ଇଏ କି ଦୁନିଆ
ଇଏ କି ଦୁନିଆ
କେଉଁ ଦୁନିଆକୁ ଆସିଗଲି ମୁହିଁ
ନିଜେ ବି ନିଜକୁ ପାରୁନି ଜାଣି
ତଣ୍ଟି ଶୁଖିଗଲେ କାଲୁବାଲୁ ହୁଏ
କେହି ଟିକେ ଆଣି ନ ଦ୍ୟନ୍ତି ପାଣି ।।
ଯେଝା କାମେ ଯେଝା ଲାଗି ରହିଛନ୍ତି
ସ୍ଵାର୍ଥର ରାଜୁତି ଏଠି ଚାଲିଛି
ବିନା ପଇସାରେ ମୁହଁ ନ ଦେଖନ୍ତି
ପଇସା ଏଠାରେ ସବୁ କରୁଛି ।।
ଟଙ୍କା ଧରାଇଲେ କଳା ହୁଏ ଧଳା
ମିଛ ହେଇଯାଏ ନିରାଟ ସତ
ହାଣିଥିବା ଜନ ଖଲାସ ହୁଅଇ
ନିର୍ଦ୍ଧୋଷୀର ବୋଧେ ରହିଛି ଦୋଷ ।।
ବାପା ମାଆ ଏଠି କାମକୁ ନୁହଁନ୍ତି
ପିଲାମାନେ ଏଠି ହେଲେ ମୁରବୀ
ତାଙ୍କ କଥା ମାନି ଚଳିବାକୁ ହୁଏ
ନୋହିଲେ ଲାଗୁଛି ତଣ୍ଟିରେ କାତି ।।
ନିଶା ଦ୍ରବ୍ୟ ଏଠି ଈଶ୍ବର ପାଦୁକ
ରାତି ପାହିଗଲେ ଆଣି ଚାଖନ୍ତି
ଝିଅ ବୋହୂ ଯାନ୍ତି ଡାନ୍ସ ବାର୍ କୁ
ରାତି ଅଧ ଯାଏ ସେଠି ରହନ୍ତି ।।
ଅନ୍ୟାୟ ଅନୀତି ଚତୁର୍ଦ୍ଦିଗେ ଭରା
ଜ୍ଞାନ ହଜିଯାଏ ଦେଖି ଏଠାରେ
ବଡ଼ ସାନ କିଛି ଫରକ ରହୁନି
ପଶୁ ପରକାରେ ଜାଣ ବେଭାରେ ।।
କୁକାର୍ଯ୍ୟ ଦେଖିଣ ଭୟ ଜାଗେ ଏଠି
ଚୋର ପୁଲିସିର ଲାଗିଛି ଖେଳ
ଅସଦାଚରଣ ସହି ହୁଏନାହିଁ
ଆସିଲାଣି କିବା ଏ ଶେଷବେଳ ?
ଋତୁ ବଦଳୁଛି ଦିନ ବଦଳୁଛି
ସବୁଥିରେ ଦେଖେ ଅଛି ଫରକ
ଖରା ଦିନଟାରେ ବରଷା ହେଲାଣି
ବର୍ଷା ଦିନେ ଖରା ରଖୁଛି ଟେକ ।।
କାହା କଥା କେହି ନ ମାନନ୍ତି ଏଠି
ନିଜେ ହିଁ ନିଜର ପରା ମାଲିକ
ପିତାମାତା କଥା କିଏ ପଚାରୁଛି
ଦେଖିଲେ ଲାଗୁଛି ସବୁ ଖରାପ ।।
ଈଶ୍ବର କାହିଁକି ମୁହଁ ମୋଡିଲେଣି
ଧର୍ମ କର୍ମ ଗଲା ପରା ଚୁଲିକୁ
ଅଧର୍ମର ଦାଉ ହୁ ହୁ ଜଳୁଛି
କହିବି ଯାଇକି ଆଉ କାହାକୁ ।।
ଏମିତି ଦୁନିଆ ଦେଖି ଦେଖି ମୁହିଁ
ଆବା କାବା ଏଠାରେ ହେଉଅଛି
ହେ ଈଶ୍ବର ବାରେ ପାରି କର ମୋତେ
ଧିକ ମଣିଷ ଜନମ ନେଇକି ।।
