ବର୍ଷା ବିଭୋର
ବର୍ଷା ବିଭୋର
ବର୍ଷା ବିଭୋର(ଗଳ୍ପ)
"ତୁମେ ଆଜିବି ଛତା ଆଣିନ?କେମିତି ଫେରିବ ଏ ବର୍ଷାରେ?"ବିଭୁର କଥାରେ ଥଲା ଗାର୍ଜନ ସୁଲଭ ତାଗିଦ।
ବର୍ଷା ଜିଭ କାମୁଡ଼ିଲା-"ଭୁଲି ଯାଇଛି । କାଲି ଯେ ତୁମେ ମୋତେ ଜୋର କରି ତୁମ ଛତାଟା ଦେଇ ଥିଲ, ସେଇଟିକୁ ବି ଆଣିବାକୁ ଭୁଲି ଯାଇଛି ମୁଁ।"
ବିଭୁ ଚିନ୍ତିତ ଦିଶୁଥିଲା।ଗଲା କାଲି ବି ଏମିତି ମୂଷଳ ଧାରାରେ ବର୍ଷା ବର୍ଷି ଥିଲା ଓ ସେମାନଙ୍କ ପାଖରେ ଥିଲା ଗୋଟିଏ ମାତ୍ର ଛତା ।
-"କାହିଁକି ଯେ ଛତା ଆଣିବାକୁ ଭୁଲି ଯାଅ ତୁମେ?"ଗତ କାଲି ବି ବିରକ୍ତି ପ୍ରକାଶ କରି ଥିଲା ବିଭୁ।
-"ତୁମ ସହ ଗୋଟିଏ ଛତା ତଳେ ଚାଲିବା ପାଇଁ।"ବର୍ଷା ର ଆଖିରେ ଥିଲା ଦୁଷ୍ଟାମୀ।
ସେମାନେ ସାଙ୍ଗ ହେଇ ଫେରିଥିଲେ ବର୍ଷାରେ, ଗୋଟିଏ ଛତା ତଳେ । ବାଟରେ ବର୍ଷା କହିଥିଲା-"ମୋର ଇଚ୍ଛା ହେଉଛି, ଏ ବର୍ଷା ଆଜି ବନ୍ଦ ହୁଅନ୍ତା ନାହିଁ, ସରନ୍ତା ନାହିଁ ଏଇ ରାସ୍ତା"।
ମୁହଁ ଖୋଲି ନ କହିଲେ ବି ବିଭୁର ଠିକ ସେଇ ଏକା ଇଛା ହେଉ ଥିଲା । ଏ ବର୍ଷଣ ମୁଖର ସଂଜ ଓ ଏଇ ରୋମାଞ୍ଚ ସରି ଯାଉ ବୋଲି ସତରେ କିଏ ଚାହେଁ?
ବର୍ଷା ଥମି ନ ଥିଲା, ଅଥଚ ସରି ଯାଇଥିଲା ରାସ୍ତା । ୟୁନିଭରସିଟି ଗେଟ୍ ଟପି ସେକେଣ୍ଡ ହଷ୍ଟେଲ ପାଖରେ ପହଞ୍ଚି ଯାଇଥିଲେ ସେମାନେ । ହଷ୍ଟେଲ ଗେଟ ପାଖରୁ ବର୍ଷାର ରୁମ ବେଶ କିଛି ଦୂର । ଏଣୁ ବର୍ଷା ହାତରେ ଛତା ଧରେଇ ଫେରି ଆସିଥଲା ବିଭୁ । ବର୍ଷାରେ ଭିଜି ଭିଜି।କିଛି ରୋମାଞ୍ଚ ସାଙ୍ଗରେ ନେଇ।
ବସାରେ ପହଞ୍ଚିଲା ବେଳକୁ ପୁରା ଓଦା ସର ସର। ସକାଳକୁ ଜ୍ୱର ।
ହେଲେ ସକାଳର ଜ୍ୱର ସଂଜକୁ ନଥିଲା । କେଜାଣି ହୁଏତ ଜ୍ୱର ଥିଲା, ହେଲେ ବିଭୁ ତାହା ବିସ୍ମରି ଦେଇ ଥିଲା ରୋମାଞ୍ଚରେ । ବର୍ଷାକୁ ଭେଟିବାର ବ୍ୟାକୁଳତା ଭିତରେ।
ଅପରାହ୍ନରେ ଅବଶ୍ୟ ବର୍ଷା ହେଉ ନଥିଲା । କିନ୍ତୁ ଆକାଶ ଥିଲା ମେଘଳ। ବର୍ଷି ଯାଇ ପାରେ ଯେ କୌଣସି ମୂହୁର୍ତ୍ତରେ, ଏମିତି ଥିଲା ସମ୍ଭାବନା ।
ଅଥଚ ଦେଖ,ସଂଜ ନହେଉଣୁ ଆରମ୍ଭ ହୋଇ ଗଲା ବର୍ଷା।ଏ ବର୍ଷା କଣ ଛାଡିବ ଏତେ ଶୀଘ୍ର?ବର୍ଷା ଦିନର ବର୍ଷା ଏମିତି ବର୍ଷୁ ଥାଏ ତୁହାକୁ ତୁହା।
ଏ ବର୍ଷାରେ କେମିତି ଫେରିବେ ବିଭୁ ଓ ବର୍ଷା । ବିଭୁ ବେଶୀ ଚିନ୍ତିତ । ହୁଏତ ସେ ଡରୁଛି ମନେ ମନେ:ତାର ଜ୍ଵର ବଢି ଯାଇ ପାରେ । ଅଥବା ସେ ବ୍ୟସ୍ତ ହେଉଛି ବର୍ଷା ପାଇଁ:ଏତେ ବାଟ ବର୍ଷାରେ ଭିଜି ଭିଜି କେମିତି ଯିବ ବର୍ଷା?ତା ଦେହ ଖରାପ ହେଇ ଯିବନି?
ଏତିକି ବେଳେ ବର୍ଷା ସ୍ମିତ ହସି କହିଲା,"ତୁମ ସହ ବର୍ଷାରେ ଭିଜିବାର ଏଇ ସୁଯୋଗଟିକୁ ମୁଁ କେବେ ବି ହାତ ଛଡା କରିବାକୁ ଚାହେଁନା।"
କିଛିଟା ରୋମାଂଚିତ ହୋଇ ପଡ଼ିଲା ବିଭୁ ବର୍ଷାର କଥା ଶୁଣି।ଦେହ ଖରାପ ସତ୍ତ୍ୱେ।ବର୍ଷା ଯେମିତି ଅପେକ୍ଷା କରିବା ମୁଡରେ ନ ଥିଲା।ବିଭୁର ହାତରେ ହାତ ଛନ୍ଦି ଟାଣି ଆଣିଲା ରାସ୍ତା ଉପରକୁ-,"ଦେଖ କି ସୁନ୍ଦର ଏଇ ବର୍ଷା!ଆଃ!!"
ବିଭୁର ହୁଏତ ଇଚ୍ଛା ହେଉଥିଲା କହିବାକୁ-"ଏ ବର୍ଷା ଠାରୁ ଢେର ବେଶୀ ସୁନ୍ଦର ମୋ ବର୍ଷା।"
ହେଲେ ତା ପାଟି ଖନି ମାରି ଯାଉଥିଲା।ଉପରୁ ପଡୁଥିବା ବର୍ଷା ଟୋପା ସବୁ ଫୋଡି ହୋଇ ଯାଉଥିଲା ତା ଦେହରେ।ଥରି ଉଠୁଥିଲା ବିଭୁର ଦେହ।ହେଲେ ତାର ଖୁବ ନିକଟରେ ବିଭୋର ହୋଇ ଉଠୁଥିଲା ବର୍ଷା।ଓଦା ଡ୍ରେସରେ ସେ ଦିଶୁଥିଲା ଅପେକ୍ଷାକୃତ ସୁନ୍ଦରୀ।ବିଭୁର ବି ବିଭୋର ହେବାର କଥା।ସେ ବି ଭିଜି ସାରିଚି ବର୍ଷାରେ।ଅଥଚ ତା ଦେହରେ ଶୀହରଣ ବଦଳରେ ଏ ଯେଉଁ କମ୍ପନ, ତାର ହେତୁ କଣ କେବଳ ତାର ଅସୁସ୍ଥତା ନା ଆଉ କିଛି?
ରାସ୍ତାଘାଟ ଆପାତତ ଶୁନ ଶାନ।ଏଇ ସୁଯୋଗରେ ବର୍ଷା ନାଚୁଛି ବର୍ଷାରେ ଓ ବିଭୁର ହାତ ଧରି ଟାଣୁଛି ତା ସହ ନାଚରେ ଯୋଗ ଦେବା ପାଇଁ।ଆଉ କେଉଁ ଦିନ ହୋଇଥିଲେ ଏଇ ଦିନଟିକୁ ସ୍ମରଣୀୟ କରି ରଖିବାକୁ ସବୁ ପ୍ରକାର ଚେଷ୍ଟା କରିଥାନ୍ତା ସେ।ହେଲେ ଆଜି ସେ ବର୍ଷାର ପାଦରେ ପାଦ ମିଳାଇ ଚାଲି(ନାଚି) ପାରୁନି।
ଅଚାନକ ବର୍ଷା ଅଟକି ଗଲା ଓ ବିଭୁର ଓଦା ସର ସର ମୁହଁରେ ହାତ ମାରି କହିଲା,"ତୁମେ କାନ୍ଦୁଛ?"
"ନାଇଁ"ବିଭୁ ନିଜର ଆବେଗ ଚାପିରଖିବାକୁ ଚେଷ୍ଟା କଲା।
"କଣ ଭାବୁଛ,ବର୍ଷା ଟୋପା ଓ ତତଲା ଲୁହ ଭିତରେ ମୁଁ ଫରକ ଜାଣି ପାରିବିନି?ତୁମ ଦେହରେ ଖଇ ଫୁଟୁଚି, ବିଭୁ।ଓ ମାଇଁ ଗଡ଼!"ବିଭୁର ହାତ ଧରି ରାସ୍ତା କଡ଼ର ଏକ ପରିତ୍ୟକ୍ତ ଘରର ବାରଣ୍ଡାକୁ ଟାଣିନେଲା ବର୍ଷା ଓ ନିଜ ଓଢଣୀକୁ ଚିପୁଡି ବିଭୁର ଓଦା ମଥାକୁ ପୋଛିବାରେ ଲାଗିଲା।
ବିଭୁ ବିଭୋର ହୋଇ ଉଠିଥିଲା ବର୍ଷାରେ ଓ କହିଲା,"ଏ ବର୍ଷା ଯଦି ଏମିତି ବର୍ଷୁ ଥାଆନ୍ତା ଆଜି ରାତି ସାରା.....!
ଅଚାନକ ବର୍ଷା ଥମିଗଲା।ବର୍ଷା ଘୋଷଣା କଲା," ପ୍ରଥମେ ଡ଼ାକ୍ତରଙ୍କ ପାଖକୁ ଯିବା।
ବିଭୁ କିଛି କହିଲା ନାହିଁ।ହୁଏତ ସେ ଏବେବି ବିଭୋର ଥିଲା ବର୍ଷାରେ।
*******
ବିଶ୍ୱବନ୍ଧୁ ମହାପାତ୍ର