ମୋ ଆଖି କେବେ ମିଛ କହେନା
ମୋ ଆଖି କେବେ ମିଛ କହେନା
ଝଲସଇ ଯେବେ ଆଖିରେ ଆନନ୍ଦ
ବହେ ଖରଶ୍ବାସ ଚଞ୍ଚଳେ ମତି
ଯୋଡିହୁଏ ମନ ହୃଦୟ ଦୁଇଟି
ମିଶି ଯାଇଥାଏ ଚାରୋଟି ଆଖି ।
ଉଦବେଳେ ଆବେଗ ପ୍ରାଣ ଅନ୍ତଃମନ
ବହେ କୁଳୁ କୁଳୁ ନିମ୍ନଗା ଧାର
ଚହଟଇ ବାସ କୁଞ୍ଜ ଉପବନେ
ରତ ମଧୁପାନେ ମତ୍ତ ଭ୍ରମର ।
ବିଭୋର ହୁଅଇ ମନ ପ୍ରଜାପତି
ସୁମନର ରଙ୍ଗ ରୂପ ମହକେ
ଭାରି ଇଚ୍ଛା ହୁଏ ଗୋଡାଇ ତା ପଛେ
ଧରିବାକୁ ତାକୁ ହାତରେ ଟିକେ ।
ମନ ଗହନର ସଂଗୋପିତ ଭାଷା
ଆଖିର ଇସାରା ଅକୁହା ଶବ୍ଦ
ଜଗାଏ ବେପଥୁ ପ୍ରାଣେ ଶିହରଣ
ପୁଲକେ ରୋମାଞ୍ଚେ ଶତ କଦମ୍ବ ।
ପୁକାରେ ଜୀବନେ ମୂର୍ଚ୍ଛନା ମଧୁର
ବାଧା ପ୍ରତିବନ୍ଧ ମାନେନା ମନ
କହେ ନାହିଁ ମିଛ ଆଖି ପ୍ରେମଭାଷା
ଆକର୍ଷେ ସ୍ବର୍ଗୀୟ ପ୍ରୀତି ବନ୍ଧନ ।

