ଅଧୁନା ଯୁଗରେ ରଜ ପରବ
ଅଧୁନା ଯୁଗରେ ରଜ ପରବ
ମୋର ପିଲା ଦିନେ ଶୁଣି ଥିଲି ରଜ ଗୀତ,
ବନସ୍ତେ ଡାକିଲା ଗଜ
ସରବେ ଆସ ଭାଇ ଭଉଣୀ ହୋଇବା,
ରଜ ପାଇଁ ସଜ ବାଜ ।
ଗରବେ କହୁଛେ, ବିଶ୍ୱେ ବନ୍ଦିତ ଆମେ ତ
ସଂସ୍କୃତି ଐତିହ୍ୟ ପାଇଁ
ଶ୍ୟାମଳାଭରା ଧରିତ୍ରୀ ବକ୍ଷେ କୃଷକ
ଖୁସିରେ ତେର ପରବ ପାଳଇ ।
ଧରଣୀ ରାଣୀର ପ୍ରିୟତମ ବରଷା ଋତୁର
ଆଗମନ ହୋଇଥାଏ
ରଜସ୍ଵଳା ହୋଇ ବସୁନ୍ଧରା ମାତାର ମନ
ଆନନ୍ଦିତ ରୁହେ ।
ପହିଲି ରଜର ପୂର୍ବ ଦିବସଟି କଟେ ସଜ
ବାଜ ସମାରୋହ ଭିତରେ
ଦ୍ଵିତୀୟ ଦିବସ ରଜ ସଂକ୍ରାନ୍ତି, ତୃତୀୟଟି
ଭୂମିଦାହ, କଟାଏ ଆନନ୍ଦରେ ।
ଝିଅ ବୋହୁ ସବୁ ସଜେଇ ହୁଅନ୍ତି ଅଳତା
ଓ ଅନ୍ୟ ସାମଗ୍ରୀ ପିନ୍ଧି
ରଜ ପିଠା ଖାଇ ଖେଳନ୍ତି ସାଥୀମେଳେ
ଗଛ ଡାଳେ ଦୋଳି ବାନ୍ଧି ।
ନଥାଏ ଜାତି ଧର୍ମ ବର୍ଣ୍ଣ ଉଚ୍ଚ ନୀଚ ଭେଦ
ଭାବ ସର୍ବେ ହୁଅନ୍ତି ଏକତ୍ର,
ରଜ ପରବରେ ଐକ୍ୟ ସୌହାର୍ଦ୍ଦ୍ୟର ବାର୍ତ୍ତା
ବାଣ୍ଟନ୍ତି ରାଇଜେ ସର୍ବତ୍ର ।
ମଣିଷର ସହ ପ୍ରକୃତିର ସମ୍ପର୍କେ ପାଳୁଅଛେ
ଏହି ଆମ ରଜ ପରବଟି
ରଜ ଦିନ ଚାଷ କାମ କିଛି ହୁଏନି ଯେହେତୁ
ବସୁମତୀ ହୁଏ ରଜବତୀ ।
ଗଜ ନାହିଁ ଆଉ ଜଙ୍ଗଲେ ଗାଁରେ ତା ଆକ୍ରମଣ,
ହୁଏ ଜନ ଆନ୍ଦୋଳନ
ସହରାଭିମୁଖୀ ସଭିଏଁ ହେଲେଣି ଜଙ୍ଗଲୀ ପଶୁ
ମାତୁଛନ୍ତି ଦିନକୁ ଦିନ ।
ନୂତନ ଯୁଗରେ ପାଦେ ଅଳତା ଦେହେ ହଳଦୀ,
କଦଳୀ ପଟୁଆ ଜୋତା,
ଭୁଆସୁଣୀ ପାନ ଭଙ୍ଗା କଥା ଆଧୁନିକା ନାରୀ
ହସରେ ଉଡାନ୍ତି ପ୍ରଥା ।
ଆସିଛି ରଜ, ଗଛ ଅଭାବେ ରଜଦୋଳି ଆଉ
ହେଉନି ତ କଟମଟ ,
ଅଳତା କୁଙ୍କୁମ ସଜବାଜ ଛାଡ଼ି ଝିଅମାନେ
ବିଉଟି ପାରଲରେ ବ୍ୟସ୍ତ ।
ରଜଦୋଳି କାହିଁ କେଉଁଠି ପାଉନି ମୁଁ, ପାର୍କରେ
ସବୁଦିନ ପରି ଲାଗିଛି ଭିଡ଼ ,
ରଜ ଖିଲିପାନ ଘରେ ତ ଦେଖୁନି ମୋବାଇଲ
ଫଟୋ ଉଠାରେ ବ୍ୟସ୍ତ ।
ଆସିଛି ରଜ, ଆସିଛି ରଜ, ନାହିଁ ଆଉ ସପରି
ସଜବାଜ ଓ ରଜ ମଉଜ,
ବନସ୍ତେ ନୁହେଁ, ଏବେ ଫୋନ୍ ଟିଭିରେ ବାଜେ
ଆସିଛି ରଜ, ଡ଼ାକୁଛି ଗଜ ।
ଶୁଣୁଥିଲି ଶବଦ ଆସ ସଙ୍ଗାତ, ଆସ ଗୋ
ମକର, ଆସ ଲବଙ୍ଗ ମୋର,
ମୋବାଇଲ ଇଷ୍ଟଗ୍ରାମ ଫେସବୁକ ଯୁଗେ
ମିଳିବ କି ଭାବନା ସରଳତାର ।
ପରବର ଭାବକୁ ନବୁଝି ସଂସ୍କୃତିକୁ ନିଜେ
ବଳି ଦେଇ ସବୁକୁ ଭୁଲିଲେ
କ୍ଲ'ବକୁ ଯାଇ ସୁରା ସାକୀ ନେଇ ମତ୍ତ ଭୋଳ
ହୋଇ ସରବେ ନାଚିଲେ ।
ସତରେ ରଜ ସଂସ୍କୃତି ଆଜି ଯାଉଅଛି ହଜି,
ସହରୀ ସଭ୍ୟତା ଆଦରରେ,
ଆଧୁନିକତାରେ ସଂସ୍କୃତିକୁ ଭୁଲିବା ଡିଯେ ମଦ
ଜୁଆ ଦଲାଲଙ୍କ ଆଡ୍ଡାରେ ।
ଗଣପର୍ବଭାବେ ରଜ ପର୍ବ ଉଭା ଐକ୍ୟ ସୃଷ୍ଟି
ପାଇଁ ସାରା ଭାରତେ ବିଦିତ
ରାଜନୀତିରେ ବିଭେଦେ ଓଡ଼ିଆ ଭାବମୟେ
ନାହିଁ ବନ୍ଧା ପରସ୍ପରର ସହିତ ।
ବାର ମାସେ ତେର ପର୍ବର ସଂସ୍କୃତି ଆମର ଥିଲା
ଟି ସୁନ୍ଦର, ତାହା ପାଳିବା
ଏ ତ ଓଡ଼ିଆର ଗର୍ବ ଏହି ପର୍ବ ଦିନତକ କବିତା
ରେ ହିଁ ଖାଲି ଲେଖୁଥିବା ।