*ଚରିତ୍ର*
*ଚରିତ୍ର*
ଭିକ୍ଷା ବୃତ୍ତି କରୁଥିବା ମଣିଷ ଭିକାରୀ ନା ସେମାନଙ୍କୁ ଦାନ କରୁଥିବା ମଣିଷ ? ନିଶ୍ଚିତ ଯିଏ ମାଗୁଛି ସେ ନୁହେଁ କି ? କିନ୍ତୁ ଯିଏ ଦିଏ ସେ କ'ଣ କିଛି ମାଗୁ ନଥାଏ ??.....
ଯେମିତି ସେଇ ଲୋକଟିର ସଦିଚ୍ଛା ବା ଦାନ କର୍ମର ପୂଣ୍ୟ ନହେଲେ ଈଶ୍ୱରଙ୍କ ଆଶୀର୍ବାଦ । ଏମିତି କିଛି ମାନସିକତା ଥାଏ ନିଶ୍ଚିତ। ତେଣୁ ଯାହା ଦୃଶ୍ୟ , ଯାହା ବ୍ୟକ୍ତ ତାହା ସବୁବେଳେ ସଠିକ ନୁହେଁ। ପ୍ରକୃତ ସତ୍ୟ ନିଶ୍ଚିତ ଭିନ୍ନ। ଭିକ୍ଷୁ ଉଭୟ :
ଦାତା 'ସଦିଚ୍ଛା' ର ଆଉ ଗ୍ରହୀତା 'ଅର୍ଥ' ର !.......
★★★★
ଶ୍ୟାମଳ ରଙ୍ଗର ଝିଅଟି ନିଶ୍ଚିତ ପିତାମାତାଙ୍କ ପାଇଁ ଗୋଟିଏ ସମସ୍ୟା । ଆମ ପରିଚିତ ସମାଜରେ ରଙ୍ଗକୁ ନେଇ ବହୁ ତର୍କ। ଓଡ଼ିଶାର ଲୋକମାନେ ସାଧାରଣତଃ ଶ୍ୟାମଳ କିନ୍ତୁ ସଭିଙ୍କୁ ତୋଫା ଗୋରୀ ଝିଅ ଲୋଡ଼ା ଯେମିତି ଟିଭି ବା ଚଳଚିତ୍ରରେ ଦେଖାଯାଏ। ବିଚିତ୍ର କଥା କିନ୍ତୁ ନିରାଟ ସତ! ସଭିଏଁ ନିଜ ବାହାନରେ ଗୋରୀ ପ୍ରେୟସୀର ଇପ୍ସାରେ।
ଅଂଶୁ ବୁଝେ ଏଇ ସୁନ୍ଦରୀ ମାନଙ୍କ ସଂକ୍ରାନ୍ତରେ କିଛି ସଠିକ କହିବା ଖୁବ୍ କଷ୍ଟ। କାରଣ ସ୍ଥଳ ବିଶେଷରେ ସୌନ୍ଦର୍ଯ୍ୟର ପରିଭାଷା ଭିନ୍ନ।କିନ୍ତୁ ରଙ୍ଗ ପ୍ରସଙ୍ଗଟା ପୂରା ପୂରି ସ୍ଥିର । ଗୋରୀ ଝିଅଟି ନିର୍ଦ୍ବନ୍ଦରେ ସୁନ୍ଦରୀ କୁହା ଯାଇପାରେ। କିନ୍ତୁ ଶ୍ୟାମଳୀ ଝିଅର ସୌନ୍ଦର୍ଯ୍ୟ ଗୋଟିଏ ଆପେକ୍ଷିକ ଶବ୍ଦ। ହୁଏତ କାହାକୁ ସୁନ୍ଦରୀ ଲାଗି ପାରେ ବା ନଲାଗି ପାରେ !!
ସେ ସେଇ ରଙ୍ଗର ଅଦୃଶ୍ୟ ଇନ୍ଦ୍ରଜାଲ ଭିତରେ ଛଟପଟ ହେଉଛି ବିଗତ କିଛି ଦିନ ଧରି। ହଁ ନାନୀର ଶ୍ୟାମଳ ରଙ୍ଗ ତା' ଲାଗି ଆଜି ଗୋଟେ ଅବ୍ୟକ୍ତ ଯନ୍ତ୍ରଣା !
ବେଳେବେଳେ ଲାଗୁଛି ସେଇ ନାନୀ ଯିଏ ତା' ଜୀବନର ସବୁଠୁ ପ୍ରିୟ ମଣିଷ ଥିଲା ଆଜି ଏଇ ଶ୍ୟାମଳ ରଙ୍ଗ ପାଇଁ ତା' ପ୍ରେମର ସବୁଠୁ ବଡ଼ ଶତ୍ରୁ ସାଜିଯାଇଛି। କିନ୍ତୁ ନାନୀର କି ଭୁଲ ନିଜ ରଙ୍ଗ କ'ଣ ସେ ନିଜେ ତିଆରିଛି??....
ବୋଉ କୁହେ ମୋ ଝିଅ କ'ଣ ଅସୁନ୍ଦର? ଗୋଟେ ଚାଉଳରେ ଗଢ଼ା ଝିଅ ମୋର। ସେ କ'ଣ କାଳୀ କି ଟିକେ ଶ୍ୟାମଳୀ ନା। ହଁ ନାନୀ ଦେଖିବାକୁ ବେଶ ଆକର୍ଷଣୀୟା : ମଧ୍ୟମ ସ୍ୱାସ୍ଥ୍ୟ, ଲମ୍ବାକେଶ, ସୁଢ଼ଳ ଆଖି, ଚଳଚଞ୍ଚଳ ପ୍ରକୃତି। କେଉଁଠି ବାରିବାର ନାହିଁ। ବଡ଼ ସ୍ନେହୀ ଆଉ ମେଳାପି ମଧ୍ୟ। କେତେ ଗେଲ୍ହା କରେ ସଭିଙ୍କୁ। ଅଂଶୁବି ସବୁବେଳେ ନାନୀର ସ୍ନେହ ମୋହରେ। କିନ୍ତୁ ଦେଖିଲା ଲୋକର ଆଖି ପ୍ରଥମେ ଦେଖେ ରଙ୍ଗ। ଏଇ ସୁଗୁଣ ସବୁ କଉ ଦିଶେ ଯେ?? ସବୁବେଳେ ଏଇ ଶ୍ୟାମଳୀ ରଙ୍ଗ ନିକଟରେ ସ୍ଥିର ହେଇଯାଏ ବରପାତ୍ର ପରିବାର । ଭୃକୁଞ୍ଚନ କରି ନିଅନ୍ତି ଅନେକ ଆଉ ଖଟା ହେଇଯାଏ ମନ।
ନାନୀ ନୀରବରେ ଅନେକ ଥର ନିଜକୁ କନ୍ୟା ଦେଖା ପାଇଁ ପ୍ରସ୍ତୁତ କରେ ଓ ବର ପକ୍ଷର ପ୍ରତ୍ୟାଖ୍ୟାନକୁ ଖୁବ୍ କଷ୍ଟରେ ସହେ। ଏଇଟି ରୀତିମତ ଗୋଟେ ଭୀଷଣ ଯନ୍ତ୍ରଣା ଦାୟୀ ଦୁର୍ଘଟଣା ଭାବେ ପରିବାରକୁ ପ୍ରଭାବିତ କରୁଛି ଆଉ ସବୁଠାରୁ ବେଶି ପ୍ରଭାବ ପଡୁଛି ଅଂଶୁ ଉପରେ।
*******
" ଶୁଣ ସମୟ ନାହିଁ ମୋ ପାଖେ।ତୁମେ କିଛି ଗୋଟେ କର। ଘରେ ମୋ ବାହାଘର କୁ ନେଇ ବହୁତ ବାଧ୍ୟ ବାଧକତା।"
ସ୍ନେହା ବଡ଼ ବ୍ୟତିବ୍ୟସ୍ତ ହେଇ ଜଣେଇଲାଣି ଏଇ କଥା । ବୟସ ଗଡି ଯାଉଛି ଆଉ କଣ ବୁଢ଼ୀ ହେଲା ପରେ ବାହା ହେବ ! ବୟସ ବଢିଲେ ଧିରେ ଧୀରେ କମି ଯାଏ ଲାବଣ୍ୟ। ବାପା ମା ବ୍ୟସ୍ତ ହେବା ସ୍ବାଭାବିକ। ଯେମିତି ଅଂଶୁ ଘରେ ସଭିଏଁ ନାନୀର ବୟସକୁ ନେଇ ଚିନ୍ତାରେ।
ଅଂଶୁ ନିଜ ଚାକିରୀକୁ ନେଇ ସ୍ନେହାକୁ ବୁଝେଇ ବାଝେଇ ରଖିଥିଲା। କିନ୍ତୁ ଏବେ ସେ ବ୍ୟାଙ୍କ ମ୍ୟାନେଜର ତେଣୁ ଆଉ ଡେରି କରିବ କାହିଁକି। ସ୍ନେହାର ପରିବାର ନିଶ୍ଚିତ ଏବେ ବାହାଘର ଲାଗି ବ୍ୟସ୍ତ ହେବେହିଁ ହେବେ। ଆଉ ଅଂଶୁ ପାଖରେ କୌଣସି ବାହାନାବି ନାହିଁ। କିନ୍ତୁ ନାନୀର ବାହାଘର ଆଗ ହେବା ଜରୁରୀ। ବଡ଼ ଭଉଣୀଟି ଥାଉଁ ଥାଉଁ କେମିତି ସେ ବାହା ହେଇଯିବ??
ସ୍ନେହା ବୁଝେ ଏଇ ସମସ୍ୟା ବିଷୟରେ । ସେବି ଦୁଇ ତିନିଟି ପ୍ରସ୍ତାବ ଦେଇ ସାରିଲାଣି ତା' ବନ୍ଧୁ ବାନ୍ଧବ ଭିତରୁ। ହେଲେ କିଛି ସଫଳତା ମିଳି ନାହିଁ ଅଦ୍ୟାବଧି।
କେବଳ ପରିବାରର ସଭିଏଁ ଖୁସି ଖୁସି ରାଜି ହେବେ ବୋଲି ଅଂଶୁ ଖୋଜି ଖୋଜି ବ୍ରାହ୍ମଣ ଝିଅଟିକୁ ପ୍ରେମ କଲା। ସ୍ନେହାବି ସଭିଙ୍କୁ ନେଇ ଘର ଗଢିବା ପାଇଁ ତା' ପରିବାର ସହ ଭଲ ସମ୍ପର୍କ ତିଆରିଲା। ଅନେକ ଥର ଆସିଛି ଘରକୁ ଆଉ ନାନୀ ସହ ଢେର ଗପ କରିଛି। ହଁ ଅଂଶୁ ନିଜ ପ୍ରେମ ସଂକ୍ରାନ୍ତରେ ଏମିତି ଘୋଷଣା କରିନି କିନ୍ତୁ ସ୍ନେହା ପରିବାରର ଗୋଟିଏ ସଦସ୍ୟ ହେବାର ପ୍ରଚେଷ୍ଟା କରିଛି ନିଶ୍ଚିତ। ନାନୀ ବି ଭାରି ଶ୍ରଦ୍ଧା କରେ ସୁନ୍ଦରୀ ସ୍ନେହାର।
ସବୁ ପୁରା ପେରଫେକ୍ଟ କିନ୍ତୁ ତଥାପି ହତାଶା। ନାନୀର ବାହାଘର ନହେଲେ ଅଂଶୁ ଆଉ ସ୍ନେହାବି ଗଢିପାରିବେ ନାହିଁ ନିଜ ସଂସାର।
ଅନେକ ଥର ପରୋକ୍ଷରେ ସ୍ନେହା ନିଜ ଇଚ୍ଛା ଓ ଆଵଶ୍ୟକତା ବିଷୟରେ କହିସାରିଲାଣି। ବାହାଘର ବିତ ନିର୍ଦ୍ଧିଷ୍ଟ ଆଵଶ୍ୟକତା ଅଛି !! କିନ୍ତୁ ଯେବେ ଅଂଶୁ ଏଇ ପ୍ରସଙ୍ଗ ଶୁଣେ ନାନୀର ଚେହେରା ଦିଶି ଯାଏ। ତା'ର ବିତ ଥିବ ସେମିତି ଇଚ୍ଛା ଟିଏ???
********
ଖାସ କରି ବାରବାଟୀ ମ୍ୟାରେଜ୍ ହଲ୍ ବୁକ କରିଛନ୍ତି ବାପା । ଗୋଟିଏ ବୋଲି ଝିଅର ବାହାଘରଟି କ'ଣ ଯାଇ ତାଇ କି କରିଦେବେ!
ସବୁଠୁ ଭଲ କ୍ୟାଟରିଙ୍ଗ, ଡେକୋରେଶନ, ଡି .ଜେ. ଆଉ ବ୍ୟାଣ୍ଡ ପାର୍ଟିର ବ୍ୟବସ୍ଥା ହେଇଛି। ସାରା ଘରେ ଗୋଟେ ଖୁସିର ମାହୋଲ।
ନାନୀ ପାର୍ଲରରେ ସଜେଇ ହେଇ ଆଜି ଭାରି ସୁନ୍ଦରୀ ହେଇଯାଇଛିି। ଗୋଟେ ଚମତ୍କାର ରାଣୀ ରଙ୍ଗର ଲେହେଁଙ୍ଗାରେ ଲାଗୁଛି ପୁରା ପରୀ। ବାହାଘର ସତେ ଗୋଟେ ଖାସ ସୌନ୍ଦର୍ଯ୍ୟରେ ମଣ୍ଡିତ କରିଦିଏ ଝିଅଟିକୁ।
ବାପା , ବୋଉ ଆଉ ସବୁ ବନ୍ଧୁ ପରିଜନ ବହୁତ ଆନନ୍ଦିତ। ଟିକେ ଡେରି ହେଲା ସତ କିନ୍ତୁ ସୁଯୋଗ୍ୟ ପାତ୍ରଟିଏ ମିଳିଛି। ଦିବ୍ୟ ସୁନ୍ଦର ଚେହେରା ସହ ସଫ୍ଟୱେର କମ୍ପାନୀରେ ମୋଟା ଅଙ୍କର ଦରମା। ସତରେ ସୌଭାଗ୍ୟବତୀ ନାନୀ। ବର ପାତ୍ରକୁ ଦେଖିଲେ ଘଡ଼ିଏ ଅନେଇବାକୁ ଇଚ୍ଛା ହେବ ନିଶ୍ଚିତ। ସବୁଥିରେ କିଛି ନା କିଛି ଖୁଣ ବାହାର କରୁଥିବା ତାଙ୍କ ସିଲୁ ନାନୀ ବି ବଡ଼ ଜୋରରେ କହୁଛି ," ହେ ଗୋଟେ ଚୋଖା ଟୋକା ଖୋଜିଛ ଆମ ଝିଅ ପାଇଁ"।
ନାନୀ ନିଜ ଭାଗ୍ୟକୁ ନେଇ ଯେଉଁ ହତାଶା ଭିତରେ ଥିଲା ଆଜି ଯାଏଁ ସେଇ ଭାଗ୍ୟ ବଳରେ ଏମିତି ସୁନ୍ଦର ଜୀବନ ସାଥି ପାଇଛି ବୋଲି ଖିସିରେ ଫାଟି ପଡୁଛି। ସବୁରି ମୁହଁରେ ତା' ବର ପାତ୍ରର ପ୍ରଶଂସା।......
********
ଏଇ ହୋ ହଲ୍ଲା ଆଉ ଗହଳ ଚହଳ ଭିତରେ ନାନୀର ଆଖି ଖୋଜୁଥିଲା ଅଂଶୁକୁ। କୁଆଡେ ଗଲା କେଜାଣି ଦେଖା ନାହିଁ। କାହାକୁ ପଚାରିଲେ କୌଣସି ସଠିକ ଉତ୍ତର ମିଳୁନି। କିଏ କ'ଣ କହୁଛନ୍ତି ତାର କିଛି ତାଳ ମେଳ ନାହିଁ। ନାନୀ ମନେ ମନେ କିନ୍ତୁ ବ୍ୟସ୍ତ ହେଇ ଖୋଜୁଛି ।
ନାନୀ ଜାଣେ ଅଂଶୁର ବାହାଘର ବୟସ ବି ଆସି ଗଲାଣି । ସେ ତା' ପାଇଁ ପ୍ରତିବନ୍ଧକ ସାଜି ଥିଲା। ତେଣୁ ଏଇ ବାହାଘର ପରେ ନିଶ୍ଚିତ ଅଂଶୁ ପାଇଁ ସବୁଜ ସଂକେତ ମିଳିଯିବ। ଏଇଟି ନିଶ୍ଚିତ ବଡ଼ ଆନନ୍ଦଦାୟୀ ଅଂଶୁ ପାଇଁ । ହେଲେ କୁଆଡେ ଗଲା ସେ ଦେଖା ଦର୍ଶନ ନାହିଁ। ଏ ସୁଖଦ ମୁହୂର୍ତ୍ତର ଝଲକ ଅଂଶୁ ଆଖିରେ ଦେଖିବାର ଇଚ୍ଛା ଅଛି ନାନୀର ବହୁତ।
ସାନ ଭାଇଟିବି କେତେ ବ୍ୟସ୍ତ ଥିଲା ତା' ବାହାଘର ପାଇଁ ଜାଣେ ନାନୀ। ଆଜି ତା'ର ସବୁ ବ୍ୟସ୍ତତା ସରିଛି। ନାନୀ ଏବେ ନିଜ ସଂସାରର ଅନାଗତ ସମ୍ଭାବନାରେ। ଏଥିରେ ନିଶ୍ଚିତ ପରିବାରର ସବୁଠାରୁ ବଡ଼ ସମସ୍ୟା ଦୁର ହେଇଯାଛି।
***********
ନୀରବରେ କାଠ ଯୋଡି ରିଙ୍ଗ ବନ୍ଧର ପୁରୁଣା ଲୁହା ବେଞ୍ଚ ଉପରେ ବସି ନଦୀକୁ ଦେଖୁଛି ଅଂଶୁ। ଗୋଟେ ଅଜବ ଶୂନ୍ୟତା ଘେରି ଯାଇଛି ଚାରି ଆଡ଼େ। ପୂରା ଗୋଟେ ବ୍ୟାଗ ଭର୍ତ୍ତି ପ୍ରୀତି ସନ୍ତକ ସାଥିରେ ନେଇ ଆସିଛି ସେ ଯାହା ସ୍ନେହା ଦେଇଥିଲା ବିଗତ ଦିନର ସମ୍ପର୍କରେ। କାର୍ଡ, ପେନ୍, ଡାଇରୀ, ଚାବି ରିଙ୍ଗ୍, ଘଡି,ପର୍ସ ଏମିତି ଅଗଣିତ ।
ସବୁ କିଛି ଆଜି ଏଇ ନଦୀରେ ସଲୀଳ ସମାଧି ନେବେ ଠିକ ତା' ନିଜ ଭାଗ୍ୟ ଭଳି। ସ୍ନେହା ସହ ଘର ଗଢିବା ଆଉ ସମ୍ଭବ ନୁହେଁ ତେଣୁ ତା' ଦିଆ ଏଇ ସବୁ ବସ୍ତୁ ଗୁଡିକୁ ବିଦାୟ ଦେବାକୁ ହିଁ ପଡିବ। ନହେଲେ ସବୁଠି ଥିବ ସ୍ନେହାର ଉପସ୍ଥିତି। ସେତକ ଦେବ ଭୟଙ୍କର ଦୁଃଖ। ବଞ୍ଚି ପାରିବ ନାହିଁ ବିଚରା।
କାଲି ରାତିରେ ଯେବେ ଅଂଶୁ ନିଜର ଏଇ ସିଦ୍ଧାନ୍ତ ବିଷୟରେ କହିଲା, ଆଉ ସେମାନଙ୍କ ସମ୍ପର୍କ ଭାଙ୍ଗି ଦେଲା, ସ୍ନେହା ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ। ବଡ଼ ବିକଳ ଭାବେ ଏମିତି କରିବାର କାରଣ ପଚାରିଲା। ଆଉ କୌଣସି ବିକଳ୍ପ ବ୍ୟବସ୍ଥା କରିବାକୁ ଅନୁରୋଧ କଲା। ବଡ଼ କାକୁତି ମିନତୀ କଲା। କିଛି ଯଦି ସମସ୍ୟା ହେଇଛି ତା'ର ସମାଧାନ ଖୋଜିବାକୁ କହିଲା। କିନ୍ତୁ ଏତେ ଦିନ ସାଇତା ସ୍ୱପ୍ନ ନୀଡ଼ ଏମିତି ଭାଙ୍ଗି ଦେବାକୁ ବିଲକୁଲ ରାଜି ହେଲାନି। କାନ୍ଦି କାନ୍ଦି ଲୋଟି ଗଲା ଅଂଶୁର ଛାତିରେ। ମହଣେ ଦୁଃଖ ଲଦି ଦେଲା ଅଂଶୁର ସତ୍ତା ଉପରେ। ଯେତେ ଯାହା କହିଲା ପରେବି ଅସମ୍ଭବ ନିରବ ରହିଲା ଅଂଶୁ। କିଛି ଉତ୍ତର ଦେଲା ନାହିଁ। ସେ ସ୍ନେହାକୁ ବାହା ହେଇ ପାରିବ ନାହିଁ ।କାରଣ କିଛି ବି ହେଉ କିନ୍ତୁ ଏଇତକ ହିଁ ତାର ଶେଷ ନିଷ୍ପତ୍ତି।
ସ୍ନେହା ଅନୁରୋଧ କରି ଯେବେ ଥକି ଗଲା। ଗୋଟେ ଅଜବ ବିରକ୍ତି ଆସିଗଲା ତା' ସ୍ୱରରେ। '' ତୁମେ କ'ଣ ଖେଳୁ ଥିଲ ମୋ ହୃଦୟ ସହ? ନା ଏଇଟା ତୁମର ଅସଲି ଚରିତ୍ର? କେତେ ଝିଅଙ୍କ ସହ ଏମିତି କରିଛ କୁହ ମିଷ୍ଟ୍ର ଅଂଶୁ?"
ସବୁ ପ୍ରଶ୍ନ ଥିଲା ଗୋଟେ ଗୋଟେ ତୀକ୍ଷ୍ଣ କଣ୍ଟା ଯାହା ରକ୍ତାକ୍ତ କରୁଥିଲା ଅଂଶୁର ହୃଦୟକୁ। ଗୋଟେ ଅବ୍ୟକ୍ତ ନିରାଶାର ରାଜୁତି ଥିଲା ସବୁଠି।
ସ୍ନେହା ଚରିତ୍ରହୀନ , ଦଗାବାଜ, ହୃଦୟହୀନ ଏମିତି ବହୁ ବିଶେଷଣରେ ଶରବ୍ୟ କରି ଚାଲିଗଲା ଗୋଟେ ଅଫେରା ବାଟରେ। ଆଉ ତା' ସହ ଚାଲି ଗଲା ଅଂଶୁର ସ୍ୱପ୍ନ ଆଉ ସାଇତା ଆକାଂକ୍ଷା ନୀରବରେ।
ଆଜି ନାନୀ ବାହା ହେଇ ଯିବ। ସଭିଏଁ ସୁଖୀ ,କିନ୍ତୁ ଅଂଶୁ!ଚରିତ୍ରହୀନ ଲମ୍ପଟ ଆସନରେ ଅବସ୍ଥାପିତ ନିସ୍ୱ।
ନାନୀର ବାହାଘର ପାଇଁ ଆସିଥିବା ସବୁ ପ୍ରସ୍ତାବ ଠାରୁ ଏଇଟି ଥିଲା ଭଲ। ଆଉ ରାଜୀବ ଭାଇ ବି ଥିଲେ ସୁଯୋଗ୍ୟ। ଅଂଶୁ ଆଉ ତା' ପରିବାର ଏଇ ପ୍ରସ୍ତାବକୁ ହାତ ଛଡା କରିବାକୁ ଜମା ଇଛୁକ ନଥିଲେ। ବାପା ଜୋଡ ହସ୍ତ ହେଇ ବିନତି କରିଥିଲେ , ଯାହା ମାଗିବେ ମିଳିବ କିନ୍ତୁ ପ୍ରସ୍ତାବଟା ନ ଭାଙ୍ଗୁ। ମଧ୍ୟସ୍ଥିବି ଅନେକ ଚେଷ୍ଟା କରିଥିଲେ। ସଭିଙ୍କ ପ୍ରଚେଷ୍ଟା କିନ୍ତୁ କୌଣସି ଲାଭ ଦେଲାନି। ବାହାଘର ହେବାର କେବଳ ଗୋଟିଏ ସର୍ତ୍ତ ଥିଲା।
ରାଜୀବ ନିଜ ସାନ ଭଉଣୀ ପାଇଁ ଅଂଶୁର ହାତ ମାଗିଲେ। ରାଜୀବଙ୍କ ଭଉଣୀ ଦେଖିବାକୁ ଠିକ ଭାଇ ପରି ଭାରି ସୁନ୍ଦରୀ । ଏଇ ପ୍ରସ୍ତାବରେ କେହି ଅରାଜି ହେବାର ପ୍ରଶ୍ନ ଉଠୁନି। ଆଉ ବାହାଘର ପାଇଁ ସଭିଏଁ ସମ୍ମତି ଦେଇଦେଲେ ଖୁସିରେ ଆନନ୍ଦରେ। ଅଂଶୁ କ'ଣ କରିଥାନ୍ତା ସେଠି। ଏମିତି ପରିସ୍ଥିତିରେ ଚରିତ୍ରହୀନର ପରିଚୟ ନେଇ ବଞ୍ଚିବା ବ୍ୟତୀତ ଅନ୍ୟ ବିକଳ୍ପ ଥିଲା କି ଆଉ ???.......
*ସୌମ୍ୟା*