ବିନିଦ୍ର ରଜନୀ
ବିନିଦ୍ର ରଜନୀ
ଅମା ଅନ୍ଧକାରେ ଅମାବାସ୍ୟା ରାତ୍ରେ ,
ଏକାକିନୀ ଥିଲି ମୁଁ ଘରେ ।
ଦରଜାରେ କିଏ କରାଘାତ କଲା ,
ଥରି ମୁଁ ଉଠିଲି ଭୟରେ ।
ଏତେ ରାତ୍ରେ ଆଜି କିଏ ସେ ଅତିଥି ,
ଖୋଲିବି କି ନାହିଁ କବାଟ ।
ଜଳା ଫାଙ୍କ ବାଟେ ଦେଖିବି ବୋଲି ତ,
ଧୀରେ ଧୀରେ ଛାଡି଼ଲି ଖଟ ।
ଫାଙ୍କବାଟୁ ଦେଖି ଭୟ ପାଇଗଲି ,
ଏବେ ମୁଁ କି ବୁଦ୍ଧି କରିବି ।
ବନ୍ଦୁକ ଧରିଣ ଡକାୟତେ ଛିଡ଼ା
କେମିତି ଅବା ନ ଡରିବି ।
କବାଟ ଖୋଲିଦେ ନହେଲେ ଭାଙ୍ଗିବୁ
ଚିହ୍ନି ନାହୁଁ ତୁହି ଆମକୁ ।
କୋଟିଏ ଟଙ୍କା ସରକାର ରଖିଛି ,
ଯିଏ ଧରିନେବ ଆମକୁ ।
ଭୟରେ ମୋ ଛାତି ଉଠୁଛି ପଡୁଛି
ମୂଖରୁ ନ ସ୍ଫୁରେ ଶବଦ ।
ମିଛରେ ରୁଷିକି ସାଥିରେ ନଗଲି ,
ପଡ଼ିଲା ଆଜି ଏ ବିପଦ ।
ଗୁରୁବାରେ ନୂଆ ଶାଢ଼ୀ ଟିଏ ପାଇଁ ,
ସ୍ଵାମୀଙ୍କ ପାଖେ କଲି ଅଳି ।
ଏ ମାସରେ ପରା ଭାଣିଜୀ ବିବାହ ,
ଖର୍ଚ୍ଚ ଜମା ହେବନି ଟାଳି ।
ବାହାଘରକୁ ମୁଁ ମୋଟେ ଯିବିନାହିଁ ,
ଶୁଣି ରଖିଥାଅ ମୋ କଥା ।
ପୁଅ ଝିଅ ସବୁ ସ୍ଵାମୀ ସହ ଗଲେ ,
ଭାବିଲେନି ଟିକେ ମୋ କଥା ।
କିଳାକାଠ ଭାଙ୍ଗି ଗଲାଣି ଅବିକା ,
ଡକାୟତେ ପଶି ଆସିଲେ ।
ଚଉକି ସାଥିରେ ରସିଟିଏ ଆଣି ,
ହାତ ଗୋଡ଼ ମୋର ବାନ୍ଧିଲେ ।
ପାଟିରେ ପୁରେଇ ଦେଲେ କନା ବିଣ୍ଡା ,
ଗଁ ଗଁ ରଡି଼ ଛାଡ଼ଇ ।
ଛାଡ଼ି ଦିଅ ମୋତେ ମିନତୀ କରୁଛି ,
ସୁନା ଓ ରୁପା ଯାଅ ନେଇ ।
କିଏ ତୁମ ସୁନା ରୁପା ନେଇଯାଏ ,
ବିକଳରେ ଏତେ କାନ୍ଦୁଛ ।
ଶାଢ଼ୀ ଅଳଙ୍କାର କଥା ଭାବି ଭାବି ,
ସପନେ ବିଳିବିଳଉଛ ।
ବଞ୍ଚିଗଲି ଆହା ସପନ ଥିଲା ଏ ,
ଆଉ ନ ରହିବି ମୁଁ ଏକା ।
ଶାଢ଼ୀ ଆଉ ମୋର ଦରକାର ନାହିଁ ,
ଭାଣିଜୀ ବିବାହ ଆଗକା ।