ଭାରି ଭଲଲାଗେ ସେଇ ଗାଁ
ଭାରି ଭଲଲାଗେ ସେଇ ଗାଁ
ଭାରି ଭଲଲାଗେ ମୋତେ ସେଇ ତୁମ ଗାଁଆ,
ଯାହାର ମାଟିପାଣିରେ ଗଢ଼ା ତୁମ ନାଁଆ ।
ଝରଣାର କୁଳୁକୁଳୁ, ପାହାଡ଼ର ଗଛ ଲତା,
ଗାଈ ଗୋଠ ହମ୍ବାରଡ଼ି, ମନ ମୋହେ ନଈ ପଠା ।
କ୍ଷେତରେ ଚାଷୀ ଲଙ୍ଗଳ, ସବୁଜ ଲହରୀ ମାଳ,
ପୋଖରୀ କୂଳରେ ତୁଠ, ହିଡ଼ରେ ନଡ଼ିଆ ତାଳ ।
ଅଙ୍କା ବଙ୍କା ରାସ୍ତା ତାର, ଗୋବର ଲିପା ଦୁଆର,
ରଙ୍ଗମାଟି ମୁରୁଜରେ ଶୋଭଇ ଅଗଣା ଘର ।
ଗାଁ ମୁଣ୍ଡରେ ମନ୍ଦିର, ପାହାନ୍ତିଆ ଘଣ୍ଟ ବାଜେ,
କୁକୁଡ଼ାର ରାବ ଶୁଣି ଉଠନ୍ତି ସୂରୁଜ ଆଗେ ।
ସେହି ପାହାନ୍ତିଆ ଛବି ମନକୁ ମୋ ମୋହିନିଏ,
ଧନ୍ୟ ଅଟ ତୁମେମାନେ, ଯେଣୁ ତୁମ ଗାଁ ସିଏ ।
ସେଦିନର ଗାଁ ଛବି, ବନାଇଛି ମୋତେ କବି,
ଆଜି ବି ମୁଁ ଖୁସିହୁଏ ଗାଁ କଥା ମନେ ଭାବି ।
ଗାଁ ର ଶଗଡ଼ ଗାଡ଼ି, ଯାଏ ନୂଆଁ ବୋହୂ ଛାଡି,
ଆମ୍ବତୋଟା, ଦୋଳିଖେଳ କୋଇଲିର କୁହୁ ରଡି ।
ମୁଣ୍ଡରେ ହାତେ ଓଢଣା, ଯାନିଯାତରା ମେଳଣା,
ଧୋତି କୁରୁତା ସାଥିରେ ସ୍ୱର୍ଗ ପରିବେଶ ସିନା ।
ଗାଁର ରାତି ଆକାଶ, ତାରାଗଣେ ସୁନ୍ଦର ବେଶ,
ଏକାହିଁ ଚାନ୍ଦିନୀ ରାଣୀ, କରେ ଉଜ୍ବଳ ପ୍ରକାଶ ।
ଗାଁ ର ସେ ଜଳଖିଆ, ମୁଢି ମୁଆଁକୁ ନଡ଼ିଆ,
ଖୁଦ ଭଜା, ରାଶି ଖଜା, ଚୁଡ଼ା ସହ ଖଇ ଲିଆ ।
ଘରକୁ ଆସିଲେ ଅତିଥି, ପାଣିଢାଳ ପିଢାଦେଇ,
ନାନା ବ୍ୟଞ୍ଜନ ବନାନ୍ତି, କଂସା ବାସନରେ ଥୋଇ ।
ଗାଁର ଚାଳ ଛପର, ଖରାଦିନେ ଏ. ସି.ଘର,
ବର୍ଷାଦିନେ ତା ଓଳିରୁ, ପାଣି ପଡେ ଝର ଝର ।
ଶୀତଦିନେ ଗାଁ ଦାଣ୍ଡ, ଲୋକମେଳି ନିଆଁ ପୁହେ,
ଶରତରେ କାଶତଣ୍ଡୀ ଗାଁ ରାସ୍ତା ମନ ମୋହେ ।
ଗାଁ ପୋଖରୀରେ ସଦା ପଦ୍ମ କଇଁ ଫୁଲ ନାଚୁଥାଏ,
ପାଣି ତା ଲହରୀ ଖେଳେ, ଛୋଟଛୋଟ ମାଛଡ଼ିଏଁ।
ସନ୍ଧ୍ୟାରେ ଗାଁ ଗୋଧୂଳି, ସଞ୍ଜବତୀ ଦୁଆରେ ଜାଳି,
ପକ୍ଷୀ ଯାଏ ନୀଡେ ଫେରି, ସୂରୁଜ ପାହାଡ଼େ ବୁଡି ।
ଏମିତି ହିଁ ତୁମ ଗାଁଆ, ଯେତେ କହିଲେ ସରେନା,
ଲାଗେ ମୋତେ ଫେରିଯିବି, ସେଠି ଗଢିବି ଦୁନିଆ ।
ସତରେ ସେ ଗାଁ ମାଟି, ଭାରି ଭଲ ମିଠା ପ୍ରୀତି,
ଭାଗ୍ୟରେ ଥିଲେ ହିଁ ମିଳେ, ସେପରିକା ଜନ୍ମମାଟି ।
ଧନ୍ୟ ଧନ୍ୟ ଅଟ ତୁମେ ଗାଁରେ ଜନମ ହୋଇ,
ଧନ୍ୟ ଅଟେ ତୁମ ଗାଁଆ, ଶତ ଶତ ନମେ ମୁହିଁ ।