ଯଉବନ
ଯଉବନ
ଯଉବନ ଜଉଘର ପତଙ୍ଗ ଏ ମନ ଝୀନ
ଧାଉଁଥାଏ ଝପଟି ସେ ଦେଖିଲେ ଅନଳ,
ମନ ହୁଏ ଆନମନା ଉଜାଣି ବହେ ଯମୁନା
ଲାଗଇ ଅମୃତ ସମ ବିଷୟ ଗରଳ ।
ମୃଦୁମନ୍ଦ ହିଲ୍ଲୋଳରେ ମତୁଆଲା ନିଶା ଘାରେ
ଝଟକଇ ଇନ୍ଦ୍ରଧନୁ କୋଣ ଅନୁକୋଣେ,
ପକ୍ଷମେଲି ପ୍ରଜାପତି ଉଡିବୁଲେ ଫୁଲେ ଫୁଲେ
ଚହଟେ ସୁବାସ ଗୁଞ୍ଜେ ସଙ୍ଗୀତ ସୁସ୍ବନେ ।
ମିଠା ମିଠା ସପନରେ ହାତଠାରି ଡାକେ କିଏ
ମଧୁର ତା' ପରଶରେ ଥାଏ କି କିମିଆ,
ରଜନୀ ସଜନୀ ବେଶେ ଆଶ୍ଳେଷଇ ରୂପରସେ
ଖୋଜେ ମନ ସାଥୀଟିଏ ଲାଗେ ଏକୁଟିଆ ।
ଚଢି ଘୋଡା ପକ୍ଷୀରାଜ ଉଡାଣକୁ ବଳେ ମନ
ଖୋଜିବୁଲେ ଆଖି ଦୁଇ ଦୂରେ ଚଉପାଶେ
ଯଉବନ ମାଦକତା ମାନେନାହିଁ କିଛି ବାଧା
ମନପକ୍ଷୀ ଉଡିବୁଲେ ନୀଳ ମୁକ୍ତାକାଶେ ।
