ସପ୍ତମ ଋତୁ
ସପ୍ତମ ଋତୁ
ଆନମନା ହୁଏ ବୟସର ଡେଣା
ସପ୍ତମ ଋତୁର ଆବାହନ
ରୁପେଲୀ ଜ୍ୟୋସ୍ନାରେ ଓଦା ହେଉଥାଏ
ଗୋଲାପି ଲାଗଇ ଏ ଜୀବନ
ପ୍ରୀତିର ପହିଲି ଲାଜୁଆ ଛୁଆଁରେ
ଅଦେଖା ଚଇତି କମ୍ପନ
ଲାଜକୁଳୀ ଲତା ସରମୀ ଉଠଇ
ଛୁଇଁଦେଲେ ଦୁଷ୍ଟ ପବନ
ସ୍ମୃତି ପଖଳା ସେ ଗୋଧୂଳି ସଞ୍ଜରେ
ନୀରବ ତୃଷ୍ଣାର ମନ୍ଥନ
ଅଳସ ଆଖିରେ କଳସେ ସପନ
ହୃଦୟେ ବିରହୀ ଦଂଶନ
ହଜିଥାଏ ଯେଉଁ ମନର ଠିକଣା
ପାନ୍ଥଶାଳା ଦିଏ ବତାଇ
ଦୂର ଦିଗବଳୟ ନୀଳ ବଳୟରେ
ବିନ୍ଦୁ ହୋଇ ନିଏ ଜଡ଼ାଇ
ସ୍ମୃତିର ଶେଯରେ ଅଧାରାତିଟାରେ
ପ୍ରୀତିର ଶେଫାଳୀ ଫୁଟେ
ମହୁଆ ବାସ୍ନାର ମହୁଲି ନିଶାରେ
ହୃଦୟ ମହକି ଉଠେ
ଖୋଲା ଆଖିତଳେ ସପନ ଢେଉରେ
ମନ ଝୁରେ ଖାଲି ମନ
ନୟନ ଦରଜା ଆଡେଇ ଦିଶଇ
ଦରଫୁଟା ରୂପା ଜହ୍ନ
ପାହାନ୍ତି ପହର ଖୁକିଆ ତାରାଟା
ଖିଲିଖିଲି ହୋଇ ହସେ
ଦିନ ସାରା ଭାରି ଏକୁଟିଆ ଲାଗେ
ଅତୀତ ଧସେଇ ପଶେ
ମନ ନଈ କୂଳେ ପ୍ରୀତି ଉପବନେ
ଗୋପନେ କିଏ ଆସି
ନୀଳ କୁନ୍ତଳା ମେଘ ଗଭାରେ
ଗଜରା ଦିଏ ଖୋସି
ମହକି ଉଠଇ ମନର ମୁଲକ
ଶିହରୀ ଯାଏ ଦେହ
ଜହ୍ନ ଆଲୁଅରେ ମୁହଁ ଅନ୍ଧାରେ
ପ୍ରିୟ ଖୋଜେ ପ୍ରିୟା ମୁହଁ
ଚିତ୍ତ ଚକ୍ରବାକୀ ଅସ୍ଥିର ହୁଅଇ
ବର୍ଷା ଯାଏ ଛୁଇଁ ଛୁଇଁ
ଶ୍ରାବଣ ସଞ୍ଜରେ ପ୍ରୀତି ଛୁଆଁ ଖୋଜେ
ସରସୀରେ ନୀଳ କଇଁ
ଷଡ଼ଋତୁ ଠାରୁ ନିଆରା ଏ ଋତୁ
ଜୀବନର ବଗିଚାରେ
ସଜଫୁଟା ପରି ମହକଇ ଖାଲି
ପ୍ରେମଋତୁ ହୃଦୟରେ

