ସାଇତା ସ୍ମୃତି
ସାଇତା ସ୍ମୃତି
କାଗଜ ଟୁକୁଡା ଭାବି ଦିନେ ତୁମେ
ଫୋପାଡ଼ି ଥିଲ ଯାହାକୁ
ତୁମ ମନକଥା ଲେଖାଥିଲା ବୋଲି
ସାଇତି ରଖିଛି ତାକୁ ।
ସରିଯାଇଥିବା କଲମକୁ କେତେ
ରଖିଛି ଆଜି ସାଇତି
ତୁମ ପାଇଁ ଯାହା ଅଲୋଡ଼ା ଅଖୋଜା
ମୋ ପାଇଁ ଯେ ତାହା ସ୍ମୃତି ।
ପ୍ରଥମ ଦେଖାର ଗୋଲାପ ଫୁଲକୁ
ମନେ ରଖିଛ କି କୁହ
ମଉଳା ପାଖୁଡା ଭିତରେ ଏଵେ ବି
ଖୋଜି ବସେ ତୁମ ମୁହଁ ।
ଯେଉଁ ଛତା ତଳେ ପାଇଥିଲି ମୁଁ ଯେ
ତୁମରି ପ୍ରଥମ ଛୁଆଁ
ବରଷାରେ ତାକୁ ଦିନେ ବି ଖୋଲିନି
ଏବେ ବି ରଖିଛି ନୂଆ ।
ଅତର ଶିଶିରୁ ସରିଛି ଅତର
ତଥାପି ରଖିଛି ପାଶେ
ନୀରବେ ବସିଲେ ତୁମେ ଆସିବାର
ମିଠା ମହକ ଯେ ଆସେ ।
ଯେଉଁ ରୁମାଲରେ ପୋଛିଦେଇଥିଲ
ମୋ ଆଖିରୁ ଦିନେ ଲୁହ
ସେ ରୁମାଲ ଆଜି ସାଇତି ରଖିଛି
କେମିତି ଭୁଲିବି କୁହ ।
ତୁମ ସାଥେ ମୋର ପ୍ରଥମ ସାକ୍ଷାତ
ହୋଇଥିଲା ଯେଉଁ ସ୍ଥାନେ
ସେ ସ୍ଥାନ ଠିକଣା ଲେଖା ହୋଇଅଛି
ଆଜି ବି ମୋ ଭଙ୍ଗା ମନେ ।
ଏ କି ଥିଲା ମୋର ଭଲପାଇବା ମୁଁ
ଜାଣି ପାରିଲିନି ନିଜେ
କେଜାଣି କାହିଁକି ସେ ବିଗତ ଦିନ
ମନେ ମନେ ଆଜି ଖୋଜେ ।
ସମୟ ସୁଅରେ ହଜିଯିବ ସବୁ
ତୁମେ ତ ରହିବ ମନେ
ଏଇ ବୋଧେ ଥିଲା ମୋ ପ୍ରଥମ ପ୍ରେମ
ଶେଷ ବି ଏଇ ଜୀବନେ ।
ବଂଚିବା ମାରିବା ସବୁ ତ ସମାନ
ଆଜି ମୋ ପାଇଁ ହେ ସାଥି
ଜଳାଇ ଜଳାଇ ଦିନରାତି ମାରେ
ତୁମରି ସାଇତା ସ୍ମୃତି ।