ଆଦ୍ୟ ଆଷାଢ଼
ଆଦ୍ୟ ଆଷାଢ଼
ଆଦ୍ୟ ଆଷାଢ଼ର ଅସୁମାରୀ ସ୍ବପ୍ନ
କୁଣ୍ଢାଝରା ପ୍ରୀତି ପରି
ନୀଳ ଗଗନରୁ ସ୍ପଟିକ ପରାୟେ
ଯାଉଅଛି ଝରିଝରି ।
କିଏ କହେ ଦେଖ ଆଷାଢ଼ ଆସିଛି
ଭିଜେଇବ ତାର ପ୍ରେମେ
ସୃଷ୍ଟି ସଂରଚନା ସ୍ପରଶରେ ତାର
ଲେଖିଦେବ ଆର୍ଦ୍ର ମନେ ।
ପଣତ ବିଛେଇ କବରି ଖେଳାଇ
ଆଣ୍ଠୁଭାଙ୍ଗି ଅଛି ବସି
କଳା କବରୀର ସମ୍ମୋହନ ଜାଲେ
ମେଘ ଯାଇଅଛି ଫଶି ।
ରୂପ ଲାବଣ୍ୟର ଲବଣୀ ଦେହେ ତା’
ଲୋଟିଯିବ ଆନନ୍ଦରେ
ମିଶିକି ରଚିବେ ନୂଆ ସୃଷ୍ଟି ଏକ
ସବୁଜିମା ଚରାଚରେ ।
ଆଦ୍ୟ ଆଷାଢ଼ର ପ୍ରେମ ବଢିଚାଲେ
ଭିଜାଇକି ତନୁମନ
ଶୀତଳ କରି ସେ ଉତ୍ତପ୍ତ ଶରୀର
ଖୁସିହୁଏ ରାତିଦିନ ।
ପଲ୍ଲବିତ ହୁଏ ଶୁଷ୍କ ତନୁରେ ତା
ପଲ୍ଲବିତ ମନପ୍ରାଣ
ପ୍ରଥମ ସ୍ପର୍ଶର ସ୍ବର୍ଗୀୟ ଭାବନା
ବାଣ୍ଟୁଥାଏ ନିତିଦିନ ।
ଆକାଶ, ଧରଣୀ ମିଳନ ପାଇଁ କି
ଆଗମନ ଆଷାଢ଼ର
ପ୍ରେମରେ ଆକାଶ ଛିଣ୍ଡିଯାଇ ଦେଖ
ଚୁମୁଛି ଧରିତ୍ରୀ କୋଳ ।
ବରଷରେ ଥରେ ଆକୁଳ ଚିତ୍ତରେ
ପୃଥିବୀ ଅପେକ୍ଷାରତ
ପ୍ରେମିକ ପ୍ରବର କଥା ଦେଇଅଛି
ଆଦ୍ୟ ଆଷାଢ଼ ପର୍ୟ୍ଯନ୍ତ ।