ଉଡାଣ
ଉଡାଣ
ମନପକ୍ଷୀ ମୋର ସପନେ ବିଭୋର
ଉଡିବାକୁ ଡେଣା ମେଲି
ନୀଳ ଆକାଶର ନୀଳିମା ନିରେଖି
ଅବସାଦ ଯିବ ଭୁଲି ।
ଲାଗୁନାହିଁ ଭଲ ସଂସାରର ସୁଖ
ମିଛମାୟା ମରିଚୀକା
ଛନକା ପଶଇ ସୁନା ପଞ୍ଜୁରୀରେ
ମନ ହୁଏ ଫିକା ଫିକା ।
ହାତପାଦ ତାର ହୁଏ ଛନ୍ଦିମନ୍ଦି
ଜଞ୍ଜାଳ ଦୁଃଖର ବେଢୀ
ରୁଚେ ନାହିଁ ଜମା ସର ଓ ଲବଣୀ
ଦୁଧଭାତ କ୍ଷୀରିପୁରି ।
ଜମିଛି ବହଳ ଧୂଳି ଆଉ ମଳି
ପକ୍ଷ ତାର ଅବସନ୍ନ
ଦିଗନ୍ତର ଶୋଭା ନୀଳ ଆଶା ସ୍ବପ୍ନେ
ଅଧୀର ହୁଏ ଉଚ୍ଛନ୍ନ ।
ଉଷ୍ମ ଆବେଗର ପୁକାର ମୂର୍ଚ୍ଛନା
ଶିହରାଏ ତନୁମନ
ଝଡ଼ିଯାଏ ପକ୍ଷୁ ମଳ ଆବର୍ଜନା
ଉଚ୍ଚାଟେ ନୀଳ ଆହ୍ବାନ ।
ସେକୁଛି କିରଣେ କଅଁଳ ପରକୁ
କଣ୍ଠେ ଭରି ନୂଆ ତାନ
ଛିନ୍ନ ସେ କରିବ ଶୃଙ୍ଖଳ ବନ୍ଧନ
ସ୍ୱଚ୍ଛନ୍ଦ ହେବ ଉଡାଣ ।।
