Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏକ୍ସଚେଞ୍ଜ୍ ଅଫର୍
ଏକ୍ସଚେଞ୍ଜ୍ ଅଫର୍
★★★★★

© Kamala Satpathy

Comedy

10 Minutes   6.8K    11


Content Ranking

ବାସ୍‌ ବହୁତ ହେଇଗଲା ! ଆଉ ସହିହେବ ନାହିଁ କି ଏ ଘରେ ରହିହେବ ନାହିଁ ।

ନାଇଁ, ନାଇଁ, ଭୁଲ ହେଇଗଲା । ଏ ଘରେ ସେ ରହିବେ, ନିଶ୍ଚୟ ରହିବେ, କିନ୍ତୁ ପତ୍ନୀର ଦୌରାତ୍ମ୍ୟ ଆଉ ସହିବେ ନାହିଁ । ଦୀର୍ଘ କୋଡିଏ ବର୍ଷର ଏ କାରାଗୃହରୁ ତାଙ୍କୁ ଏଥର ମୁକ୍ତି ଦରକାର ।

ଛେ, ମଣିଷ କି ଯୋଗରେ ଏ ଧନ୍ଦାରେ ପଶିଥିଲା କେଜାଣି, ସାଲିସ୍ କରି କରି ପୂରା ଜୀବନ ବିତିଗଲା ପଛେ, ହେଲେ ସ୍ତ୍ରୀ ନାମକ ଜନ୍ତୁଟିକୁ ପୋଷା ମନେଇ ପାରିଲା ନାହିଁ । ବରଂ ନିଜେ ତା’ ପାଖରେ ପୋଷା ମାନିଯାଇଛି କହିଲେ ଚଳେ ! ତଥାପି କ’ଣ ସେଇ ମଣିଷଟି କେବେ ଖୁସି ହେଇପାରିଲା !

ମୋଟେ ନୁହେଁ । ବରଂ ଦିନକୁ ଦିନ ଉତ୍ତପ୍ତ ଲାଭା ପରି ଖାଲି ଜଳି ଚାଲିଲା, ଆଉ ଜଳେଇ ଚାଲିଲା । ଛି, ଛି, କେତେ ହୀନ କପାଳିଆ ସେ ! ଆଉ କାହାରି ଘରେ ଏପରି କାଣ୍ଡ କାରଖାନା କ’ଣ ହେଉଥିବ ସତରେ ! ନା, ମୋଟେ ହେଉନଥିବ ।

ଏମିତି ଏକ ବୋଝିଲା ବାତାବରଣରୁ ବାହାରି ଯିବାକୁ ଛାତ ଉପରକୁ ଉଠିଆସିଲେ ମହାପାତ୍ରବାବୁ । ଏଠିକୁ ବି ପତ୍ନୀ ଦେବୀଙ୍କର ସେଇ ଟାଣୁଆ ଟାଣୁଆ ଝିଙ୍ଗାସିଆ କଥା ସବୁ ପହଞ୍ଚି ଯାଉଥିଲା । କାନ ବନ୍ଦ କରିଦେଲେ ବି କିଛି ଫାଇଦା ନାହିଁ । ସେ ସ୍ୱରର ତୀକ୍ଷ୍ମତା ଶବ୍ଦଭେଦୀ ବାଣ ଠାରୁ ବି ଅଚୁକ ଥିଲା । ଛୁଟି ଦିନଟା, କେତେ ହସଖୁସିରେ ବିତିଯିବା କଥା, କିନ୍ତୁ ସକାଳ ପହରର ସେଇ ପଦିଏ କଥାକୁ ରେଣ୍ଠି କରି ବସିଛି ଯେ ବସିଛି । ଆସି ସନ୍ଧ୍ୟା ହେଇଗଲା, ହେଲେ ସେଇ ପଦିକ କଥାର ଗୁଳି ବର୍ଷଣ ଏପର୍ଯ୍ୟନ୍ତ ବି ସରିଲା ନାହିଁ । ଛି, ପୂରା ଦିନଟା ଆଜି ନଷ୍ଟ ହେଇଗଲା !

ଛାତର ଆଉ ଟିକେ କୋଣକୁ ଘୁଞ୍ଚିଗଲେ ମହାପାତ୍ରବାବୁ । ଚାରିପଟରୁ ଥରେ ଆଖି ବୁଲେଇ ଆଣିଲେ । ସବୁରି ଘରୁ ହସଖୁସି ଭାସି ଆସୁଛି .. କେବଳ ତାଙ୍କରି ଘର ଛଡା । ଏ ଯମ ଯନ୍ତ୍ରଣାରୁ ଉଦ୍ଧାର ସେ କ’ଣ କେବେ ପାଇବେ ନାହିଁ ? କୋଡିଏ ବର୍ଷ ତଳେ ଯୋଉ ଭୁଲ୍ ତାଙ୍କ ବାପା ମା’ କରିଥିଲେ, ତାହାର ଦଣ୍ଡ ସେ କାହିଁକି ଭୋଗ କରିବାକୁ ଯିବେ .. ତାହା ପୁଣି ଜୀବନ ସାରା !!

ନା, କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ।

କିନ୍ତୁ କ’ଣ ? କିଛି ବି ପଶୁନଥିଲା ମୁଣ୍ଡରେ ।

ବ୍ୟାକୁଳ ହେଇ ଛାତର ଏ ମୁଣ୍ଡରୁ ସେମୁଣ୍ଡ ସେ ଖାଲି ପଦଚାଳନା କରିବାକୁ ଲାଗିଲେ । ମନେ ମନେ ନିଜ ଦୟନୀୟତାକୁ ବାହୁନି ଉଠିଲେ । କେତେ ଭଲ ସତରେ ସ୍ୱାଇଁବାବୁଙ୍କ ସ୍ତ୍ରୀ ! ସବୁବେଳେ ଖାଲି ଥଟ୍ଟା ମଜା, ଟାହି ଟାପରା । ସୁନ୍ଦର ଯେତିକି, ଗୁଣର ବି ସେତିକି । ଏମିତିଆ ପତ୍ନୀଟିଏ ଥିଲେ ଜୀବନ ପ୍ରକୃତରେ ଧନ୍ୟ ହେଇଯାଏ । ଆହା .. ! ତାଙ୍କର ହେଲେ ସେ ସ୍ୱାଇଁବାବୁଙ୍କ ପରି ଭାଗ୍ୟ ହେଇଥାନ୍ତା !

ହେ ଭଗବାନ, ସତରେ କ’ଣ ଏ ଜନ୍ମଟା ମୋର ଏମିତି ବ୍ୟର୍ଥତାରେ ବିତିଯିବ ? ଏ ଅନୁଶୋଚନା, ଏ ବ୍ୟାକୁଳତା କ’ଣ ମୋର ଚିରସାଥି ହୋଇ ଏମିତି ରହିଯିବ ? ପୁରୁଷଟିଏ ହେଇକି ବି ମୋ ମନମର୍ଜିରେ ଜୀବନ କାଟି ପାରିବି ନାହିଁ ମୁଁ ! ସବୁକଥାରେ ଖାଲି ଆକଟ ଶୁଣୁଥିବି - ଏଇଟା କରନି .. ସେଇଟା କରନି ! ଏମିତି କୁହନି .. ସେମିତି କୁହନି ! ଇଆଡେ ଯାଆନି .. ସିଆଡେ ଚାହଁନି .. ୟା’କୁ ଆଣନି .. ତାକୁ ଦିଅନି ..! ଓଃ, ୟା’ଠୁ ଭଲ ତ ସଂସାର ଛାଡି ବାବାଜି ହେଇଯିବା ..! .. ହେଲେ ସେତିକି ସ୍ୱାଧିନତା ବି କ’ଣ ଦେଉଛି କି ସମାଜ ! କହୁଛି – ସଂସାର କରିଛ ମାନେ, ତା’ର ସବୁ ଦାୟିତ୍ୱ ତୁମକୁ ଉଠେଇବାକୁ ହିଁ ପଡିବ !

ଛି, କେମିତିଆ ଜୀବନ ଆଉ କେମିତିଆ ଭାଗ୍ୟ ଏ ମଣିଷର କେଜାଣି !

“ମହାପାତ୍ରବାବୁ … ମହାପାତ୍ରବାବୁ ..!”

କାହାରି ଧୀର ଗମ୍ଭୀର ସ୍ୱରରେ ଚମକି ଉଠିଲେ ଦିଗମ୍ବର ମହାପାତ୍ର । ସିଢି ତଳର ସେହି ଧୂସରିଆ ଅନ୍ଧାର ଭିତରେ କିଏ ଜଣେ ଠିଆ ହେଇ ହାତ ଠାରି ତାଙ୍କୁ ଡାକୁଛି । କିଏ ସେ ? ବେଶଭୂଷା ତ କିଛି ଭିନ୍ନ ଦିଶୁଛି ! ହାବଭାବଟା ବି ସାଧାରଣ ଲୋକ ପରି ନୁହେଁ ! କିଏ ସେ ତା’ହେଲେ ? କୋଉଠି ଦେଖିଥିଲା ପରି ବି ଲାଗୁନାହିଁ ।

ଆଉ ଥରେ ନିରେଖିକି ସେଇ ଆଡକୁ ଚାହିଁଲେ ମହାପାତ୍ରବାବୁ । ଲୋକଟି ତାଙ୍କୁ ଏକ ଲୟରେ ଚାହିଁ

ରହିଥିଲା । ହାତ ଠାରି ପାଖକୁ ଡାକୁଥିଲା । ଯିବେ କି ନଯିବେ ହେଇ ହେଇ ଯାଇ ପହଞ୍ଚିଗଲେ ତା’ ପାଖରେ । ଲୋକଟିକୁ ଦେଖି ମନରେ ଅଦ୍ଭୁତ ଏକ ସଂଭ୍ରମତା ଜନ୍ମୁଥିଲା । ଭୀଷଣ ଦ୍ୱିଧା ହେଉଥିଲା । ବାରମ୍ୱାର ମନକୁ ପ୍ରଶ୍ନ ଆସୁଥିଲା – କିଏ ସେ ଏଇ ଲୋକ ? କୋଉଠୁ ଆସିଲା ? ଏଠି ବା କେମିତି

ପହଞ୍ଚିଲା ? ମୂଖ୍ୟ କଥା ହେଲା ତାଙ୍କୁ ସେ ଚିହ୍ନିଲା ବା କେମିତି ?

କେତେ କେତେ ପ୍ରଶ୍ନ ମନ ଭିତରକୁ ସେଇ ମୁହୂର୍ତ୍ତରେ ଠେଲି ପେଲି ହେଇ ପଶିଆସିଲେ । ମାତ୍ର ସେ ପାଟି ଖୋଲି କିଛି ପଚାରିବା ପୂର୍ବରୁ ହି ଲୋକଟି ନିଜର ଗମ୍ଭୀର ସ୍ୱରକୁ ସାମାନ୍ୟ କୋମଳ କରିଦେଇ କହିଲା, “ବତ୍ସ, ଭୟ କରନାହିଁ । ତୁମର କିଛି କ୍ଷତି କରିଦେବାକୁ ଏଠିକୁ ଆସିନାହିଁ ମୁଁ । ବରଂ ତୁମକୁ ସାହାଯ୍ୟ କରିବାକୁ ହିଁ ଆସିଛି ।“

ଏ କି ଡ୍ରାମା ଏ ଲୋକଟାର ? ପୌରାଣିକ ସିନେମାର ଚରିତ୍ର ପରି ଶୁଦ୍ଧ ଭାଷାଗୁଡା ଚୋବେଇ ଚୋବେଇ କ’ଣ କହିଯାଉଛି ? ଏମିତି ତ ମହାପାତ୍ର ବାବୁଙ୍କ ମନଟା ଆଜି ସକାଳ ପହରୁ ଖରାପ ହେଇଯାଇଛି, ତା’ ସାଙ୍ଗକୁ ଏ ଅଦ୍ଭୁତ ଲୋକଟାର ବିଚିତ୍ର କଥାକୁହା .. ତାଙ୍କୁ ସତରେ ବଡ ବିରକ୍ତ କରି ପକେଇଲା । ସାମାନ୍ୟ ଉଚ୍ଚ ସ୍ୱର କରି ଆକଟ କଲା ଭଳି ସେ କହି ପକେଇଲେ, “କିଏ ହୋ ଭାଇ ତୁମେ ? କୋଉଠୁ ଆସିଛ, ଆଉ କାହିଁକି ବା ଆସିଛ ? ମୋର କ’ଣ ହେଇଛି ଯେ ତୁମେ ମତେ ସାହାଯ୍ୟ କରି ପକେଇବ ?”

“କ୍ରୋଧ କରନାହିଁ ବତ୍ସ .. ମୁଁ ଜାଣେ ତମ ମନ ବର୍ତ୍ତମାନ ବଡ ବ୍ୟାକୁଳ ଅଛି, ଅସୁସ୍ଥ ଅଛି। ପତ୍ନୀର ପୀଡା ବାସ୍ତବରେ ବଡ ଯନ୍ତ୍ରଣାଦାୟକ । ସେଥିପାଇଁ ତୁମ ଦୁଃଖ ହରିବାକୁ ପ୍ରଭୁ ନାରାୟଣ ମତେ ତୁମ ନିକଟକୁ ପ୍ରେରଣ କରିଛନ୍ତି ! ତୁମକୁ ସବୁ ପ୍ରକାରର ସାହାଯ୍ୟ କରିବାକୁ ସେ ମତେ ନିର୍ଦ୍ଦେଶ ଦେଇଛନ୍ତି । କୁହ, ତୁମେ କ’ଣ ଚାହୁଁଛ ?”

ହତପ୍ରଭ ହୋଇ ଚାହିଁ ରହିଗଲେ ମହାପାତ୍ରବାବୁ । ଏ କ’ଣ ଶୁଣୁଛନ୍ତି ସେ ! ସତରେ କ’ଣ ଏ ଲୋକଟା ଯାହା କହୁଛି, ସେକଥା ସତ ! ସତରେ କ’ଣ ପ୍ରଭୁ ନାରାୟଣ ତାଙ୍କ ପ୍ରତି ଏତେ ଦୟା ପରବଶ ହୋଇଛନ୍ତି ଯେ ତାଙ୍କୁ ଏ ନର୍କରୁ ଉଦ୍ଧାର କରିବାକୁ ନିଜର ଦୂତକୁ ପଠେଇ ଦେଇଛନ୍ତି ! ନା, ନା, ସେ ନିଶ୍ଚୟ ସ୍ୱପ୍ନ ଦେଖୁଛନ୍ତି ।

ନିଜ ହାତକୁ ପୁଳେ ଚିମୁଟି ଦେଇ ସେ ପ୍ରଥମେ ପରୀକ୍ଷା କରିନେଲେ ଯେ ଯାହା ଏବେ ଦେଖୁଛନ୍ତି, ତାକୁ ବିଶ୍ୱାସ କରିହେବ କି ନାହିଁ ।

ବିଶ୍ୱାସ କରିବାକୁ ହେବ । ଲୋକଟିକୁ ବିଶ୍ୱାସ କରିବାକୁ ହିଁ ହେବ । ନହେଲେ ସେ କେମିତି ତାଙ୍କ ମନକଥା ଜାଣିଥାନ୍ତା ଯେ ସେ ପତ୍ନୀ ଦ୍ୱାରା ପୀଡିତ ଅଛନ୍ତି !

ମାତ୍ର ଏକଥା ବୁଝା ପଡୁନାହିଁ ଯେ ସେ କେମିତି ବା ତାଙ୍କୁ ସାହାଯ୍ୟ କରି ପାରିବ ? ଯୋଉ ଦଣ୍ଡକୁ ତାଙ୍କ ପାଇଁ ଭଗବାନ ନିଜେ ଲେଖି ଦେଇଛନ୍ତି, ସେଇ ଦଣ୍ଡକୁ ତାଙ୍କ ଦୂତ କିପରି ଦୂରେଇ ଦେଇପାରିବ ?

ତାଙ୍କୁ ଏମିତି ନିଜ ଭିତରେ ହଜି ଯାଇଥିବାର ଦେଖି ଦେବଦୂତ ଗଳା ଖଙ୍କାରିକି କହିଲେ, “ତୁମେ ବ୍ୟସ୍ତ ହୁଅ ନାହିଁ ବତ୍ସ, ତୁମେ ଯାହା ଚାହୁଁଛ, ସେଇଆ ହିଁ ହେବ ।“

“ମାନେ ?”

“ମାନେ ତୁମେ ଏଇଲେ ମନେ ମନେ ଯାହା କହୁଥିଲ, ତୁମେ ଚାହିଁଲେ ତୁମ ପାଇଁ ମୁଁ ତାହା କରିଦେଇ ପାରେ ।”

“ .. ମାନେ .. ଆପଣ କ’ଣ କହୁଛନ୍ତି ମୁଁ କିଛି ବୁଝି ପାରୁନାହିଁ !”

“ଏଥିରେ ଆଉ ଅବୁଝା କ’ଣ ରହିଲା ? ତୁମେ ଯଦି ଚାହିଁବ ତୁମ ମନ ମୁତାବକ ଯେକୌଣସି ସ୍ତୀକୁ ତୁମର ନିଜର କରିପାରିବ ।”

“ମାନେ .. ଯାହାକୁ ଚାହିଁବି ?” ଅବିଶ୍ୱାସ ଭରା କଣ୍ଠରେ କହିଉଠିଲେ ମହାପାତ୍ରବାବୁ । କଣ୍ଠରୁ ତାଙ୍କର ଆଶ୍ଚର୍ଯ୍ୟ ମିଶ୍ରିତ ହର୍ଷ ଉଚ୍ଛୁଳି ଉଠୁଥିଲା ।

“ହଁ .. ଯାହାକୁ ଚାହିଁବ !”

“ତେବେ ବିଳମ୍ୱ କାହିଁକି ?”

“ରୁହ .. ରୁହ .. ମନ ମୁତାବକ ପତ୍ନୀ ପାଇିବା ପାଇଁକି କିଛି ସର୍ତ୍ତ ରହିଛି । ସେସବୁ ମାନିବ ଯଦି, ତେବେ ମନ ମୁତାବକ ପତ୍ନୀକୁ ନିଜର କରିପାରିବ ।“

”ତୁମର ସବୁ ସର୍ତ୍ତ ମାନିବାକୁ ମୁଁ ପ୍ରସ୍ତୁତ ଅଛି । ମୋର କେବଳ ମନ ମୁତାବକ ପତ୍ନୀ ମିଳିବା ଦରକାର । ତୁମେ ଯାହା ଚାହୁଁଛ, ତାହା କରିବାକୁ ମୁଁ ପ୍ରସ୍ତୁତ ଅଛି ।“

“ପ୍ରଥମେ ଶୁଣି ତ ନିଅ !”

“ଶୁଣିବାର ଆବଶ୍ୟକତା ହି ନାହିଁ ।”

“ନା, ତୁମକୁ ଶୁଣିବାକୁ ହିଁ ହେବ । କାରଣ ଏ ପ୍ରକାରର ବ୍ୟବସ୍ଥାରେ ଫେରସ୍ତ ବ୍ୟବସ୍ଥା ନାହିଁ ।”

“ମାନେ ?”

“ମାନେ, ପତ୍ନୀ ବଦଳ କେବଳ ଥରେ ହେଇପାରିବ । ବାରମ୍ୱାର ନୁହେଁ ।”

“ଚଳିବ ।”

“ଦ୍ୱିତୀୟ ସର୍ତ୍ତ ହେଲା – ତୁମେ କୌଣସି କୁମାରୀ ଝିଅକୁ ପତ୍ନୀ କରିପାରିବ ନାହିଁ ।”

“ମାନେ ?”

“ମାନେ ହେଲା – ତୁମେ କେବଳ ଜଣଙ୍କର ବିବାହିତ ପତ୍ନୀକୁ ହିଁ ପାଇିପାରିବ !”

“ଆଚ୍ଛା .. ଆଚ୍ଛା .. ଚଳିବ ..ଚଳିବ ! ଆଉ କିଛି ?”

“ସେ ପତିପତ୍ନୀ ତୁମର ଚିହ୍ନା ପରିଚିତ ହେଇଥିବା ଦରକାର । ଅର୍ଥାତ ତୁମେ ସେମାନଙ୍କୁ ଭଲ ଭାବରେ ଜାଣିଥିବ । ନହେଲେ ତୁମକୁ କିଛି ବିଶ୍ୱାସ ନାହିଁ, ପରେ ଦୁନିଆ କଥା ତୁମେ ବାହାର କରିପାର ! ସେଥିପାଇଁ ଯାହାକୁ ଭଲରେ ଚିହ୍ନିଥିବ, ଜାଣିଥିବ, ତାକୁ ହିଁ ନିଜର କରିପାରିବ ।”

“ହୁଁ .. ହଉ, ଠିକ୍ ଅଛି । ଆଉ କିଛି ବାକି ରହିଲା ନା ସରିଲା ?”

“ହଁ, ଆଉ ମାତ୍ର ଗୋଟିଏ, କିନ୍ତୁ ସବୁଠୁ ଜରୁରୀ ଯେ ତୁମେ ଯାହା ସହିତ ପତ୍ନୀ ବଦଳ କରିବ, ତୁମର ପତ୍ନୀ ତା’ ପାଖକୁ ଚାଲିଯିବ ।”

ଚମକି ପଡିଲେ ମହାପାତ୍ରବାବୁ । ବାକି ତିନିଟା ସର୍ତ୍ତ ତ ଠିକ୍ ଅଛି, କିନ୍ତୁ ଶେଷ ସର୍ତ୍ତଟି ଟିକିଏ ଅସହ୍ୟ ଥିଲା । ନିଜ ପତ୍ନୀକୁ ଅନ୍ୟ କାହା ସାଥିରେ ଦେଖିବାଟା ତ ସେ ଆଦୌ ସହ୍ୟ କରିପାରିବେ ନାହିଁ !

ତାଙ୍କୁ ଏମିତି ଚିନ୍ତାରେ ବୁଡି ଯାଇଥିବାର ଦେଖି ଦେବଦୂତ କହିଲେ, “କ’ଣ ଭାବୁଛ ବତ୍ସ ? ମୋ ପାଖରେ ସମୟ ବହୁତ କମ୍ । ଜଣକ ପାଖରେ ଏତେ ସମୟ ଠିଆ ହେଇ ରହିବାର ଅନୁମତି ମତେ ଦିଆଯାଇ ନାହିଁ । ତା’ ଛଡା ମର୍ତ୍ତ୍ୟରେ ତୁମ ଭଳି ଆହୁରି କେତେ କେତେ ଲୋକ ଅଛନ୍ତି । ମୁଁ ଖାଲି ଏ ଆଡକୁ ଆସିଥିଲି ବୋଲି ତୁମ କଥା ବୁଝି ଦଉଛି । ତେଣୁ ନିଜର ଯାହା ଇଚ୍ଛା ଅଛି, ତାକୁ ଯଥାଶୀଘ୍ର ଜଣେଇଦିଅ । ପତ୍ନୀ ବଦଳେଇବାକୁ ଅଛି ତମର, ନା ମୁଁ ଚାଲିଯିବି ? ଥରେ ଗଲେ, ଆଉ ଥରେ ଆସିବାକୁ କମ୍ ସେ କମ୍ ଦଶ ବର୍ଷ ଲାଗିଯିବ । କାରଣ ମର୍ତ୍ତ୍ୟର ଜନସଂଖ୍ୟା ଯେପରି ହୁ ହୁ ହୋଇ ବଢି ଚାଲିଛି, ଦିନରାତି କାମ କଲେ ବି ମୋର କାମ ସରୁନାହିଁ । …. କ’ଣ ଯିବି ନା ରହିବି ?”

“ନା, ନା, ରୁହନ୍ତୁ ଟିକିଏ ! ମତେ ଟିକିଏ ଭାବିବାକୁ ସମୟ ତ ଦିଅନ୍ତୁ !”

“ଭାବୁଥାଅ ବସି, ମୁଁ ଯାଉଛି । ଆଉ ଥରେ ଆସିଲେ କହିବ ।”

“ମାନେ ଦଶ ବର୍ଷ ପରେ ? ନାହିଁ, ନାହିଁ, ସେତେବେଳକୁ ଆଉ ସେ ଇଚ୍ଛାର ମହତ୍ତ୍ୱ ନଥିବ । ମୋ କାମ ଏବେ ସାରିଦେଇ ଯାଆନ୍ତୁ । ମୁଁ ପତ୍ନୀ ବଦଳେଇବାକୁ ଚାହେଁ ।”

“କାହା ସହିତ ?”

“ଏ ତ ଏକ ଜଟିଳ ପ୍ରଶ୍ନ । ଆପଣ ଟିକିଏ ସାହାଯ୍ୟ ତ କରନ୍ତୁ !”

“ନା, ସେ ଦାୟିତ୍ୱ ମୋର ନୁହେଁ । ତଥାପି ତୁମେ ବହୁତ ବିଳମ୍ୱ କରିଦେଲଣି ବୋଲି ମୁଁ କିଛିଟା ନାଁ କହିଦେଉଛି । ତୁମେ ଶୀଘ୍ର ଶୀଘ୍ର ନିର୍ଣ୍ଣୟ ନିଅ । ତୁମ ସାଙ୍ଗ ଦାସବାବୁଙ୍କ ସ୍ତ୍ରୀ ଠିକ୍ ରହିବେ ?”

“ନା.. ବାବା ନା ! ତାଙ୍କ ଭଳି ରାହାବାଳୀ ସ୍ତ୍ରୀ ଠାରୁ ତ ମୋ ସ୍ତ୍ରୀ ଶହେ ଗୁଣରେ ଭଲ !”

“କୁଲକର୍ଣ୍ଣୀ ବାବୁଙ୍କ ସ୍ତ୍ରୀ ?”

“ସେ ଠିକ୍ ଯେ .. ହେଲେ ଦେଖିବାକୁ ସେ ଆଦୌ ସୁନ୍ଦର ନୁହନ୍ତି । ମାନେ ମୋ ସ୍ତ୍ରୀ ଠାରୁ ଅନେକ ଗୁଣରେ ନିରସ । ଏତେ ଦିନ ପରେ ସୁଯୋଗ ମିଳିଛି ଯଦି, ତା’ହେଲେ ଭଲଟେ ତ ହେବା ଦରକାର !”

“ଆଚ୍ଛା ଚକ୍ରବର୍ତ୍ତୀର ସ୍ତ୍ରୀ ?”

“ନା ମ, ସିଏ ଗୋଟିଏ ନାକକାନ୍ଦୁରୀ ସ୍ତ୍ରୀ ଲୋକ । କଥାରେ କଥାରେ କେବଳ କାନ୍ଦିବା ଜାଣିଛି । ତାକୁ ନେଇ କି ଘରସଂସାର ମୁଁ କରିବି ? ତାକୁ ଦିନରାତି ବୁଝୋଉ ବୁଝୋଉ ତ ମୋ ପ୍ରାଣ ଅଧା ଚାଲିଯିବ !”

“ତା’ହେଲେ ଆଉ କିଏ ? ରଥବାବୁଙ୍କ ସ୍ତ୍ରୀ ?”

“ହଁ, ସେ ଠିକ୍ ରହିବ । ଦେଖିବାକୁ ବି ସେ ବେଶ୍ ଭଲ । କଥା ବି ବଡ ମଜେଇ ମଜେଇ କୁହେ ..! କିନ୍ତୁ ନାଇଁ ଆଜ୍ଞା .. ରୁହନ୍ତୁ ରୁହନ୍ତୁ ..! ତା’ ଭଳି ଖର୍ଚ୍ଚିଆ ସ୍ତ୍ରୀ ଏ ସଂସାରରେ ଆଉ କେହି ନାହିଁ । ଦୁନିଆ ଯାକର ସଉକି କରିବା ତାକୁ ଜଣା । ଶାଢୀ ଗହଣା କିଣାରେ ମାସକ ଦରମା ମୋର ସପ୍ତାହକୁ ନିଅଣ୍ଟ ହେବ । ବାକି ସବୁ ଠିକ୍ ହେଲେ କ’ଣ ହେବ .. ଘର ଚଳେଇ ପାରିବା ଗୁଣ ତ ତା’ର ଆଦୌ ନାହିଁ ।”

“ଥାଉ, ତା’ ବିରୁଦ୍ଧରେ ଏତେ ବେଶି କହିବା କିଛି ଦରକାର ନାହିଁ । ମୁଁ ବୁଝି ଯାଇସାରିଲିଣି ଯେ ସେ ତୁମର ଉପଯୁକ୍ତ ନୁହେଁ । ତୁମେ ନିଜେ ଏଥର ଶୀଘ୍ର କୁହ କେମିତିଆ ଦରକାର କରୁଛ । ମତେ ତେଣେ ଆଉ ଗୋଟେ ଦିଗକୁ ଯିବାକୁ ଘନ ଘନ ଡକରା ଆସିଲାଣି । .. ଆଚ୍ଛା, ତୁମ ଘର ପାଖ ଶର୍ମାବାବୁଙ୍କ ସ୍ତ୍ରୀ ଚଳିବ ?”

“ନା, ନା, ଆଦୌ ନୁହେଁ । ତା’ ଭଳି ସୁକୁମାରୀ ସ୍ତ୍ରୀ ମୋର କୋଉ କାମକୁ ? ଟିକିଏ ଖରା ବାଜିଲେ ଝାଉଁଳି ପଡିବ, ଥଣ୍ଡା ବାଜିଲେ ଥରି ଉଠିବ .. ବର୍ଷା ହେଲେ ରୋଗରେ ପଡିଯିବ .. ସେ ଭଳିଆ ସ୍ତ୍ରୀ ତ ମୋର ଆଦୌ ଚଳିବ ନାହିଁ ଆଜ୍ଞା !”

“ଆଉ କ’ଣ ଖାନ୍ ବାବୁଙ୍କ ସ୍ତ୍ରୀ ?”

“ଆରେ ବାପ୍ ରେ .. ଧର୍ମ ପରିବର୍ତ୍ତନ ? ପୁଣି ଏ ବୟସରେ ? ମତେ ସମାଜରେ ଆଉ ସ୍ଥାନ ମିଳିବ ତ ?”

“ତା’ହେଲେ ଗିରିଧାରୀବାବୁଙ୍କ ସ୍ତ୍ରୀ ?”

“ଉଁ ହୁଁ .. ସିଏ କ’ଣ ଗୋଟିଏ ସ୍ତ୍ରୀ ! ସିଏ ପରା ଗୋଟିଏ ଧାନବସ୍ତା ! ଟିକିଏ ଭାବିଚିନ୍ତି କରି ତ କୁହନ୍ତୁ !”

“ସେ କାମ ଯଦି ମୁଁ କରି ବସିବି, ତେବେ ଜଣଙ୍କ କଥା ବୁଝୁ ବୁଝୁ ଗୋଟାଏ ଦିନ ମୋର ବିତିଯିବ .. ! ଆଉ ଲକ୍ଷ ଲକ୍ଷ ଲୋକଙ୍କ କଥା କିଏ ବୁଝିବ ? ତୁମେ ନିଜେ ଶୀଘ୍ର କୁହ, ନହେଲେ ମୁଁ ଚାଲିଲି .. !”

“ନାଇଁ ନାଇଁ .. ଟିକିଏ ରୁହନ୍ତୁ । ମୁଁ କହୁଛି । ମତେ ସେଇ ଅଧିକାରୀ ବାବୁଙ୍କ ସ୍ତ୍ରୀ ପରି ଗୋଟିଏ ସ୍ତ୍ରୀ

ଦରକାର ।”

“ଅଧିକାରୀ ବାବୁଙ୍କ ସ୍ତ୍ରୀ ! .. ହଉ, .. ତୁମେ ତାଙ୍କୁ ଭଲ କରି ଜାଣିଛ ତ ?”

“ହଁ ।”

“ସବୁଆଡୁ ସେ ତୁମର ପସନ୍ଦ ? ମାନେ ରୂପ, ଗୁଣ, ସ୍ୱାସ୍ଥ୍ୟ .. ସବୁ ଦିଗରୁ ସେ ତୁମର ପତ୍ନୀ ହେବାକୁ ଯୋଗ୍ୟ ତ ?”

“ଆଜ୍ଞା ହଁ ।”

“ତାଙ୍କୁ ପତ୍ନୀ ରୂପରେ ପାଇଗଲା ପରେ ଆଉ କେବେ ବଦଳେଇବାକୁ କହିବେ ନାହିଁ ତ ?”

“ନାହିଁ ।”

“ତୁମ ସ୍ତ୍ରୀଙ୍କୁ ଅଧିକାରୀ ବାବୁଙ୍କୁ ଦେଇଦେବି ?”

“ଏଁ .. !!” ଚମକି ପଡିଲେ ମହାପାତ୍ରବାବୁ । ଏ କଥାଟା ତ ଏଇ ଭିତରେ ସେ ପୂରା ଭୁଲି ହି ଯାଇଥିଲେ ! ଏବେ ..!! ଜୁଳୁଜୁଳୁ କରି ଦେବଦୂତଙ୍କ ମୁହଁକୁ କେବଳ ଚାହିଁ ରହିଗଲେ ସେ ।

“କ’ଣ ହେଲା .. ସବୁର ସମାଧାନ ହେଇଗଲା ତ ?”

“ନାଇଁ ନାଇଁ ଆଜ୍ଞା .. ଟିକିଏ ରୁହନ୍ତୁ ! ଅଧିକାରୀ ବାବୁଙ୍କ ସ୍ତ୍ରୀ ସିନା ଖୁବ୍ ଭଲ ଲୋକ, କିନ୍ତୁ ସେ ଅଧିକାରୀଟା ତ ବଡ ବଦମାସ୍ । ତା’ ପରି ଲମ୍ପଟ, ମଦ୍ୟପ, ଦୁଷ୍ଟଲୋକର ହାତରେ ତ ମୁଁ ମୋ ପତ୍ନୀକୁ ଦେଇ ପାରିବିନି ! ଯାହାହେଲେ ବି ଦୀର୍ଘ କୋଡିଏ ବର୍ଷର ସମ୍ପର୍କ ! ଏତିକି ତ ତା’ ବିଷୟରେ ଚିନ୍ତା କରିବି ମୁଁ ! ଏତେ ବି ସେ ଖରାପ ନୁହେଁ ଯେ ତାକୁ ଯୁଆଡେ ପାଇଲେ ସିଆଡେ ଠେଲି ଦେବି ! କୋଡିଏ ବର୍ଷ ତଳେ କେତେ ଖୋଜି ଲୋଡି ତ ମୋ ବାପା ମା’ ତାକୁ ମୋରି ପାଇଁ ଯୋଗ୍ୟ ବୋଲି ଭାବିଥିଲେ ! ତାକୁ ଏମିତି କେମିତି କୋଉଠିକୁ ବି ତଡିଦେବି ?”

“ତା’ ମାନେ କ’ଣ କହୁଛ ?”

”କ’ଣ କହିବି। ମୁଁ ତ କିଛି ଭାବି ପାରୁନାହିଁ !”

ହସିଉଠିଲେ ଦେବଦୂତ । “ବତ୍ସ, ତୁମ ପାଇଁ ସର୍ବାର୍ଥକରଣରେ ତୁମ ପତ୍ନୀ ହିଁ ଯୋଗ୍ୟା ଅଟେ । ଦଶ ବାରଟି ସ୍ତ୍ରୀକୁ ଦେଖି ତୁମେ ଏତେ ଭାଳେଣିରେ ପଡିଯାଉଛ ! କେହି ବି ତୁମକୁ ଠିକ୍ ଠାକ୍ ଲାଗୁନାହାନ୍ତି ! ଭଗବାନ୍ ତୁମ ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଝିଅ ଭିତରୁ ତାକୁ ହି କାହିଁକି ବାଛିଛନ୍ତି, ଏଥର ଜାଣି ପାରିଲ ତ ! ଯାଅ .. ଯାଅ .. ତଳକୁ ଯାଅ । ତୁମ ପତ୍ନୀ ତମ ପାଇଁ ଅପେକ୍ଷା କରିଛି ।“

“ଅପେକ୍ଷା କରିଛି ? କିନ୍ତୁ .... ଆପଣ କେମିତି ଜାଣିଲେ ?”

ମୁରୁକି ହସା ଦେଇ ଦେବଦୂତ କହିଲେ, “ଯୋଉଥିପାଇଁ ତୁମେ ମତେ ଖୋଜୁଥିଲ, ତୁମେ କ’ଣ ଭାବୁଛ ତୁମ ସ୍ତ୍ରୀ ସେଇ କାରଣରୁ ମତେ ଖୋଜି ପାରିବନି ?”

“ମାନେ ?”

“ମାନେ ଆଉ କ’ଣ ? ଯାହା ତୁମେ ବୁଝିବ, ସେଇଆ !!”

                                                           -0-

ପତ୍ନୀ ଦୌରାତ୍ମ୍ୟ ବଦଳ ବ୍ୟବସ୍ଥା

Rate the content


Originality
Flow
Language
Cover design

Comments

Post

Some text some message..