ଆମ୍ବତୋଟା
ଆମ୍ବତୋଟା
ଆମ୍ବତୋଟା ଗହଳରେ ଗ୍ରୀଷ୍ମ ଦିନ ଖରାବେଳେ
ଲାଗେ କେଡେ ସୁଶୀତଳ ଅନୁଭବୀ ଜାଣେ
କୋଇଲି ଗାଏ ମଧୁରେ ଫଳଛାୟା ସମାହାରେ
ଭୁଲିଯାଏ ଦୁଃଖଶୋକ ଜାଗେ ଖୁସି ମନେ ।
ରହିଅଛି ଭିନ୍ନ ଭିନ୍ନ ଆମ୍ବ ଆକାର କିସମ
ରଙ୍ଗ ମହକ ସୁଆଦ ଅନନ୍ଯ ଉତ୍ତମ
ସର୍ବଜନ ପ୍ରିୟ ଆମ୍ବ ବାସ୍ନାୟିତ ଦିବ୍ଯଗୁଣ
ହରଣ କରଇ ଚିତ୍ତ ତା ମଧୁ ସୁଗନ୍ଧ ।
ରସାଳ ତା ତତ୍ତ୍ବ ସାରେ ଭରା ଖାଦ୍ଯ ଉପାଦାନେ
ଦେବଗଣ ହୋଇଥାନ୍ତି ତା ପ୍ରତି ଆକୃଷ୍ଟ
ପୁଷ୍ଟି ଧାତବ ଲବଣେ ଔଷଧିୟ ମହଗୁଣେ
ଅମୃତ ଫଳ ଆମ୍ରର ଅସୀମ ମହତ୍ତ୍ବ ।
ଖାଦ୍ଯ ରୂପେ ବ୍ଯବହୃତ ହେଉ କଞ୍ଚା ଅବା ପକ୍ବ
ଲୋଡାଯାଏ ଆମ୍ବପତ୍ର ପ୍ରତି ଶୁଭ କାର୍ଯ୍ଯେ
ସୁପ୍ରସିଦ୍ଧ ଚିତ୍ରକଳା ଆମ୍ବ କଷି ବଉଳର
ମନ ହରେ ଦର୍ଶକର ଶାନ୍ତି ଓ ସୌନ୍ଦର୍ଯ୍ଯେ ।
ଆମ୍ର କୁଞ୍ଜ ବାଟିକାରେ ପ୍ରୀତିପ୍ରେମ ମଧୁ ଝରେ
ଶ୍ରେଷ୍ଠ ଚୂତ ଫଳ ଆମ ସୌଭାଗ୍ଯ ପ୍ରତୀକ
ଜାତୀୟ ଫଳ ଓ ବୃକ୍ଷ ଭାବେ ଆମ୍ର ସୁବିଦିତ
ଗାଆଁ ଆମ୍ବତୋଟା ହେଉ ସଯତ୍ନେ ସୁରକ୍ଷ ।।