ବର୍ଷା ଆସେ
ବର୍ଷା ଆସେ
ମେଘାଚ୍ଛନ୍ନ ଆକାଶେ
ପରସ୍ତେ କଜ୍ଜ୍ଵଳ ନାଇଁ
ଝିଲ୍ ମିଲ୍ ଚପଳା ସାଥେ
ଶୁଭ୍ର ପାଉଜୀରୁ ହଳେ
ମୋହାବିଷ୍ଟ ମୋହିନୀ ବେଶରେ
ବର୍ଷା ଆସେ ବୁଲିବାକୁ
ଆମ ଗାଁ ଆଡେ ।
ଝର୍ ଝର୍ ଝରିଯାଏ ବର୍ଷା
କାଚ ଝର୍କା ଆରପାଖେ
ଥପ୍ ଥପ୍ ଥିପୁଥାଏ ବର୍ଷା
କବିତା ରୂପରେ
ସଦ୍ୟସ୍ନାତା ପ୍ରେୟସୀର ରୂପ
ନାଚେ ଖାଲି ମାନସ ପଟ୍ଟରେ ।
ଦିନ ସାରା ବର୍ଷା,ରାତିରେ ତାଣ୍ଡବ
ଛାତି ଥରେ ଯନ୍ତ୍ରଣା ରେ ମୋର
କେବେ ଶୁଭେ ମିଠା ମିଠା ପ୍ରେୟସୀର ସ୍ଵର
କେବେ ପୁଣି ନିରବ, ନିଃଶ୍ଚଳ ।
ମେଘ ଆସେ,ମେଘ ମାସେ
ମେଘ ବାସେ ମହମହ ହୋଇ
ଫୁଲପକା କୋମଳ ଶେଯରେ
p>
ନୂଆ ଏକ ଉନ୍ମାଦନା
ବର୍ଷା ଭିଜା ସବୁଜ ସକାଳେ
ବାମ୍ଫାୟିତ ଚିନାମାଟି କପେ ଚା ଆଢୁଆଳେ ।
ଓଠ ଥରେ ,ଛାତି ଥରେ
ଓଦା ମାଟି କାନ୍ଥୁ ଅତଡା ଖସିଲେ
ମନ ମରେ
ଆଣ୍ଠୁଏ ଗୋଳି ପାଣିରେ ଠିଆହୋଇ
ଖାଦ୍ଯ ଅଣ୍ଡାଳିଲେ
ଲୁହପାଣି ଗୋଟେ ହୋଇ
ଦରଭିଜା କନା ଖଣ୍ଡେ ଶରୀର ଢାଙ୍କିଲେ ।
ବର୍ଷା ଆସେ
ମୋ ଗାଁ ଆଉ ସହରକୁ ଭିନେ କରିଦିଏ
କେବେ କଅଁଳ ସବୁଜ ସ୍ଵାଗତ
କେବେ ପଙ୍କୁଆ କାହାଣୀ ହୋଇ
ସ୍ଵପ୍ନ ସବୁ ଚୋରି କରି ନିଏ ।
ବର୍ଷା ଆସେ
ମୋ ଅଗଣା ବାହାରେ
ସାରା ରାତି ଝରୁଥାଏ ସେ
ଅଭିମାନୀ ପ୍ରୀୟା
ଫର୍ଦ୍ଦ ଟିଏ ଚିଠା ନେଇ
ବର୍ଷ ତମାମ୍ ଠିଆ ହୋଇଥାଏ ।