ପିଆଜ ଶପଥ
ପିଆଜ ଶପଥ
ବାଡ଼ିରେ ଦେଖିଣ ପିଆଜ ଚୋପା ।
ସୁପୁନି ଗେରସ୍ତ ହୋଇଲା ଖପା ।
ପିଆଜ ଦର କି ଜାଣି ପାରୁନୁ ।
ତୁଣରେ ଅଳପ କରି ଦେଉନୁ ।
ସୁପୁନି କହିଲା ଖାଇବ ସ୍ଵାଦ ।
ପିଆଜ ସାରିଲେ କରିବ ବାଦ ।
କେନାଲରେ ଯାଇ ଧରୁଛ ମାଛ ।
ଭଲକି ରାନ୍ଧିବୁ ଆସି କହୁଛ ।
ପିଆଜ ବିନା ଯେ ମାଛ ତିଅଣ ।
ସୁଆଦ ହବନି ଦେବି ଲେଖିଣ ।
ମାଗଣା ଚାଉଳ ତୁମେ ଖାଇଣ ।
ତାସ ବାଡ଼ଉଛ ସବୁ ମିଶିଣ ।
ଗାଁରେ ସମସ୍ତେ ବୁଢ଼ା କି ଟୋକା ।
ରୋଜଗାର ନାହିଁ ଗୋଟାଏ ଟଙ୍କା ।
ବସି ଖାଇବାର ଅଭ୍ୟାସ ହେଲା ।
ଜାଗା ଜମି ତ ପଡ଼ିଆ ହୋଇଲା ।
କରିଥାନ୍ତ ଯଦି ଜମିରେ ଚାଷ ।
ଦରଦାମ ସବୁ ହୁଅନ୍ତେ ବଶ ।
ସୁପୁନି କଥାକୁ ଯହୁଁ ଶୁଣିଲା ।
ଗେରସ୍ତ ତାର ତ ଧସି ଆଇଲା ।
ଭାଷଣ ଦେବାକୁ କିଏ କହିଲା ।
ଜାଣିଥା ଆମେ ତ ମରଦ ପିଲା ।
ଝାଡୁରେ ପାହାରେ ଦେବି ଲୋ ଝିଅ ।
ମୋର କଥା ଶୁଣି ଧରିବୁ ଥୟ ।
ସୁପୁନି ତହୁଁ ଶପଥ କରିଲା ।
ବାଡ଼ି ଭିତରକୁ ଚାଲି ଅଇଲା ।
କରି ଦେଖେଇବ ପିଆଜ ଚାଷ ।
ଦରକାର ତାର ଦୁଇଟି ମାସ ।
ନଡ଼ିଆ ବାଡ଼ିଟା ଖାଲି ପଡ଼ିଛି ।
ଅନାବନା ଘାସ ତହିଁ ଉଠିଛି ।
ସୁପୁନି ଧଇଲା ଗୋଟେ କୋଦାଳ ।
ଜମିକୁ ହାଣି କଲା ସମତଳ ।
ନଡ଼ିଆ କତା ନଡ଼ିଆ ସଢେଇ ।
ଖତ କଲା ତାକୁ ନିଆଁ ଲଗେଇ ।
ପିଆଜର ଚାରା ଆଣି ରୋପିଲା ।
ଦିନ ରାତି ତାଙ୍କ ଯତନ ନେଲା ।
ତାହାକୁ ଦେଖିଣ ଗାଁ ମାଇପେ ।
ଚାଷ କରିବାକୁ ଚାଲିଲେ ଆପେ ।
ଗାଁ ମୁଣ୍ଡେ ଥିଲା ବାଙ୍କ ପଡ଼ିଆ ।
ଖେଳୁଥିଲେ ସେଠି ଯେତେ ଖୋଡି଼ଆ ।
ହଣା ମରା କରି ଚାଷ କରିଲେ ।
ଗାଁ ପୁରୁଷଙ୍କୁ ଦେଖାଇ ଦେଲେ ।
କେତେ କେତେ ଏମିତି ଜମି ଥିଲା ।
ଅନାବାଦି ହୋଇ ରହିଣ ଥିଲା ।
ସବୁ ଜମିରେ ଲାଗିଲା ପିଆଜ ।
ଅଳସୁଆ ଲୋକେ ମନରେ ହେଜ ।
ସେହି ବର୍ଷରୁ ସୁପୁନି ଗ୍ରାମରେ ।
ଲାଗି ଥାନ୍ତି ସବୁ ଚାଷ କାମରେ ।
ଦରଦାମ ତାର ବାଟରେ ଯାଏ ।
କଡ଼ାକର ମାନ ସେଠି ନ ପାଏ ।
ସୁପୁନି ସଭିଙ୍କୁ ଦେଲା ଶିଖାଇ ।
କର ଚାଷ ବାବୁ ମନ ଲଗାଇ ।