Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Aminilu Ray

Romance


4.3  

Aminilu Ray

Romance


ରୁମାଲ

ରୁମାଲ

6 mins 387 6 mins 387

          

   ସକାଳୁ ସକାଳୁ ସାତ ବର୍ଷର ନାତି ଜିତୁ, ହାତରେ ରୁମାଲ୍‌ଟା ଧରି ଦୈାଡି ଦୈାଡି ଆସି ଜେଜେଙ୍କୁ କହିଲା – “ଜେଜେ ଜେଜେ , ତୁମର ଯେଉଁ ପୁରୁଣାକାଳିଆ ଭଙ୍ଗା କାଠ ବାକ୍ସଟାକୁ ଡାଡି ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ, ତା ଭିତରୁ ଏଇ ରୁମାଲ୍‌ଟା ବାହାରିଲା ନିଅ । ଆଛା କହିଲ ଜେଜେ, ଏ ପୁରୁଣା ମରହଟିଆ ମଇଳା ରୁମାଲ୍‌ଟାକୁ ବାକ୍ସ ଭିତରେ ଅତି ଯତ୍ନରେ ସାଇତି ରଖିଥିଲ କାହିଁକି ?” ପ୍ରଭାକର ବାବୁ ହଠାତ୍ ରୁମାଲ୍‌ଟା ଦେଖି ଚମ୍‌କି ପଡିଲେ । ତାଙ୍କର ପଚାଶ ବର୍ଷ ତଳର ହଜିଲା ସ୍ମୃତିସବୁ ଆଖି ସାମ୍‌ନାରେ ଝଲ୍‌ସି ଉଠିଲା । ସେ ଖୁସିରେ ଜିତୁ ହାତରୁ ତାହାକୁ ନେଇ ସେଥିରେ ମୁହଁ ପୋଛିଲେ । ପୁଣି ଥରେ ତାକୁ ଏପଟ ସେପଟ କରି ଭଲଭାବେ ଦେଖି ତକିଆ ତଳେ ରଖିଲେ ।

   ରାତିରେ ସମସ୍ତେ ଶୋଇଗଲା ପରେ ପ୍ରଭାକର ବାବୁ ତକିଆ ତଳୁ ଖୁସିରେ ରୁମାଲ ବାହାର କରି ଲୁହ ଟଳମଳ ଆଖିରେ, ଛାତିରେ ଚାପି ଧରିଲେ । ସୁଖିଲା ଆଖିର ଦୁଇ କୋଣରୁ ଝରିଆସୁଥିବା ବୁନ୍ଦା ବୁନ୍ଦା ଲୁହକୁ ସେଥିରେ ପୋଛିଲେ । ଥମ୍ କରି ଚେୟାର୍ ଉପରେ ବସି ଦୀର୍ଘଶ୍ୱାସଟିଏ ନେଇ ହଜିଲା ଅତୀତର ଅଭୂଲା ସ୍ମୃତିଗୁଡିକୁ ପୁନର୍ବାର ମନେପକାଇବାକୁ ଲାଗିଲେ ।

   ପ୍ରଭାକର ବାବୁଙ୍କ ଡାକ ନାଁ ପ୍ରଭୂ । ବିନୀ ତାଙ୍କର ପିଲାଦିନର ସାଙ୍ଗ । ପିଲାଦିନେ ଗାଁ ଦାଣ୍ଡରେ ବାଲିଘର ଖେଳ କଥା ମନେ ପଡିଲେ ଏବେ ବି ହସ ଲାଗେ ପ୍ରଭାକର ବାବୁଙ୍କୁ । ସେତେବେଳେ ତାଙ୍କୁ ବୟସ ୭/୮ ହେବ । ସବୁଦିନ ପରି ଦିନେ ସକାଳେ ବାଲିଘର ଖେଳୁଥିଲାବେଳେ ବିନୀ ଆଖିରେ ହଠାତ୍ ବାଲି ପଡିଗଲା । ସେ ବିକଳରେ ବଡ ପାଟିରେ କାନ୍ଦିବାକୁ ଲାଗିଲା । ପ୍ରଭୂ କିଛି ଉପାୟ ନପାଇ ସଙ୍ଗେ ସଙ୍ଗେ ନିଜେ ପିନ୍ଧିଥିବା ହାତକଟା ଗଂଜିଟାକୁ ଖୋଲି , ତାକୁ ମୁଚୁଳା କରି ବିନୀ ଆଖିରେ ଆଫା କଲା । କିଛି ସମୟ ପରେ ଆଖି ଭଲ ହେଇଗଲା । ସେଦିନ ବିନୀର ସେଇ କଇଁ କଇଁ କାନ୍ଦ ଆଜି ବି ତାଙ୍କର ମନେ ପଡୁଛି ।

   ପ୍ରତିଦିନ ସ୍କୁଲରୁ ଫେରିଲା ବାଟରେ ବିନୀ ଆଉ ପ୍ରଭୂ ବସ୍ତାନୀକୁ ରଖିଦେଇ କଂଟେଇକୋଳି ତୋଳିବାରେ ଲାଗିପଡନ୍ତି । ଦିନେ ତୋଳୁ ତୋଳୁ ଅନ୍ୟମନସ୍କବଶତଃ ବିନୀ ପାଦରେ କଂଟା ପଶିଗଲା । ରକ୍ତ ବାହାରିଲା । ବିନୀ ଜୋରରେ କାନ୍ଦିଲା । ପ୍ରଭୂ ବିନୀର କାନ୍ଦ ଶୁଣି ଦୈାଡି ଆସିଲା । ପାଦରୁ କଂଟା ବାହାର କରି କ୍ଷତସ୍ଥାନକୁ ଆଙ୍ଗୁଠିରେ କିଛି ସମୟ ଚାପି ଧରିଲା । ବିନୀ ସବୁ ଦେଖୁଥାଏ । ଦୈବାତ୍ ରକ୍ତ ବନ୍ଦ ହେଇଯିବାରୁ ତା ମୁହଁରେ ଟିକେ ହସ ଫୁଟିଲା । ସେ ପ୍ରଭୂ ଆଖିରେ ଆଖି ମିଶାଇ ଫିକ୍ କିନା ହସିଦେଲା ।

   ଏକାଦଶ ଶ୍ରେଣୀରେ ପଢୁଥିଲାବେଳେ ଦିନେ ପ୍ରଭୂ ବିନୀ ବ୍ୟାଗରୁ ରୁମାଲ ନେଇ ନିଜ ବ୍ୟାଗ୍‌ରେ ଲୁଚାଇଥିଲା । କ୍ଲାସ ଛୁଟି ପରେ ସେ କାନ୍ଦିବାରୁ ପ୍ରଭୂ ତା ଆଗରେ ସବୁ ସତ କଥା ମାନିଯାଇଥିଲା । ମନ ଦୁଃଖରେ ବିନୀ କହିଲା –

-ହଉ, ମୋ ରୁମାଲଟା ଦିଅ ।

-ନାଇଁ, ଦେବିନି ।

-ରୁମାଲ ବିଷୟରେ ତମେ କିଛି ଜାଣିଛ ?

-କ’ଣ ?

-ରୁମାଲ ନେଲେ କାଳେ ସମ୍ପର୍କ ତୁଟିଯାଏ ।

-ମିଛ କଥା । ଦେଖିବା, ସମ୍ପର୍କ କେମିତି ତୁଟିଯିବ ?

-ତମେ ବୁଝୁନ କାହିଁକି ?

-ସମ୍ପର୍କ ତୁଟିବନି ବରଂ ଆହୁରି ଘନିଷ୍ଟ ହେବ ବୁଝିଲ ?

-ତୁମକୁ ପାରିହେବନି ଦେଖୁଚି ।

   ସେଦିନର ଏଇ ରୁମାଲଟା ତାଙ୍କର କେତେ ପ୍ରିୟ, କେତେ ଘନିଷ୍ଟ ସେକଥା ତାଙ୍କ ବ୍ୟତୀତ କେହି ବୁଝି ପାରିବେନି । ଏହାରି ଭିତରେ କେତେ ରାଗ, ରୁଷା, ଅଭିମାନ, ଭଲ ପାଇବା ଲୁଚି ରହିଛି ତା କେବଳ ତାଙ୍କୁ ହିଁ ଜଣା । ଧାରା ଶ୍ରାବଣ ପରି ଆଖିରୁ ଝରିଆସୁଥିବା ଖୁସିର ଲୁହକୁ ରୁମାଲରେ ପୋଛି ଟେବୁଲ ଉପରେ ରଖିଲେ । ଜଗ୍‌ରୁ ପାଣି ନେଇ ପିଇଲେ । ବର୍ଷ ବର୍ଷ ଧରି ଭୂଲିଯାଇଥିବା ରୁମାଲକୁ ଆଜି ସୈାଭାଗ୍ୟବଶତଃ ହାତ ପାହାନ୍ତାରେ ପାଇ ଖୁସି ହେବା ସହ ତାଙ୍କ ନାତିର ବୁଦ୍ଧିକୁ ମନେ ମନେ ତାରିଫ୍ କରୁଥିଲେ ।

   କଲେଜ୍ ସମୟର କଥା ମନେ ପଡିଲେ ଦୁଃଖ ଲାଗେ ପ୍ରଭାକର ବାବୁଙ୍କୁ । ସେତେବେଳେ ବହୁ ସଂଖ୍ୟାରେ କଲେଜ୍ ନଥିଲା । ପଢିବାକୁ ବହୁଦୂରକୁ ଯିବାକୁ ପଡୁଥିଲା । ପ୍ରଭାକର ବାବୁ ଯେତେବେଳେ ରେଭେନ୍‌ସା ୟୁନିଭର୍‌ସିଟିରେ ଆଡ୍‌ମିସନ୍ ନେଲେ, ସେତେବେଳେ ଜଣେ ସମ୍ପର୍କୀୟଙ୍କ ଘରେ ଭଡାରେ ରହି ପଢିବେ ବୋଲି ଠିକ୍ କଲେ । ଯିବାଦିନ ସାଙ୍ଗରେ କିଛି ଚାଉଳ, ପରିବା ଓ ଟଙ୍କା ପଚାଶଟା ନେଇ ଚାଲି ଚାଲି ଯାଉଥିବା ସମୟରେ ଗାଁ ମୁଣ୍ଡ ଶେଷରେ ବିନୀ ପଛରୁ ଡାକି କହିଲା –

-ଯାଉଛ ?

-ହଁ ।

-ମୋତେ ଭୂଲିଯିବନି ତ ?

-ସେଥିପାଇଁ ତ ସାଥୀରେ ରୁମାଲ୍‌ଟା ନେଉଛି ।

-ହଜେଇବନି । ସଦାବେଳେ ପାଖରେ ରଖିବ ।

-ଆଉ କିଛି କହିବ ?

-ତୁମ ପାଇଁ କିଛି ଟଙ୍କା ରଖିଥିଲି, ନିଅ । ବାଟରେ ଗଲାବେଳେ ଖାଇବା ପିଇବା କରିବ । ମନ ଦେଇ ପାଠ ପଢିବ ।

-ତା’ହେଲେ ମୁଁ ଯାଉଛି ।

-ହଁ । ମୁଁ ତୁମ ଆସିବା ବାଟକୁ ଚାହିଁ ବସିଥିବି । ଛୁଟି ହେଲେ ଆସିବ ।

   କଟକରୁ ଗାଁ , ଗାଁରୁ କଟକ , ବିନୀ ସହ ଲୁଚାଛପା କଥାବାର୍ତା ମଧ୍ୟରେ କେତେବେଳେ ୫ ବର୍ଷ ବିତିଯାଇଥିଲା , ତାଙ୍କୁ ଜଣାପଡିଲାନି । ବିନୀ ସଦାବେଳେ ପଛେ ପଛେ ରହି ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲା । କିଛିଦିନ ପରେ ଡାକ ବିଭାଗରେ ପୋଷ୍ଟ ମାଷ୍ଟର ପଦବୀରେ ଚାକିରୀ କରିବାକୁ ନିଯୁକ୍ତି ପତ୍ର ଆସିଲା । ନିଜ ଗାଁ ଠାରୁ ୩ କି.ମି ଦୂରରେ ସେ ଚାକିରୀରେ ଜଏନ୍ କଲେ । ବିନୀର ସାହାଯ୍ୟ, ସହଯୋଗ, ପ୍ରେରଣା ଓ ତା’ ରୁମାଲ ଖଣ୍ଡିକ ତାଙ୍କୁ ପ୍ରତି ମୁହୁର୍ତରେ ଜୀବନରେ ଆଗକୁ ଆଗକୁ ବଢିବା ପାଇଁ ପଥ ପ୍ରଦର୍ଶକ ସାଜିଥିଲା ।

   ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ପ୍ରଭାକର ବାବୁଙ୍କ ଉପରେ ପରିବାରର ଚାପ ପଡୁଥିଲା । ବାହାଘର କରିବା ପାଇଁ ତାଙ୍କ ବେକରେ ଦୁଇ ଦୁଇଟି ଭଉଣୀ ବନ୍ଧା ହୋଇଥିଲେ । ଭଉଣୀଙ୍କୁ ବାହାଦେଇ ସାରିବା ପରେ ନିଜେ ବିବାହ କରିବେ ବୋଲି ମନେ ମନେ ନିଷ୍ପତି ନେଇଥିଲେ ।

   ଯେନତେନ ପ୍ରକାରେ ୫ ବର୍ଷ ମଧ୍ୟରେ ନିଜ ଦରମା ଓ କିଛି ଧାର କରଜ କରି ଦୁଇଟି ଭଉଣୀଙ୍କ ବିବାହ ଏକାଥରକେ ସାରିଦେଲେ । ବ୍ୟାଙ୍କରୁ ଲୋନ ଆଣି କୋଠାଘର ଖଣ୍ଡେ ତୋଳିଲେ । ଦିନେ ପ୍ରଭାକର ବାବୁଙ୍କ ଗାଁ ଠାରୁ ୬ କି.ମି ଦୂରରେ ଅବସ୍ଥିତ ମାଧପୁର ଗାଁ’ରୁ ତାଙ୍କ ପାଇଁ ବିବାହ ପ୍ରସ୍ଥାବ ଆସିଲା । ଝିଅଟି ଦେଖିବାକୁ ସୁନ୍ଦର । ବି.ଏ.ବି .ଇଡ୍ ପାସ୍ କରିଛି । ଶିକ୍ଷକତା ସହ ଘରେ ଦୁଇ ଓଳି ଟ୍ୟୁସନ୍ କରୁଛି । ବାପମାଆଙ୍କର ଗୋଟେ ବୋଲି ଝିଅ । ଏ ଝିଅ ବ୍ୟତୀତ ତାଙ୍କର ଆଗକୁ ପଛକୁ ଦେଖାଶୁଣା କରିବାକୁ କେହି ନାହିଁ । ରାମବାବୁ ଆଣିଥିବା ପ୍ରସ୍ଥାବଟା ପ୍ରଭାକର ବାବୁଙ୍କ ବାପାଙ୍କ ମନକୁ ପାଇବାରୁ ଦିନେ ସେ ତାଙ୍କୁ ପାଖକୁ ଡାକି କହିଲେ –

-ତୋ’ର ଏଥିରେ ମତ କ’ଣ ?

-ନା’ ବାପା , ମୁଁ ଏ ପ୍ରସ୍ଥାବରେ ରାଜି ନୁହେଁ ।

-କାହିଁକି ?

-ତମେ ଯଦି ଖରାପ ନ ଭାବ , ତାହେଲେ ....

-ଠିକ୍ ଅଛି, କହ ।

-ମୋ ପିଲାଦିନର ସାଥୀ ବିନୀକୁ .....

-ବୁଝିଗଲି । ତୋ ଖୁସିରେ ଆମେ ଖୁସି । ଶୁଣ୍‌, ଆସନ୍ତା ମାସରେ ଯେମିତି ହେଲେ ମୁଁ ବିନୀକୁ ବୋହୁ କରି ମୋ ଘରକୁ ନେଇଆସିବି ।

   ତିଥି, ନକ୍ଷତ୍ର, ଲଗ୍ନ ଓ ଶୁଭବେଳା ଦେଖି ବୈଦିକ ରିତିରେ ପ୍ରଭାକର ବାବୁଙ୍କ ସହ ବିନୀର ବିବାହ କାର୍ଯ୍ୟ ସଂପନ୍ନ ହେଲା । ଚତୁର୍ଥୀ ରାତିରେ ହସି ହସି ପ୍ରଭାକର ବାବୁ ବିନୀକୁ କହିଲେ – ତମେ ପରା କହିଥିଲ, ରୁମାଲ ଦେଲେ କୁଆଡେ ସମ୍ପର୍କ ତୁଟିଯାଏ । ଏବେ କୁହ, ମୋ କଥା ଠିକ୍ ନା ତୁମ କଥା ଠିକ୍ ? ବିନୀ ଲାଜରେ ତାଙ୍କ ଛାତିରେ ମୁଣ୍ଡ ରଖି ସ୍ମିତ ହସି କହିଲା – ସେଦିନର କଥାକୁ ତମେ ଆଜିଯାଏ ମନେ ରଖିଛ ? ପ୍ରଭାକର ବାବୁ ଖୁସିରେ ଗଦ୍ ଗଦ୍ ହୋଇ ପୁଣି କହିଲେ – ଜାଣିଛ ବିନୀ , ଏଇ ରୁମାଲ ଖଣ୍ଡିକ ଯୋଗୁଁ ମୁଁ ପଢିପାରିଲି, ଚାକିରୀ ପାଇଲି, ଦୁଇ ଦୁଇଟା ଭଉଣୀକୁ ବାହା ଦେଲି, ଶେଷରେ ତୁମକୁ ପାଇଲି । ଏ ରୁମାଲଟା ମୋ ପାଇଁ ସତରେ ବହୁତ ଲକି ।

   ରାତିର ବୟସ ବଢୁଥିଲା । ଦୁଇଜଣଙ୍କ ମଧ୍ୟରେ ମଧୁର ଆଳାପ ସରୁନଥିଲା । ଗପସପରେ ପୂର୍ଣ୍ଣଛେଦ ଟାଣିବା ପାଇଁ ବିନୀ କହିଲା – ମୋତେ ନିଦ ଆସିଲାଣି । ପ୍ଲିଜ୍ ଶୋଇପଡ ।

   ଏହା ମଧ୍ୟରେ ୪୦ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ୪୦ ବର୍ଷର ଲମ୍ବା ବ୍ୟବଧାନ ମଧ୍ୟରେ ତାଙ୍କର ରିଟାର୍ଡମେଂଟ୍‌, ପୁଅଝିଅଙ୍କର ବାହାଘର, ବାପାବୋଉଙ୍କ ମୃତ୍ୟୁ ଓ ତାଙ୍କର ପ୍ରାଣପ୍ରିୟା ବିନୀର ଅସ୍ୱାଭାବିକ ମରଣ ପ୍ରଭୃତି ତାଙ୍କ ମନରୁ ଏଯାଏ ଲିଭିନି । ବିନୀ କଥା ମନେ ପଡିଲେ ସେ ଦୁଃଖରେ ଭାଙ୍ଗି ପଡନ୍ତି । ଏ ବୃଦ୍ଧ ବୟସରେ ତାଙ୍କର ସେବା ଶୁଶ୍ରୁସା କରିବାକୁ ପାଖରେ କେହି ନାହାନ୍ତି । ପୁଅବୋହୁ ତାଙ୍କ ଠାରୁ ବହୁ ଦୂରରେ ରହୁଛନ୍ତି । ଝିଅମାନେ ବି ୨/୩ ବର୍ଷରେ ଥରେ ଆସି ତାଙ୍କୁ ଦେଖା କରିବାକୁ କଷ୍ଟ ହେଉଛି । ଏତେ ବଡ ଘରଟାରେ ସେ ଏକା । ଦୁଇଟା ଚାକର ପୂଜାରୀକୁ ଛାଦିଦେଲେ ତାଙ୍କର ଦେଖାଶୁଣା କରିବାକୁ ନିଜର ବୋଲି କେହି ନାହାନ୍ତି । ପୁଅ, ଝିଅ, ବୋହୁ, ନାତି, ନାତୁଣୀ ସମସ୍ତେ ଥାଇ ବି କେହି ନଥିଲା ପରି ନିସଙ୍ଗ ଜୀବନ ଅତିବାହିତ କରୁଛନ୍ତି ପ୍ରଭାକର ବାବୁ । ଏ ଦୁଃଖକଷ୍ଟ ଜୀବନ ମଧ୍ୟରେ ତାଙ୍କର ବଂଚିବା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।

   ନିସ୍ତବ୍ଧ ରାତିରେ ଏହି ସବୁ କଥା ମନେ ପକାଇ ତାଙ୍କର ସେହି ପୁରୁଣା ଆର୍ମଚେୟାର୍ ଉପରେ ସେ କେତେବେଳେ ନିଘୋଡ ନିଦରେ ଶୋଇଯାଇଛନ୍ତି ତାଙ୍କୁ ଜଣା ନାହିଁ । କାଉ ରାବିଲାଣି । ଚାରିଆଡ ଫର୍ଚ୍ଚା ହେଇଆସୁଛି । ସକାଳୁ ସକାଳୁ ବାସି ମୁହଁରେ ଗେହ୍ଲା ନାତି ଜିତୁ ପ୍ରଭାକର ବାବୁଙ୍କୁ ହଲାଇଦେଇ କହିଲା – ଜେଜେ ଜେଜେ, ସକାଳ ହେଲାଣି । ଉଠ ଚା’ ପିଇବ । ମୋତେ କହିଲନି ତ ସେ ପୁରୁଣା ରୁମାଲଟାକୁ ତମେ କାହିଁକି ..... । ପ୍ରଭାକର ବାବୁ ଖୁସିରେ ଜିତୁକୁ କୋଳକୁ ନେଇ ହସି ହସି କହିଲେ – “ଶ’ୁଣୁ । ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି, ସେତେବେଳେ ଏଇ ରୁମାଲଟା ତୋ ଆଈ ବ୍ୟାଗ୍‌ରୁ ଚୋରିକରିଥିଲି । ହେଲେ ସେ’ତ ଆଉ ନାହିଁ । ଖାଲି ତା’ର ଏଇ ସ୍ମୃତିର ସନ୍ତକଟିକୁ ମୁଁ ସାଇତି ରଖିଥିଲି ଆଉ ରଖିଥିବି ମରିବା ଯାଏ ।”


Rate this content
Log in

More oriya story from Aminilu Ray

Similar oriya story from Romance