ତୁମ ଗାଁ
ତୁମ ଗାଁ
ତୁମେ କହୁଥିଲ ତୁମ ଗାଁ ଭଲ
ମୋତେ ମୋର ଗାଆଁ ଭଲ
ତୁମ ଗାଁ କଥା ତୁମକୁ ତ ଜଣା
ମୋ ଗାଆଁ ଅମୂଳମୂଲ ।
ମନେପଡ଼େ ଆଜି ସେଇ ଦିନ କଥା
ମନେପଡ ତୁମେ ଯେବେ,
କହୁଥିଲ ହସି ତୁମ ଗାଆଁ ଗାଥା
ଲାଗେ ସବୁ ଏବେ ଏବେ ।
ଏଇ ନଈ ଦେଖ ସାକ୍ଷୀ ଆଜିଯାଏଁ
ତୁମ ,ମୋର ମୂକ ସାକ୍ଷୀ,
ତୁମ ଗାଆଁ ଅଛି ନଈ ଆରପାରି
ଏ ପାରି ମୋ ଗାଆଁ ଅଛି ।
ସୁଲୁସୁଲୁ ବହି ବାଆ ଯେତେବେଳେ
ତୁମ ଗାଆଁ ପଟୁ ଆସେ,
ତୁମରି ବାରତା ପଣତରେ ବାନ୍ଧି
ଉଭା ହୁଏ ମୋର ପାଶେ ।
କହୁଥାଏ ନିତି ତୁମରି ବାରତା
ଶୁଣି ବିମୋହିତ ମୁହିଁ,
ସେହିଦିନୁ ଦେଖ ଭଲଲାଗେ ମୋତେ
ତୁମ,ମୋର ଗାଆଁ ଦୁଇ ।
ଭାରି ଭଲ ଲାଗେ ଏବେ ତୁମ ଗାଆଁ
ଯଦିଓ ମୋ ଗାଆଁ ଭଲ,
ମନେପଡ଼େ ଏବେ ଯେବେ ପଡ ମନେ
ନଈର ସେ ପ୍ରୀତି ଧାର ।
ଉଛୁଳା ନଈରେ କେମିତି ସେଦିନ
ମନ ଏକ ହୋଇଥିଲା,
ତୁମ ଗାଆଁ ମୋର ,ମୋର ଗାଆଁ ତୁମ
ମନ ବରି ନେଇଥିଲା ।
ଦେଉଳର ଦିଅଁ ,ନଈ ବରଗଛ
ଢାଳୁଥିଲେ ପ୍ରୀତି ବାରି,
ଆଶିଷେ ତାଙ୍କରି ତୁମ ଗାଆଁ ସାଥେ
ମୋ ନାଆଁ ହୋଇଛି ଯୋଡ଼ି ।