Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Comedy Others

3  

Kulamani Sarangi

Comedy Others

ପାନଖିଆ ଯୁଧିଷ୍ଠିର

ପାନଖିଆ ଯୁଧିଷ୍ଠିର

2 mins
487


ପାନଖିଆ ଯୁଧିଷ୍ଠିର(ରମ୍ୟ ରଚନା)

ଜଗା ଭାଇନା ଆମର 'ବାଡଭାଇ'।ବାଡଭାଇ କହିଲେ ସମସ୍ତେ ବୁଝି ପାରିବେନି,ସେଥିପାଇଁ ବୁଝେଇ ଦଉଚି।'ବାଡଭାଇ'ମାନେ ନିଜ ଜାତିର ଏବଂ ଏହି ଗ୍ରୁପରେ କାହାଘରେ କିଏ ମଲେ,ଶବ ପୋଡିବାପାଇଁ 'ବାଡଭାଇ'ମାନେ ମାଲଭାଇ ହୋଇ ଆଗେଇ ଆସନ୍ତି । ସରଳ ଭାଷାରେ କହିବାକୁ ଗଲେ,ବାଡଭାଇ ଗ୍ରୁପକୁ ଆଜିକାର ସମାଜସେବୀ ହ୍ୱାଟସ୍ ଆପ୍ ଗ୍ରୁପ୍ ସହିତ ତୁଳନା କରାଯାଇପାରେ।

ଜଗା ଭାଇନା ସମସ୍ତଙ୍କର ଭାଇନା,କିନ୍ତୁ ମୁଁ ତାଙ୍କୁ ଭାଇନା ଡାକିଲେ ସେ ନାପସନ୍ଦ କରି କହନ୍ତି 'ତୁ କଣ ମତେ ଭାଇନା ଡାକୁଚୁମ,ମୁଁ ପରା ତୋର ମାମୁଁ । କେମିତି କହିଲୁ?ଆମ ଖତିନାନୀର ବଡ ଜା'ର ମାଉସୀ ଝିଅ ଭଉଣୀ ପରା ତମ କକେଇ କି ବାହା ହେଇଥିଲେ । ସେଇ ହିସାବରେ ତୁ ମୋର ଭଣଜା।'

ସମ୍ପର୍କର ଏ ଅଡୁଆ ସୁତାକୁ ମୁଁ ସଜାଡି ପାରେନି,ତେଣୁ ହଁ ହାଁ କରି ସେଠାରୁ ଖସିଯାଏ । ପୁଣି କିଛିଦିନ ପରେ ସେଇ ଭୁଲ୍ ହୁଏ ଏବଂ ଜଗା ଭାଇନାଙ୍କ ତାଗିଦା ଶୁଣିବାକୁ ପଡେ।

ଥରେ ଗାଁରେ,ପାଠ ପଢା ସମୟରେ, ରଙ୍ଗମଞ୍ଚରେ ଆମେ "ବିଜୟୀ ପାଣ୍ଡବ" ନାଟକଟି ମଞ୍ଚସ୍ଥ କରିଥିଲୁ । ଜଗା ଭାଇନା ଯୁଧିଷ୍ଠିର ଚରିତ୍ରରେ ଅଭିନୟ କରୁଥାଆନ୍ତି । ଗଦା ବୁଲାତେ ବୁଲାତେ ଦୁର୍ଯ୍ୟୋଧନ ମଞ୍ଚ ଉପରକୁ ଆସି ସଂଳାପ କହିଲେ "ରେ ରେ ଧର୍ମ ନନ୍ଦନ ଯୁଧିଷ୍ଠିର ! ଶୁଣ ଆରେ ମୂର୍ଖ,ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନି।"

ସେତେବେଳକୁ ଜଗାଭାଇନା କଡା ଗୁଣ୍ଡିଦିଆ ପାନ ଖିଲଟିଏ ପାଟିରେ ପୁରେଇଚନ୍ତି । କଳରେ କଳେ ଛେପ । ଡାଇଲଗ କହିବାକୁ ବଡ ଅସୁବିଧା ହେଲା । ଷ୍ଟେଜ୍ ଉପରେ ଟିକିଏ ଆଗକୁ ଆସି ତଳକୁ ପଚ୍ କରି ପାନଛେପ ପକେଇଦେଲେ । ତାହାର କିଛି ଅଂଶ ଜଣେ ଦର୍ଶକ ଉପରେ ପଡିବାରୁ ସେ ଡିଆଁଟାଏ ମାରି ସେଠାରୁ ଭାଗିସ୍।

ଏ ଘଟଣା ନିର୍ଦ୍ଦେଶକ ମହାଶୟଙ୍କୁ କ୍ରୋଧାନ୍ଵିତ କଲା । ଅନ୍ତରାଳରୁ ସେ ଯୁଧିଷ୍ଠିରଙ୍କୁ ଠାରିଲେ ପାନଟି ପାଟିରୁ ବାହାର କରି ସଂଳାପ କହିବାପାଇଁ । କିନ୍ତୁ ଜଗା ଭାଇନା ପାନଟି ହରାଇବା ମୁଡ୍ ରେ ନଥିଲେ।

ନିର୍ଦ୍ଦେଶକଙ୍କ ଇସାରା, ଦୁର୍ଯ୍ୟୋଧନ ଭୂମିକାରେ ଅବତୀର୍ଣ୍ଣ ବ୍ୟକ୍ତି ଜାଣିପାରିଲା । ତାର ଜଗା ଭାଇନାଙ୍କ ଉପରେ ଆଗରୁ ରାଗ ଥିଲାନା କ’ଣ,ବୀର ବିକ୍ରମରେ ପୁଣି ସଂଳାପ ଝାଡିଲା "ଆରେ ମୂର୍ଖ ପ୍ରଥମ ପାଣ୍ଡବ,ବୁଝିପାରୁନାହୁଁ ନିର୍ଦ୍ଦେଶକଙ୍କ ଇଙ୍ଗିତ?ପୂଜ୍ୟ ପୂଜା ବ୍ୟତିକ୍ରମ ଶାସ୍ତି ଘେନ ମୂର୍ଖ ।"ଏହା କହି ଜଗା ଭାଇନାଙ୍କ ବାଁ'ଗାଲକୁ ଏକ ଶକ୍ତ ଚାପୁଡାମାରନ୍ତେ ,ପାଟିରେ ଥିବା ପାନଟି ବାହାରିଯାଇ ଷ୍ଟେଜ୍ ତଳେ ପଡିଲା।

ଜଗାଭାଇନାଙ୍କୁ ସମ୍ଭାଳେ କିଏ । ଭାଇନା ଚିଲ୍ଲେଇଲେ "ଆବେ ସଚି କଣ କଲୁ,ମୋ ଟଙ୍କିକିଆ ପାନ ଖଣ୍ଡକ ଚାପୁଡାମାରି ତଳେ ପକେଇ ଦେଲୁ?ଏମିତି ଡାଇଲଗ୍ କୋଉ ବହିରେ ଅଛିବେ?"

ଯୁଧିଷ୍ଠିର ଏବଂ ଦୁର୍ଯ୍ୟୋଧନଙ୍କର ଏ ଡାଇଲଗ୍ ଶୁଣି ଦର୍ଶକ ହୋ ହୋ ହୋଇ ଡେଇଁଲେ । ଟେକା ପଥର ଓ ଚଉକି ଷ୍ଟଜ୍ ଉପରକୁ ଫୋପାଡିବାକୁ ଲାଗିଲେ । ପ୍ରାଣ ବିକଳରେ, ଯୁଧିଷ୍ଠିର ଏବଂ ଦୁର୍ଯ୍ୟୋଧନ ରୋଲ୍ କରୁଥିବା ଜଗା ଭାଇନା ଓ ସଚିଭାଇନା ଷ୍ଟେଜ ଛାଡି ଚମ୍ପଟ୍ । ପରଦା ପକେଇ ଉଦ୍ୟୋକ୍ତା ଓ କଳାକାରମାନେ ଯେ'ଯାହାର ନିରାପଦ ଦୂରତାରେ ରହିଲେ।

କିଛି ସମୟପରେ ଦର୍ଶକ ମାନଙ୍କୁ ବୁଝାଶୁଝାକରି, ନାଟକଟି ଯେନତେନ ପ୍ରକାରେ ମଞ୍ଚସ୍ଥ କରାଗଲା।

ତା'ପରଦିନ ଜଗା ଭାଇନା ଗୁଡାଖୁ ଘଷିଘଷି କୁସୁମୀ କୁଳକୁ ପୋଖରୀପାଣି ଯିବା ଅବସରରେ ଚିରାଚରିତ ଭୁଲ୍ କରି ଡାକିଦେଲି " ଜଗା ଭାଇନା"।ଭାଇନା କୃତ୍ରିମ ରାଗରେ ପିଠିରେ ଚପେଟାଘାତକରି କହିଲେ "କେତେଥର କହିବି ମୁଁ ତୋର ମାମୁଁ ?"

ଭୁଲ୍ ସୁଧାରି କହିଲି "ଭୁଲ୍ ହେଇଗଲା,ଆଉ ସେମିତି ହବନି;ଯେ ମାମୁଁ ତମେ କାଲି ପାନ କଳରେ ଜାକି କିମିତି ଷ୍ଟେଜ୍ ଉପରକୁ ଯାଉଥିଲ?"

ଜଗାଭାଇନା/ମାମୁଁ କହିଲେ "କଣଟେ ହେଇଗଲା ସେଠୁଁ ।ଯୁଧିଷ୍ଠିର ରଜାଟେ ନା ନାଇଁ ?ରଜାଟେ ହେଇକି ପାନଖଣ୍ଡେ ଖାଇପାରିବନି ? କୋଉ ମହାଭାରତରେ ନେଖା ହେଇଚି ଯେ ଯୁଧିଷ୍ଠିର ପାନ ଖାଉନଥିଲେ ?ସେମିତି ନେଖା ଯଦି କୋଉଠି ପାଇବୁ,ମତେ ଦେଖେଇବୁ।"

ଏ ଭିତରେ ଅନେକ ବର୍ଷ ବିତିଗଲାଣି । ଉଚ୍ଚ ଶିକ୍ଷା ପରେ ଚାକିରୀ ଏବଂ ଚାକିରୀରୁ ଅବସର ନେବାର ଆଜିକି ଆଠବର୍ଷ ହେଲାଣି।

ଜଗାଭାଇନା ଉର୍ଫ ମାମୁଁଙ୍କୁ ଏବେ ଅଶୀବର୍ଷ ବୟସ । ଗାଁକୁ ଯିବା ଅବସରରେ ଥରେ ମୁହାଁମୁହିଁ ହେଲା । ଜଗା ଭାଇନା/ମାମୁଁ କହିଲେ "ମତେ ଆଉ ଦୁଶୁନିରେ ପୁଅ । ମନେ ରଖିଚୁ ମତେ ?"

ହସି ହସି କହିଲି "ମାମୁଁ ଯେତେଦିନ 'ବିଜୟୀ ପାଣ୍ଡବ' ନାଟକ ମନେଥିବ ସେତେଦିନ ତମେ ମନେଥିବ।"ଟିକିଏ ହସିଦେଇ ଜଗା ମାମୁଁ କହିଲେ "ଏତେ ମହାଭାରତ ପଢିଲି,କୋଉଠି ଲେଖାହେଇନି ଯେ ଯୁଧିଷ୍ଠିର ପାନ ଖାଉନଥିଲେ । ସେ ଯାହାହଉ,ମୁଁ ବହୁତ୍ ଦିନହେଲା ଗୁଣ୍ଡିପାନ ଆଉ ଗୁଡାଖୁ ଘସା ଛାଡିଦେଇଚି,କାହିଁକିନା ସେକାଳର ଚୁଆଗୁଣ୍ଡି ମିଳୁନି କି ଗୁଡାଖୁ ବି ମିଳୁନି।"


Rate this content
Log in

Similar oriya story from Comedy