STORYMIRROR

Gyanaranjan Sahoo

Abstract Classics Crime

4  

Gyanaranjan Sahoo

Abstract Classics Crime

ତଥାପି ମହିଷାସୁର ହସୁଛି

ତଥାପି ମହିଷାସୁର ହସୁଛି

2 mins
201

 

ମରୀଚିକାରେ ଜୀଇଁ ଚାଲିଛି ଜୀବନ

ବାସ୍ତବତାର କ୍ଳିଷ୍ଟତାକୁ ଆପଣେଇ ନେଇ

ଗତାନୁଗତିକ ଦୁଃଖ ନୈରାଶ୍ୟ ଭିତରେ

ସୁଖ ଖୋଜିଚାଲିଛି ଯୁଗ ଯୁଗ ଧରି ।


ସତ୍ୟକୁ ଆବିଷ୍କାର କରିବାର

ଅନୁପମ ତତ୍ତ୍ୱ ଓ ଶାସ୍ତ୍ରକୁ

ବ୍ୟାଖ୍ୟା କରିବାରେ

ପ୍ରବୀଣତାର ଅଭାବ ନାହିଁ ଆମ ପାଖରେ

ଅନୁଭବରେ ଆସିପାରିଛି ହୁଏତ !


ଅନ୍ଧାରିପଣର ଛାଇ ପୁରୁଷ ପୁରୁଷ ଧରି

ଏମିତି ଲାଖିଯାଇଛି ଆମ ଦେହରେ ଯେ

ଦିବ୍ୟ ଆଲୋକର ସନ୍ଧାନ ପଥରେ ବି

ଆମେ ତାକୁ ଛାଡ଼ିପାରୁନୁ ।

ଆସୁରିକ ପ୍ରବୃତ୍ତିସବୁ ଏକ ପାର୍ଶ୍ଵରେ

ଲୁଚିରହି ସୁଖ ନାଆଁରେ ମାତିଯାଆନ୍ତି ଦୁଃଖାନୁଭୂତିରେ

କାରଣ ଅସତ୍ୟ ଅଧର୍ମ ଉପରେ ସତ୍ୟ ଧର୍ମର ବିଜୟ

ଶରତରେ ମାଆଙ୍କ ଧରାଗମନ ହିଁଁ ସ୍ୱତଃସିଦ୍ଧ ପ୍ରମାଣିକତା ।

ପ୍ରତିବର୍ଷ ଜାକଜମକରେ ମହିଷାସୁରର ବଧ

ପାଳନ କରିଚାଲୁଥିବା ବେଳେ

ଆମର ସନ୍ଦେହ ରହିଆସିଛି ବହୁ କାଳରୁ କାହିଁକି ?

ତାହା କେବଳ ରହିଗଲାଣି କାଠ ପଥରରେ ସୃଷ୍ଟ 

ମୂର୍ତ୍ତି ମନ୍ଦିରରେ ପୂଜିତ ଭଗବାନଙ୍କ ଭିତରେ ।


ତଥାକଥିତ ଅସୁରମାନଙ୍କର ମାୟାବୀ ଶକ୍ତିରେ

ଆମେ ପୂର୍ଣ୍ଣତା ଲଭିବା ପାଇଁ ସଦା ତତପର ।


ସତ୍ୟର ସାମନା କରିବା ପାଇଁ

ସାମର୍ଥ୍ୟ ଓ ସାହସ ଆମ ପାଖରେ

ସତରେ କଣ ଅଛି ?

ତେବେ ଏ ଲାଞ୍ଚ ମିଛ ଧୂର୍ତ୍ତାମି

ଚୋରି ନାରୀ ଠକାମି

କାୟାବିସ୍ତାର କରିଚାଲିଛି କଣ ପାଇଁ ?


ରୀତି ନୀତି ପରମ୍ପରାରେ

ନୀତିବାଣୀ ଓ ପୌରାଣିକ କାହାଣୀରେ

କେବଳ ଜୟ ହୋଇଥାଏ ସତ୍ୟ ଓ ଧର୍ମର

ତାହା ପୁଣି ସମ୍ମୁଖ ଭାଗରେ

ଅନ୍ୟକୁ ଦେଖାଇଲଲା ବେଳେ

ମନର ଅନ୍ୟ ଏକ ଦିଗ ଖୁସି ମନାଉଥାଏ

ନିଜର କୁଟିଳ ପାରଙ୍ଗମତା ଉପରେ

ମାୟାବୀ ଶକ୍ତିର ସଦୁପଯୋଗର ସଫଳତା ପାଇଁ ।


କିଏ ନ ଜାଣିଛି ଏଇଠୁ ହିଁ ଜନ୍ମ ନିଅନ୍ତି

ଦୁଶ୍ଚରିତ୍ର ପାପାଚାରୀ ଭୟଙ୍କର ଅସୁରର ସତ୍ତା

ସେଇଥିପାଇଁ ତ ଶକ୍ତିର ଆବାହନ

ନିଜକୁ ତା’ କବଳରୁ ମୁକ୍ତ କରିବା ପାଇଁ,

ସେହି ଶକ୍ତିର ଚୈତନ୍ୟରେ ସମଗ୍ର ସୃଷ୍ଟି

ହୋଇଯାଆନ୍ତା ଆଲୋକିତ

ପ୍ରତିଟି ଜୀବନୀଶକ୍ତି ଭିତରେ

ଆସିପାରନ୍ତା ଦିବ୍ୟତା ।


କେତେ ଯେ ଅସୁର ମଲେଣି 

କାଳର ଗର୍ଭରେ ହିରଣ୍ୟାକ୍ଷ ହିରଣ୍ୟକଶିପୁ ରାବଣ ମହିଷାସୁର ରକ୍ତବୀର୍ଯ୍ୟ କଂସ

ତା’ର ହିସାବ ରଖିବା ଅନାବଶ୍ୟକ,

କିନ୍ତୁ ସେମାନେ ଛାଡ଼ିଯାଇଥିବା ଅନ୍ଧାରରେ

ମଣିଷ ଏତେ ମୋହିତ ହୋଇପଡ଼ିଛି ଯେ

ପ୍ରତିବର୍ଷ ମାଆଙ୍କ ଆହ୍ବାନ କରୁଛି

କାହାର ସନ୍ଧାନରେ

ସତ୍ୟର ନା ମାୟାର ?


ମା ମହାମାୟୀ ମହାଶକ୍ତିଙ୍କ ସାମର୍ଥ୍ୟରେ

ସଂଶୟ ଆସୁଛି କାହିଁକି ?

ତାଙ୍କୁ ଯୁଗ ଯୁଗ ଧରି ଆସିବାକୁ

ପଡ଼ିଛି କେଉଁ ଉଦ୍ଦେଶ୍ୟରେ ?

ଆମେ କଣ ସତରେ

ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଆଶ୍ରିତ

ନା କେବଳ ମନ୍ତ୍ର ଉଚ୍ଚାରଣ

ବାହ୍ୟ ତିଳକ ଓ ଆବରଣ

ଶୌଚ ପ୍ରଦର୍ଶନରେ କୃତକୃତ୍ୟ

ହୃଦୟର ମଇଳାକୁ ଜାବୁଡ଼ି ଧରି ।


ଦୈନନ୍ଦିନ ଜୀବନରେ ଆସୁରିକ ଶକ୍ତିର

ପ୍ରାଦୁର୍ଭାବ ବୃଦ୍ଧିର ଡିଣ୍ଡିମ ପିଟି

କୁମ୍ଭୀର କାନ୍ଦଣାରେ କି ଯଶ ସତେ !

ତେବେ ସମୟ ଅସମୟରେ

ସେ ଭୟଙ୍କର ମୁଖା ଓ ପାଦୁକା ନାଇ

ଜଘନ୍ୟ ନୃତ୍ୟ କରିବାର ଆବଶ୍ୟକତା

ଚିରକାଳ ପାଇଁ କି ଉଦ୍ଦେଶ୍ୟ ପ୍ରଣୋଦିତ ?


ନିଜର ଶକ୍ତି ବୃଦ୍ଧିକରିବାରେ ଶତଚେଷ୍ଟିତ ମଣିଷ

ସତ୍ୟ ନ୍ୟାୟ ଓ ନୀତି ନିୟମକୁ

ଲଂଘିଚାଲିଛି କଣ ପାଇଁ ?

ଅନୀତି ଅନାଚାର ଦୁରାଚାର ପାପାଚାର ଭଳି

ଅନେକ ରୂପରେ ସୁସଜ୍ଜିତ ହୋଇ

କଳୁଷିତ ସମାଜ କେଉଁମାନଙ୍କୁ ନେଇ ?

ମହିଷାସୁର ନା ମଣିଷାସୁର ??



Rate this content
Log in

Similar oriya poem from Abstract