ଲାଜେଇ ପ୍ରିୟତମା
ଲାଜେଇ ପ୍ରିୟତମା
ସଜ ସରୋଜ ଲପନା ପ୍ରିୟତମା
ଗୋଟେ ଲାଜକୁଳୀ ଲତା
ଚପଳ ଏଣୀ ସମାନ ତା ନୟନ
କହୁଥାଏ କେତେ କଥା
ଛୁଇଁଲେ ଝାଉଁଳି ପଡେ
ହସରୁ ତାହାର କୃଷ୍ଣଚୂଡା ରଙ୍ଗ
ପ୍ରସୂନ କି ଝରିପଡେ ।।
ଚାରୁ ଲତା କୋମଳାଙ୍ଗୀ ସୀମନ୍ତିନୀ
ଲାଜରେ ଝାଉଁଳି ଯାଏ
ଛୁଉଁଛୁଉଁ ଲାଜବତୀ ସଲଜେ ତା
ଓଢଣା ପକାଇ ଦିଏ
ଓଢଣି ଭିତରୁ ତାର
ଲାଜେଇ ମୁହଁ ତା ଫୁଟା ପଦ୍ମ ସତେ
ଦିଶେ ଆହା କି ସୁନ୍ଦର ।।
ମରାଳ ଗମନୀ କୋକିଳ ଭାଷିଣୀ
ତାର ସ୍ନେହ ତାର ପ୍ରେମ
ଅଭୁଲା ସେ ବାମା ସତେକି ଚନ୍ଦ୍ରମା
ଛୁଆଁ କୁମୁଦିନୀ ସମ
ତା ସ୍ପର୍ଶ ଶୀତଳ କର
ବାନ୍ଧେ ମନ ଯେହ୍ନେ ବାନ୍ଧି ହୁଏ ଜଳେ
ନିବିଡେ ମୃଣାଳ ଦଳ ।।
ଲାଜେ ଜରଜର “ଶୀତଳ ବିମଳ
ଅପଘନ” ଘନକେଶୀ
କାମେ କାମକଳା ସୁଶୀଳା ଛଇଳା
ଏ ମନ ଆକାଶ ଶଶି
ଯଉବନ ଫୁଲଶର
ବାଜି ସେ ରକ୍ତାକ୍ତ କରଇ ମନକୁ
ଲାଜକୁଳୀ ପ୍ରିୟା ମୋର ।।