Kulamani Sarangi

Classics

3  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୪)

ସରଯୂ ନଦୀର ତୀରେ (୧୨୪)

3 mins
145


ସରଯୂ ନଦୀର ତୀରେ

     ୧୨୪

(ରାମାୟଣର ଅମର କଥା)


ମେଘନାଦର ଅମୋଘ ଶକ୍ତି


ଶ୍ରୀରାମଙ୍କ ବାଣରେ କୁମ୍ଭକର୍ଣ୍ଣର ଛିନ୍ନ ମସ୍ତକ ଲଙ୍କାର ରାଜପଥ ଉପରେ ପଡିବାର ଦେଖି କିଛି ରାକ୍ଷସ ରାବଣ ଆଗରେ ପହଞ୍ଚି କହିଲେ..ପ୍ରଭୁ ! ଯେଉଁ ମହାବୀର କୁମ୍ଭକର୍ଣ୍ଣଙ୍କ ନାମ ଶୁଣି ଯମ ମଧ୍ୟ ଭୟଭୀତ ହୋଇଥାଏ, ଶ୍ରୀରାମଙ୍କ ସହିତ ଭୟଙ୍କର ଯୁଦ୍ଧ କରିବା ପରେ ସେ ବୀରଗତି ପ୍ରାପ୍ତ ହୋଇଛନ୍ତି।ଯୁଦ୍ଧରେ ଶ୍ରୀରାମ ତାଙ୍କର ହସ୍ତ ପଦ ଛେଦନକରି ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି।ତାଙ୍କ ଶରୀରର ଛେଦିତ ଏକ ବିଶାଳ ଅଂଶ ସମୁଦ୍ର ଭିତରେ ପଡିଛି;ଅନ୍ୟ ଏକ ଅଂଶ ଲଙ୍କାଗଡର ଦୁର୍ଗ ଦ୍ଵାରରେ ଏବଂ ମସ୍ତକ,ତୀର ସହିତ ଆକାଶ ମାର୍ଗରେ ଉଡିଆସି ଲଙ୍କାର ରାଜପଥ ଉପରେ ପଡ଼ିଛି।ଆପଣଙ୍କ ଅତି ପ୍ରିୟ ଭ୍ରାତା ସ୍ବର୍ଗଗାମୀ ହୋଇଛନ୍ତି ଲଙ୍କେଶ !"


ଦୂତଠାରୁ ଏହା ଶୁଣି ରାବଣର ମନେହେଲା, କୁମ୍ଭକର୍ଣ୍ଣର ନୁହେଁ ବରଂ ତା ନିଜ ଦେହରୁ ଶରୀର ତ୍ୟାଗ କରି ଜୀବନ ଚାଲିଗଲା। ସିଂହାସନରୁ ତଳେପଡି ରାବଣ ଚେତାଶୂନ୍ୟ ହୋଇଗଲା। କିଛି ସମୟ ପରେ ଚେତନା ଲାଭ କରି ଦୁଃଖ ଏବଂ କ୍ରୋଧରେ ରାବଣ ବିଳାପ କରିବାକୁ ଲାଗିଲା.. ମୋତେ ଛାଡ଼ି ତୁ କିପରି ଯମଲୋକ ଯାଇପାରିଲୁ ବୀରଶ୍ରେଷ୍ଠ କୁମ୍ଭକର୍ଣ୍ଣ ! ମୋର ଦକ୍ଷିଣ ଭୁଜ କଟିଗଲା ଭଳି ମୋତେ ଲାଗୁଛି।ତ୍ରିଭୁବନରେ ଯାହାକୁ ଦେଖିଲେ ମହାମହା ବୀରମାନେ ଭୟଭୀତ ହୁଅନ୍ତି,ରାମ ହାତରେ ତା'ର ମୃତ୍ୟୁ କିପରି ସମ୍ଭବ ! ହୃଦୟ ମୋର ଜଳିଯାଉଥିବା ବେଳେ ଆକାଶରେ ଦେବତାମାନେ ତୋ ମୃତ୍ୟୁରେ ଆନନ୍ଦିତ ହେଉଛନ୍ତି ଏବଂରଣଭୂମିରେ ବାନର ମାନେ ପ୍ରଫୁଲ୍ଲ ଚିତ୍ତରେ ନୃତ୍ୟ କରୁଛନ୍ତି। ତୋ ଅବର୍ତ୍ତମାନରେ ମୁଁ ଆଉ କାହିଁକି ବଞ୍ଚିବି ଅନୁଜ,କଣ ହେବ ମୋର ଏ‌ ରାଜ୍ୟ ଓ ରାଜପଦ ? ବିଭୀଷଣର ଉପଦେଶ ଗ୍ରହଣ ନକରି ମୁଁ ତୋତେ ହରାଇ ବସିଲି ଅନୁଜ ! କିନ୍ତୁ ନଃ,ଆଉ ଚିନ୍ତାକରି ଲାଭ ନାହିଁ; ନିଶ୍ଚିତ ଭାବରେ ମୁଁ ତୋର ହତ୍ୟାକାରୀ ରାମକୁ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ଦେବି।"


ତ୍ରିଶିରସ ଏବଂ ଅନ୍ୟ ବୀରମାନେ ରାବଣକୁ ଶାନ୍ବନା ଦେଇ କହିଲେ..ଲଙ୍କେଶ ! ଆପଣ ବ୍ରହ୍ମାଙ୍କ ବରରେ ବଳୀୟାନ, ଏପରି ବିଳାପ କରିବା ଆପଣଙ୍କୁ ଶୋଭା ପାଏ ନାହିଁ।ଆପଣ ନିଶ୍ଚିନ୍ତ ରହନ୍ତୁ,ଆମେ ଆପଣଙ୍କୁ ବିଜୟଶ୍ରୀ ମଣ୍ଡିତ କରିବୁ।" ଏହା କହି ରାକ୍ଷସ ବୀରମାନେ ହାତୀ ଘୋଡ଼ା ରଥ ଇତ୍ୟାଦି ଆରୋହଣ କରି ରଣକ୍ଷେତ୍ରରେ ପହଞ୍ଚି ଭୟଙ୍କର ଯୁଦ୍ଧରେ ବ୍ୟାପୃତ ହୋଇଗଲେ।ସଙ୍କଟ ମୋଚନ ହନୁମାନ, ଯୁବରାଜ ଅଙ୍ଗଦ, କିଷ୍କିନ୍ଧ୍ୟାପତି ସୁଗ୍ରୀବ ଏବଂ ମହାବୀର ଜାମ୍ବବାନ ଭୟଙ୍କର ଯୁଦ୍ଧ କରି ଶତ୍ରୁମାନଙ୍କୁ ସଂହାର କରିବାରେ ଲାଗିଲେ।ଅଙ୍ଗଦଙ୍କ ହାତରେ ନରାନ୍ତକ, ହନୁମାନଙ୍କ ହାତରେ ଦେବାନ୍ତକ ଓ ତ୍ରିଶିରସ, ସୁଗ୍ରୀବଙ୍କ ହାତରେ ମହୋଦର ଏବଂ ଲକ୍ଷ୍ମଣଙ୍କ ହାତରେ ଅତିକାୟ ଘୋର ସଂଗ୍ରାମ କରି ବୀରଗତି ପ୍ରାପ୍ତ ହେଲେ।

ଅତିକାୟର ମୃତ୍ୟୁ ସମ୍ବାଦ ପାଇ ରାବଣ ଅର୍ଦ୍ଧ ପାଗଳ ଭଳି ଚିତ୍କାର କଲା..ଏହା ଅସମ୍ଭବ ! ମୋର ଯେଉଁ ବୀରମାନେ ଜୀବନରେ ପରାଜୟ କଣ ଜାଣିନଥିଲେ, ସେମାନେ ସମସ୍ତେ ଶ୍ରୀରାମଙ୍କ ହାତରେ ମୃତ୍ୟୁ ବରଣ କରୁଛନ୍ତି। କେବଳ ସେତିକି ନୁହେଁ ଇନ୍ଦ୍ରଜିତର ନାଗଫାଶ ମଧ୍ୟ ଦୁଇ ଭାଇଙ୍କ ଉପରେ ପ୍ରଭାବ ପକାଇବ ପାରୁନାହିଁ।କିଏ ଏହି ଅଦ୍ଭୁତ ବୀର ରାମ !! ସ୍ବୟଂ ନାରାୟଣ ନୁହଁନ୍ତି ତ !!


ଦୁଃଖରେ ବିଗଳିତ ହୃଦୟ,ଅଶ୍ରୁଳ ନେତ୍ରରେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କଲା ରାବଣ।ସବୁଆଡେ ମୃତ୍ୟୁର ଭୟଙ୍କର ତାଣ୍ଡବଲୀଳା। କାନଡ଼େରି ଶୁଣିଲା ରାବଣ..ଲଙ୍କାଗଡର ଆତ୍ମା ଯନ୍ତ୍ରଣାରେ ଛଟପଟ ହୋଇ ବିଳାପ କରୁଛି।

ଦୁଃଖରେ ଭାଙ୍ଗି ପଡିଥିବା ରାବଣକୁ ଶାନ୍ତ୍ବନା ଦେଇ ଇନ୍ରଜିତ କହିଲା..ଯେ ପର୍ଯ୍ୟନ୍ତ ମୁଁ ଜୀବିତ ଅଛି,ଆପଣଙ୍କର ବିବ୍ରତ ହେବାର କାରଣ କିଛି ନାହିଁ।ଏହିକ୍ଷଣି ଯୁଦ୍ଧ କ୍ଷେତ୍ରକୁ ଯାଇ ମୁଁ ଆପଣଙ୍କ ଶତ୍ରୁକୁ ବିନାଶ କରି ଅତି ଶୀଘ୍ର ଲେଉଟି ଆସିବି।"ଏହା କହି ଇନ୍ରଜିତ ଏକ ବିଶାଳ ରାକ୍ଷସ ସେନା ନେଇ ବାନର ସେନା ଉପରେ ଭୟଙ୍କର ଆକ୍ରମଣ କଲା।


ଭୟଙ୍କର ମାୟାଯୁଦ୍ଧରେ ବ୍ୟାପୃତ ଇନ୍ଦ୍ରଜିତ ଆଗରେ ବାନର ସେନା ତିଷ୍ଠିଵା କଷ୍ଟକର ବ୍ୟାପାର ଥିଲା।ମନେହେଲା ସତେ ଯେପରି ଇନ୍ଦ୍ରଜିତ କିଛି ସମୟ ଭିତରେ ଯୁଦ୍ଧରେ ବିଜୟ ଲାଭକରିବ ଏବଂ ରାମ ଲକ୍ଷ୍ମଣଙ୍କୁ ମୃତ ଅଥବା ଜୀବିତ ଅବସ୍ଥାରେ ରାବଣକୁ ଭେଟି ଦେବ।ବାନର ବୀର ମାନଙ୍କର ଶକ୍ତି କ୍ଷୀଣ ହେବାକୁ ଲାଗିଲା।ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଇନ୍ରଜିତ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନିଶ୍ଚେତ କରାଇଦେଲା। କିଛି ସମୟ ମଧ୍ୟରେ ଶ୍ରୀରାମ ଚେତନା ଲାଭ କଲେ, କିନ୍ତୁ ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଲା।ବ୍ରହ୍ମାସ୍ତ୍ରରେ ରାମ ଓ ଲକ୍ଷ୍ମଣଙ୍କୁ ବିବଶ କରି ମେଘନାଦ ରାବଣ ଆଗରେ ପହଞ୍ଚି ସେହି ଶୁଭ ସମ୍ବାଦ ପରିବେଷଣ କଲା।


ଲକ୍ଷ୍ମଣଙ୍କ ଗୁରୁତର ଅବସ୍ଥା ଦେଖି ଶ୍ରୀରାମ ଦୁଃଖରେ ବିଳାପ କରିବାକୁ ଲାଗିଲେ। ବିଭୀଷଣ କହିଲେ.. ରାଜୀବ ଲୋଚନ ! ଏ'ସମୟରେ ଆପଣଙ୍କର ଧୈର୍ଯ୍ୟ ନିତାନ୍ତ ଆବଶ୍ୟକ।ଲଙ୍କାଗଡ଼ରୁ ରାଜବୈଦ୍ୟ ସୁଷେଣଙ୍କୁ ଆଣିପାରିଲେ,ତାଙ୍କ ଚିକିତ୍ସାରେ ସୌମିତ୍ରି ନିଶ୍ଚୟ ଆରୋଗ୍ୟ ଲାଭ କରିବେ।ଏହା ଶୁଣି ହନୁମାନ କାଳବିଳମ୍ବ ନକରି ଲଙ୍କା ଗଡରେ ପହଞ୍ଚି ସୁଷେଣଙ୍କୁ ଶୟନ ଅବସ୍ଥାରେ ପଲ୍ୟଙ୍କ ସହିତ ଉଠାଇ ଆଣିଲେ।ବୈଦ୍ୟମାନେ ସର୍ବଦା ନିରପେକ୍ଷ; ସେମାନଙ୍କ ଆଗରେ ଶତ୍ରୁ ମିତ୍ର ସମସ୍ତେ ସମାନ। ତେଣୁ ଶତ୍ରୁ ଶିବିରରେ ଲକ୍ଷ୍ମଣଙ୍କର ଉତ୍ତମ ଚିକିତ୍ସା କରିବାରେ ସେ କୁଣ୍ଠାବୋଧ କଲେନାହିଁ।ସୁଷେଣ କହିଲେ..ରାତ୍ରି ଥାଉଁ ଥାଉଁ ହିମାଳୟରୁ ଯେବେ ବିଶଲ୍ୟକରଣି ଆଣି ତା'ର ରସ ଲକ୍ଷ୍ମଣଙ୍କ ଶରୀରର ଘାତସ୍ଥାନରେ ପ୍ରଲେପ ଦିଆଯାଏ ତାହେଲେ ସେ ବଞ୍ଚିବେ। ସୂର୍ଯ୍ୟୋଦୟ ପରେ ଏହି ଔଷଧି କୌଣସି କାମ ଦେବନାହିଁ।"


ହନୁମାନଙ୍କୁ ଚାହିଁ ଜାମ୍ବଵାନ କହିଲେ..ସଙ୍କଟ ମୋଚନ ! ତୁମେ ହିଁ ଲକ୍ଷ୍ମଣଙ୍କୁ ଏହି ବିପଦରୁ ରକ୍ଷା କରିପାରିବ।ଏତେ ଅଳ୍ପ ସମୟ ଭିତରେ ତୁମେ ହିଁ ଏହି ଅସାଧ୍ୟ ସାଧନ କରିପାରିବ।"

ଲକ୍ଷ୍ମଣଙ୍କୁ କୋଳରେ ଧରି ବସିଥାନ୍ତି ରାଜୀବ ଲୋଚନ।ଧାର ଧାର ହୋଇ ଆଖିରୁ ବହି ଯାଉଥାଏ ଅବାରିତ ଅଶ୍ରୁ। କହୁଥାନ୍ତି..ଏ ଯୁଦ୍ଧରେ ଆଉ କ'ଣ ଅଛି ସୌମିତ୍ରି ?ତୁ ମୋତେ ଏକା ଛାଡ଼ିଦେଇ କିପରି ଅଜଣା ରାଜ୍ୟକୁ ଚାଲିଗଲୁ ଭାଇ ! କାହିଁକି ମୁଁ ଆଉ ବଞ୍ଚିବି ?" ରାଜୀବଲୋଚନଙ୍କ ଦୁଃଖରେ ଵିଗଳିତ ହନୁମାନ କହିଲେ.ମୋତେ ଆଜ୍ଞା ଦିଅନ୍ତୁ ପ୍ରଭୁ ! ଆଶୀର୍ବାଦ କରନ୍ତୁ, ରାତ୍ରି ଥାଉଁ ଥାଉଁ ହିମାଳୟରୁ ବିଶଲ୍ୟକରଣି ଔଷଧି ଆଣି ମୁଁ ସୁମିତ୍ରାନନ୍ଦନଙ୍କ ପ୍ରାଣ ରକ୍ଷା କରେ।" 

କ୍ରମଶଃ...


Rate this content
Log in

Similar oriya story from Classics