ଆବିଷ୍କାର
ଆବିଷ୍କାର
ଅନେକ ରାତି ହେଲେ ଅନ୍ଧାରକୁ ଚିରି ଝାପସା ଜହ୍ନ ଆଲୁଅ ପଶି ଆସେ ଝର୍କା ଦେଇ ସୁନ୍ଦର ସୁରେଲି ଗୀତ ସାଥିରେ-
ହମ୍ ତୁମ୍... ୟୁଗ ୟୁଗ
ସେ ......
ଗୀତ ମିଲନ କି
ଗାତେ ରହେହେଁ.... ଗାତେ ରହେଙ୍ଗେ...
ଗୀତଟି ବାଜି ଉଠେ ଅଚାନକ ଫ୍ଲାଟ୍ ନମ୍ବର 306 ରୁ। ରାତିର ଗଭୀରତା ଭିତରେ ଗୁଞ୍ଜି ଉଠେ ପ୍ରଥମ ଓ ଶେଷ ଗୀତଟିଏ ତା ପରେ ରାତି, ସାମ୍ରାଜ୍ୟ ବିସ୍ତାର କରି ମାଟିରୁ ଆକାଶ ଯାଏ ସବୁ କିଛି କାବୁ କରିନିଏ ତା'ର ଭୟଂକର ବାହୁ ଭିତରେ। ସମସ୍ତେ ଚୁପଚାପ୍ ତା ପରେ ।
ୱାଚମେନ କହେ, ପ୍ରଫେସର ସଂକେତ ଉପାଧ୍ୟାୟ ରହନ୍ତି ସେଇ ଫ୍ଲାଟରେ। ଆଉ କିଛି କହି ପାରେନି। ପ୍ରତିଦିନ ହୋଣ୍ଡା ସିଟି ଗାଡ଼ିରେ ବାହାରି ଯାଆନ୍ତି ସେ ରାତି ହେଲେ ଫେରନ୍ତି। ଆଉ ଅଧିକ କେହି କିଛି ଜାଣି ନାହାନ୍ତି ତାଙ୍କ ବାବଦରେ।
ଛ ମାସ ଆଗରୁ ସେ ଆସିଛନ୍ତି ଏଇ ଆପାର୍ଟମେଣ୍ଟକୁ । ସ୍କାୟ ଭିଉ, ନଭଶ୍ଚୁମ୍ବି ଆପାର୍ଟମେଣ୍ଟ। ଏଇଠି ନିରବତାର ଭିଡ ! ଶବ୍ଦ ସବୁ ଛୁପି ଯାଆନ୍ତି ନିରବତାର ଭୟରେ...
ଖାଲି ନିଃଶ୍ୱାସ ପ୍ରଶ୍ୱାସର ଶବ୍ଦ ଆସେ। କେହି କାହାକୁ ଚିହ୍ନନ୍ତି ନାହିଁ ଚିହ୍ନିବାର ଆବଶ୍ୟକତା ବି ନ ଥାଏ କାହାକୁ। ଅନେକ ବଦଳି ଯାଇଛି ପୃଥିବୀ। ସମ୍ପର୍କ ର ଅର୍ଥ ବି ବଦଳି ଯାଇଛି !!
ପାଖକୁ ଲାଗି ଅନ୍ୟ ଗୋଟେ ଆପାର୍ଟମେଣ୍ଟରେ ରହନ୍ତି ଡାକ୍ତର ଦମ୍ପତି। ବେଡରୁମ ଝର୍କା ଦେଇ ପ୍ରଫେସର ସଂକେତ ଉପାଧ୍ୟାୟଙ୍କ ବାଲକୋନୀ ଓ ରୋଷେଇ ଘର ଦେଖାଯାଏ। ଦାମି ଦାମି ଶାଢ଼ୀ ବାଲକୋନିରେ ଝୁଲୁଥାଏ ସତ କିନ୍ତୁ ସଂକେତ ଉପାଧ୍ୟାୟଙ୍କ ସହିତ ରହୁଥିବା ଭଦ୍ର ମହିଳାଙ୍କୁ କେବେ ବି ଦେଖି ନାହାନ୍ତି ସେମାନେ। କିଟିମିଟି ଅନ୍ଧାର ର ଅବାସ୍ତଵ ଅଙ୍କାବଙ୍କା ପରିସୀମାକୁ ଟପି ଆସେ ସେଇ ଗୀତଟି କାନର ସୂକ୍ଷ୍ମ ପରଦାରେ ଆସି ଧକା ଖାଏ। କେତେ ମଧୁର ସେ ଗୀତ ...!
ଠିକ ରାତି ବାରଟାରେ ସବୁଦିନ ତା ପରେ ସବୁ ଚୁପ୍ ଚାପ୍। ନିସ୍ତବ୍ଧତାର ଶିକାର ହୋଇଯାଏ ଅବଶିଷ୍ଟ ରାତିଟି ଶବ୍ଦହୀନ ଅନ୍ଧାରଟିଏ କାବୁ କରିନିଏ ସାରା ପୃଥିବୀକୁ, ଅସ୍ତଗାମୀ ଜହ୍ନକୁ ବି.....
ଅନେକ ପ୍ରଶ୍ନ ଉଙ୍କି ମାରେ ଡାକ୍ତର ଦମ୍ପତିଙ୍କ ମନ ଭିତରେ !!
ସ୍ତ୍ରୀ ଥାଉ ଥାଉ ପ୍ରଫେସର ସଂକେତ ଉପାଧ୍ୟାୟ ବାସନ ମାଜନ୍ତି କାହିଁକି ? ରୋଷେଇ କରନ୍ତି କାହିଁକି ? ଏପରିକି ବିଳମ୍ବ ରାତିରେ ଭଦ୍ର ମହିଳାଙ୍କ ଲୁଗା ସଫାକରି ଶୁଖାନ୍ତି ବାଲକୋନିରେ, କିନ୍ତୁ କାହିଁକି ?
ଡାକ୍ତର ଦମ୍ପତିଙ୍କୁ ଇଚ୍ଛା ହୁଏ ଥରେ ଯାଇ ସେମାନଙ୍କୁ ଭେଟନ୍ତେ କି !! ପ୍ରକୃତ ରହସ୍ୟକୁ ବୁଝି ହୁଅନ୍ତା। କିଏ କିଏ ରହନ୍ତି ଏଇ ଫ୍ଲାଟରେ ? ବେଶି ରାତି ହେଲେ ନିର୍ଦ୍ଦିଷ୍ଟ ଗୋଟେ ଗୀତ କାହିଁକି ଶୁଣାଯାଏ ପ୍ରତି ରାତିରେ ସ୍କାୟ ଭିଉ ଆପାର୍ଟମେଣ୍ଟର ସେଇ ଫ୍ଲାଟ ଭିତରୁ ।
***
ଅଚାନକ ଦିନେ କବାଟରେ ଠକ୍ ଠକ୍ ଶବ୍ଦ ହେଲା। ପ୍ରଫେସର ସଂକେତ ଉପାଧ୍ୟାୟ ଡୋର ଖୋଲିଲେ ଆଗରେ ଡାକ୍ତର ଦମ୍ପତି ! ଚିହ୍ନି ନ ପାରି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଫେସର। ଡାକ୍ତର ନିଜ ପରିଚୟ ଦେଇ ପତ୍ନୀ ସୀମାଙ୍କୁ ପରିଚିତ କରେଇଲେ ପ୍ରଫେସରଙ୍କ ସହିତ। ପରିଚୟ ଜାଣିବା ପରେ ପ୍ରଫେସର ଭିତରକୁ ଡାକିଲେ ସେମାନଙ୍କୁ। ଗୋଟାଏ ଭିନ୍ନ ପୃଥିବୀ ସବୁ ଅସଜଡା ହୋଇ ଏଣେ ତେଣେ ପଡ଼ିଥାଏ। ମହ ମହ ଫୁଲ ଧୂପ ବାସ୍ନା। ଆଶା ଓ ନିରାଶା ଭିତରେ ସମ୍ଭାବନାର କିଛି ତୂଳୀଚିତ୍ର କାନ୍ଥରେ ଝୁଲୁଥାଏ। ମଧୁଶାଳାର ନିରବତା ତା ଭିତରେ କିଛି ସଂଘର୍ଷ ନାହିଁ ସବୁ ଯେମିତି ଠିକ୍ ଠାକ୍। ପ୍ରଫେସରଙ୍କ ଛୋଟ ପୃଥିବୀ। ଜୀବନ ଆଗେଇ ଚାଲିଛି କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ସାଥିରେ। ମିସେସ ଉପାଧ୍ୟାୟ ବୋଧହୁଏ ଫଟୋ ଫ୍ରେମ୍ ଭିତରେ ସଂକେତଙ୍କ ସହିତ।
ବେଶ୍ ସୁନ୍ଦରୀ ତ !!
ଆସିବାର ମୂଳ ଉଦ୍ଦେଶ୍ୟ କିନ୍ତୁ ଅଲଗା ଦେଖିବେ ତାଙ୍କ ସ୍ତ୍ରୀଙ୍କୁ।କେତେ ଗର୍ବି, କେତେ ଘମଣ୍ଡି ତାଙ୍କ ସ୍ତ୍ରୀ। କାହିଁକି ସେ କାମ କରନ୍ତି ନାହିଁ ? ଜଣେ ପ୍ରଫେସର କାହିଁକି ସବୁ କାମ କରିବେ ? ଆଜି ତାରିଖରେ ପୁଣି ସ୍ତ୍ରୀ ର ହୁକୁମ..ଏକ ନିରୀହ ପୁରୁଷକୁ ଦାସତ୍ୱ ନୁହେଁ ତ ଆଉ କଣ ?
ଚା ନା କଫି, କଣ ପିଇବେ ?
ମେଡମଙ୍କ ହାତ ତିଆରି ଚା ପିଇବୁ।
ମେଡମ ଭଲ କଫି ବନାନ୍ତି। ମୁଁ ଭଲ ଚା ବନାଏ।
ଠିକ୍ ଅଛି, ଆମେ କଫି ପିଇବୁ, କିନ୍ତୁ ମେଡମଙ୍କ ହାତରୁ।
ଘର ଭିତରକୁ ଯାଇ କଫି ଅର୍ଡର୍ ଦେଇ ଆସିଲେ ପ୍ରଫେସର।
କଥା କଥାରେ ଘନିଷ୍ଟତା ବଢ଼ିଗଲା। ଅନେକ ଗପିଲେ।
ପ୍ରଫେସରଙ୍କ ପତ୍ନୀ ଅଚାନକ ପଶି ଆସିଲେ ହଲ ଭିତରକୁ ହୁଇଲ ଚେଆର୍ ଉପରେ ବସି ହାତରେ ଟ୍ରେ ଓ ଦୁଇ କପ୍ କଫି।
ଏ କଣ !
ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର ଦମ୍ପତି। ନିସ୍ତବ୍ଧତା ଛାଇଗଲା ଫ୍ଲାଟ୍ ଭିତରେ କିଛି ମୁହୂର୍ତ୍ତ ପାଇଁ। କଲିଜା ଥରି ଉଠିଲା ଜୀବନକୁ ଭିନ୍ନ ଏକ ରୂପରେ ଦେଖି। ଚାରି କାନ୍ଥ ଯେମିତି ଆଉ ଥରେ ଦୋହୋଲି ଗଲା। ଅଚାନକ ଯେମିତି ଭୂସ୍ଖଳନ ହେଲା ଖଣ୍ଡ ବିଖଣ୍ଡ ହୋଇଗଲା ନଭଶ୍ଚୁମ୍ବି ଅଟ୍ଟାଳିକାଟି। ଆକାଶ ଖସି ଆସିଲା ତଳକୁ ...।
ଏତେ ସୁନ୍ଦରୀ ମହିଳା !!
କିନ୍ତୁ ପଙ୍ଗୁ......
ନିଅନ୍ତୁ କଫି ମୁଁ ବନେଇଛି। ସଂକେତ ମୋ ହାତର କଫି ପସନ୍ଦ କରନ୍ତି ବୋଲି, ଇଣ୍ଡକ୍ସନ୍ ଚୁଲାଟିଏ ମୋ ବେଡ଼ ପାଖରେ ମୁଁ ରଖିଛି। ମୁଁ ତାଙ୍କ ପାଇଁ ସବୁଦିନ କଫି ବନାଏ।
କଫି ବଢେଇଦେଲେ ସେ ଡାକ୍ତର ଦମ୍ପତିଙ୍କୁ।
ସତ କହିବାକୁ ଗଲେ ଛ ମାସ ଭିତରେ ଆପଣମାନେ ହିଁ ପ୍ରଥମ ଅତିଥି ଆମ ଘରେ। ଆମ ପୃଥିବୀ ମାନେ ଆମେ ଦୁଇ ଜଣ। ଏଇଠି କେହି କାହା ଘରକୁ ଆସନ୍ତିନି। ଭାରି ନିର୍ଜନ ଲାଗେ ପୃଥିବୀଟା। ସଂକେତ କଲେଜ ଯିବା ପରେ ନୀରବତା ହିଁ ମୋର ଏକମାତ୍ର ବନ୍ଧୁ। କିଛି ଉପାୟ ନ ପାଇ ନିରବତା ସହିତ ହିଁ ସାପ ସିଡି ଖେଳେ। ପ୍ରତିଥର ମୁଁ ହିଁ ହାରେ। ମୋତେ କିନ୍ତୁ ଗପିବାକୁ ଭଲ ଲାଗେ ମୁଁ ଚୁପ୍ ଚାପ୍ ବସି ପାରେନି।
ଛୋଟ ଜୀବନ କୁ କୃର ନିରବତା ଆହୁରି ଛୋଟ କରି ଦିଏ ନା ।
ଆପଣମାନେ ଯଦି କିଛି ମନେ ନ କରନ୍ତି ଗୋଟାଏ କଥା କହିବି ଝାଡୁ ଦେବା ଠୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁ କାମ ସେ ହିଁ କରନ୍ତି। ବେଳେ ବେଳେ ମନ ବୁଝେନି। ମୋ ପାଇଁ ତାଙ୍କ ଭିତରେ ଦୁଃଖ ନାହିଁ ତ ! ମୋ ସହିତ ଖୁସିରେ ଅଛ କି ନାହିଁ ପଚାରେ କଣ କହନ୍ତି ସେ ଜାଣିଛ ! ଭଲ ପାଇବା ଗୋଟେ ସ୍ୱର୍ଗୀୟ ଅନୁଭବ ଗୋଟାଏ ମନ ପାଖରେ ଆଉ ଗୋଟାଏ ମନ ବିକି ହୋଇ ଯିବାର ଅହେତୁକ ଘଟଣାଟିଏ ଘଟିଛି ଆମ ଜୀବନରେ। ସବୁବେଳେ କହନ୍ତି, ତମ ପାଖରେ ମୁଁ ବିକି ହୋଇ ଯାଇଛି ଉର୍ବଶୀ। ଭଲ ପାଇବା ଜୀବନରେ ପ୍ରଥମ ଆଉ ଶେଷ ଘଟଣା। ମୁଁ କଣ ତମକୁ ଛାଡ଼ି ବଞ୍ଚି ପାରିବି !!
ହନିମୁନ ଟ୍ରିପ ରେ ଯାଇ ଖସି ପଡ଼ିଥିଲି ରୁପ ୱେ ର ଟ୍ରଲି ଭିତରୁ। ଆମ୍ବୁଲାନ୍ସ ପାହାଡ଼ ଉପରକୁ ଆସି ପାରିଲାନି। ଗୋଟାଏ କିଲୋମିଟରରୁ ଅଧିକ ହେବ ମୋତେ ସେ ତାଙ୍କ କାନ୍ଧରେ ଝୁଲେଇ ଆମ୍ବୁଲାନ୍ସ ପାଖକୁ ନେଇ ଆସିଥିଲେ। ସେଇ ଘଟଣା ଟି ସବୁ ବଦଳେଇ ଦେଲା ମୋ ଜୀବନରେ। ତା ପରଠୁ ସଂକେତ ଆହୁରି ଅନ୍ତରଙ୍ଗ ହୋଇ ଉଠିଲେ ଆହୁରି ନିକଟତର ହୋଇ ଉଠିଲେ ସେ ମୋ ପାଇଁ। ସେଦିନ ସେଇ ଘଟଣାଟି ଘଟି ନ ଥିଲେ ଆଜି ଆମେ କେମିତି ଥାଆନ୍ତେ କେଜାଣି ! ହୁଏତ ସବୁଦିନ ଝଗଡା ଝାଟି ହେଉ ଥାଆନ୍ତା ଆମ ଦୁହିଙ୍କ ଭିତରେ। ଭଗବାନ ବୋଧେ ତାହା ଚାହୁଁ ନ ଥିଲେ...ମୁଁ ପଙ୍ଗୁ ହୋଇଗଲି, କିନ୍ତୁ ଜଣେ ପରିପକ୍ଵ ମଣିଷ କୁ ପାଇଲି ପ୍ରତିଦାନ ରେ... "ସଂକେତ"।
ପ୍ରତିଦିନ ରାତିରେ ଗୋଟାଏ ଗୀତ ବାଜେ ଠିକ୍ ରାତି ବାରଟା ରେ। ଆପଣ ମାନେ ଶୁଣିଥିବେ ନିଶ୍ଚୟ। ମୃତ୍ୟୁ କୁ ଭାରି ଭୟ କରନ୍ତି ସଂକେତ ! ସକାଳ ହେବା ପୂର୍ବରୁ କୁଆଡେ ମୁଁ ମରିଯିବି କିମ୍ବା ସେ ମରିଯିବେ ସେଇଥିପାଇଁ ସବୁ ଦିନ ଶୋଇବା ପୂର୍ବରୁ ଗୋଟାଏ ନିର୍ଦ୍ଦିଷ୍ଟ ଗୀତ ଶୁଣନ୍ତି ତାଙ୍କ ଜୀବନର ପ୍ରିୟ ଗୀତଟିଏ। ଇଂଲିଶ ପ୍ରଫେସର୍, କିନ୍ତୁ ଦୁର୍ବଳ ହୃଦୟ ଅଦ୍ଭୁତ ମାନସିକତା...
ଦିନକର ଘଟଣା, କଲେଜ ବସ ଆମ ଛକରେ ପହଞ୍ଚି ସାରିଥିଲା। ଆମେ ଦୁଇଜଣ ଦୌଡିଲୁ ମୁଁ ପ୍ରଥମେ ପହଞ୍ଚିଲି ବସ ପାଖରେ। ସଂକେତ ପଛେଇ ଗଲେ। ବସ ଛାଡିଦେଲା। ସଂକେତ ସେଇ ବସରେ ଆସି ପାରି ନ ଥିଲେ ମୁଁ ଓହ୍ଲାଇବାକୁ ଅନେକ ଚେଷ୍ଟା କଲି କିନ୍ତୁ ସମ୍ଭବ ହେଲାନି ।
ରାଗରେ ଏସ ଏମ୍ ଏସ ଲେଖିଲେ, ସେଲଫିସ୍ ! ଇଉ ହେବ ଟୁ ଡିପେଣ୍ଡ ଅନ୍ ମି, ସୋମଟାଇମ ଇନ୍ ଲାଇଫ... ବେଳେ ବେଳେ ଭାବେ ତାଙ୍କରି ଅଭିଶାପ ଲାଗିଲା ମୋ ଉପରେ। ଆଖି ଲୁହେଇ ଗଲା। ଆଜି ସେ ମୋତେ ଧରିଲେ ମୁଁ ବିଛଣାରୁ ଉଠେ...!
ମେଡମ , ସତ କହିବ ! ଆଜି ମୁଁ ବହୁତ ସୁନ୍ଦର ଲାଗୁଛି ନା !
ସଂକେତ ମୋତେ ସଜେଇଛନ୍ତି। କାନ୍ଥ ଉପରେ ଥିବା ଦର୍ପଣ ଏତେ ଉପରେ ଅଛି ଯେ ହୁଇଲ୍ ଚେଆର ଉପରେ ବସି ସଜେଇ ହେବା ସମ୍ଭବ ହୁଏନି ମୋ ପାଇଁ। ସେ ଆଜି ମୋ ଆଖିରେ କାଜଲ ଲଗେଇଛନ୍ତି ମୁଣ୍ଡ କୁଣ୍ଡେଇ ବେଣୀ ବନେଇଛନ୍ତି ମୋ କାନର ଦୁଇ ପାର୍ଶ୍ଵରେ। ବେଣୀକୁ ଫୁଲ ଦେଇ ସଜାଉଥିଲା ବେଳେ ଆପଣଙ୍କ ବେଲ ବାଜିଲା ସେ ଚମକି ପଡ଼ିଲେ। ଫୁଲ ଖସିଗଲା ମୋ ମୁଣ୍ଡରୁ। ଲିପଷ୍ଟିକ୍ କଥା କହୁ କହୁ ଲାଜେଇ ଗଲେ ଉର୍ବଶୀ।
ସତରେ ସେ ମୋତେ ବହୁତ ଭଲ ପାଆନ୍ତି।
ଉର୍ବଶୀଙ୍କ ଖୋଲା ଉପନ୍ୟାସର ଫର୍ଦ୍ଦ ଫର୍ଦ୍ଦ କାହାଣୀ ସମ୍ପର୍କର ମଧୁରତାକୁ ନେଇ ମାଇଲ ଖୁଣ୍ଟଟିଏ ପୋତିଦେଲା ଦିଶାହୀନ ରାସ୍ତା ଉପରେ ଯେଉଁ ରାସ୍ତାରେ ପ୍ରତିଦିନ କେତେ ଦମ୍ପତି ପଥଭ୍ରଷ୍ଟ ହୋଇ ଯାଆନ୍ତି....
ଅଦ୍ଭୁତ ଏଇ ଆବିଷ୍କାର ୩୦୬ ନମ୍ବର ଫ୍ଲାଟ୍ ଭିତର ଚାରି କାନ୍ଥ ଭିତରେ ଆବଦ୍ଧ ପ୍ରେମ କାହାଣୀ ଟି ଆବିଷ୍କୃତ ହେଲା। ବିଚିତ୍ର ଏକ ଦାମ୍ପତ୍ୟ ଜୀବାଶ୍ମଟିଏ ହୋଇ ଛୁପିଯିବା ଆଗରୁ ଜୀବନ୍ତ ହୋଇ ଉଠିଲା, ଅନେକଙ୍କ ପାଇଁ ପ୍ରେରଣାର ଉତ୍ସଟିଏ ହୋଇ।
ଉର୍ବଶୀ କେତେ ଗପୁଡି !!
ସମସ୍ତେ ଶୁଣୁ ଥାଆନ୍ତି ଉର୍ବଶୀଙ୍କୁ... ବାସ୍ ପଥର ପାଲଟି ଯାଇଥିଲେ ଡାକ୍ତର ଦମ୍ପତି। ବନ୍ୟା ପ୍ଳାବିତ ହୋଇଗଲା ଦୟାର ନଦୀଟିଏ ସୀମାଙ୍କ ଭିତରେ। ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଥିଲା ଗାଲ ଉପରକୁ। ମନ ଭିତରେ ଥିବା ସବୁ ସନ୍ଦେହର ମୃତ ଦେହକୁ ନିଜ ହୃଦୟ ଭିତରେ ଛୁପେଇ ଦେଲେ ସେମାନେ ନିରବତା ହାଇ ମାରୁଥିଲା ଆଶଙ୍କାର ଶରଶଯ୍ୟା ଉପରେ.....
ସୀମା ସୋଫା ଉପରୁ ଉଠିଯାଇ ଉର୍ବଶୀ ଙ୍କ କପାଳରେ ଚୁମାଟିଏ ଆଙ୍କି ଦେଲେ, ଆଜି ଠୁ ମୁଁ ତୋ ବଡ଼ ଭଉଣୀ, ଗଡ଼ ବ୍ଲେସ୍ ୟୁ.... ।