ବାସ୍ନା ଭୋଗୀ
ବାସ୍ନା ଭୋଗୀ
ଦୋଳ ହୋଇଥିଲା ଆମ ଗାଆଁରେଟି
କେତେ କେତେ ଭୋଗ ରାଗ
ଗୋଟେ ଗୋଟେ ଘରେ ଆଠ ଦଶ ହଜାରେ
ଖର୍ଚ୍ଚ କରି କଲେ ଭୋଗ ।
ଧନୀକ ବାଲା ତ ପାଖରେ ପଇସା
ଅଛି ସେହୁ କରିଗଲେ
ଦିନ ମଜୁରିଆ ବିଚରା ଋଣରେ
ବୁଡି ମରି ଭୋଗ କଲେ ।
ପ୍ରଭୁ ଯଦି ସବୁ ଭୋଗ ଖାଇଥାନ୍ତେ
ତମେ କି ଭୋଗ ଦିଅନ୍ତ
ନିଜେ ଖାଇବାର ବାହାନା ଏ ସବୁ
ଠାକୁର ନାଆଁରେ ଯିବ ।
ଠାକୁର ତମକୁ କହି କି ଅଛନ୍ତି
ଅମୁକ ସମୁକ ଦିଅ
ଏଇଟା ନହେଲେ ମୋର ଚଳିବନି
ସେଇଟା ଆଣିକି ଦିଅ ।
ବାସନା ଭୋଗୀ ସେ ବାସ୍ନାରେ ସନ୍ତୁଷ୍ଟ
ଭୋଗ ସେମିତି ଥିବ
ଯାହା ତ ପୂଜିଲ ତାହା ତ ଆଣିଲ
ଠାକୁରଙ୍କୁ କ'ଣ ଦେବ ।
ଦେଲା ବାଲା ସିଏ ନେଲା ବାଲା ନୁହେଁ
ସର୍ବେ ଅଛ ମନେ ଜାଣି
ତଥାପି କାହିଁକି ତା ପାଶେ ଓଜାଡ
ଏତେ ଏତେ ଟଙ୍କା ଗଣି ।
ଠାକୁର ଯଦି ସତରେ ଖାଉଥାନ୍ତେ
ତମେ କି ଦେଇ ପାରନ୍ତ
ଠାକୁର ଯଦି ତୁମକୁ ଦେଇଯିବେ
ତୁମେକି ରଖି ପାରିବ ।
ସବୁ ଖାଲି ତୁମ ମନର ବିକାର
ଭାବନା ହିଁ ରହିଅଛି
ଏତେ ଖର୍ଚ୍ଚ ହେଲା ସେତେ ଖର୍ଚ୍ଚ ହେଲା
ଜନ ମୁଖରେ ବାଢୁଛି ।
ଠାକୁର ତମକୁ କିଛି ମାଗୁ ନାହିଁ
ମିଛଟାରେ ଖାଲି ଦେଉଛ
ଯିଏ ମାଗୁଛନ୍ତି ହୁଅ କୁନ୍ତୁକୁନ୍ତୁ
ବ୍ୟାଙ୍କରେ ଟଙ୍କା ସଞ୍ଚୁଛ ।
ବାପା ମାଆ ଯେବେ ମାଗୁଛନ୍ତି କିଛି
ବିରକ୍ତିରେ ଟଙ୍କା କାଢ
ଯେମିତି କିଛି ଦେଇଦେଲେ ତାଙ୍କୁ
ଅପରାଧ ହେବ ବଡ଼ ।
ନେଲାବେଳେ କେତେ ଆନନ୍ଦରେ ନିଅ
ବାପା ମାଆ ଦିଅନ୍ତି ଯାଚି
ଦେଲାବେଳେ ଏତେ କଷ୍ଟ କାହିଁ ପାଇଁ
ହୃଦୟ ଯାଉଛି ଫାଟି ।
ଖାଲି ନେଇ ଜାଣିଅଛ ଦେଇ ଜାଣି ନାହ
ସ୍ଵାର୍ଥପର ତୁମେ ମଣିଷ
ଈଶ୍ବର ତ ଖାଲି ଦେଇ ଜାଣିଛନ୍ତି
ନେବା କେତେବେଳେ ଦେଖିଛ ।
ବାସନା ଭୋଗୀଙ୍କୁ କ'ଣ ଦେଇ ପାରିବ
ଯିଏ ଦେଇ ଦେଇ ଦାତା
ତାଙ୍କ ପାଦେ ପଡି ଗୁହାରି ଜଣାଅ
ଫେଡନ୍ତୁ ସ୍ଵାର୍ଥର ଚିନ୍ତା ।