?
ନିତିଦିନିଆ ଛାତିଥରା କଥା
ଲେଖି ବସିବା ବେଳେ
ଆପେ ଆପେ ଲେଖି
ହୋଇଯାଏ ଭାବନାରେ
ଗପ, କବିତାର କିଛି ଦରଦୀ
ଶବ୍ଦ ଓ ଅସମ୍ପୂର୍ଣ୍ଣ ଧାଡି
ନୂଆ ସକାଳ ଲାଗି।
*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime