ପାଇଛି ତୁମରି ଛୁଆଁ
ପାଇଛି ତୁମରି ଛୁଆଁ
ପ୍ରୀତି ସରୋବରେ ନୟନ ପଖାଳେ
ତୁମରି ଶୀତଳ ସ୍ପର୍ଶେ
ଯେତେ ଦୂୂୂରେ ଥାଅ ପର ଦେଶୀ ବନ୍ଧୁ
ସ୍ଥିର ଥିବି ତୁମ ଆଶେ ।
ଆସେ ବିଭାବରୀ ତୁମ ପତ୍ର ଧରି
ପଢି ମନ ଉନ୍ମାଦିନୀ
ଶୁଭ୍ର ଲେଖନୀର ପ୍ରୀତି ବୋଳା ଭାଷା
ମନ ନେଲା ମୋର କିଣି ।
ଆଖିରେ ନାଚିଲା କେତେ ଯେ ସପନ
ସତେ ଅଛି ମାୟାପୁରେ
ସେ ପୁରେ ସାଜିଛ ମନର ମଣିଷ
ବାହୁ ବନ୍ଧନର କରେ ।
ଉଷତେ ଉଲ୍ଲୋଳ ତନୁ ମନ କୂଳ
ଅନ୍ୱେଷଣ କରେ ପଥ
ମନ ଚାହୁଁ ଥାଏ କ୍ଷଣିକ ଭିିିତରେ
ପତ୍ର ସାଜନ୍ତା କି ରଥ ।
ତୁମ ଭାବନାରେ ମନ ସମ୍ମୋହିତ
ସରାଇ ଗଢିଛି ବସି
ତୁମେ ଯେ ପଥିକ ମୋ ପାନ୍ଥଶାଳାରେ
ସାକ୍ଷୀ ଏକା ଏଇ ନିଶି ।।

