Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalitkumar Swain

Romance Tragedy Inspirational

4.8  

Lalitkumar Swain

Romance Tragedy Inspirational

ଅଳ୍ପ ଦିନର ସାଥି

ଅଳ୍ପ ଦିନର ସାଥି

7 mins
736



ଅଜଣା ରାସ୍ତାରେ ଚାଲୁ ଚାଲୁ ଝୁଣ୍ଟି ପଡିବାର ସମ୍ଭାବନା ଅନିର୍ବାଜ। ଅଜଣା ରାସ୍ତାଟି ଯଦି କଣ୍ଟକିତ ଓ ଅଣଓସରିଆ ହୋଇଥାଏ, ତ ସରିଗଲା କଥା। କେଉଁ ମୁହୂର୍ତ୍ତରେ ସମୟ ଆସି ଠେଲି ଦେଇ ଯିବ କିଛି ଠିକଣା ନାହିଁ । ଏମିତି ଏକ ରାସ୍ତାରେ ଦିନେ ଚାଲିଥିଲା ଆରାଧ୍ୟା। 

ପିଜିର ପ୍ରଥମ ଦିନ ହିଁ କଲେଜରେ ଜଣେ କ୍ଲାସମେଟ ପୁଅ ସହ ଝଗଡା ହୋଇ ଯାଇଥିଲା, କମେଣ୍ଟ ମରାକୁ ନେଇକି । ପୁଅଟି ଦେଖିବାକୁ ଭାରି ହ୍ୟାଣ୍ଡସମ । ଅରୁଣ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଉଭୟେ ପଢ଼ନ୍ତି । ନୂଆ ନୂଆ ପିଲାଙ୍କ ପିଜି ଭାରି ଆନନ୍ଦ ଦାୟକ ଓ ବେଦନା ଦାୟକ । ସିନିଅରମାନଙ୍କ ରାଗିଙ୍ଗ ସହିବାକୁ ପଡେ ମଥା ନୁଆଁଇ । ବହୁତ ବର୍ଷ ତଳେ ଛାଡ଼ି ଥିବା ସିଲଟ ଖଡ଼ିରେ ପାଠ ପଢେଇ ଦିଅନ୍ତି ସିନିଅରମାନେ । କଦର୍ଯ୍ୟ ବ୍ୟବସ୍ଥା ଏ ରାଗିଙ୍ଗ । ଅରୁଣ ଏ କମେଣ୍ଟ ମରା କଥାର ବିରୋଧୀ ।

ବାସ୍ତବ କଥା ହେଲା ଅନ୍ୟ ଏକ ଝିଅକୁ ସିନିଅରମାନେ ରାଗିଙ୍ଗ କରୁଥିଲେ । ଅରୁଣ ସେମାନଙ୍କୁ ଅଟକେଇବାକୁ ବହୁତ ଚେଷ୍ଟା କରି ନିଜେ ଅଧିକା କଷ୍ଟ ପାଇଛି । କିନ୍ତୁ ସେ ଝିଅକୁ କିଛି ଲଜ୍ଜିତ ହେବାକୁ ଦେଇ ନାହିଁ । ଅରୁଣ ବୁଝି ଥିଲା ଝିଅମାନଙ୍କ ସମ୍ମାନ ସବୁଠାରୁ ଅଧିକ । ହେଲେ ସେ ଝିଅକୁ ବୁଝେଇବା ସମୟରେ ଆରଧ୍ୟା ଦେଖିଥିଲା । ମନେ ମନେ ବୁଝିଲା ଯେ ଅରୁଣ ବୋଧେ ତାକୁ ବାଧ୍ୟ କରିଛି କାନ୍ଦିବା ପାଇଁ । ସେଠି ପାଇଁ ସେ ପ୍ରଥମ ଦେଖାରେ ଅରୁଣ ସହ ଝଗଡା କରିବା ଆରମ୍ଭ କରିଦେଲା । ମନର ଭାଷାକୁ ଅରୁଣ ଓଠରେ ପ୍ରକାଶ କରିବାକୁ ଯେତେ ଚେଷ୍ଟା କଲେବି ଆରଧ୍ୟା ତାକୁ ସେ ସୁଯୋଗ ଦେଇ ନଥିଲା । ଅରୁଣ କେବଳ ତାକୁ ଅପଲକ ନେତ୍ରରେ ଚାହିଁ ରହିଥିଲା । ହଜି ଯାଇଥିଲା ଆରଧ୍ୟାର ଆଖି ଭିତରେ । ଗାଳି ଶୁଣି ମଧ୍ୟ ମନେ ମନେ ହସି ଦେଉଥିଲା। ଆଉ ଚେଷ୍ଟା ବି କରିନି ତାକୁ ବୁଝେଇବା ପାଇଁ । ମନ ଅନନ୍ଦ ରେ କେବଳ ତାର ଦୁଇ ଓଠର ଉତ୍ଥାନ ପତନକୁ ଚାହିଁ ରହିଥିଲା । ଆରଧ୍ୟାକୁ ବୋଧେ ସେ ପ୍ରଥମ ଦେଖାରେ ଭଲ ପାଇ ବସିଥିଲା ।


ଗାଳି ସରିବା ପରେ ଆରଧ୍ୟା ନିଜକୁ ବିରକ୍ତି ଅନୁଭବ କରି ସେଠାରୁ ଚାଲିଗଲା । ମନେ ମନେ ଅରୁଣକୁ ବହୁତ ଗାଳି କରୁଥାଏ। ଆସି ହଷ୍ଟେଲରେ ପଂହଁଚି ସେ ଝିଅକୁ ବହୁତ ଗାଳି ଗୁଳଜ କଲା । ନିଜକୁ ଶକ୍ତ କରି ରାଗିଙ୍ଗ ଠାରୁ କିପରି ରକ୍ଷା ପାଇବ ସେ ବିଷୟରେ କହିଲା । ଅରୁଣକୁ ଜୋରସେ ଗାଳି ବି କଲା । ଶେଷରେ ସେହି ଝିଅଠୁ ପ୍ରକୃତ ସତ କଥା ଜାଣିବାକୁ ପାଇଲା । ଅରୁଣ ପ୍ରତି ଥିବା ରାଗ ଓ ଘୃଣା ସମ୍ପୂର୍ଣ୍ଣ କମିଗଲା । ମନେ ମନେ ଲଜ୍ଜା ଅନୁଭବ କଲା । ଅରୁଣକୁ ନିଜ ବିଷୟରେ କନଫେସ କରିବାକୁ ଚେଷ୍ଟା କଲା । 


ପରଦିନ ସକାଳୁ ଡିପାର୍ଟମେଣ୍ଟକୁ ଯାଇ ପ୍ରଥମେ ଅରୁଣ ସହ ଦେଖା କରିବାକୁ ଗାର୍ଡେନକୁ ଜଣଙ୍କ ହାତରେ ଡକେଇ ପଠେଇଲା । ଅରୁଣ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । କିଛି ସମୟ ପାଇଁ ସ୍ଥାଣୁ ହୋଇଗଲା । ବିଶ୍ୱାସ କରି ପାରିଲାନି ନିଜକୁ । ଦଉଡି ଦଉଡି ଯାଇ କଲେଜ ଗାର୍ଡେନରେ ପଂହଚି ଦେଖିଲା ଅତି ଲାଜୁଆ ମୁହଁରେ ଠିଆ ହୋଇଛି ଆରଧ୍ୟା। ପାଖକୁ ଯାଇ ପଚାରିଲା "କଣ କହୁଥିଲ"

ଆରଧ୍ୟା ଏପଟେ ସେପଟେ ଚାହିଁଲା। ଦେଖିଲା କେହି କୁଆଡେ ନାହାନ୍ତି। ଦୁଇ ହାତକୁ ଆସ୍ତେ ଆସ୍ତେ ମୁହଁ ପାଖକୁ ନେଲା ।

ଅତି କ୍ଷୀଣ କଣ୍ଠରେ କହିଲା " ସରି"। ମୁରୁକି ହସା ଦେଇ ଅରୁଣ କହିଲା " ଏଥିରେ ସରି କହିବାରେ କଣ ଅଛି" ।

ବାସ ତାପରେ ଆସ୍ତେ ଆସ୍ତେ ଦୁହେଁ କଥା ହେଲେ। ନିଜର ଭୁଲ ବୁଝାବଣା ଦୂର ହୋଇଗଲା । ଦୁହେଁ ଦୁହିଁଙ୍କ ବିଷୟରେ ଆଲୋଚନା କଲେ। ନିଜ କଥା ନିଜ ପରିବାର କଥା, ଏମିତି କେତେ କଣ । ହଜିଗଲେ କଥାରେ। କଥା ହଉ ହଉ ପାଖା ପାଖି ଦେଢ଼ ଘଣ୍ଟା ହୋଇଗଲାଣି। ଦୁଇଟି ପିରିୟଡ଼ ସାରିଗଲାଣି ୟା ଭିତରେ। ଲଞ୍ଚ ଟାଇମ ହୋଇଗଲାଣି କେତେବେଳେ କେହି ଜାଣି ପାରିଲେ ନାହିଁ । ସାଙ୍ଗମାନେ ଡାକିବାରୁ ଫେରି ଆସିଥିଲେ।


ସେଦିନ ପରଠୁ ଦୁହେଁ ଦୁହିଁଙ୍କ ଭଲ ବନ୍ଧୁ ହୋଇଗଲେ। ସେଦିନ ରାତିରେ କାହା ଆଖିରେ ନିଦ ନାହିଁ । ଅଥଳ ସାଗର ଢେଉ ଭଳି ଦୁହିଁଙ୍କ ଆଖିରେ ସ୍ବପ୍ନ ଗୁଡିକ ଲହଡି ଭାଙ୍ଗୁଥାନ୍ତି । ବାକି ଥିବା କଥା ସବୁ ରାତିରେ ଫୋନରେ ହେଲେ । ନୂଆ ନୂଆ ଦେଖାର ଅନୁଭୂତି ତାଜା ତାଜା ଲାଗୁଥାଏ । ମନେ ମନେ ହସୁଥାନ୍ତି ସେମାନେ । ଆପଣ, ରୁ ତମେ ସମ୍ବୋଧନ କରିବାକୁ ଲାଗିଥିଲା ମାତ୍ର ୨୪ ଘଣ୍ଟା । ରାତିରେ କଥା ହଉ ହଉ ଭୁଲି ଯାଇଛନ୍ତି ଖାଇବା କଥା। ଉଭୟେ ନିଜ ନିଜ ହଷ୍ଟେଲ ଛାତ ଉପରେ, ହାତରେ ଖଣ୍ଡେ ମଶା ଧୂପ ଧରି କଥା ହେବାରେ ବ୍ୟସ୍ତ। ହଷ୍ଟେଲରେ ସକାଳୁ ଉଠିବା ବେଲ ବାଜିବାରୁ ଦୁହେଁ ଜାଣିଲେ ଯେ ସକାଳ ହୋଇଗଲାଣି । ପୁଣି ନିତିଦିନିଆ କାମ ସବୁ କରିବାକୁ ପଡିବ । ଅଳ୍ପ ହସି ସେଇଠି ରଖି ଦେଇଥିଲେ ଫୋନ।


ସକାଳୁ ନିଦୁଆ ନିଦୁଆ ଆଖିରେ ପୁଣି ଯାଇଥିଲେ ପାଠ ପଢିବାକୁ । ଦୁହେଁ ଦୁହିଁଙ୍କ ଆଖିକୁ ଆଖି ମିଶେଇବାକୁ ବି କେହି ସାହସ କରି ପାରିଲେ ନାହିଁ । ସେଦିନ କ୍ଲାସରେ ସମସ୍ତେ ପାଠ ପଢ଼ୁଥିବା ବେଳେ ଉଭୟେ ଉଭୟଙ୍କୁ କଣେଇ କଣେଇ ଚାହିଁ ହସୁଥିଲେ। ଏହିଭଳି ସବୁଦିନ ହସଖୁସିରେ ଚାଲି ଆସୁଥିଲା । ସମୟ ପାଇଲେ ପାଖରେ ଥିବା ଗୋପାଳପୁର ବନ୍ଦରରେ ପ୍ରାନ୍ତରେ ବୁଲି ଆସନ୍ତି। ଅସରନ୍ତି ବାଲୁକା ବକ୍ଷରୁ ତୋଳି ଧରନ୍ତି ନିଜ ଅନୁଭବକୁ । ସାଗର ବୁକୁରେ ସ୍ବପ୍ନ ସବୁ ଉଙ୍କି ମାରୁଥାଏ । କେବଳ ଗୋପାଳପୁର କାହିଁକି ପାଖରେ ଥିବା ସମସ୍ତ ମନ୍ଦିରକୁ ଟିକିଏ ସମୟ ମିଳିଲେ ବୁଲିବାକୁ ଚାଲି ଯାଆନ୍ତି । କିଛି ଜିନିଷ କିଣିବାକୁ ଥିଲେ ବ୍ରହ୍ମପୁର ଯାଇ କିଣି ଆଣନ୍ତି । ଏମିତି ଛାଇ ଆଲୁଅର ଖେଳ ଭିତରେ କେତେବେଳେ ଦୁହେଁ ବନ୍ଧୁତ୍ବକୁ ପାସୋରି ଭଲ ପାଇବାରେ ବାନ୍ଧି ହୋଇ ସାରିଛନ୍ତି ତାହା କେବଳ ଭଗବାନଙ୍କୁ ଜଣା। ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି କହି ନାହାନ୍ତି । କିନ୍ତୁ କିଛି କ୍ଷଣ ପାଇଁ ହେଉ କେହି କାହାକୁ ଛାଡି ରହି ପାରନ୍ତି ନାହିଁ ।

ଅରୁଣର ସେବା ମନଭାବ ତାକୁ ବେଶ ପ୍ରଭାବିତ କରିଥିଲା । ଅନ୍ୟର ଦୁଃଖ ଦେଖିଲେ ସେ ସହି ପାରେ ନାହିଁ । ଯିବା ଆସିବା ବେଳେ ଯେଉଁଠି ଦୁଃଖୀ ଲୋକଙ୍କୁ ଦେଖେ ତାଙ୍କ ସହ କଥା ହୁଏ। ତାଙ୍କୁ ଖାଇବାକୁ ଦିଏ। ଅରୁଣ ପରି ଦୟାବାନ, ନିଃସ୍ୱାର୍ଥପର ଓ ପରୋପକାରୀ ମଣିଷକୁ ପାଇ ଆରଧ୍ୟା ଖୁସିରେ ଆତ୍ମହରା ହୋଇଉଠେ । ଅରୁଣର ଲକ୍ଷ ବଡ ହେଲେ ଚାରିଟେବୁଲ ଟ୍ରଷ୍ଟ ଟିଏ କରି ଲୋକଙ୍କ ସେବା କରିବା । ଦୁଃଖୀ ଲୋକଙ୍କ ଦୁଃଖରେ ସହଯୋଗ କରିବା। ବାସହରା ଲୋକଙ୍କ ପାଇଁ ଲଢେଇ କରିବ । ଏ ସ୍ୱାର୍ଥପର ସମାଜରେ କେବଳ ସେହି ଭଳି ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବ। 


ଏମିତି ଆଠ ମାସ ହୋଇଗଲା କେହି କାହା ଘରକୁ ଯାଇ ନାହାନ୍ତି । ଏପରିକି ଛୁଟିରେ ମଧ୍ୟ ହଷ୍ଟେଲରେ ରହି କୁଆଡେ ବୁଲିବାକୁ ଚାଲି ଯାଆନ୍ତି । ସେମିତି ଥରେ କଲେଜ ଗ୍ରାଉଣ୍ଡରେ କଥା ହେଲା ବେଳେ ହଠାତ ଆରଧ୍ୟା ଘରୁ ଫୋନ ଆସିଲା । ବାପା ଫୋନ କରି କହିଲେ ଅର୍ଜେଣ୍ଟ ଆସିବ ପାଇଁ । ମନ ଶୁଖିଗଲା । ଜେଜେ ମାଆଙ୍କ ଦେହ ଖରାପ । ନିହାତି ଯିବାକୁ ପଡ଼ିବ। ଇଚ୍ଛା ନଥିଲେ ବି ଦୁହେଁ ସାମୟିକ ଅଲଗା ହେବାର ସମୟ ଆସିଛି ବୋଲି ଦୁଃଖ ପ୍ରକାଶ କଲେ । ଜୀବନର ବେଶୀ ଦୁଃଖରେ ଉଭୟେ ଉଭୟଙ୍କୁ ବିଦାୟ ଦେଇ ଥିଲେ। 


ଘରେ ପଂହଁଚି ଆରଧ୍ୟା ଦେଖିଲା ଜେଜେମାଙ୍କ ଅବସ୍ଥା ବାସ୍ତବିକ ଖରାପ । ଗଛର ଶୁଖିଲା ପତ୍ର ପରି । କେଉଁ ମୁହୂର୍ତ୍ତରେ ଦଲକାଏ ପବନ ଆସି ତାକୁ ତଳେ ପକେଇ ଦେବ, ତାର ଠିକଣା ନାହିଁ । ଏଇ ଅଳ୍ପ ଦିନର ସମୟରେ ଜେଜେମାଙ୍କ ଶେଷ ଇଚ୍ଛା ନାତୁଣୀର ବାହାଘର ଦେଖିବ । ଘରେ ସମସ୍ତଙ୍କ ଇଚ୍ଛା, ଏଇ ଦଶ ଦିନ ଭିତରେ ଉପଯୁକ୍ତ ପାତ୍ର ଦେଖି ବାହାଘର ହେବ।

ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।


ମନରେ ଅରୁଣର ଭଲ ପାଇବା ବସା ବାନ୍ଧି ସାରିଥାଏ । ଅବିଳମ୍ବେ ଅରୁଣ ସହ ଫୋନରେ କଥା ହୋଇ ସବୁକିଛି କହିଲା । ନିଜ ଭଲ ପାଇବା ବିଷୟରେ କହିବାକୁ ବହୁତ ଚେଷ୍ଟା କଲା । ପାରିଲା ନାହିଁ । ଅରୁଣ ଏ ଖବର ଶୁଣି ଭାରି ବ୍ୟସ୍ତ ହୋଇ ପଡ଼ିଲା । ଭଲ ପାଇବା ଆରମ୍ଭ ନ ହେଉଣୁ ଶେଷ ହେବାକୁ ଯାଉଛି । ଅବ୍ୟକ୍ତ ବେଦନାର ତାଡନାରେ ଦୁହେଁ ଜର୍ଜରିତ । କେହି କାହାକୁ ଛାଡି ବଞ୍ଚିବାକୁ ନାରାଜ। ହାତରେ ମାତ୍ର ୧୦ ଦିନ । କିଛି ନ କଲେ ଜୀବନ ସାରା ଅଲଗା ହୋଇ ରହିବାକୁ ପଡିବ। ଅରୁଣ ମନ କଥା ଜାଣିବା ପାଇଁ ଶେଷ ଥର ବହୁତ ଚିନ୍ତା କରି ଅରୁଣକୁ ମନ କଥା ସବୁକିଛି ଖୋଲି କହିଦେଲା । ଅରୁଣ ଖୁସିରେ ଆତ୍ମହରା ହୋଇ ଉଠିଲା । ସମ ପ୍ରେମ ସମ ହୃଦୟ ଓ ଚାହୁଁଥିବା ମନର ମଣିଷ ଆଜି ତାକୁ ହାତ ଠାରି ଡାକୁଛି।


ମନର କଥାକୁ ଅରୁଣ ସେଦିନ ବାପାଙ୍କୁ କହି ପାରିଲା ନାହିଁ । ବୋଉଙ୍କୁ ତାଙ୍କ ବିଷୟରେ କହିଲା। ଅରୁଣ ଘରେ ଯଦିଓ ରାଜି ହେଲେ ନାହିଁ, ପୁଅର ଭଲ ପାଇବା ଓ ଜିଦି ଆଗରେ ମଥା ପାତି ଯାଇଥିଲେ ଆରଧ୍ୟାର ଘରକୁ ବିବାହ ପ୍ରସ୍ତାବ ନେଇ । ଆରଧ୍ୟାର ବାପା ପ୍ରଥମେ ରୋକଠୋକ ମନା କରିଦେଲେ । ହେଲେ ଝିଅର ଭଲ ପାଇବା, ଓ ମାଙ୍କର ଏ ଶେଷ ବେଳର ଇଚ୍ଛା ତାଙ୍କୁ ବିଚଳିତ କରୁଥାଏ । ଝିଅର ଖୁସିକୁ ପ୍ରଧାନ୍ୟ ଦେଇ ରାଜି ହୋଇଗଲେ ବାହାଘର ପାଇଁ। 


ଖୁବ ଅଳ୍ପ ଦିନରେ ବାହାଘର । ମାତ୍ର ୩ଦିନ ହାତରେ । ଘରେ ଜଣାଇବା ଆଗରୁ ଆରଧ୍ୟା ଅରୁଣକୁ ଫୋନ କରି ଜଣାଇଲେ। ଅରୁଣ ଆଉ ଡେରି ନ କରି ବାହାରି ପଡ଼ିଲା ଘରକୁ । ଅଳ୍ପ ଅଳ୍ପ ନିମନ୍ତ୍ରଣ, ଅଳ୍ପ ଭୋଜି ଭାତ, ଅଳ୍ପ ସମୟ, ଏସବୁ ଅଳ୍ପ ଭିତରେ ଉଭୟ ପରିବାର ଚେଷ୍ଟା କରିଛନ୍ତି, ବାହାଘରକୁ ଭଲରେ କରିବାକୁ । ବାହାଘର ଦିନ କଥା । ଅରୁଣର ମଙ୍ଗଳକୃତ୍ୟ ସରିଲାଣି । ବନ୍ଧୁ ବାନ୍ଧବ ରୋଷଣୀ ଧରି ପ୍ରସ୍ତୁତ ହେଲେଣି ଝିଅ ଘରକୁ ଯିବା ପାଇଁ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ନୂଆ ଉନ୍ମାଦନାରେ ମନ ଫାଟି ପଡୁଥାଏ। 


ଆରଧ୍ୟା ଘରେ ବାହାଘର ଭୋଜି ଖାଇ ନିମନ୍ତ୍ରିତ ଅତିଥିମାନେ ଫେରିଲେଣି । ବନ୍ଧୁ ବାନ୍ଧବ ସବୁ ବରକୁ ଅପେକ୍ଷା କରିଛନ୍ତି । ଝିଅ ମଙ୍ଗୁଳା ସରି ସଜେଇ ହେବାରେ ଲାଗିଛି । ବେଦୀ ବନ୍ଧା ସାରି ବ୍ରାହ୍ମଣ ଭଣ୍ଡାରୀ ଅପେକ୍ଷର ତ। ଆରଧ୍ୟା ଫୋନର ଘଣ୍ଟି ବାଜିଲା । ଅରୁଣର ଫୋନ ଆସିଛି । ଅତ୍ୟନ୍ତ କୋମଳ ଆଉ ଧୀର କଣ୍ଠରେ ଫୋନ ଉଠେଇଲା । କିଛି କହିବାକୁ ଚେଷ୍ଟା କରୁଥାଏ, କିନ୍ତୁ ଚୁପ ହୋଇଗଲା । କିଛି ସମୟ ପରେ ଚିତ୍କାର କରି କାନ୍ଦିବାକୁ ଲାଗିଲା । ଆରଧ୍ୟାର ଚିତ୍କାର ଶୁଣି ସମସ୍ତେ ଧାଇଁ ଆସିଲେ ତା ପାଖକୁ । କାହାକୁ କିଛି କହିବା ଆଗରୁ ବେହୋସ ହୋଇଗଲା ଆରଧ୍ୟା।


କାରଣ ଜାଣିବା ପାଇଁ ବାପା ରିଟର୍ଣ୍ଣ କଲ କଲେ । ଜାଣିବାକୁ ପାଇଲେ ବର ଆସିବା ସମୟରେ କାରଟି ଓଲଟି ଯାଇଛି । ଅରୁଣ ସମେତ ୪ ଜଣ ସବୁଦିନ ପାଇଁ ଚାଲି ଯାଇଛନ୍ତି ସେଇ ଅଜଣା ଜାଗାକୁ, ଯେଉଁଠିକି ଜଣେ ଗଲେ କେବେ ବି ଫେରେନି । ସେକଥା ଶୁଣି ସମସ୍ତଙ୍କ ପାଦତଳୁ ମାଟି ଖସିଗଲା । ସଂସାର ନ ହଉଣୁ ଉଜୁଡି ଗଲା । ଖବର ଶୁଣି କିଛି ଦିନ ବଞ୍ଚିବାକୁ ଥିବା ଜେଜେ ମା ଚାଲିଗଲେ ଆର ପାରିକୁ । ଝିଅର ଚେତା ଏଯାଏ ଫେରିନି । ସେଦିନର ଦୁଃଖ ଗୋଟେ ବାପା ହିଁ ବୋଧେ କହି ପାରିବେ । ବାତ୍ୟାର ପବନରେ ଧୂଳି ଉଡିଲା ଭଳି ଉଡ଼ିଗଲା ଆରଧ୍ୟାର ଆଶା, ଆକାଂକ୍ଷା ଓ ଭଲ ପାଇବା । ବହୁତ ଚେଷ୍ଟା କଲା ପରେ ତାର ଚେତା ଫେରିଲା । ଅରୁଣକୁ ନପାଇ ବାରମ୍ବାର ଚେତାଶୂନ୍ୟ ହୋଇ ଯାଉଥାଏ । ଅରୁଣ ସହ ନିଜର ସବୁକିଛି ହରେଇ ବସିଛି ।


ସ୍ୱପ୍ନର ତାଜମହଲ ନିମିଷେ ଧୂଳିଶାତ ହୋଇଗଲା । ମଙ୍ଗୁଳା ଝିଅକୁ ବାହା ଦେବାପାଇଁ ବାପା ତେଣେ ବର ଖୋଜିବେ, ନା ନିଜ ମଲା ମାଆର ଅନ୍ତିମ ସଂସ୍କାର କରିବେ। ଏଭଳି ଏକ ଘଡିଶନ୍ଧି ମୁହୂର୍ତ୍ତରେ ଆରଧ୍ୟା ବାପାଙ୍କ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଲା । ଜଣକୁ ଭଲ ପାଇ ଆଉ ଜଣଙ୍କ ପାଖରେ ଜୀବନ କାଟିବାକୁ ଚାହିଁଲା ନାହିଁ । ବାପାଙ୍କୁ ସହଯୋଗ କରି ସବୁକିଛି ବିଧି ପୂର୍ବକ ସମାପନ କଲା । ଅରୁଣର କେଇ ଖଣ୍ଡ ଛବିକୁ ଛାଡିଲେ ତା ପାଖରେ ଆଉ କିଛି ନଥିଲା ।


ଆରଧ୍ୟା ନିଜର ଭଲ ପାଇବାକୁ ଅମର କରିବାକୁ ଯାଇ ଅରୁଣର ପ୍ରତିଛବିକୁ ନେଇ ନିଜର ପରିଚୟ ସୃଷ୍ଟି କଲା । ଘର ପାଖରେ ଏକ ଛୋଟ ଘର ଟିଏ କରି "ଅରୁଣ ଚାରିଟେବୁଲ ଟ୍ରଷ୍ଟ" ସୃଷ୍ଟି କଲା । ଲୋକଙ୍କ ପାଇଁ ନିଜ ଜୀବନଙ୍କୁ ଉତ୍ସର୍ଗୀକୃତ କରି ଭଲ ପାଇବାର ସୁନ୍ଦର ଉଦାହରଣଟିଏ ସୃଷ୍ଟି କଲା । ଯେତେବେଳେ କିଛି ଅସୁବିଧା ହୁଏ ଅରୁଣ ଫୋଟ ସହ କଥା ହୁଏ । ମଝିରେ ମଝିରେ ଯାଇ ଅରୁଣ ବାପା ମାଙ୍କ ସହ କଥା ହୋଇ ଆସେ । ସେଠି ତାଙ୍କ ଝିଅ ଭଳି ଭଲ ମନ୍ଦ ବୁଝେ । ନିଜର ସୁଖଦ ଭବିଷ୍ୟତକୁ ପଛରେ ଛାଡି ଆଗେଇ ଆସିଛି ସମସ୍ତଙ୍କ ସୁଖ ଦୁଃଖର ସାଥି ହେବା ପାଇଁ । ଅଳ୍ପ ଦିନର ସାଥି ହେଲେ ବି ଅରୁଣ ସହ ଜନ୍ମ ଜନ୍ମ ପାଇଁ ଏକ ହୋଇ ରହିଗଲା ଆରଧ୍ୟା।



Rate this content
Log in

Similar oriya story from Romance