ବାହାନା
ବାହାନା
କଳ୍ପନା ପ୍ରସୂତ ଶୁଦ୍ଧ ଗଦ୍ୟରୂପ
ଆରୋପ ମିଛ ବାହାନା
ଲାଗେ ଅବିକଳ କିମ୍ଭୁତ ପ୍ରକାର
ମାନସ ସୃଷ୍ଟ ଭାବନା ।
ସତ୍ୟ ପ୍ରତିରୂପ ବାସ୍ତବତା ପ୍ରାୟ
ବାହାନା କେବେ କେମିତି
ସୃଷ୍ଟି କରେ ଭ୍ରମ ଅବସାଦ ଦୁଃଖ
ଥିଲେ ଅର୍ଦ୍ଧ ସତ୍ୟ ମିଶି ।
ଯଥା ସମୟରେ ହୋଇନାହିଁ ଯଦି
ନିର୍ଦ୍ଦିଷ୍ଟ କାର୍ଯ୍ୟ ସମ୍ପନ୍ନ
ନୂଆବୋହୁ ସାଜି ଖୋଲଇ ଓଢ଼ଣା
ବାହାନାର ପ୍ରକରଣ ।
ବଦମାସ ଛାତ୍ର ଦେଖାଏ ବାହାନା
ବାପା ବତାଇଲେ କାମ
ମାଆ ହୋଇଗଲେ ହଠାତ ଅସୁସ୍ଥ
ପାଠେ ରହିଲାନି ଧ୍ୟାନ ।
ମୁହଁ ମାଡି ପତ୍ନୀ କାନ୍ଦେ କଇଁ କଇଁ
ପେଟକୁ କାମୁଡେ ବାଇ
ଅସାଧୁ ସେବକ କହେ କାଲି କାଲି
ଏବେ ମୋଟେ ତର ନାହିଁ ।
ନେତା ମନ୍ତ୍ରୀ ସବୁ ଗାଲୁ ବାହାନାରେ
ବିଚକ୍ଷଣ ବିଶାରଦ
ତୋଳିପାରିବେ ସେ ଆକାଶ କୁସୁମ
ଶୁଙ୍ଘାଇ ଜାଣନ୍ତି ଗଦ ।
ବାପଘର ଛାଡି ଗଲେ ଶାଶୁଘର
ଶୁଣଇ ବୋହୁ ଗଞ୍ଜଣା
କଣ୍ଠକୁ ଥରାଇ କାନ୍ଦନ୍ତି ବାହୁନି
ସରଳା ଗାଉ°ଲୀ କନ୍ୟା ।
ବାହୁନା ବାହୁନି ଅଟେ ଅବ୍ୟାପାର
ବିଲକ୍ଷଣ ଅପଳାପ
ଭାରାକ୍ରାନ୍ତ କରେ ମନକୁ ଅଯଥା
ସମୟ କରଇ ନଷ୍ଟ ।