ରୂପା ଶଗଡିରେ ସୁନା କନିଆଁ
ରୂପା ଶଗଡିରେ ସୁନା କନିଆଁ
ଖୋଜୁଥିଲେ ଦିନେ ତୋଟା ନଈକୂଳ
ନିରୋଳାରେ ଟିକେ ହୋଇବା ଭେଟ ,
ନ ଦେଖିଲେ କିଏ କାହାକୁ ଦିନଟେ
ହେଉଥିଲା ମନ ଛଟରପଟ ।
ପଡିଯାଏ ମନେ ସେହି ଶୁଭ ଲଗ୍ନ
ଦୁଇ ମନ ଆମ ହୋଇଲା ଏକ ,
ସେହି ଦିନ ଠାରୁ ଜଳଜଳ ହୋଇ
ଦିଶୁଥିଲା ଖାଲି ତୁମରି ମୁଖ ।
କରୁଥିଲା ମୋତେ ଉଚ୍ଚାଟ ବିଭୋର
ଲଜ୍ଜାବତୀ କନ୍ଯା ମୋ ସର୍ବସୁଖ ,
ଶୟନ ସ୍ବପନ ଅବା ଜାଗରଣେ
ନାଚି ଯାଉଥିଲା ଆଭାସୀ ମୁଖ ।
ହୋଇଗଲା ଯେବେ କଥା ଦିଆନିଆ
ଜାତକ ମେଳକ ରାଜଯୋଟକ ,
ଚାଲିଛି ନିର୍ବନ୍ଧ ଶୁଭ ଆୟୋଜନ
ମାଙ୍ଗଳିକ କର୍ମ ବିଧି ଗୁବାକ ।
ବାଜିବ ମହୁରୀ ତେଲିଙ୍ଗି ବାଇଦ
ଯିବି ବରବେଶେ ତୁମରି ଗାଆଁ ,
ପାଦଥାପି ଥିରି ଆସିବ ଗୋ ପ୍ରିୟା
ରୂପା ଶଗଡିରେ ସୁନା କନିଆଁ ।