ବାପୁଙ୍କ ସ୍ଵପ୍ନ
ବାପୁଙ୍କ ସ୍ଵପ୍ନ
ସପନ ଦେଖିଲ ବାପୁ ହେ
ତୁମେ ରାମରାଜ୍ୟର ।
ଦେଖିଯାଅ ତୁମ ଭାରତ
ବିଡ଼ମ୍ବନାର ଘର ।
ଜାତି ଧର୍ମ ନେଇ ଲଢ଼ନ୍ତି
ନିଜେ ବୋଲାନ୍ତି ଭକ୍ତ ।
ବନ୍ଧୁକ ଖଣ୍ଡାରେ ମାରନ୍ତି
ଖେଳନ୍ତି ହୋରି ରକ୍ତ ।
ଭାରତ ମାତା ଯେ କାନ୍ଦଇ
ଲୁହ ଝରେ ଆକୁଳେ ।
ବିପଥଗାମୀ ତା ସନ୍ତାନ
ଶୋକେ ଏକଥା ଭାଳେ ।
ରୋଗ ଦାରିଦ୍ର୍ୟର ଶିକୁଳି
ମାତାର ହସ୍ତପଦେ ।
ଆପଣା ହସ୍ତରେ ଭାଇର
ଭାଇ ମସ୍ତକ ଛେଦେ ।
ଧର୍ମ ଆଡ଼େ ଥାଇ କୁକର୍ମ
କରନ୍ତି ଖଳ ଲୋକେ ।
ଚିହ୍ନି ପାରନ୍ତିନି ଖଳକୁ
ପୂଜନ୍ତି ତାଙ୍କୁ ଥୋକେ ।
ରାଜନେତା ମାନେ ଡିଣ୍ଡିମ
ପିଟନ୍ତି ନିଜ ନାମେ ।
ନିଜ ସ୍ଵାର୍ଥ ପାଇଁ ଲୋକଙ୍କୁ
ଜୁଝାନ୍ତି ଧର୍ମ ନାମେ ।
ମୂର୍ଖ ଆମେ ମାନେ ସତରେ
ତାଙ୍କୁ ଯାଉ ପରତେ ।
ଆମ ସ୍ଵାଧୀନତା ନେଇଣ
ଦେଉ ତାଙ୍କରି ହାତେ ।
ଫିରଙ୍ଗି କବଳୁ ଆମେ ତ
ହୋଇ ଅଛୁ ସ୍ଵାଧୀନ।
ସଂକୀର୍ଣ୍ଣ ମାନସିକତାର
ବେଡି଼ରେ ପରାଧୀନ ।
ଜୀବନକୁ ପାଣି ଛଡେଇ
ଯେଉଁ ବୀରେ ଲଢ଼ିଲେ।
ସ୍ଵତନ୍ତ୍ର ଭାରତ ପାଇଁ କି
ରଣରେ ଝାସ ଦେଲେ ।
ବୃଥା ଯାଏ ତାଙ୍କର ତ୍ୟାଗ
ଆଜି ସମସ୍ତେ ଦେଖ ।
ଏକ ସୂତ୍ରେ ବନ୍ଧା ଯେ ଥିଲେ
ସେ ହେଲେ ଭାଗ ଭାଗ ।
ଜାଗ ଜାଗ ଭାଇ ଭଉଣୀ
ହୁଅ ସର୍ବେ ଏକତ୍ର ।
ରାଜନୀତିଆଙ୍କୁ ନ ଦିଅ
ଶାସନ ଏକଛତ୍ର ।
ବୀର ପ୍ରସବିନୀ ଭାରତ
ଗଢ଼। ବୀର ଲହୁରେ ।
ତାହାର ଆରତ ଚିତ୍କାର
ଦେଖି କେବା ସହୁରେ ।
ଆସ ମୋର ଭାଇ ଭଉଣୀ
ମିଳି ପ୍ରତିଜ୍ଞା କର ।
ସ୍ଵର୍ଣ୍ଣପକ୍ଷୀ ଆମ ଭାରତ
କରିଦେବା ସତ୍ଵର ।