Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanan Bala Nayak

Romance Inspirational

3  

Kanan Bala Nayak

Romance Inspirational

ବିଶ୍ବାସ ଘାତକ

ବିଶ୍ବାସ ଘାତକ

9 mins
444


କିଏ ସେଇ ଅଜଣା ଅପରିଚିତ ବ୍ଯକ୍ତି ଯାହା ପାଇଁ ଆଜି ଶୋଭନ୍ ଏକ ନୂତନ ଜୀବନ ପାଇଲେ । କିଏ ସେ ମହାତ୍ମା ଯିଏ ନିଜ ଜୀବନକୁ ତୁଚ୍ଛ କରି ମୋ ସୀମାନ୍ତର ସିନ୍ଦୂରକୁ ଲିଭି ଯିବାରୁ ରକ୍ଷା କରିଦେଲେ । ଭାବି ଚାଲିଥିଲେ ସୁଲଗ୍ନା ନୀଳାଞ୍ଚଳ ହସ୍ପିଟାଲର ରୁମ ନମ୍ବର ଶହେ ତିନିରେ ବସି । ପାଖରେ ସ୍ବାମୀ ଶୋଭନ୍, ପେନକିଲର ଖାଇ ଟିକେ ନିଦରେ ଶୋଇ ଯାଇଛନ୍ତି ।

ଦୀର୍ଘ ପନ୍ଦର ବର୍ଷର ଘର ସଂସାର ଶୋଭନ୍ ଓ ସୁଲଗ୍ନା ଙ୍କର । ଗୋଟେ ପୁଅ ଓ ଝିଅକୁ ନେଇ ତାଙ୍କ ସଂସାର ଆଗକୁ ସୁରୁଖୁରୁରେ ଆଗେଇ ଚାଲିଥାଏ । ହଠାତ ଦିନେ ଅଫିସରୁ ଫେରି ଶୋଭନ୍ ସୁଲଗ୍ନାକୁ କହିଲେ ଜାଣିଲ ଆଜି କାହିଁକି ପେଟରେ ଟିକେ ଯନ୍ତ୍ରଣା ହେଉଛି । ଏସିଡିଟି ହୋଇ ଯାଇଛି ବୋଧେ । ଥାକରେ ଯେଉଁ ଏସିଡିଟି ମେଡିସିନଟା ଅଛି ଦେଲ ଖାଇଦିଏ ।

ସୁଲଗ୍ନା କହିଲେ ଡକ୍ଟର ଙ୍କୁ ନଦେଖାଇ ଏମିତି ଏପଟ ସେପଟ ମେଡିସିନ ଖାଇବାଟା ଠିକ୍ ହେବନି । ତୁମ ସାଙ୍ଗ ମିଶ୍ର ବାବୁ ପରା ଜଣେ ମେଡିସିନ ସ୍ପେଶାଲିଷ୍ଟ ତାଙ୍କୁ ଫୋନ୍ କରୁନ । ଶୋଭନ୍ କହିଲେ ଏଇ ସାମାନ୍ୟ ଯନ୍ତ୍ରଣା ପାଇଁ ତାକୁ କାହିଁକି ହଇରାଣ କରିବି । ଏସିଡିଟି ମେଡିସିନଟା ଖାଇଛି ଯନ୍ତ୍ରଣା କମି ଯିବନି । କିନ୍ତୁ ଯନ୍ତ୍ରଣା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଲା ଏବଂ ବାରମ୍ବାର ବାନ୍ତି ମଧ୍ୟ ହେଲା ।

ସୁଲଗ୍ନା କହିଲେ ତୁମେ ମୋ କଥା କାହିଁକି ଶୁଣୁନ, ଆଜି କାଲି କେତେ ବେଳେ କେଉଁ କଥା । ଆଉ ବିଳମ୍ବ କରିବା ଉଚିତ୍ ହେବନି । ଆଜି ଶୀଘ୍ର ଅଫିସରୁ ଫେରିବ । ମୁଁ ଡକ୍ଟର ମିଶ୍ରଙ୍କୁ ଫୋନ୍ କରି ଦେଇଛି । ସୁଲଗ୍ନାଙ୍କ କଥା ମାନି ଶୋଭନ୍ ସେ ଦିନ ଶୀଘ୍ର ଅଫିସରୁ ଫେରି ଡକ୍ଟର ମିଶ୍ରଙ୍କ କ୍ଲିନିକ୍ କୁ ଗଲେ । ଡକ୍ଟର ମିଶ୍ର ନାନା ପ୍ରକାର ଟେଷ୍ଟ କଲେ ଓ କହିଲେ ଟେଷ୍ଟ ରିପୋର୍ଟ ଆସିବା ପରେ ଯାହା ଜଣା ପଡିବ ।

ରିପୋର୍ଟ ଆସିବା ପରେ ଜଣା ପଡିଲା ଶୋଭନ୍ ଙ୍କର ଗୋଟିଏ କିଡନୀ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ଆଉ ଅନ୍ୟଟି ଅଶୀଭାଗ । ଡକ୍ଟର ମିଶ୍ର କହିଲେ ମୋର ଜଣେ ବନ୍ଧୁ ଡକ୍ଟର ବିଶ୍ବାଳ କିଡନୀ ରୋଗ ଉପରେ ରିସର୍ଚ୍ଚ କରି ବିଦେଶରୁ ଫେରିଛନ୍ତି । ମୁଁ ତାଙ୍କ ପାଖକୁ ଶୋଭନ୍ ର ସବୁ ରିପୋର୍ଟ ପଠାଇ ଦେଇଛି ।  ତାଙ୍କ ସହିତ ଆଲୋଚନା କରିବା ପରେ ଶୋଭନ୍ ର ଭବିଷ୍ୟତ ଚିକିତ୍ସା ପନ୍ଥା ନିର୍ଦ୍ଧାରଣ କରିବା ।

ଡକ୍ଟର ବିଶ୍ବାଳ ଶୋଭନ୍ ଙ୍କର ରିପୋର୍ଟ ସବୁ ଦେଖି କହିଲେ ତୁରନ୍ତ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବା ଦରକାର । ନ ହେଲେ ରୋଗୀକୁ ତିନି ଚାରିମାସରୁ ଅଧିକ ବଞ୍ଚାଇ ରଖିବା ଆଉ ସମ୍ଭବ ହେବନି । ସୁଲଗ୍ନା ଡକ୍ଟର ବିଶ୍ବାଳଙ୍କୁ ପଚାରିଲେ ଡକ୍ଟର କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ? ଡକ୍ଟର କହିଲେ କୋଡ଼ିଏ ପଚିଶ ଲକ୍ଷ ଟଙ୍କା ତ ନିହାତି ଖର୍ଚ୍ଚ ହେବ । ତା ଛଡା କିଡନୀ ଡୋନର ମଧ୍ୟ ଜଣେ ଆବଶ୍ୟକ ।  

ସୁଲଗ୍ନା ନେହୁରା ହୋଇ କହିଲେ ଡକ୍ଟର ଆପଣ ମୋ କିଡନୀ ନେଇ ତାଙ୍କ ଦେହରେ ଲଗାଇ ଦିଅନ୍ତୁ କିନ୍ତୁ ତାଙ୍କୁ ଭଲ କରି ଦିଅନ୍ତୁ । ନ ହେଲେ ମୋ ସଂସାର ଭାସି ଯିବ । ଡକ୍ଟର କହିଲେ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ କେତେକ ଟେଷ୍ଟ କରିବାକୁ ହେବ ସବୁ ରିପୋର୍ଟ ମ୍ଯାଚ୍ କଲେ ଯାଇ, ଡୋନର ର କିଡନୀ ରୋଗୀ ଶରୀରରେ ଲଗାଯାଇ ପାରିବ । ସେ କହିଲେ ତେବେ ଡେରି କାହିଁକି ଆପଣ ମୋର ସବୁ ଟେଷ୍ଟ କରନ୍ତୁ ।  ସୁଲଗ୍ନାଙ୍କ ମୁଣ୍ଡ ଉପରେ ସେତେବେଳେ ଆକାଶଟା ଛିଣ୍ଡି ପଡିଲା, ଯେତେବେଳେ ଡକ୍ଟର ବିଶ୍ବାଳ କହିଲେ କି ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଙ୍କ କିଡନୀ ଶୋଭନ୍ ଙ୍କ କିଡନୀ ସହ ମ୍ଯାଚ କରୁନି ।  ସୁଲଗ୍ନାଙ୍କୁ ଆଉ ଆଗକୁ କିଛି ଶୁଣା ଯାଉ ନଥିଲା । ଏତେ ଗୁଡା ଟଙ୍କା କେଉଁଠୁ ଆସିବ,ପୁଣି ଡୋନର ଟିଏ ଯୋଗାଡ ହେବ କେମିତି ଭାବି ଭାବି ସୁଲଗ୍ନାଙ୍କୁ ଚାରିଆଡ଼େ ଅନ୍ଧାର ଦେଖାଗଲା ।  

 ନିଜର ସବୁ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥୀ ଙ୍କୁ ଫୋନ୍ କଲେ ସୁଲଗ୍ନା । କିନ୍ତୁ କଥାରେ ଅଛି ପରା 'ସମ୍ପଦ ବେଳେ ସର୍ବେ ସଖା ବିପଦେ ନ ଦିଅନ୍ତି ଦେଖା' । ସମସ୍ତେ ବିଭିନ୍ନ ପ୍ରକାର ବାହାନା ଦେଖାଇ ତାଙ୍କୁ ସାହାଯ୍ୟ କରିବା ପାଇଁ ମନା କରି ଦେଇଥିଲେ । ନିଜର ଶଙ୍ଖା ସିନ୍ଦୂରକୁ କେମିତି ସୁରକ୍ଷିତ ରଖିବେ ସେଇ ଚିନ୍ତାରେ ବୁଡି ରହି ସୁଲଗ୍ନା ଦିନେ ଶୋଭନ୍ ଙ୍କୁ କହିଲେ ଭାବୁଛି ଏଇ ଘର ଖଣ୍ଡକ ବିକ୍ରି କରିଦେବା । ଶୋଭନ୍ କହିଲେ ବ୍ଯାକରେ ଏଇ ଯାଗାକୁ ବନ୍ଧା ପକାଇ ଲୋନ ଆଣି ପରା ଘର କରିଛେ ତାକୁ ବିକ୍ରି କରିବା କେମିତି?

କ'ଣ କରିବେ କାହା ପାଖକୁ ଯିବେ କିଛି ବୁଦ୍ଧି ବାଟ ଦେଖାଯାଉ ନ ଥାଏ ତାଙ୍କୁ । ଏଇ ସମୟରେ ହଠାତ୍ ଦିନେ ଡକ୍ଟର ମିଶ୍ର ଫୋନ୍ କରି ସୁଲଗ୍ନାକୁ କହିଲେ, ଡକ୍ଟର ବିଶ୍ବାଳ କହିଛନ୍ତି ଆସନ୍ତା କାଲି ଶୋଭନ୍ ଙ୍କୁ ନେଇ ତାଙ୍କ ନର୍ସିଂହୋମ ରେ ଆଡମିସନ କରିବା ପାଇଁ । ସୁଲଗ୍ନା କହିଲେ ମୁଁ ତ ଏବେ ପର୍ଯ୍ୟନ୍ତ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇନି, ଆଡମିସନ କରିବି କେମିତି?ଡକ୍ଟର ମିଶ୍ର କହିଲେ ଟଙ୍କା ପାଇଁ ତୁମେ ଚିନ୍ତା କରନି । ଆଉ କିଡନୀ ମଧ୍ୟ ଯୋଗାଡ଼ ହୋଇ ସାରିଛି । ତୁମେ ଖାଲି ଶୋଭନ୍ ଙ୍କୁ ନେଇ ତାଙ୍କ ନର୍ସିଂହୋମକୁ ଆସ ।  

ସୁଲଗ୍ନା ଆଉ କାଳ ବିଳମ୍ବ ନ କରି, ଶୋଭନ୍ ଙ୍କୁ ଧରି ଡକ୍ଟର ବିଶ୍ବାଳଙ୍କ ନର୍ସିଂହୋମ ଅଭିମୁଖେ ଯାତ୍ରା କଲେ । ଡକ୍ଟର ମିଶ୍ର ଓ ଡକ୍ଟର ବିଶ୍ବାଳଙ୍କ ସହାୟତାରୁ କୌଣସି ବାଧା ବିଘ୍ନ ବିନା ଶୋଭନ୍ ଙ୍କ ଆଡମିସନ ହୋଇଗଲା । ଅପରେସନ ପାଇଁ ଡେଟ୍ ମଧ୍ୟ ଠିକ୍ ହୋଇଗଲା । ଦୀର୍ଘ ଛଅ ଘଣ୍ଟାର ଅପରେସନ ପରେ ଡକ୍ଟର ବିଶ୍ବାଳ ଅପରେସନ ଥେଟରରୁ ବାହାରି କହିଲେ ଅପରେସନ ସଫଳ ହୋଇଛି । ବର୍ତ୍ତମାନ କିଛି ଦିନ ଅବଜରଭେସନ୍ ରେ ରହିବେ । ସୁଲଗ୍ନା କହିଲେ ଆପଣଙ୍କୁ କଣ କହି ଧନ୍ୟବାଦ ଦେବି ଭାବି ପାରୁନି ଡକ୍ଟର । ଆପଣଙ୍କ ପାଇଁ ଆଜି ଆମ ପରିବାର ବଞ୍ଚି ଗଲା । ଆଉ ମୋ ପିଲାମାନେ ବାପ ଛେଉଣ୍ଡ ହେବାରୁ ବଞ୍ଚି ଗଲେ । ଆପଣଙ୍କର ଏଇ ଋଣ ଆମେ ଜୀବନ ସାରା ଶୁଝି ପାରିବୁ ନାହିଁ ।

 ଡକ୍ଟର ବିଶ୍ବାଳ କହିଲେ ଯଦି ଧନ୍ୟବାଦ ଦେବାର ଅଛି ତେବେ ସେଇ ଭଦ୍ରବ୍ଯକ୍ତିଙ୍କୁ ଦିଅନ୍ତୁ, ଯିଏ ଶୋଭନ୍ ଙ୍କୁ ନିଜର ଗୋଟେ କିଡନୀ ଦେବା ସହିତ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି । ସୁଲଗ୍ନା କହିଲେ ଡକ୍ଟର କିଏ ସେଇ ଭଦ୍ରଲୋକ, ତାଙ୍କ ପରିଚୟ କଣ? ଡକ୍ଟର ବିଶ୍ବାଳ କହିଲେ ତାଙ୍କ ପରିଚୟ ମୁଁ ମଧ୍ଯ ଜାଣିନି । ସୁଲଗ୍ନା ଆଶ୍ଚର୍ଯ୍ୟ ହୋଇ ଡକ୍ଟର ବିଶ୍ବାଳଙ୍କ ମୁହଁକୁ ଅନାଇଲେ । ଡକ୍ଟର ବିଶ୍ବାଳ କହିଲେ ଦିନେ ମୁଁ ମୋ ଚେମ୍ବରରେ ବସି ପେସେଣ୍ଟ ଦେଖୁଥାଏ, ହଠାତ୍ ଜଣେ ଅଜଣା ବ୍ଯକ୍ତି ଆସି କହିଲେ ଶୋଭନ୍ ନାମକ ଜଣେ ବ୍ୟକ୍ତି ଆପଣଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି କି? ମୁଁ କହିଲି କାହିଁକି କଣ ହେଲା? ସେ କହିଲେ ଖବର କାଗଜରୁ ଜାଣିଲି ତାଙ୍କର କିଡନୀ ଆବଶ୍ୟକ । ମୁଁ ତାଙ୍କୁ କିଡନୀ ଦେବା ସହିତ, ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଚାହେଁ । ମୁଁ ତାଙ୍କୁ ତାଙ୍କ ପରିଚୟ ପଚାରିବାରୁ କହିଲେ, ଡକ୍ଟର ଆପଣଙ୍କ କାମ ହେଉଛି ରୋଗୀର ଜୀବନ ବଞ୍ଚାଇବା, ମୋ ପରିଚୟ ଜାଣିବା ନୁହଁ ।

ଆଉ ଶୋଭନ୍ ଙ୍କ ଜୀବନ ରକ୍ଷା କରିବାଟା ସେତେବେଳେ ମୋ ପାଇଁ ଏତେ ଜରୁରୀ ଥିଲା ଯେ, ମୁଁ ତାଙ୍କୁ ପରିଚୟ ଦେବାପାଇଁ ଆଉ ବାଧ୍ଯ କରିନଥିଲି । ଈଶ୍ବରଙ୍କ କୃପାରୁ ତାଙ୍କର ସବୁ ରିପୋର୍ଟ ଶୋଭନ୍ ଙ୍କ ସହିତ ମିଶି ଯାଇଥିଲା । ତେଣୁ ପ୍ରକୃତ ଧନ୍ୟବାଦର ପାତ୍ର ହେଉଛନ୍ତି ସେଇ ଅଜଣା ବ୍ଯକ୍ତି । ଏତିକି କହି ଡକ୍ଟର ବିଶ୍ବାଳ ବାହାରକୁ ବାହାରି ଯାଇଥିଲେ । ସୁଲଗ୍ନା କିନ୍ତୁ ଚିନ୍ତାରେ ପଡି ଯାଇଥିଲେ । ନିଜର ସମସ୍ତ ବନ୍ଧୁ ବାନ୍ଧବ ଯେଉଁମାନଙ୍କୁ ସେ ଆପଣାର ଭାବିଥିଲେ, ସେମାନେ ସାହାଯ୍ୟ କରିବା ପାଇଁ ମନା କରିଦେଲେ । ଅଥଚ କିଏ ଏଇ ଅଜଣା ବ୍ଯକ୍ତି ଯିଏ ବିନା ସ୍ବାର୍ଥରେ ନିଜ ଜୀବନକୁ ବାଜି ଲଗାଇ ତାଙ୍କ ସିମାନ୍ତକୁ ଶୂନ୍ଯ ହେବାରୁ ରକ୍ଷା କରି ଦେଲେ ।

ମନେ ମନେ ଭାବିଲେ ଯେମିତି ହେଉ ସେ ଅଜଣା ବ୍ଯକ୍ତିଙ୍କୁ ଖୋଜି ବାହାର କରି ଧନ୍ୟବାଦ ଟିଏ ଅର୍ପଣ କରିବି ନ ହେଲେ ସାରା ଜୀବନ ସେ ଦେବ ପୁରୁଷଙ୍କ ନିକଟରେ ଦୋଷୀ ହୋଇ ରହିଯିବି । ତା ପରଦିନ ଡକ୍ଟର ବିଶ୍ବାଳ ପୁଣି ଭିଜିଟରେ ଆସନ୍ତେ, ସୁଲଗ୍ନା ପଚାରିଲେ ଡକ୍ଟର ଏମିତି କିଛି ଉପାୟ ନାହିଁ ଯାହାଦ୍ୱାରା ସେ ଅଜଣା ବ୍ଯକ୍ତିଙ୍କ ପରିଚୟ ମିଳିଯିବ । ଆଜିର ସ୍ବାର୍ଥ ପର ଦୁନିଆରେ ସାମାନ୍ୟ ଟଙ୍କା ପାଇଁ ପୁଅ ଯେତେବେଳେ ବାପାର ହତ୍ଯା କରିବା ପାଇଁ ପଛାଉ ନାହିଁ,ସେ ଅଜଣା ବ୍ଯକ୍ତି ଜଣକ କାହିଁକି ଆମକୁ ଏତେ ସାହାଯ୍ୟ କଲେ? ଭାବି ଭାବି ମୋତେ ନିଦ ହେଉନି ।

ଡକ୍ଟର ବିଶ୍ବାଳ କହିଲେ ହଁ ମୋ ରୁମ୍ ଆଗରେ ଯେଉଁ ସି । ସି ସି ଟିଭି କ୍ୟାମେରା ଲାଗିଛି ସେଥିରୁ କିଛି ସୁରାକ ମିଳିପାରେ । ସେ ଦିନର ସି । ସି । ଟିଭି ଫୁଟେଜ୍ ଦେଖି ସୁଲଗ୍ନା ନିଜ ଆଖିକୁ ବିଶ୍ବାସ କରିପାରି ନଥିଲେ । ଇଏତ ସମୀର । ତାଙ୍କର ପ୍ରଥମ ପ୍ରେମ । ସୁଲଗ୍ନା ସେତେବେଳେ ବି । ଏ । ଫାଇନାଲ୍ ଇଅର ଛାତ୍ରୀ । ତାଙ୍କର ଜଣେ ଦୂର ସମ୍ପର୍କୀୟ ଭାଇଙ୍କ ସହିତ ଦିନେ ସମୀର ତାଙ୍କ ଘରକୁ ବୁଲିବାକୁ ଆସିଥିଲେ । ଆଉ ସେଇ ପ୍ରଥମ ଦେଖାରେ ହିଁ ସୁଲଗ୍ନା, ସମୀରଙ୍କ ଆଡକୁ ଆକର୍ଷିତ ହୋଇ ତାଙ୍କୁ ଭଲ ପାଇ ବସିଥିଲେ । ସମୀର ସେତେବେଳେ ଇଞ୍ଜିନିୟରିଂ ପଢୁଥିଲେ । ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ସାରା ଜୀବନ ସାଥି ହୋଇ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ ।

ସୁଲଗ୍ନା ଯେତେବେଳେ ସମୀରଙ୍କୁ ବିବାହ କଥା କହନ୍ତି ସମୀର କହନ୍ତି , ପ୍ରଥମେ ଆମ ଦୁଇଜଣଙ୍କର ପାଠ ପଢାସରୁ । ତା ପରେ ମୁଁ ନିଜେ ରୋଜଗାର କ୍ଷମ ହେଲା ପରେ, ବାପା ମାଆଙ୍କୁ କହିବି ତୁମ ଘରକୁ ପ୍ରସ୍ତାବ ନେଇ ଯିବେ । ଉଭୟଙ୍କର ପାଠ ପଢା ସରିଲା । ସମୀର ଭଲ ଚାକିରିଟିଏ ମଧ୍ୟ ପାଇଲେ । ତେଣୁ ସୁଲଗ୍ନା, ସମୀରଙ୍କ ବାପା ମାଆ କେବେ ତାଙ୍କ ଘରକୁ ପ୍ରସ୍ତାବ ନେଇ ଆସିବେ ବୋଲି ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ, ହଠାତ୍ ତାଙ୍କୁ କିଛି ନ ଜଣାଇ ସମୀର ତାଙ୍କ ଜୀବନରୁ ଅଦୃଶ୍ୟ ହୋଇ ଯାଇଥିଲେ । ତାଙ୍କର କୌଣସି ଫୋନ୍ କି ମେସେଜର କିଛି ଉତ୍ତର ମିଳି ନ ଥିଲା । ତାଙ୍କର ସେ ଦୂର ସମ୍ପର୍କୀୟ ଭାଇ ମଧ୍ୟ ସମୀରଙ୍କର କିଛି ଖବର ଦେଇ ପାରି ନଥିଲେ । ଆଉ ସୁଲଗ୍ନା ପରିବାରର ଚାପରେ ପଡି ଶୋଭନ୍ ଙ୍କୁ ବିବାହ କରି ନିଜ ସଂସାରକୁ ଆଗକୁ ଆଗେଇ ନେଇଥିଲେ ।

ଯେଉଁ ସମୀର ଦିନେ ତାଙ୍କର ନିଚ୍ଛକ ଭଲପାଇବାକୁ ପାଦରେ ଆଡେଇ ଦେଇ, କିଛି ନ ଜଣାଇ ଅଧା ରାସ୍ତାରେ ଏକା କରି ଚାଲିଯାଇଥିଲେ, ସେ ପୁଣି ଆଜି ତାଙ୍କୁ ଏକା ହେବାରୁ ରକ୍ଷା କଲେ କାହିଁକି?ଏମିତି ଅନେକ ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କଲା । ସମୀରଙ୍କୁ କେମିତି ଖୋଜିବେ ଆଉ ତାଙ୍କ ପ୍ରଶ୍ନର ଉତ୍ତର ପାଇବେ ସେଇ ଚିନ୍ତାରେ ଥିବା ବେଳେ, ତାଙ୍କର ସେଇ ଦୂର ସମ୍ପର୍କୀୟ ଭାଇଙ୍କ ଫୋନ୍ ଆସିଲା । ସେ କହିଲେ ଜାଣିଲୁ ସମୀର ଗାଁ କୁ ଫେରି ଆସିଛି । ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହିଁ । ଗାଁ ରେ ବୃଦ୍ଧାଶ୍ରମଟିଏ କରିଛି ।  

ତା ପର ଦିନ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଶୋଭନ୍ ଙ୍କ ପାଖରେ କିଛି ସମୟ ରହିବା ପାଇଁ କହି, ସୁଲଗ୍ନା ବାହାରି ଯାଇଥିଲେ ସମୀରଙ୍କ ଗାଁ କୁ । ସୁଲଗ୍ନାଙ୍କୁ ଆଖି ସାମ୍ନାରେ ଦେଖି ସମୀର ନିଜ ଆଖିକୁ ବିଶ୍ବାସ କରିପାରି ନଥିଲେ । ସୁଲଗ୍ନା କହିଲେ ମୋତେ ଦେଖି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୁଁ ସବୁ କଥା ଜାଣି ସାରିଛି । ତୁମେ ହିଁ ସେଇ ଅଜଣା ବ୍ଯକ୍ତି ଯିଏ ଶୋଭନ୍ ଙ୍କୁ ନୂଆ ଜୀବନ ଦେଇଛି । ତାଙ୍କ ମନରେ ଉଠୁଥିବା ପ୍ରଶ୍ନକୁ ସମୀର ବୁଝିପାରି ଥିଲେ । ତେଣୁ କହିଲେ ଏମିତି କଣ ବାହାର ଛିଡା ହୋଇ ତୁମ ପ୍ରଶ୍ନର ଉତ୍ତର ଖୋଜୁଥିବ ଭିତରକୁ ଆସିବନି ।  

ସୁଲଗ୍ନାଙ୍କୁ ବସିବା ପାଇଁ କହି ଘରେ କାମ କରୁଥିବା ଲୋକଟିକୁ ଦୁଇ କପ୍ ଚା ଆଣିବା ପାଇଁ କହି ସମୀର ଆରମ୍ଭ କଲେ - ସେ ଦିନ ନିଯୁକ୍ତି ପତ୍ର ଟା ପାଇଲା ପରେ ଅନେକ ସ୍ବପ୍ନ ନେଇ ଘରକୁ ଫେରିଥିଲି । ଭାବିଥିଲି ଆଜି ବାପା ମାଆଙ୍କୁ ତୁମ ବିଷୟରେ କହିବି । ଆଉ ତୁମ ଘରକୁ ପ୍ରସ୍ତାବ ନେଇ ଯିବାକୁ ଅନୁରୋଧ କରିବି ।  କିନ୍ତୁ ଘରକୁ ପଶିବା ପୂର୍ବରୁ ମୁଣ୍ଡରେ ଚାଳ ବାଜିଥିଲା । ଘରେ ପଶୁ ପଶୁ ଦେଖିଲି ତୁମ ବାପା ଆମ ଘରକୁ ଆସିଛନ୍ତି । ମୁଁ ଭାବିଲି ତୁମେ ବୋଧେ ଆମ ବିଷୟରେ ସବୁ ତାଙ୍କୁ କହିଦେଇଛ । ଆଉ ସେ ପ୍ରସ୍ତାବ ନେଇ ଆସିଛନ୍ତି । ତେଣୁ ମନେ ମନେ ବହୁତ ଖୁସି ହୋଇ ଯାଇଥିଲି । କିନ୍ତୁ ତାଙ୍କ କଥା ଶୁଣି ମୋ ପାଦ ତଳର ମାଟି ତଳକୁ ଖସି ଯାଇଥିଲା । ନିମିଷକରେ ମୋର ସବୁ ସ୍ବପ୍ନ ଧୂଳି ସାତ ହୋଇ ଯାଇଥିଲା ।  

ସମୀରଙ୍କ କଥା ଶୁଣି ସୁଲଗ୍ନା କହିଲେ ବାପା ଏମିତି କଣ କହିଥିଲେ କି? ସମୀର କହିଲେ ତୁମେ ଭଲ ଭାବରେ ଜାଣ ତୁମେ ଜାତିରେ ବ୍ରାହ୍ମଣ, ଆଉ ମୁଁ ଚଷା । ତୁମ ବାପା ମୋତେ କହିଲେ ମୋ ଝିଅ ମୋତେ କିଛି ନ କହିଲେ ମଧ୍ୟ ମୁଁ ଭଲ ଭାବରେ ଜାଣେ, ତୁମେ ଦୁଇ ଜଣ ଦୁଇ ଜଣକୁ ବହୁତ ଭଲପାଅ । କିନ୍ତୁ ବାପା ଆମେ ଜାତିରେ ଶାସନୀ ବ୍ରାହ୍ମଣ । ସେଥିରେ ମୁଁ ପୁଣି ତା'ର ମୁଖିଆ । ତେଣୁ ମୋ ଝିଅ ଯଦି ଆମ ଠାରୁ ତଳ ଜାତିର ପୁଅକୁ ବିବାହ କରେ ତେବେ ସମାଜରେ ଲୋକେ ମୋତେ ଅନେକ କଥା କହିବେ । ମୁଁ ମୁଁହ ଟେକି ଚାଲିପାରିବି ନାହିଁ । ମୋ ଝିଅକୁ କହିଲେ ସେ କିଛି ବୁଝିବ ନାହିଁ । ସେ ଆଜି କାଲିର ପିଲା ଜାତି ପ୍ରଥାରେ ବିଶ୍ବାସ କରେ ନାହିଁ । ତେଣୁ ମୁଁ ତୁମ ପାଖକୁ ଆସିଛି । ତୁମେ ମୋତେ କଥା ଦିଅ ତୁମେ ଆମ ସମାଜ ଆଗରେ ମୋ ମୁଣ୍ଡ ତଳକୁ ହେବାକୁ ଦେବନି । ଆଉ ମୋତେ କଥା ଦିଅ ତୁମେ ଏ ବିଷୟରେ ସୁଲଗ୍ନାକୁ କିଛି କହିବ ନାହିଁ ।  

ତୁମେ କୁହ ମୁଁ ଯାହାକୁ ମୋ ଜୀବନ ଠାରୁ ଅଧିକ ଭଲ ପାଉଥିଲି, ତା ବାପାଙ୍କ ମୁଣ୍ଡକୁ ସମାଜ ସାମ୍ନାରେ ତଳକୁ ହେବାକୁ କେମିତି ଦେଇଥାଆନ୍ତି?ତେଣୁ ତୁମ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ମୁଁ କିଛି ନ କହି ତୁମ ଜୀବନରୁ ଅନେକ ଦୂରକୁ ଚାଲିଯାଇଥିଲି ।

ଏଇ ବର୍ଷେ ତଳେ ଗାଁ କୁ ଫେରି ଏଇ ବୃଦ୍ଧାଶ୍ରମଟି କରିଛି । ସେ ଦିନ ଖବର କାଗଜରେ ତୁମ ନାଁ ଦେଖି ନିଜକୁ ଅଟକାଇ ପାରି ନ ଥିଲି । ତୁମକୁ ମୁଁ ପ୍ରଥମ ଦେଖାରେ ଭଲ ପାଇ ଥିଲି, ଆଜି ମଧ୍ୟ ପାଏ ଆଉ ମରିବା ପର୍ଯ୍ୟନ୍ତ ପାଉ ଥିବି କାରଣ ମୁଁ ତୁମ ଶରୀରକୁ ନୁହେଁ ତୁମ ଆତ୍ମାକୁ ଭଲ ପାଏ । ତୁମ ଆଖିରେ ଲୁହ ମୁଁ କେମିତି ଦେଖି ଥାଆନ୍ତି କହିଲ । ତୁମ ଆଖିର ଲୁହ ସେ ଦିନ ବି ମୋ ପାଇଁ ସବୁଠାରୁ ମୂଲ୍ୟବାନ ଥିଲା ଆଉ ଆଜିବି ଅଛି । ତା ଛଡା ତୁମେ ପରା କୁହ ନିଜକୁ ଜାଳି ଅନ୍ୟକୁ ଆଲୋକ ପ୍ରଦାନ କରିବାର ନାଁ ହେଉଛି ପ୍ରେମ । ନିଜେ ଦୁଃଖରେ ଥାଇବି ଅନ୍ୟକୁ ସୁଖଦେବାର ନାମ ପ୍ରେମ । ନିଜ ଜୀବନକୁ ଉତ୍ସର୍ଗ କରି ଅନ୍ୟକୁ ଜୀବନ ପ୍ରଦାନ କରିବାର ଅନ୍ୟ ନାମ ପ୍ରେମ । ଆଉ ମୁଁ ମୋ ଆତ୍ମାକୁ ଶୂନ୍ଯ ହେବାକୁ କେମିତି ଦେଇ ଥାଆନ୍ତି । ମୁଁ ଭଲ ଭାବରେ ଜାଣେ ବିବାହ ପରେ ତୁମ ମନ ପ୍ରାଣ ରେ କେବଳ ଶୋଭନ୍ ହିଁ ଶୋଭନ୍ । ତେଣୁ ଶୋଭନ୍ ଙ୍କ ବିନା ତୁମକୁ ମୁଁ କେମିତି ଦେଖି ଥାଆନ୍ତି ।

ସୁଲଗ୍ନା କହିଲେ ଗୋଟେ କଥା ପଚାରିବି ତୁମେ ଚାହିଁଥିଲେ ତ ତୁମକୁ ଅନେକ ଭଲ ଝିଅ ମିଳି ଥାଆନ୍ତେ । ତେବେ ତୁମେ ନିଜର ସଂସାରଟିଏ କଲ ନାହିଁ କାହିଁକି? ସମୀର କହିଲେ ମୋ ଆତ୍ମା ଓ ହୃଦୟରେ ରେ ପରା ତୁମେ ସବୁଦିନ ବାସ କରୁଛ । ସେଠି ଆଉ ଶୂନ୍ଯ ସ୍ଥାନ କେଉଁଠି ଥିଲା ଯେ ଅନ୍ୟକୁ ଜଣକୁ ଦେଇ ଥାଆନ୍ତି ।  

ସମୀରଙ୍କ ପାଖରୁ ସବୁ କଥା ଶୁଣି ସାରିବା ପରେ,ଦୀର୍ଘ ଦିନରୁ ସୁଲଗ୍ନାଙ୍କ ହୃଦୟରେ ଯେଉଁ ଅବିଶ୍ବାସ ଓ ସନ୍ଦେହର ବରଫ ଜମାଟ ବାନ୍ଧି ରହିଥିଲା ତାହା ଅଶ୍ରୁ ରୂପେ ତାଙ୍କ ଚକ୍ଷୁ ଯୁଗଳରୁ ବାହାରକୁ ବାହାରି ଯାଇଥିଲା ।  ଆଉ ଯାହାକୁ ବିଶ୍ବାସ ଘାତକ ଭାବି ଦୀର୍ଘ ପନ୍ଦର ବର୍ଷ ଧରି ସେ ଘୃଣା କରି ଚାଲିଥିଲେ, ଶ୍ରଦ୍ଧା ଓ ଭକ୍ତିରେ ତାଙ୍କ ନିକଟରେ ମୁଣ୍ଡ ନଇଁ ଯାଇଥିଲା ।


Rate this content
Log in

Similar oriya story from Romance