ଛିଙ୍କ କଲା କଲବଲ
ଛିଙ୍କ କଲା କଲବଲ
ଛିଙ୍କ କଲା କଲବଲ
ବଡି଼ ସକାଳରୁ ଗାଧେଇ ପାଧେଇ
ଦାଣ୍ଡରେ ମୁଁ ଠିଆ ହେଲି
ସ୍ଵାମୀ ମୋର ଗଲେ ଗାଡ଼ି ଡାକିବାକୁ
ଦେଉଳକୁ ଯିବା ବୋଲି
ରେକସା ସହିତେ ଆସି ମୋର ସ୍ଵାମୀ
ଗେହ୍ଲାରେ ମୋତେ ଡାକିଲେ
କେଡ଼େ ସରାଗରେ ଜୁଇ ମାଳଟିଏ
ଖୋସାରେ ଲମ୍ବେଇ ଦେଲେ
ମନକଥା ଖୋଲି କହିପାରିଲିନି
ଏଲର୍ଜି ମୋ ଜୁଇଫୁଲ
ଜୁଇଫୁଲ ବାସ୍ନା ନାକରେ ବାଜିଲେ
ଛିଙ୍କ କରେ କଲବଲ
ମନକଥା ମୋର ମନରେ ରହିଲା
ନବ ବିବାହିତା ବୋଲି
ନାକକୁ ଓଢ଼ଣା କାନିରେ ଢାଙ୍କିଲି
ଛିଙ୍କକୁ ଜବତ କଲି
ଦେଉଳ ଭିତରେ ସାଙ୍ଗ ସାଥି ମେଳେ
ଖୁସି ଆଳାପରେ ମାତି
ଜୁଇଫୁଲ କଥା ଭୂଲି ଯାଇଥିଲି
ସ୍ନେହ ଶ୍ରଦ୍ଧା ତାଙ୍କ ଦେଖି
ନଣନ୍ଦ ଲେଖାର ମୁଖରା ଝିଅଟେ
ଓଢ଼ଣା ମୋ ଟାଣିଦେଲା
ଜୁଇମାଳ ଆସି ନାକରେ ବାଜିଲା
ସଲସଲ ନାକ ହେଲା
କାବୁ ଆଉ ମୋଟେ କରି ପାରିଲିନି
ଛିଙ୍କରେ ବେଦମ ହେଲି
ଛିଙ୍କ ପରେ ଛିଙ୍କ ଆସି ଦେଲେ ଡାକ
କାଶଭାଇ ଆସ ବୋଲି
କାଶଭାଇ ସହ ଛିଙ୍କ ଭଉଣୀର
ମେଳି ହୁରି ଦେଲା ଛାଡ଼ି
ଆତଙ୍କ ଓ ଭୟ ଗ୍ରାସିଲା ସଭିଙ୍କୁ
ଛାଡ଼ିଲେ କରୋନା ରଡି଼
ଚାହୁଁ ଚାହୁଁ ମୋତେ ଛାଡ଼ି ଛୁଡି଼ ଦେଇ
ସମସ୍ତେ ଦେଲେ ଚମ୍ପଟ
କରୋନା କରୋନା ବୋବାଳି ଛାଡ଼ିଲେ
ସ୍ଵାମୀ ହେଲେ କଟକଟ
କରୋନା କୋକୁଆ ଭୟରେ ସଭିଏଁ
ଦେଉଳୁ ବାହାରି ଗଲେ
ଦେଖୁ ଦେଖୁ ଆସି ପଦା ହୋଇଗଲା
ଦେଉଳ ପ୍ରାଙ୍ଗଣ ହେଳେ
ଏଲର୍ଜିରେ ମୁହିଁ ଆକ୍ରାନ୍ତ ହୋଇଲି
ନାଲି ପଡ଼ି ଗଲା ମୁହଁ
ପାଟିରୁ ବଚନ ବାହାରିଲା ନାହିଁ
କାନ ହେଲା ଭଁ ଭଁ
ଆକଚା ହୋଇଣ ବସି ପଡ଼ିଲି ମୁଁ
ସାହାରା ତ କେହି ନାହିଁ
ହାତଧରି ଯାର ବିଭା ହୋଇଥିଲି
କାନ୍ଦନ୍ତି ସେ କଇଁ କଇଁ
ପାଣି ଟିକେ ପାଇଁ ଠାରରେ କହିଲି
ଜୁଇମାଳ ଫିଙ୍ଗିଦେଲି
ପ୍ରକୃତିସ୍ଥା ହୋଇ ସ୍ଵାମୀଙ୍କୁ କହିଲି
ଜୁଇଫୁଲ ତ ଅସଲି
ମଲ୍ଲି ମାଳ ଆଣି ଦେବ ନାଗର ହେ
ବେଶ ହେବି ତୁମ ପାଇଁ
ଜୁଇମାଳ ମୋର ଛିଙ୍କର କାରଣ
ସେ ବେଶ ହୋଇବି ନାହିଁ
ଶୁଣ ସାଧୁଜନେ ଭୟଭୀତ ହୋଇ
କରନା ଏପରି କାଣ୍ଡ
ସବୁ କାଶଛିଙ୍କ କରୋନା ଭାବିଲେ
କାମ ହୋଇଯିବ ପଣ୍ଡ