Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୩୦)

ସରଯୂ ନଦୀର ତୀରେ (୧୩୦)

5 mins
217



ସୀତାଙ୍କୁ ଶ୍ରୀରାମଙ୍କ ଆଦେଶ ଶୁଣାଇ ବିଭୀଷଣ କହିଲେ..ଦେବୀ,ପ୍ରଭୁଙ୍କର ଲଙ୍କା ବିଜୟ ସମାପ୍ତ ହୋଇଛି। ଶ୍ରୀରାମଙ୍କ ହସ୍ତରେ ରାବଣ ବୀରଗତି ଲାଭ କରିଛି ଏବଂ ଦୁଷ୍କୃତିର ବିନାଶ ଘଟିଛି।ପ୍ରଭୁଙ୍କ ଆଦେଶ ଅନୁଯାୟୀ ଆପଣ ଶୁଦ୍ଧପୁତ ହୋଇ ଦିବ୍ଯବସ୍ତ୍ର,ଅଳଙ୍କାର ଆଦି ପରିଧାନ କରି ପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅନ୍ତୁ।"


ଜାନକୀ କହିଲେ..ଲଙ୍କେଶ୍ବର, ମୁଁ ପୁତ୍ର ହନୁମାନଙ୍କ ନିକଟରୁ ଯୁଦ୍ଧର ପରିଣତି ବିଷୟରେ ଅବଗତ ହୋଇଛି;କେବଳ ପ୍ରଭୁଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲି। ସ୍ନାନାଦି କର୍ମ ମୁଁ ସମ୍ପନ୍ନ କରିସାରିଛି, ଅଧିକ ପ୍ରସାଧନର ଆବଶ୍ୟକତା ନାହିଁ। ଚାଲନ୍ତୁ ପ୍ରଭୁଙ୍କ ନିକଟକୁ ଯିବା।" ଯୋଡହସ୍ତରେ ବିଭୀଷଣ କହିଲେ..ଦେବୀ ,ପ୍ରଭୁଙ୍କ ଇଚ୍ଛା ମୁଁ ଆପଣଙ୍କୁ ଜଣାଇଲି।ମୋର ମତ, ତାହା ପାଳିତ ହେବା ଆବଶ୍ୟକ।" 


ଶ୍ରୀରାମଙ୍କ ଇଚ୍ଛା ଅନୁଯାୟୀ ସୀତା ସଦ୍ୟସ୍ନାତା ହୋଇ,ନୂତନ ବସ୍ତ୍ର ପରିଧାନ କରି ତଥା ନୂତନ ଅଳଙ୍କାରରେ ବିମଣ୍ଡିତା ହୋଇ ଶ୍ରୀରାମଙ୍କ ନିକଟରେ ଉପସ୍ଥିତ ହେଲେ। ସୀତାଙ୍କ ଆଗମନରେ ଧ୍ୟାନସ୍ଥ ରଘୁପତିଙ୍କର ଧ୍ୟାନ ଭଗ୍ନ ହେଲା।ଧୀର ପଦପାତରେ ସୀତା ଶ୍ରୀରାମଙ୍କ ନିକଟରେ ଉପସ୍ଥିତ ହୋଇ ବାଷ୍ପରୁଦ୍ଧ କଣ୍ଠରେ କେବଳ ଗୋଟିଏ ମାତ୍ର ଶବ୍ଦ ଉଚ୍ଚାରଣ କଲେ.."ଆର୍ଯ୍ୟପୁତ୍ର !" ଅଧିକ କିଛି କହିବା ସମ୍ଭବ ହେଲାନାହିଁ,କେବଳ ଧାରଧାର ହୋଇ ଅଶ୍ରୁ ବହି ଚାଲିଲା ଚାରୁ ଗଣ୍ଡମଣ୍ଡଳ ଦେଇ। ସୀତା ଆଶା କରୁଥିଲେ ଭାବପ୍ରବଣ ହୋଇ ଶ୍ରୀରାମ ଅଶ୍ରୁଳ ନେତ୍ରରେ ତାଙ୍କୁ ଅତି ପ୍ରିୟ ନାମରେ ଡାକି କହିବେ..ମୋର ଆନନ୍ଦ ସିନ୍ଧୁ ଆଜି ଉଦ୍ବେଳିତ ପ୍ରିୟତମା ଜାନକୀ,ମୋ ବିଦଗ୍ଧ ହୃଦୟ ଆଜି ତୁମ ଦର୍ଶନରେ ଶୀତଳ ହୋଇ ଯାଇଛି।" 

କିନ୍ତୁ ସେପରି କିଛି ହେଲାନାହିଁ।


ଗମ୍ଭୀର ଶ୍ରୀରାମଙ୍କ ମୁଖ ମଣ୍ଡଳ; କହିଲେ... ମୁଁ ଶତ୍ରୁକୁ ବିନାଶ କରି ତୁମକୁ ଉଦ୍ଧାର କରିଛି ସୀତା;ମୋର କ୍ଷତ୍ରିୟ ଧର୍ମ ମୁଁ ପାଳନ କରିଛି।ମୋର ପ୍ରତିଜ୍ଞା ପୂର୍ଣ୍ଣ ହୋଇଛି।"

ଏପରି ଅପ୍ରତ୍ୟାଶିତ କଠୋର କଥା ଶୁଣି ସୀତା ସ୍ତବ୍ଧ ହୋଇ ରହିଗଲେ। ଆହୁରି ନିଷ୍ଠୁର କଣ୍ଠରେ ଶ୍ରୀରାମ କହିଲେ.. ସୀତା,କେବଳ ତୁମପ୍ରତି ମୋର ଆକର୍ଷଣ ଯୋଗୁଁ ରାବଣ ସହିତ ଏହି ଭୟଙ୍କର ସଂଗ୍ରାମରେ ମୁଁ ବିନିଯୁକ୍ତ ହୋଇନଥିଲି, ବରଂ ଏହା ଥିଲା ମୋପାଇଁ କ୍ଷତ୍ରିୟର କର୍ତ୍ତବ୍ୟର ଆହ୍ବାନ। ତୁମକୁ ଉଦ୍ଧାର କରି ମୋର ହୃଦୟ ଆନନ୍ଦିତ ନୁହେଁ, କାରଣ ରାକ୍ଷସ ନଗରୀରେ ରହି ତୁମର ପବିତ୍ରତା ସନ୍ଦେହର କୃଷ୍ଣ ଧୂମ୍ରରେ ଆଚ୍ଛାଦିତ ହୋଇ ଯାଇଛି।ତୁମ ଚରିତ୍ର ଉପରେ ମୋ ମନରେ ସନ୍ଦେହ ଆସିଛି।"


ଅଳ୍ପ ନୀରବତା ପରେ ଶ୍ରୀରାମ କହିଲେ.. ବର୍ତ୍ତମାନ ତୁମେ କେଉଁଆଡେ ଯିବ ସୀତା ?ଆମେ ଦୁହେଁ ଏହାପରେ ଏକତ୍ର ରହିବା ସମ୍ଭବ ନୁହେଁ।ଜଣେ ଅଜ୍ଞାତ ବ୍ୟକ୍ତିର ନିବାସରେ ରହିଥିବା ନାରୀକୁ ମୋ ଭଳି ଜଣେ କ୍ଷତ୍ରିୟ ପତି ଗ୍ରହଣ କରିବା ସମ୍ଭବ ନୁହେଁ।"


ଶ୍ରୀରାମଙ୍କୁ ଗଭୀର ଏବଂ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ ଜାନକୀ;ସତୀଙ୍କର ଚକ୍ଷୁଦ୍ବୟରୁ ଅଗ୍ନି ବର୍ଷା ହେଉଥିଲା। ସୀତା କହିଲେ.. ଏଭଳି ଅନୈତିକ କଥା କହୁଥିବା ବ୍ୟକ୍ତି କ'ଣ ନିଜେ ମୋର ପ୍ରିୟ ପତି ଶ୍ରୀରାମ !! ଏଭଳି କଠୋର ଶବ୍ଦ ଶୁଣି କର୍ଣ୍ଣ ମୋର ବଧୀର ଏବଂ ହୃଦୟ ପଥର ହୋଇ ଗଲା ନାହିଁ କାହିଁକି !ଅନାର୍ଯ୍ୟମାନଙ୍କ ମୁହଁରେ ଏପରି କଥା ଶୋଭା ପାଏ,ଆପଣଙ୍କ ମୁହଁରେ ନୁହେଁ ଆର୍ଯ୍ୟପୁତ୍ର ! କ୍ରୋଧ ବୋଧହୁଏ ଆପଣଙ୍କ ବିବେକକୁ ନଷ୍ଟ କରିଦେଇଛି। ମୁଁ କେଉଁ ରାଜବଂଶର କନ୍ୟା,କିଏ ମୋର ପିତା ମାତା, ଏକଥା କଣ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଭୁଲିଗଲେ ! ମହାନ୍ ରାଜର୍ଷି ଜନକ ମୋର ପିତା ଏବଂ ଆଚାରଶ୍ରେଷ୍ଠ ଦଶରଥ ମୋର ଶ୍ବଶୁର। ଯେଉଁ ସଂସ୍କାର ମୋର ପିତା ଜନକ ଏବଂ ମାତା ସୁନୟନା ମୋତେ ଦେଇଛନ୍ତି, ତାହା ଅତିକ୍ରମ କରି ମୁଁ ରାକ୍ଷସ ରାଜ୍ୟରେ ଅନୈତିକ କର୍ମରେ ଲିପ୍ତ ଥିବି ବୋଲି ଆପଣଙ୍କ ଭଳି ଜଣେ ସଂସ୍କାରୀ ପୁରୁଷ କିପରି ଚିନ୍ତା କରି ପାରୁଛନ୍ତି !!ରାକ୍ଷସ ରାବଣ ମୋତେ ବଳ ପ୍ରୟୋଗ କରି ହରଣ କରି ଲଙ୍କାରେ ବନ୍ଦୀ କରି ରଖିଥିଲା, ସେଥିପାଇଁ କଣ ମୁଁ ଦାୟୀ ! ମୋର ଦୋଷ କେଉଁଠାରେ ରହିଲା ରଘୁପତି?"


କିଛି ନୀରବତା ପରେ ସୀତା କହିଲେ.. କିନ୍ତୁ ଆପଣଙ୍କ ମନକୁ ଯେତେବେଳେ ପାପ ଛୁଇଁଲାଣି,ଏହାର କେବଳ ଗୋଟିଏ ମାତ୍ର ନିରାକରଣ ଅଛି।"ଏହା କହି ସୀତା ଲକ୍ଷ୍ମଣଙ୍କୁ କହିଲେ..ଦେବର , ଅଗ୍ନି ପ୍ରସ୍ତୁତ କର। ସେହି ଅଗ୍ନିରେ ଝାସ ଦେଇ ମୁଁ ମୋର ସତୀତ୍ଵର ପରୀକ୍ଷା ଦେବାପାଇଁ ଚାହେଁ।"


ଶ୍ରୀରାମଙ୍କର ସୀତାଙ୍କ ପ୍ରତି ବ୍ୟବହାରରେ ନିଷ୍ଠୁରତା ଦେଖି ଏପର୍ଯ୍ୟନ୍ତ ହତବାକ୍ ହୋଇ ରହିଥିବା ଲକ୍ଷ୍ମଣ ଭାବି ପାରୁନଥିଲେ,ସତରେ ରାମଚନ୍ଦ୍ର ଛଳନା କରୁଛନ୍ତି ନାଁ ବାସ୍ତବରେ ସୀତାଙ୍କ ପବିତ୍ରତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି। ଅଗ୍ନି ପ୍ରସ୍ତୁତ କରିବାପାଇଁ ସୀତାଙ୍କ ଆଦେଶ ପରେ ମଧ୍ୟ ଶ୍ରୀରାମଙ୍କ ନୀରବତା ସ୍ପଷ୍ଟ କରିଦେଲା ଯେ ବାସ୍ତବରେ ରଘୁପତି ନିଜ ପତ୍ନୀଙ୍କର ପବିତ୍ରତା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି। ଶ୍ରୀରାମଙ୍କ ଆଖିର ଭାଷା ପଢିପାରିଲେ ଲକ୍ଷ୍ମଣ।ସେ ଆଖି ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଉଥିଲା ସୀତାଙ୍କ ଆଦେଶକୁ କାର୍ଯ୍ୟକାରୀ କରି ଅଗ୍ନି ପ୍ରସ୍ତୁତ କରିବା ପାଇଁ।


ବିଭୀଷଣ, ହନୁମାନ, ସୁଗ୍ରୀବ ଅଙ୍ଗଦ ଜାମ୍ବବାନ ଆଦି ବୀରମାନେ ନିର୍ବାକ ନିସ୍ପନ୍ଦ ହୋଇ ଅଶ୍ରୁଳ ନେତ୍ରରେ ଉଭା ହୋଇଥିଲେ।ବିଜୟ ଆନନ୍ଦର ପରିଣତି ଯେ ଏପରି କରୁଣାକ୍ତ ହେବ, କେହି ସ୍ବପ୍ନରେ ମଧ୍ୟ ଚିନ୍ତା କରିନଥିଲେ। ଅଶ୍ରୁପୂର୍ଣ୍ଣ ଥିଲା ଆଞ୍ଜନେୟଙ୍କ ନେତ୍ର,ବେଦନାକ୍ତ ଥିଲା ଲକ୍ଷ୍ମଣଙ୍କ ହୃଦୟ, କିନ୍ତୁ ସମ୍ବେଦନହୀନ ଥିଲେ ନିଜେ ଦାଶରଥି।


ଲକ୍ଷ୍ମଣ ଅଗ୍ନି ପ୍ରସ୍ତୁତ କଲେ।ସମସ୍ତ ଦେବଦେବୀ ଏବଂ ଋଷିମାନଙ୍କୁ ପ୍ରଣାମ କରି, ଅଗ୍ନିଙ୍କ ଲେଲିହାନ ଶିଖାକୁ ପ୍ରଦକ୍ଷିଣ କରି ସତୀ କହିଲେ..ହେ ଅଗ୍ନି ଦେବ ! ଆପଣ ଜାଣନ୍ତି ମୁଁ କେତେ ପବିତ୍ର। ମୁଁ ଅପବିତ୍ର ହୋଇଥିଲେ ଆପଣଙ୍କ ଶିଖା ମୋତେ ଗ୍ରାସ କରୁ।" ଏହା କହି ସୀତା ଅଗ୍ନିରେ ଝାସ ଦେଲେ। ସ୍ଵର୍ଗରୁ ସମସ୍ତ ଦେବତା ସେଠାରେ ପହଞ୍ଚି ଅଗ୍ନି ଚତୁର୍ଦ୍ଦିଗରେ ବେଢ଼ି ରହିଲେ।ବ୍ରହ୍ମା ଶ୍ରୀରାମଙ୍କୁ କହିଲେ...ନାରାୟଣ ,ଆପଣ ପରା ଧରାଧାମରେ ଶ୍ରୀରାମଙ୍କ ଅବତାର ନେଇଛନ୍ତି ରାବଣକୁ ବିନାଶ କରିବା ପାଇଁ ! ଯେଉଁ ବିଦୂଷୀ ଅଗ୍ନିରେ ଝାସ ଦେଲେ ସେ କଣ ଆପଣଙ୍କ ପତ୍ନୀ ଲକ୍ଷ୍ମୀ ନୁହଁନ୍ତି ?ତାଙ୍କ ପବିତ୍ରତାକୁ ଆପଣ ସନ୍ଦେହର ବଳୟ ଭିତରକୁ ଆଣିପାରିଲେ କିପରି ? "


ଶ୍ରୀରାମ ଆଶ୍ଚର୍ଯ୍ୟ ହୋଇ ବ୍ରହ୍ମଦେବଙ୍କୁ କହିଲେ.. କେଉଁ ନାରାୟଣ, କେଉଁ ଲକ୍ଷ୍ମୀ ! ମୁଁ ଏତିକି ମାତ୍ର ଜାଣେ ଯେ ମୁଁ ଦଶରଥଙ୍କ ପୁତ୍ର ଶ୍ରୀରାମ ଏବଂ ମୋର ପତ୍ନୀ ଜନକ ନନ୍ଦିନୀ ସୀତା; ଏହାଠାରୁ ଅଧିକ ଆପଣମାନେ ହିଁ ଜାଣିଥିବେ।"


ଏହି ସମୟରେ ଅଦ୍ଭୁତ ଦୃଶ୍ୟ ଦେଖିବାପାଇଁ ମିଳିଲା। ସ୍ବୟଂ ଅଗ୍ନିଦେବ ଲେଲିହାନ ଅଗ୍ନି ଶିଖା ଭିତରେ ଦୃଶ୍ୟମାନ ହେଲେ।କୋଳରେ ତାଙ୍କର ବସିଥିଲେ ଆଉଟା ସୁନା ଭଳି ଦାଉ ଦାଉ ଉଜ୍ଜ୍ୱଳ ଦେଖାଯାଉଥିବା ଜନକନନ୍ଦିନୀ ସୀତା। ଅଙ୍ଗବସ୍ତ୍ର କିମ୍ବା ଦେହରେ ଥିବା ଅଳଙ୍କାରକୁ ଅଗ୍ନି ସ୍ପର୍ଶ ମଧ୍ୟ କରିନଥିଲେ। ଅଗ୍ନି ଦେବ କହିଲେ.. ଶ୍ରୀରାମ ! ପବିତ୍ରତାର ପ୍ରତିମୂର୍ତ୍ତି ଜାନକୀଙ୍କୁ ଏବେ ଗ୍ରହଣ କରନ୍ତୁ।


ହସି ହସି ଶ୍ରୀରାମ ସୀତାଙ୍କୁ ଗ୍ରହଣ କରି କହିଲେ.. ଜାନକୀ,ଏହା ତୁମର ଅଗ୍ନି ପରୀକ୍ଷା ନଥିଲା,ଏହା ଥିଲା ମୋର ନିଜର ଅଗ୍ନି ପରୀକ୍ଷା।ତୁମେ କଣ ଭାବୁଛ, ମୁଁ ତୁମର ପବିତ୍ରତାକୁ ସନ୍ଦେହ କରି ତୁମର ଅଗ୍ନି ପରୀକ୍ଷା ନେଉଥିଲି ?ତୁମେ ପବିତ୍ରତା ଠାରୁ ଆହୁରି ପବିତ୍ର ଜାଣି ମଧ୍ୟ ମୋତେ ଏହି ନିର୍ଦ୍ଦୟ କାର୍ଯ୍ୟ କରିବାକୁ ପଡିଲା। ମୁଁ ଜାଣିଥିଲି ତୁମେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହସି ହସି ମୋ କୋଳକୁ ଚାଲି ଆସିବ।ଏବେ ଦୁନିଆଁରେ କାହାର କହିବାକୁ ସାହସ ନାହିଁ ଯେ ପତ୍ନୀର ପ୍ରେମରେ ଅନ୍ଧ ରାମ ରାକ୍ଷସ ନଗରୀରେ ରହିଥିବା ସୀତାଙ୍କୁ ନିଜ ଦୁର୍ବଳତା ଯୋଗୁଁ, ବିନା ପରୀକ୍ଷାରେ ଗ୍ରହଣ କଲା। ମୁଁ ସାଧାରଣ ପ୍ରଜା ନୁହେଁ ସୀତେ ! ମୁଁ ଅଯୋଧ୍ୟାର ରାଜା।ମୋର ପ୍ରତ୍ୟେକ କାର୍ଯ୍ୟ ଜନମତର କଷଟି ପଥରରେ ପରୀକ୍ଷିତ ହେବ।ତୁମ ମନରେ କଷ୍ଟ ଦେଇଥିବାରୁ ମୋତେ କ୍ଷମା କରିଦିଅ ଜାନକୀ।"


ଆକାଶରୁ ପୁଷ୍ପ ବୃଷ୍ଟି ହେଲା।ଦଶରଥ ଶୂନ୍ୟରୁ ଅବତରଣ କରି ଶ୍ରୀରାମଙ୍କୁ କୋଳାଗ୍ରତ କରି ସୀତାଙ୍କୁ କହିଲେ..ପୁତ୍ରୀ,ତୁମେ ହୋମାଗ୍ନିଠାରୁ ମଧ୍ୟ ପବିତ୍ର।ମୋ ପୁତ୍ର ତୁମପ୍ରତି ଯେଉଁ ନିଷ୍ଠୁରତା ପ୍ରଦର୍ଶନନ କଲା ସେଥିପାଇଁ ତାକୁ କ୍ଷମା କରିଦିଅ;ରାଜଧର୍ମ ପ୍ରତିପାଳନ ପାଇଁ ତାହା ତାକୁ କରିବାପାଇଁ ପଡ଼ିଛି।ତୁମେ ସମସ୍ତ ଦେବତାଙ୍କର ଆଶୀର୍ବାଦାର୍ହ।"


ବନବାସର ଚତୁର୍ଦ୍ଦଶ ବର୍ଷ ପୂର୍ଣ୍ଣ ହୋଇ ଯାଇଥିଲା। ଅଯୋଧ୍ୟାବାସୀ ଉତ୍ସୁକତାର ସହିତ ଶ୍ରୀରାମଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ।ରାମ,ଲକ୍ଷ୍ମଣ ଏବଂ ସୀତା ଅଯୋଧ୍ୟାଯାତ୍ରା ପାଇଁ ପୁଷ୍ପକ ବିମାନ ଆରୋହଣ କଲେ।ସଙ୍ଗରେ ଯାତ୍ରାକଲେ ଲଙ୍କେଶ ବିଭୀଷଣ, ଆଞ୍ଜନେୟ ହନୁମାନ, କିଷ୍କିନ୍ଧ୍ୟାପତି ସୁଗ୍ରୀବ, ଜ୍ଞାନବୀର ଜାମ୍ବବାନ, ଯୁବରାଜ ଅଙ୍ଗଦ ଏବଂ ଅନ୍ୟ କିଛି ପ୍ରମୁଖ ବାନରବୀର।


ଆକାଶ ମାର୍ଗରୁ ସେତୁବନ୍ଧ, କିଷ୍କିନ୍ଧ୍ୟାରାଜ୍ୟ ଏବଂ ଅରଣ୍ୟର ସେହି ସ୍ଥାନଗୁଡିକ, ଯେଉଁଠାରେ ସୀତାଙ୍କ ବିରହରେ ବିଧୁର ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ଯନ୍ତ୍ରଣାର ଦିନଗୁଡିକ ଅତିବାହିତ କରୁଥିଲେ,ଗୋଟି ଗୋଟି କରି ଦାଶରଥି ସୀତାଙ୍କୁ ଦେଖାଇଲେ। କିଛି ସମୟ ପରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ବିମାନ ଅବତରଣ କରାଇ ବନ୍ଧୁ ଗୁହକ ଏବଂ ଭ୍ରାତା ଭରତଙ୍କ ନିକଟକୁ ଶ୍ରୀରାମ ପ୍ରତ୍ୟାବର୍ତ୍ତନ ବାର୍ତ୍ତା ପ୍ରେରଣ କଲେ। ଅଯୋଧ୍ୟା ନଗରୀରେ ଆନନ୍ଦର ସିନ୍ଧୁ ଉଛୁଳି ପଡ଼ିଲା।


ରାମକଥା ସର୍ବଦା ଅମୃତମୟ......ଜୟ ଶ୍ରୀରାମ,ଜୟ ସୀତାରାମ।

ରାମ,ଲକ୍ଷ୍ମଣ ଜାନକୀ/ଜୟ ବୋଲ ହନୁମାନ କି।


Rate this content
Log in

Similar oriya story from Classics