STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ମେଢ

ମେଢ

1 min
5


ଋତୁ ଆସେ ଋତୁ ଯାଏ ବଦଳଇ ପାଣିପାଗ 

ପ୍ରକୃତିର ବୈଚିତ୍ରରେ ଘଟେ ରୁପାନ୍ତର 

ହୋଇଥାଏ ଅନୁଭୂତ କେବେ ବର୍ଷା ଖରା ଶୀତ

ବାରମାସେ ଓଡିଶାର ଓଷାବ୍ରତ ତେର ।

ଆସିଗଲେ ପାରବଣ ମନ ହୁଏ ଛନ୍ନ ଛନ୍ନ 

ଜାଗା ଜାଗା ପୂଜାର୍ଚ୍ଚନା ତୋରଣ ସୁନ୍ଦର 

ଉଦ୍ଭାସେ ଆଲୋକମାଳା ମନୋହର ମଞ୍ଚ ସଜ୍ଜା

ଶ୍ରଦ୍ଧାଳୁ ଦେଖଣାହାରୀ ଆନନ୍ଦ ବିଭୋର ।

ବାଜଇ ଢୋଲ ମାଦଲ ଭେରୀ ତୁରୀ ଶଙ୍ଖ ନାଦ

ଦେବାଦେବୀ ଆବାହନ ସ୍ତୋତ୍ର ମନ୍ତ୍ର ପାଠ 

କେଉଁଠି ମୂର୍ତ୍ତି ମୃଣ୍ମୟ ଶୋଭାପାଏ ଚାନ୍ଦି ମେଢ

ଝଟକେ ମଣି ମୁକୁତା ସୁବର୍ଣ୍ଣ କିରୀଟ ।

ପାଞ୍ଚ ବର୍ଷ ଅନ୍ତରାଳେ ଆସେ ଆମ ଭାରତରେ

ନିର୍ବାଚନ ଋତୁ ନେଇ ଆଶା ସମ୍ଭାବନା

ଜିଣିବା ଲକ୍ଷ୍ଯରେ ପ୍ରାର୍ଥୀ କରନ୍ତି ସଭା ସମିତି

ନୂଆ ସ୍ବପ୍ନ ଇସ୍ତାହାରେ ବିଜ୍ଞପ୍ତି ସୂଚନା ।

ପଥପ୍ରାନ୍ତେ ପ୍ରଦର୍ଶନ ଚାଲେ ପ୍ରଚାର ଭାଷଣ

କରି ଜନ ସମାଗମ ଆପଣା ସପକ୍ଷେ

ଗଲେ ନିର୍ବାଚନ ଜିତି ଭୁଲିଯାନ୍ତି ପ୍ରତିଶୃତି

ନମିଳେ ଦର୍ଶନ ତାଙ୍କ ଅକାଳ ଦୁର୍ଭିକ୍ଷେ ।

ଥାଟବାଟ ଚାକଚକ୍ଯ ଅଶାଳୀନ ତିକ୍ତବାକ୍ଯ

ନଘଟୁ ମନୋମାଳିନ୍ଯ ହିଂସା ଖଣ୍ଡଯୁଦ୍ଧ 

ଦଳମତ ନିର୍ବିଶେଷେ ଯୋଗ୍ଯ ପ୍ରାର୍ଥୀ ଚୟନରେ

ଦିଅନ୍ତୁ ଗୁରୁତ୍ବ ସର୍ବେ ଲକ୍ଷ୍ଯ ହେଉ ସିଦ୍ଧ ।

ଅର୍ଥ ହୁଏ ଅପଚୟ ମୂଲ୍ଯବୋଧ ଅବକ୍ଷୟ

ନହେଉ ନିହିତ ସ୍ବାର୍ଥେ ହୀନ ରାଜନୀତି

ବୃହତ୍ତର ରାଷ୍ଟ୍ର ହିତେ ପ୍ରତିବନ୍ଧ ସୁସଙ୍କଳ୍ପେ

ଦୃଢ ହେଉ ଗଣତନ୍ତ୍ର ଶାସନ ପଦ୍ଧତି ।

     



Rate this content
Log in

Similar oriya poem from Tragedy