ଭିଟାମାଟି
ଭିଟାମାଟି
ପଞ୍ଚ ମହା ତତ୍ତ୍ୱ ଗଢା ଦୁର୍ଲଭ ଏ ଦେହପିଣ୍ଡ
ଦୁର୍ଲଭ ଏ ଭିଟାମାଟି ଆପଣାର ଅତି ।
ଅହରହ ଜୀବନ ସଂଗ୍ରାମେ
ଜୀବନ ଓ ଭିଟାମାଟି ହୁଏ ହତାଦର
ନିରିମାଖି ଭିଟାମାଟି କାନ୍ଦେ କଇଁ କଇଁ
ତା ଆଖିରୁ ଝରେ ନିଆଁ ଝୁଲ ।
ଉଜୁଡେ ବି କେବେ କେବେ ଭିଟାମାଟି
ଦୁର୍ବିପାକେ କ୍ରୁର ଖଳ ଚକ୍ରାନ୍ତରେ
ତା ଉପରେ ରାତାରାତି ଗଢିଉଠେ ଶିଳ୍ପ,
ଅଭାବରୁ ହଜିଯାଏ ହିତାହିତ ଜ୍ଞାନ
ପେଟ ଚାଖଣ୍ଡକ ପାଇଁ ବାଧ୍ୟ କେବେ
ଭିଟାମାଟି ଛାଡ଼ଇ ମଣିଷ ।
ଭିଟାମାଟି ସୁଖ ଶାନ୍ତି ଜୀବନ ଆଧାର
ପରିତ୍ୟକ୍ତ ଭିଟାମାଟି ଏବେ ଧ୍ୟାନ ମଗ୍ନ ,
ସତେ କି ହୋଇବ ସତ୍ୟ ସୁନ୍ଦର ତା
ସବୁଜ ସପନ ,
ସହରର ପ୍ରଦୂଷଣ ଧୂଳି ଧୂଆଁ ପିଇବାକୁ
ତା ସନ୍ତାନ ନ ଯିବେ ପ୍ରବାସ
ମହକି ଉଠିବ ପୁଣି ଭିଟାମାଟି ଜଡ଼ ପ୍ରାଣ,
ଖୋଜିବେ ତା ବୁକୁପରେ ତା ସନ୍ତାନ
ଜୀବନର ଅମୃତ ନିର୍ଯ୍ୟାସ ।
------
