Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଫଲ୍ଗୁ
ଫଲ୍ଗୁ
★★★★★

© Soumya Shubhadarshinee

Romance Tragedy

5 Minutes   499    54


Content Ranking

ପ୍ରତିଟି ହୃଦୟର ରହିଥାଏ କିଛି ନିଭୃତ ସଂଳାପ,କେବେ ନିଶବ୍ଦ ଆଉ କେବେ ଶବ୍ଦାୟିତ ।କିନ୍ତୁ ମଣିଷ ସବୁବେଳେ ସେଇ ଶବ୍ଦ ସମ୍ଭାରକୁ ଅଶୁଣା କରିବାର ଅପଚେଷ୍ଟା କରେ ସମାଜିକତାର ଦ୍ୱାହି ଦେଇ।

***

ଇଉନିଭରସିଟିରେ ପାଠ ପଢା ଏଇ ଉତ୍ତର ବୟସରେ ଟିକେ ସହଜ ଲାଗୁନଥିଲା। କିନ୍ତୁ କିଛି ବିକଳ୍ପ ବ୍ୟବସ୍ଥା ନାହିଁ। ପି.ଏଚ.ଡି କରିବାକୁ ହେଲେ ଛ ମାସ ପାଇଁ ଏମିତି ଇଉନିଭରସିଟିରେ କୋର୍ସ ୱାର୍କ କରିବାକୁ ହେବ। ନିଜ କଲେଜରୁ ଷ୍ଟଡି ଲିଭ ନେଇ ତେଣୁ ସେ ଲାଗିଛି ଏଇ ପାଠରେ। ସକାଳ ନ' ରୁ ସନ୍ଧ୍ୟା ଛ' ପର୍ଯ୍ୟନ୍ତ ରୁଟିନ୍ ଦେଖି ତାର ରକ୍ତଚାପ ବଢିଗଲା। ବାପରେ ସ୍କୁଲକୁ ବି ଟପି ଯିବେ ଏମାନେ। କିଏ ଏତେ ସମୟ ବସିପାରିବ?....

କିନ୍ତୁ କରିବାକୁ ହେବ, ସେ ଆଉ କ'ଣ ଅତୀତର ଚୁଲୁବୁଲି ସୋନି ଅଛି ଯେ ବଙ୍କ୍ କରିବ କ୍ଲାସ ଆଉ ମଦନା ଦୋକାନରେ ଗରମ ବରା ଆଉ ଆଲୁଦମ ଖାଇ ସାଙ୍ଗ ମହଲରେ ଖଟି ମାରିବ।ହଠାତ ମନେ ପଡିଗଲା ତା'ର ସଜଳ କଲେଜ ଜୀବନ। ଉନ୍ମୁକ୍ତ , ଉତ୍ତାଳ,ଉର୍ଜାମୟ , ଅନନ୍ୟ ମୁହୂର୍ତ୍ତ ସବୁ। ଗୋଟେ ସତ ସତିକା ଟାଇମ ମେସିନ ଥାନ୍ତା କି ବୁଲି ଆସନ୍ତା ସେ ଆଉ କିଛି ହେଉ ନହେଉ ବରା ଆଉ ଆଳୁଦମ ଟିକେ ଖାଇ, ବେଷ୍ଟ ସଙ୍ଗାତ ପିଙ୍କି ସହ ଦେଖା କରି ଫେରି ଆସନ୍ତା। ଆଃ! ସ୍ମୃତି ସବୁ ରୁପା ଜହ୍ନ , ସ୍ନିଗ୍ଧ, ଶୀତଳ, ଉଜ୍ଜ୍ୱଳ ,କିନ୍ତୁ ଅପହଞ୍ଚ!..

କ୍ଲାସ ଆଜି ଆରମ୍ଭ ହେବାର ସୂଚନା ମିଳିଥିଲା। ସେ ସମସ୍ତ ପ୍ରସ୍ତୁତି ସହ ଆସିଥିଲା କିନ୍ତୁ କିଛି ଅନିର୍ବାର୍ଯ୍ୟ କାରଣ ହେତୁ ଆଜି କେବଳ ଲଞ୍ଚ ବ୍ରେକ ପର୍ଯ୍ୟନ୍ତ ପଢ଼ା ହେବ ଆଉ ପରେ ଛୁଟି । ଖବର ଟା ଭାରି ସୁଖଦ ନିଶ୍ଚିତ । ଗୋଟେ ହାଲ୍କା ସୁଖପଣ ରେ ହଜିଗଲା ସୋନି ଆଉ ତା' ଅଜାଣତରେ ତିନୋଟି କ୍ଲାସ ବି ସରିଗଲା।

ଏବେ ବହୁଡ଼ିବା ପାଳି। ଭାରି ଭଲ ଲାଗିଲା କ୍ୟାଣ୍ଟିନ୍ ରେ ଗରମ କଫି ଆଉ ବିସ୍କୁଟ। ସେତକ ଆତ୍ମସାତ କରି ବାହାରିଆସିଲା ସୋନି । ଭୁବନେଶ୍ୱର ରୁ ପୁରୀର ଦୂରତା ବାଇପାସ୍ ରୋଡ଼ ହେବା ପରେ ଖୁବ୍ କମି ଯାଇଛି , କିନ୍ତୁ ଏବେବି ବସ ଚାଲିନି ସେଇ ରୋଡ଼ରେ। ବସ ନିଜ ପୁରୁଣା ରୁଟ୍ ରେ ନେଉଛି ବହୁତ ସମୟ। ନିରୁପାୟ ହେଇ ସୋନି ସେଇ ରାସ୍ତାରେ ଯାଉଛି ଆଉ ସମୟର ଅପଚୟ କରୁଛି ।

ବେଶ କିଛି ସମୟ ପ୍ରତୀକ୍ଷା ପରେ ଆସିଲା ବସ। ଆଉ ଆରମ୍ଭ କଲା ସୋନି ତା'ର ପ୍ରତ୍ୟାବର୍ତ୍ତନ ।

***

ପୁରୀରେ ପହଞ୍ଚିଲା ବେଳକୁ ତିନିଟା ପନ୍ଦର , ଧୁ ଧୁ ଖରା । ତା' ଶ୍ୱଶୁର ଘର କଲୋନି ଟିକେ ଦୂର। ଯିବାକୁ କୌଣସି ରିକ୍ସା ରାଜି ହେଲେନି ଏଇ ନିଛାଟିଆ ଖରାବେଳେ। ସେଠୁ ଫେରିଲେ କିଛି ଗ୍ରାହକ ମିଳିିବେନି ଏଇ ଖରାରେ ତେଣୁ ସବୁ ମନା କଲେ। ଟେମ୍ପୁ ତା' କଲୋନି ଆଡେ ଯିବ ରିଜର୍ଭ କଲେ। ପୁରା ଦୁଇ ଶହ ଟଙ୍କା ନେବ ହୁଏତ କିଛି ଅଧିକ ବି କହିପାରେ ଖରା କୁ ଦେଖି । କ'ଣ କରିବ ସୋନି ଭାବୁଛି , ଏତିକି ବେଳେ ହଠାତ୍ ଶୁଣିଲା ଗୋଟେ ପରିଚିତ ସ୍ୱର, " କି ,ଏଇ ଖରାବେଳେ ଏକା ଏକା କ'ଣ କରୁଛୁ ଏଠି ?"

ନିଜ ଚେହେରାକୁ ହେଲମେଟ ତଳେ ଢାଙ୍କି ଦେଇଥିବା ପିଲାଟିକୁ କିନ୍ତୁ ଖୁବ୍ ଭଲ ଭାବେ ଚିହ୍ନି ଗଲା ସେ , ଅଂଶୁମାନ , ହଁ ଆଉ କିଏ ଅଛି ଏମିତି କହିବ।

ଅଂଶୁମାନର ନାଁ ଥିଲା ଉଡାଚଢେଇ , ଦେଇଥିଲେ ମ୍ୟାଥ୍ ସାର୍। ସେ ସତରେ କେଉଁଠି ଦୁଇ କି ତିନି ବର୍ଷ ରୁ ଅଧିକ ଦିନ ରହିପାରୁନଥିଲା, କାରଣ ତା' ବାପା ଥିଲେ ଜଣେ ସଚ୍ଚୋଟ ଅଫିସର। ପ୍ରତି ବର୍ଷ ବଦଳି ହେଉଥିଲା ତାଙ୍କର ଆଉ ଉଡ଼ିବୁଲୁଥିଲା ତାଙ୍କ ସହ ପରିବାର। ସେଥିପାଇଁ ସେ ଉଡାଚଢ଼େଇ ଭାବେ ପରିଚିତ ଥିଲା।

ସମାଜ ନିଜ କଳଙ୍କିତ ପରିଚୟର ସୁରକ୍ଷା କରେ ଖୁବ୍ ଯତ୍ନରେ ନିପାତ କରି ସତ୍ୟ, ନ୍ୟାୟ, ଧର୍ମକୁ। ସେମିତି କିଛି ନ୍ୟସ୍ତ ସ୍ୱାର୍ଥ ମଣିଷ ନେଇଗଲେ ଜୀବନ ଅଂଶୁର ବାପାଙ୍କର। ଅଂଶୁମାନ ଆଉ ତା'ର ଦୁଇ ଭଉଣୀ ଏକାକୀ ହେଇଗଲେ। ଜୀବନର ସବୁ ରଙ୍ଗ ହଜିଗଲା ସେମାନଙ୍କର। ଅବ୍ୟକ୍ତ ଯନ୍ତ୍ରଣା ଭରିଗଲା ସବୁଠି। ବାପାଙ୍କ ଯିବା ପରେ ଏଇ ପୁରୀରେ ନୀଡ଼ ଗଢ଼ିଛି ଉଡା ଚଢେଇ। ଏସ୍ .ଏସ୍ କଲେଜରେ ପଢିବା ପରେ ଏମ.ବି.ଏ ସାରି ଏବେ ଗୋଟେ କମ୍ପାନୀରେ କାମ କରୁଛି ଏରିଆ ମ୍ୟାନେଜର ଭାବେ।.....

ଅଛି ନା ଥିଲା ....ହୁଁ ହୁଏତ ଉଭୟ ସତ। ସୋନିର ଏକ ଏକାନ୍ତ ଅଧିକାର ଅଛି, ଥିଲା ଆଉ ରହିବ ଉଡାଚଢ଼େଇ ଉପରେ। ଯଦିଚ ସେମିତି ଗୋଟେ ସଜ୍ଞା ନାହିଁ ସେ ଦୁହିଁଙ୍କ ସମ୍ପର୍କର ।

***

ଏଇ ଧୁ ଧୁ ଖରାରେ ଏଠି ଅଂଶୁମାନ ମିଳିିଯିବା ସତରେ ଭାରି ଖୁସି ଖବର। ମନ ପୁରା ହାଲ୍କା ହେଇଗଲା ତା'ର ଆଉ ବିନା ଉପକ୍ରମରେ ଯାଇ ଅଂଶୁ ପାଖରେ ପହଞ୍ଚି ସେ କହିଲା , "ଶୁଣ ଯିବୁ କି ତୁ ଘରକୁ , ମୋତେ ଟିକେ ମୋ ଘରେ ଡ୍ରପ କରିଦେବୁ। "

ସୋନିକୁ କି ମନା କରିହୁଏ ! ଅଂଶୁମାନ ହସିଲା ଆଉ କହିଲା, " ତୁ ମୋତେ ପଚାରୁଛୁ ନା' ଅର୍ଡର ଦେଉଛୁ ଯେ? ବସ ଯିବା !.......

ଗୋଟେ ନିଶ୍ଚିନ୍ତ ଅନୁଭବ ଆବୋରି ନେଲା ସୋନିକୁ ଦାୟିତ୍ୱ ସମ୍ପନ୍ନ ଚାଳକ ହାତରେ ନିଜକୁ ସାମର୍ପି ଦେଇ। ନିର୍ଜୀବ ବାଇକ୍ ଟା ମୁହୂର୍ତ୍ତରେ ଜୀବନ୍ତ ହେଇ ଧାଇଁଲା ଗନ୍ତବ୍ୟ ପଥରେ।

ସୋନି ,ଖରାରୁ ନିଜକୁ ବଞ୍ଚେଇ ସନଗ୍ଲାସ ଭିତରେ ଆଖିକୁ ବୁଜି ନେଇ ହଜିଗଲା ଟିକେ ଅତୀତରେ। .....

ସ୍କୁଲ ସାରି କଲେଜ ଆସିବା ପରେ ଜଣା ଗଲା କଲେଜର ସବୁଠୁ ଚର୍ଚ୍ଚିତ ନାଁ ହେଉଛି ଅଂଶୁମାନ ରାୟ, ଯାହାକୁ ଝିଅ ସବୁ ଡରୁଥିଲେ। ସୋନିର ସଙ୍ଗାତ ପିଙ୍କି ପାଖେ ସବୁଦିନ କିଛି ନା କିଛି ଖବର ଥିଲା ତା' ନାଁରେ। କିନ୍ତୁ ଯେବେ ସୋନି ଭେଟିଲା ଅଂଶୁକୁ , ମିଳିଗଲା ଉଡାଚଢ଼େଇ ପୁଣି ଥରେ ଆଉ ଲାଗିଲା ଭାରି ଭଲ।

ଗୋଟେ ସ୍ୱଚ୍ଛ ନିର୍ମଳ ମଣିଷ ଟେ ଥିଲା ଲୁଚିକି ବଦନାମ ପିଲା ଭିତରେ। ଯାହାକୁ ଆବିଷ୍କାର କରିଥିଲା ସୋନି ଖୁବ୍ ନିଖୁଣ ଭାବେ। ସତରେ ଉଡାଚଢ଼େଇ, ବାପାଙ୍କ ଯିବା ପରେ ଟିକେ ବିଗିଡି ଯାଇଥିଲା ଆଉ ଏମିତି ହଜେଇ ଦେଇଥିଲା ନିଜ ପରିଚୟ। ସୋନିର ସହଚାର୍ଯ୍ୟରେ ପୁଣି ଝଲସି ଉଠିଥିଲା ଭଲ ମଣିଷର ରୂପ। ଆଉ ସବୁଠୁ ଭଲ ବନ୍ଧୁଟିଏ ମିଳିଯାଇଥିଲା ସୋନିକୁ।

ଯେବେ କିଛି ସମସ୍ୟା ହେଉଥିଲା ଗୋଟେ ଫୋନ୍ ରେ ଆସିଯାଉଥିଲା ଅଂଶୁ।

ଯେବେ ବାପାଙ୍କ ଦେହ ଖରାପ ଥିଲା ,ଅଂଶୁ ହିଁ ଥିଲା ସୋନି ସହ । ନିଜେ ରକ୍ତ ଦେଇ ବଞ୍ଚେଇ ଥିଲା। ଛୋଟ ବଡ଼ ସମସ୍ୟାରେ ଅଂଶୁ କୁ ସେ ଯେମିତି ସାହସ ଦେଉଥିଲା ଠିକ ସେମିତି ଅଂଶୁ ତାକୁ ସହାରା ଦେଉଥିଲା। ଭାରି ଦାୟିତ୍ୱବାନ ଥିଲା ଅଂଶୁ ଆଉ ଖୁବ୍ ନିର୍ଭରଶୀଳ ଥିଲା ସୋନି। ଏଇ ଆନ୍ତରିକତା କିନ୍ତୁ କେବେ ନିର୍ଦ୍ଧିଷ୍ଟ ନାମ ଭିତରେ ବାନ୍ଧି ନଥିଲେ କେହି।ନା' କେବେ ଅଂଶୁ ଯତେଇ ଥିଲା ନା' କେବେ ସୋନି କିଛି କହିଥିଲା। ହେଲେ ସଜଳ ସଜ୍ଞାହୀନ ସମ୍ପର୍କଟେ ଥିଲା ସାଇତା ହେଇ।

ଏଇ ଅଂଶୁକୁ ଯେବେ ସେ ଫୋନ୍ କରି ଜଣେଇଥିଲା ନିଜ ବହାଘର କଥା । କାହିଁକି କେଜାଣି ପ୍ରଥମେ ସେ ବିଶ୍ୱାସ କରିନଥିଲା। ଆସିଥିଲା ଧାଇଁ ସନ୍ଧ୍ୟାରେ ଦେଖିବାକୁ ତା'କୁ। ସେ ଟିକେ ଲାଜ ଲାଜ ହେଇ ଦେଖେଇଥିଲା ତା' ଏନଗେଜମେଣ୍ଟ୍ ରିଙ୍ଗ । ଅଂଶୁ ସେ ରିଙ୍ଗ ଦେଖି ନିରବ ହେଇଯାଇଥିଲା । ମାମା ଯେତେ ବାଧ୍ୟ କଲା ସେଦିନ ଅଂଶୁ ତା' ଫେଭରାଇଟ୍ ଆଳୁ ପରଟା ବି ଖାଇ ନଥିଲା। ଚାଲିଯାଇଥିଲା ବିନା କିଛି କହି ।

କିନ୍ତୁ ବାବା ଯେବେ ଫୋନ୍ କରି ଡକେଇ ଥିଲେ ସେହିଁ ନେଇଥିଲା ବାହାଘରର ଅନେକ ଦାୟିତ୍ୱ । ଆଉ ନିଖୁଣ ଭାବେ ସାହାଯ୍ୟ କରିଥିଲା ତା' ବାହାଘରକୁ ସଫଳ ସୁନ୍ଦର କରିବା ପାଇଁ।

***

ସେଇ ସ୍ୱପ୍ନିଳ ଅତୀତ ପୃଷ୍ଠାରୁ ଫେରି କିଛି ସମୟ ପରେ ସୋନି ଖୋଲିଲା ଯେବେ ଆଖି , ଅଶ୍ୱର୍ଯ୍ୟ ହେଇଗଲା। ସେମାନେ ଥିଲେ ଗୋଟେ ଅଜଣା ରାସ୍ତାରେ। ଟିକେ ଶଙ୍କିତ ସ୍ୱରରେ କହିଲା ସେ , " ଅଂଶୁ କୁଆଡେ ଯାଉଛୁ , ଏଇଟା ତ' ଘର ରାସ୍ତା ନୁହେଁ?"

ଅଂଶୁମାନ ଟିକେ ରହସ୍ୟ କରି କହିଲା, " ଯେବେ ତୋତେ ନେଇଯିବାର ଥିଲା ସେବେ ତ ନେଇନି ଆଉ ଆଜି କ'ଣ ନେବି। ଏବେ ତ' ବହୁତ ଡେରି ହେଇଗଲାଣି"।

ସେପଟ ରାସ୍ତାରେ ଜାଇକା କାମ ଚାଲୁଛି ତେଣୁ ଏପଟେ ଯାଉଛି ତୋତେ ନେଇ ଘରେ ହିଁ ଛାଡ଼ିବି।

ସୌମ୍ୟା

ପୁରୀ ହୃଦୟ ଅଂଶୁ

Rate the content


Originality
Flow
Language
Cover design

Comments

Post

Some text some message..