କାଉ ଡାକିଦେଲା କା
କାଉ ଡାକିଦେଲା କା
ମନ ଦୁଃଖେ କାଉ ଡାଳରେ ବସିଛି
ମନ ମଧ୍ୟେ ଚିନ୍ତା କରୁଛି
କଳା ବୋଲି ମୁହିଁ, ପଚାରୁ ନାହାଁନ୍ତି
ମଣିଷ ଅଟନ୍ତି କେମିତି ।
ଜଗା କାଳିଆଟା ଏତେ କଳା ହେଇ
ତା ପାଖରେ ସଦା ଜାମ
ମୁଁ କଳା ହେଲି ପାସଙ୍ଗେ ନଗଲି
ଇଏ କି ପ୍ରକାର ନିୟମ ।
ଯାଉଛି ଯିବି ମୁଁ ଶ୍ରୀକ୍ଷେତ୍ର ଧାମକୁ
କାଳିଆକୁ ପଚାରିବି
କାହିଁକି ମୋ ସାଥେ କରେ ଅବିଚାର
ଆଜି ସବୁ ଜଣାଇବି ।
ପହଞ୍ଚିଲା ଯାଇ ଜଗନ୍ନାଥ ପାଶେ
ମୁଣ୍ଡିଆଟେ ମାରିଦେଲା
ତା ପରେ ଯାଇ ନିଜର ଉଦ୍ଧେଶ୍ୟ
ବିଷୟରେ ପଚାରିଲା ।
କହିଲା ହେ ପ୍ରଭୁ କାଉ ରୂପେ ମୋତେ
ସଂସାରେ ଜନମ ଦେଲ
କାହିଁକି ମୋ ଦେହେ କଳା ବୋଳିଦେଇ
ଏତେ ସରି କରାଇଲ ।
ଯିଏ ଦେଖୁଅଛି ଆଖି ଫେରୋଉଛି
ମୋତେ ଥରେ ଚାହିଁ ଦେଇ
ମୋ ସ୍ଵରରେ ବି ମଧୁରତା ନାହିଁ
କୁହ ପ୍ରଭୁ କ'ଣ ପାଇଁ ।
କୋଇଲି ମୋ ପରି କଳା ଅଟେ ସତ
ଜନ ମାନସରେ ପ୍ରିୟ
କେତେ ସୁନ୍ଦର ସେ ଗୀତ ଗାଉଅଛି
ଜନେ କରୁଛନ୍ତି ସ୍ନେହ ।
କର୍କଶ ବଚନ ମୋ ତୁଣ୍ଡୁ ବାହାରେ
ସେ ନିମନ୍ତେ ଲଭେ ଘୃଣା
ଅସୁନ୍ଦର ରୂପ ମନେ ବହେ କୋପ
ମୋର ବୁଦ୍ଧି ହୁଏ ବଣା ।
ପ୍ରଭୁ ସବୁ ଶୁଣି ମୁରୁକି ହସନ୍ତି
କହନ୍ତି ରେ କାକ ଶୁଣ
ପୂର୍ବ ଜନ୍ମେ ତୁମେ କରିଲ ଅନ୍ୟାୟ
ତେଣୁ କାକ ରୂପେ ଜନ୍ମ ।
ଭଲ କାମ କଲେ ଭଲ ଫଳ ମିଳେ
ଖରାପ କରିଲେ ମନ୍ଦ
ଈଶ୍ବରଙ୍କ ପରେ ଭକ୍ତି ରଖିଥିଲେ
ପାଏ ସେ ପରମ ପଦ ।
ଶୁଣ ଏବେ ଯାହା କହୁଅଛି ମୁହିଁ
ତୁମର ସନ୍ତୋଷ ପାଇଁ
ସକାଳୁ ରାବିଲେ ରାତି ହିଁ ପାଇବ
ଜନେ ଚେତନା ଦେବଇ ।
ତୁମ ଯାହା ଘର ପରେ ବସି ରହି
କା କା ରାବୁ ଥିବ
ଜନେ ଜାଣିଯିବେ ନିଶ୍ଚୟ ଆଜିରେ
ଘରେ କୁଣିଆ ଆସିବ ।
ସେଥିପାଇଁ ଜନେ ଖାଇବାକୁ ଦେବେ
କା କା ମୁଖେ ଉଚାରି
ଏତିକିରେ ଖୁସି ପାଇବୁରେ କାକ
ମନରେ ଥାଅ ବିଚାରି ।
ମନରେ କିଞ୍ଚିତ ଆନନ୍ଦ ଭରିଣ
ପ୍ରଭୁ ପାଦେ ପଡି ଯାଇ
କହିଲା ପ୍ରଭୁ ହେ ଯାଉଅଛି ମୁହିଁ
ମୋର ଭାଗ୍ୟେ ଯାହା ଥାଇ ।