ଆଉଥରେ
ଆଉଥରେ
ତୋ ଅଗଣାରେ
ମୋ ବାଷ୍ପୀଭୂତ ଆକାଂକ୍ଷା ସବୁକୁ
ନାଉକରି ଆକାଶକୁ ଚାହିଁଥିବା ବେଳେ
ତୋ ପଣତରୁ
ଥପ୍ ଥପ୍ ହୋଇ ନିଗିଡି ପଡୁଥିବା
କେଇବୁନ୍ଦା ଝାଳରେ
ପୁରାପୁରି ଝାଳେଇ ଯାଇଥିଲା ସମୟ
ତା ସହିତ ମୁଁ ବି ।
କାନ୍ଥଘଣ୍ଟାର ଟିକ୍ ଟିକ୍ ଶବ୍ଦରୁ
କିଏ ଓହଳିଆସି କହୁଥିଲା
ହେଇ ଦେଖ୍
ମୁଁ ଅଛି ମାନେ
ତୋ ସମ୍ଭାବନା କେଉଁଠି ରୂପନେଉଛି
ଠିକ୍ ମେଘ ପରି ।
ମୋ ଭାତହାଣ୍ଡିର ପେଜପରି
ମୁଁ ଗାଳିସାରିଥିଲି ସବୁ
ଆଉ ଯା ବାକି ଥିଲା
ଗ୍ୟାସ୍ ର ଧିମା ଆଞ୍ଚରେ
ମେଘ ପାଲଟୁଥିଲେ
ମୋ ଲୁଣିଆ ଲୁହ ପରି ।
ଏବେ ସବାଁଳୁଆର ରୋମ ଝଡିପଡୁଥିଲା
ମେଘ ସବୁ ଆଇସ୍ କ୍ରୀମ୍ ପରି
ତରଳୁଥିଲା
ଆଉ କେଉଁଠି ମୁଁ ବି ।
ଏ ମେଘ ଆଉ କ'ଣ କି ?
ମେଞ୍ଚାଏ ପ୍ରେମର ସମଷ୍ଟି ନା
ବିବସତାର ?
ପାହାଡିଆ ନଈକୁ ପ୍ରେମ କରୁଥିବା
ତା ଛାତିରେ ଶୀଳାରୁ
ବାଲିଗରଡା ହୋଇ ଲୋଟିପଡିବା
ତାର ପ୍ରେମ ନା ବିବସତା
କିଏ କହିପାରେ !
କିଏ କହିପାରେ
ମୋ ପରି ମେଘ ବି
ହାରିଯାଇଥାଏ
ଆଷାଢ଼ର ପହିଲି ଛୁଆଁଁରେ
ସମୟକୁ ଭୁଲି ଯାଇ ଥାଇପାରେ
ଆଉଥରେ ।