ଅବିସ୍ମରଣୀୟ
ଅବିସ୍ମରଣୀୟ
ଭୁଲି ମୁଁ ପାରୁନି ସେଦିନର କଥା
ପଢୁଥିଲି ଅଷ୍ଟମରେ ।
ବିଦ୍ୟାଳୟ ଥିଲା ଆମ ଘରଠାରୁ
ଗୋଟେ ମାଇଲ ଦୂରରେ ॥୧॥
ପଢୁଥାଏ ପାଠ ବିଦ୍ୟାଳୟେ ଦିନେ
ଗାଁରେ ଲାଗିଲା ନିଆଁ ।
ଦିନ ଦ୍ଵିପ୍ରହର ଖରାଦିନ ଥିଲା
ଲୋକେ ହୋଇଲେ ଛାନିଆ ॥୨॥
ମାଇଲିଏ ଦୂରେ ବରଯାତ୍ରୀଦଳେ
ଗାଁର ପୁରୁଷମାନେ ।
ଯାଇଥିଲେ ଚାଲି ଘରେ ରହିଥିଲେ
କେବଳ ଘରଣୀମାନେ ॥୩॥
ନିଆଁ ଲାଗିଗଲା ଶବଦ ଶୁଭିଲା
ଛୁଆ ପିଲା ସବୁ ନେଇ ।
ମାଆ ବୋହୁମାନେ ଘର ବାଡି ପାଖେ
ସଭିଏଁ ଗଲେ ପଳାଇ ॥୪॥
ବଳଦ ହଳଟେ ବନ୍ଧା ହୋଇଥିଲେ
ଆମ ଘର ଗୁହାଳରେ ।
ବୋଉ ମୋର ଯାଇ ତାହାଙ୍କୁ ଫିଟାଇ
ରହିଲା ବାଡି ପାଖରେ ॥୫॥
ସାନ ଭାଇ ସାନ ଭଉଣୀ ମାନଙ୍କୁ
ରହିଲା ସେ ଜଗି କରି ।
ନିଆଁ ଲାଗିଗଲା ନିଆଁ ଲାଗିଗଲା
ବୋଲି ପଡୁଥାଏ ହୁରି ॥୬॥
ଦମକଳ ଦଶ ମାଇଲ ଦୂରରୁ
ଆସି ଲିଭାଇବ ନିଆଁ ।
ମାଇଲିଏ ଆସି ଟେଲିଫୋନ କଲେ
ଆସିବ ସେ ସିନା ଯାହା ॥୭॥
ଖରାବେଳଟାରେ ପବନ ବହିଲା
ହୁତୁହୁତୁ ଜଳେ ନିଆଁ ।
ଏମିତି କେ ନାହିଁ ଯିବ ସେ ସ୍ଥାନକୁ
ଯାଇ ଲିଭାଇବ ନିଆଁ ॥୮॥
ମାଇଲିଏ ଦୂରୁ ବିଦ୍ୟାଳୟଠାରୁ
ଧାଇଁ ଧାଇଁ ଆମେ ଗଲୁ ।
ଦମକଳ ଆସି ନଥାଏ ଦେଖିଲୁ
ନିଜେ ନିଆଁ ଲିଭାଇଲୁ ॥୯॥
କିଛି ବେଳ ପରେ ଆସି ଦମକଳ
ବାକି ନିଆଁ ଲିଭାଇଲା ।
ଆମ ଘର ନିଆଁ ଲିଭି ତ ନଥିଲା
ହୁତୁହୁତୁ ଜଳୁଥିଲା। ॥୧୦॥
ଧାନ ତିନିଗାଡି ରହିଥିଲା ଘରେ
ଅମଳ ତ ହୋଇଥିଲା ।
ଶାଳଗଣ୍ଡିମାନ ତିନିଗାଡି ଥିଲା
ପୋଡି ପାଉଁଶ ହୋଇଲା ॥୧୧॥
ନିଆଁ ଲିଭା ସାରି ଦମକଳ ଗଲା
ଘରେ ତ କିଛି ନଥିଲା ।
ରହିବାର ବାସ ଖାଦ୍ୟ ଅନ୍ନ ବସ୍ତ୍ର
ସବୁ ପାଉଁଶ ହୋଇଲା ॥୧୨॥
ଅବିସ୍ମରଣୀୟ ସେଦିନର କଥା
ମାସାଧିକ କାଳ ଯାଇ ।
ମାମୁଁଘରେ ଥିଲୁ ସକୁଟୁମ୍ବେ ଆମେ
କେବେ ଭୁଲି ହେବନାହିଁ ॥୧୩॥
ଭାଙ୍ଗିଗଲା ମେରୁଦଣ୍ଡ ଜୀବନର
ବହୁ କଷ୍ଟେ ହେଲୁ ଠିଆ ।
ଏ ବିପତ୍ତି କେବେ କାହାକୁ ନଆସୁ
ସାହା ହୁଅ ଚଉବାହା ॥୧୪॥
