ଭାଗ୍ୟ: ଜୁଆର ଓ ଭଟ୍ଟା
ଭାଗ୍ୟ: ଜୁଆର ଓ ଭଟ୍ଟା
ଅସରନ୍ତି ସ୍ଵପ୍ନକୁ ଆଖିରେ ନେଇ ଦୁଇ ମାସ ପରେ ପୁରୀ ବେଳାଭୂମିରେ ବସିଛନ୍ତି ସାଗର ମହାପାତ୍ର। ଏବେ ସେ ନିଜ ଗୋଡ଼ରେ ଛିଡା। ନିଜ ମନ ପସନ୍ଦର ଚାକିରୀ ବି ପାଇଛନ୍ତି। ବାପା ଏବେ ଆଉ କିଛି କହି ପାରିବେନି। ସୀମାକୁ ସେ ନିଜର କରିପାରିବେ। କିଛି ଦିନ ଲାଗିବ କିନ୍ତୁ ଦୃଢ଼ ବିଶ୍ୱାସ ଯେ ବାପା ମାନିଯିବେ। ବୋଉ ତ ପୁଅ ଖୁସିରେ ଖୁସି। ତେଣୁ ବିଶେଷ ଅସୁବିଧା ହେବ ନାହିଁ।
ମଞ୍ଜୁଳା ହାତରେ ଖବର ଦେଇଥିଲେ ସୀମା ପାଖକୁ ଆଜି ପୁରୀ ବେଳାଭୂମିରେ ଦେଖା ହେବାକୁ। ଆଗାମୀ ଜୀବନର ରୂପ ରେଖ ଏଇଠାରେ ତିଆରି କରିବେ। ଏଇ ବେଳାଭୂମିରେ ସେ ପ୍ରଥମ ଥର ସୀମାକୁ ଦେଖିଥିଲେ, ମନ ଦେଇଥିଲେ ।
ପାଖାପାଖି ଘଣ୍ଟାଏ ସମୟ ଅତିକ୍ରାନ୍ତ ହେଲାଣି। ସୀମା ଆସି ନାହିଁ। ମଞ୍ଜୁଳାର ବି ଫୋନ ଲାଗୁନାହିଁ। ମନକୁ ବୁଝେଇ ଦେଲେ ଯେ ସୀମା ଏଇ କ୍ଷଣି ନିଶ୍ଚୟ ଆସିବ। ସୂର୍ଯ୍ୟ ଅସ୍ତ ଆଡ଼କୁ ଗତି କରୁଥିବା ସମୟରେ ସମୁଦ୍ର କୂଳରେ ଗହଳି ବଢ଼ି ଚାଲିଛି। କିନ୍ତୁ ସାଗରଙ୍କୁ ଲାଗୁଛି ସେ ଯେମିତି ଏଠି ଏକା ବସିଛନ୍ତି । ସମୁଦ୍ରର ଉର୍ମିମାଳାରେ ଆଖି ଲାଖି ଯାଇଛି ଓ ତାଙ୍କ ମନ ପ୍ରାଣ ସୀମା ମୟ ହୋଇ ଯାଇଛି ।
ସାଗରର ଢେଉରେ ମନ ନୌକାରେ ସବାର ହୋଇ ସେ ପହଞ୍ଚି ଯାଇଥିଲେ ଦୁଇ ବର୍ଷ ତଳକୁ ।ବାଣୀବିହାର ଇଂରାଜୀ ବିଭାଗର ସେ ଏମ୍.ଏ. ଦ୍ୱିତୀୟ ବର୍ଷର ଛାତ୍ର। ପ୍ରଥମ ବର୍ଷରେ ଏ ବର୍ଷ ସୁନ୍ଦର ସୁନ୍ଦର ଝିଅ ଆଡ଼ମିସନ୍ ନେଇଛନ୍ତି। ୭୫% ଝିଅ, ତା ପୁଣି ସୁନ୍ଦର। ଏଥର ଡିପାର୍ଟମେଣ୍ଟରେ ମନ ଲାଗିଯିବ। ରାଗି ଯେତେ ବନ୍ଦ କହିଲେ କଣ ହେବ ଟିକିଏ ନକଲେ ଜୁନିୟର ସିନିୟର ପ୍ରଭେଦ ରହିବ କିପରି ? ପୁଣି ଇଣ୍ଟରାକସନ୍ ପାଇଁ ରାଗି୦ ଶବ୍ଦ ବ୍ୟବହାର କାହିଁକି ଯେ ।
ଆଜି ଜୁନିୟର ମାନଙ୍କ ଡିପାର୍ଟମେଣ୍ଟ ପ୍ରବେଶ। ସିନିୟର ଝିଅ ଅପେକ୍ଷା ପୁଅଙ୍କ ମନ ଉଚ୍ଛନ୍ନ ଜୁନିୟର ଝିଅଙ୍କ ସହ ଇଣ୍ଟରାକସନ୍ ପାଇଁ। ସାଗର ଟିକେ ଭିନ୍ନ। କାହିଁକି ନା ସେ ସମସ୍ତଙ୍କ ଠାରୁ ଦୁଇ ବର୍ଷ ବଡ଼। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପାର୍ ହେଉ ହେଉ ଡେରିରେ ଆଡ଼ମିସନ୍ ନେଲେ। ତେଣୁ ନିଜ ବ୍ୟାଚ୍ ପିଲା ବି ଭାଇନା ଡାକି ସମ୍ମାନ ଦିଅନ୍ତି ।
ଇଣ୍ଟରାକସନ୍ ପର୍ବ ଆରମ୍ଭ ହେଲା। କେତେ ରକମର ଝିଅ। କିଏ ସ୍ମାର୍ଟ, କିଏ ଓଭର ସ୍ମାର୍ଟ, କିଏ ଡରକୁଳି, କିଏ ଲାଜକୁଳି । ସାଗରର ଆଖି ରହିଗଲା ଗୋଟିଏ ଝିଅ ଉପରେ। ସେ ନା ସ୍ମାର୍ଟ, ନା ଡରକୁଳି, ନା ଲାଜକୁଳୀ । ଏକ ଭିନ୍ନ ଧରଣର। ଯେତିକି ପ୍ରଶ୍ନ, ସେତିକି ଉତ୍ତର। ସେମିତି ବି ଅନ୍ୟ ଝିଅଙ୍କ ପରି ସୁନ୍ଦର ନୁହେଁ। ତଥାପି ସାଗରର ନଜରରେ ସେ ସମସ୍ତଙ୍କ ଠାରୁ ସୁନ୍ଦର। ଏଇ ଦି/ତିନି ମାସ ତଳେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିବା ବେଳେ କିଛି ସମୟ ପାଇଁ ସମୁଦ୍ର କୂଳରେ ଯାଇ ବସିଥିଲେ। ସେଇଠାରେ ସେ ସୀମାକୁ ଦେଖି ଥିଲା। କିଛି ବାଳୁଙ୍ଗା ଟୋକାଙ୍କ କମେଣ୍ଟର କି ସଲିଡ଼୍ ଉତ୍ତର ଦେଇଥିଲା। ସେଦିନ ମନେ ମନେ ଝିଅଟିର ସାହାସକୁ ପ୍ରଶ୦ସା କରିଥିଲା । ଆଜି ତ ଜାଣି ଆଶ୍ଚର୍ଯ୍ୟ ଲାଗୁଛି ସେ ପୁରୀ ଝିଅ ନୁହେଁ। ନୟାଗଡ଼ ର । ପୁରୀରେ ମେସରେ ରହି ପଢୁଥିଲା। ଘରଠାରୁ, ନିଜ ଜନ୍ମ ଯାଗା ଠାରୁ ଦୂରରେ ବି ବା କେତେ ସାହସ ।
ଧୀରେ ଧୀରେ ବନ୍ଧୁତା ବଢିଲା। ସେ ବନ୍ଧୁତା ଯେ କେତେବେଳେ ପ୍ରେମରେ ପରିଣତ ହୋଇଗଲା ସାଗର ଜାଣି ପାରିଲାନି।
ଆଉ ଅଳ୍ପ ଦିନ ପରେ ସାଗରର ପରୀକ୍ଷା। ତାପରେ ସେ ୟୁନିଭରସିଟି ଛାଡି ଦେବ। ମନସ୍ଥ କଲା ଭାଲେଣ୍ଟାଇନ୍ ଡେ ରେ ସୀମାକୁ ମନ କଥା କହିବ। ତା ମନ କଥା ଜାଣିବ।
ଆଇ ଲଭ୍ ୟୁ ସୀମା । କିଛି ସମୟ ଇଆଡୁ ସିଆଡୁ କଥା ହୋଇ ସୀମା ଆଗରେ ମନ କଥା କହିଦେଲା। କିନ୍ତୁ ଏ କଣ ସୀମା ନଶୁଣିଲା ପରି ରହିଛି।
କିଛି ଉତ୍ତର ପାଇଲିନି ସୀମା। ତମ ମନକଥା ଜାଣିବାକୁ ମୁଁ ବ୍ୟାକୁଳ। ତଥାପି ନିରୁତର ସୀମା ।
ସାଗର ଏଥର ବିବ୍ରତ ହୋଇପଡିଲା । ପାଖରେ ଥିବା ଏକ ଗଛରେ ନିଜ ହାତକୁ ପିଟି ଦେଲା। ଫଳରେ ହାତ ଚିରି ହେଇ ରକ୍ତର ସରୁ ଧାରଟିଏ ବହିଲା। ନିଜ ରୁମାଲକୁ ସାଗର ହାତରେ ବାନ୍ଧି ଦେଲା ସୀମା। ସାଗର ଉତ୍ତର ପାଇବା ଆଶାରେ ସୀମା ମୁହଁକୁ ଚାହିଁ ଥାଏ। ଏଥର ସୀମା କହିଲା...
ମତେ ପ୍ରେମ କରିବ ତ ୟା ଠୁ ଅଧିକ କଷ୍ଟ ପାଇବ।
କିନ୍ତୁ କାହିଁକି ?
ଆମ ଭିତରେ ଜାତିର ବାଡ..
ହେ... ଆମେ ଏକବିଂଶ ଶତାବ୍ଦୀରେ ଅଛୁ । କେତେ ଏମିତି ବିବାହ ହେଲାଣି ନା ।
ତଥାପି ଅନେକ ସ୦ଘର୍ଷ କରିବାକୁ ହେବ । ତୁମେ ଉଚ୍ଚ। ମୁଁ ନୀଚ ଜାତିର । ଆମେ ଆମ ପରିବାର ବିରୁଦ୍ଧରେ ଯିବା ନାହିଁ। ତେଣୁ ଆମ ମିଳନ ଅସମ୍ଭବ ।
ସୀମା ଚାଲିଗଲା। କିନ୍ତୁ ସାଗର ସମସ୍ତ ବାଧାବିଘ୍ନ ଟପିବ ବୋଲି ମନସ୍ଥ କଲା।
ପରୀକ୍ଷା ପରେ ଭଲ ଚାକିରୀ କରିବା ପାଇଁ ଦିଲ୍ଲୀ ଚାଲିଗଲା । ସୀମା କଥା ହେବାକୁ ମନା କରେ। ତେଣୁ ତାର ବେଷ୍ଟ ଫ୍ରେଣ୍ଡ ମଞ୍ଜୁଳା ସହ କଥା ହୋଇ ସୀମାର ଖବର ଜାଣେ । ମଝିରେ ମଝିରେ ଚିଠି ଦିଏ ସାଗର କିନ୍ତୁ ଚିଠିର ପ୍ରତି ଉତ୍ତର କେବେ ପାଇ ନାହିଁ । ମଝିରେ ଥରେ ଓଡିଶା ଆସିଥିଲା। ୟୁନିଭରସିଟି ହଷ୍ଟେଲ ଯାଇ ସୀମାକୁ ଦେଖା କରିଥିଲା। ପ୍ରେମର ସନ୍ତକ ସ୍ଵରୂପ ତାଜମହଲ ର ଛୋଟିଆ ପ୍ରତିକୃତି ଦେଇଥିଲା। ତଥାପି ନୀରବ ସୀମା। ସୀମାର ଏଇ ନୀରବତା ବହୁ କଷ୍ଟ ଦିଏ ସାଗରକୁ । ଖାଲି ଅପେକ୍ଷା ଭଲ ଚାକିରି କରିଗଲେ, ଘରେ କହି ସୀମା ଘରକୁ ପ୍ରସ୍ତାବ ନେବ। ସୀମାର ସବୁ ଡର ଦୂର ହେବ ।
ଏକ ବିରାଟ ଜୁଆର ଆସି ସାଗରଙ୍କୁ ଓଦା କରିଦେଲା। ଫେରି ଆସିଲେ ବର୍ତ୍ତମାନକୁ। ରାତି ହେବ। ହେଲେ ସୀମାର ଦେଖା ନାହିଁ। ମଞ୍ଜୁଳାକୁ ଫୋନ ଟ୍ରାଏ କରି ହତାଶ ହେଲେ ।
ନିଜ ଗାଁ କୁ ଫେରି ଆସିଲେ ସାଗର। ବାପା ବୋଉ ସାଙ୍ଗେ କଥା ହୋଇ ସୀମା ଘରକୁ ପ୍ରସ୍ତାବ ନେବେ ଓ ସୀମାକୁ ସରପ୍ରାଇଜ୍ ଦେବେ।
ଭଉଣୀ ମିନୁ ଆଣି କାର୍ଡଟିଏ ଦେଲା। ତୋ ସାଙ୍ଗ ବାହାଘର କାର୍ଡ ଭାଈ । ଅନ୍ୟମନସ୍କ ହୋଇ କାର୍ଡକୁ ଖଟ ଉପରେ ଥୋଇ ଫ୍ରେସ ହେବାକୁ ଗଲେ। ମନେ ମନେ ବାପା ବୋଉକୁ କଣ କହିବେ ଚିନ୍ତା କରୁଥାନ୍ତି, କାର୍ଡ ଉପରେ ନଜର ପଡିଲା। ସୀମା ଓ୍ଵେଡସ୍ ରାଜା । କାର୍ଡକୁ ଫିଟେଇ ଜାଣିଲେ, ଇଏ ତାଙ୍କର ମନର ଆକାଶର ଚନ୍ଦ୍ରମା । ଯାହାକୁ ଦେଖିଲେ, ତାଙ୍କ ହୃଦୟରେ ପ୍ରେମର ଜୁଆର ଉଠୁଥିଲା। ହେଲେ ଆଜି ଭଟ୍ଟା ଆଣିଦେଇ ଜୀବନରୁ ଓହରିଗଲା।
ସୀମା ନିର୍ଦ୍ଧାରଣ କରି ନେଇଥିଲା ସୀମା ନିଜ ପାଇଁ। ସତଚେଷ୍ଟା ସତ୍ତ୍ୱେ ସାଗର ସେ ସୀମା ଟପି ପାରିଲାନି। ଅବସୋସକୁ ହୃଦୟରେ ଚାପି ଚାହିଁ ରହିଲେ ଆକାଶକୁ ।