ବାଟୋଇ ଓ ଛାଇ
ବାଟୋଇ ଓ ଛାଇ
ଲାଗିବ ମନକୁ କଷ୍ଟ କହିଲେ ଅପ୍ରିୟ ସତ୍ଯ
ଜ୍ଞାନ ବିବେକ ଉଦୟ ହୁଅଇ ବିଳମ୍ବେ
ଭୁଲିଯାଏ ଏ ମଣିଷ ତା ପୂରୁବ ଇତିହାସ
ନଷ୍ଟ କରେ ପରିବେଶ ଡାକେ ଘୋର ଆପଦେ ।
କରଇ ଭୋଗ ବିଳାସ ହୋଇ ସେ ସ୍ବାର୍ଥ ସର୍ବସ୍ବ
ଦେଖିନାହିଁ ଲୋପ ହୁଏ ଜୀବ ଜାତି ପ୍ରଜାତି
ଗଛଲତା ସବୁଜିମା ଅବାରିତ ହେଲେ କ୍ଷୟ
ପରିଣାମେ ବୃଦ୍ଧି ହେବ ଅସମ୍ଭବ ତାତି ।
ଉଦ୍ଭିଦ ଓ ପ୍ରାଣୀ ସବୁ ଜୀବ ସୃଷ୍ଟି ଆଦ୍ୟ କାଳୁ
ଅଟନ୍ତି ନିର୍ଭରଶୀଳ ପରସ୍ପର ମଧ୍ଯରେ
ଅତି ଆଧୁନିକ ହୋଇ ପାରିବାରିକ ସୁଖେ ରହି
ଗଢିଦେଇ ରାସ୍ତାଘାଟ କଂକ୍ରିଟର ଜଙ୍ଗଲେ ।
ଗ୍ରୀଷ୍ମ ଦିନ ଦ୍ବିପ୍ରହରେ ମୁଣ୍ଡଫଟା ଖରାବେଳେ
କ୍ଲାନ୍ତ ଶ୍ରାନ୍ତ ଗୃହମୁଖୀ ବିଚରା ବାଟୋଇ
ଖୋଜିବ ଆଶ୍ରୟ ଟିକେ ସୁଶୀତଳ ଛାୟାତଳେ
ଥକ୍କାପଣ ଅବସାଦ ମେଣ୍ଟାଇବା ପାଇଁ ।
ଆପଣା ତ୍ରୁଟି ସୁଧାରି ଜଙ୍ଗଲ ସୁରକ୍ଷା କରି
ପଡିଆ ଜମିରେ ଚାରା ଅଧିକ ରୋପିଲେ
ଆମ୍ଭର ଉତ୍ତର ପିଢୀ ପ୍ରଦୂଷଣୁ ଲଭି ମୁକ୍ତି
ଶ୍ବାସନେବେ ସୁବିଶ୍ବାସେ ସୁଖ ଓ ଶାନ୍ତିରେ ।