Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୬)

ସରଯୂ ନଦୀର ତୀରେ (୧୨୬)

4 mins
318



ବିଶଲ୍ୟକରଣୀ ପ୍ରଭାବରେ ଲକ୍ଷ୍ମଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଅପୂର୍ବ ଶାରୀରିକ ଶକ୍ତି ଆହରଣ କଲେ। ଇନ୍ଦ୍ରଜିତ'ର ବ୍ରହ୍ମାସ୍ତ୍ର ଆଘାତରେ ଆଉ ଯେତେ ବାନର ଓ ଭଲ୍ଲୁକ ସୈନ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ ସମସ୍ତେ ଦ୍ରୋଣଗିରିରେ ଥିବା ସଞ୍ଜିବନୀଔଷଧ ପ୍ରଭାବରେ ସୁସ୍ଥ ହୋଇ ଦ୍ଵିଗୁଣିତ ଉତ୍ସାହରେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ। ସନ୍ଧ୍ୟା ଗଡିଯାଇ ରାତ୍ରି ପ୍ରବେଶ କରିଥିଲେ ମଧ୍ୟ ରାମସେନା ଲଙ୍କାଗଡକୁ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହେଲେ। ଶ୍ରୀରାମଙ୍କ ନିର୍ଦ୍ଦେଶକ୍ରମେ ବାନର ସେନା ଲଙ୍କା ଗଡରେ ପ୍ରବେଶ କରି ନଗ୍ରରେ ଅଗ୍ନି ସଂଯୋଗ କଲେ।ରାତିର ଅନ୍ଧକାରକୁ ଚିରି ଧୁ ଧୁ ହୋଇ ଜଳୁଥିଲା ଲଙ୍କା ନଗରୀ। ଚତୁର୍ଦ୍ଦିଗରେ ହାହାକାର।ରାକ୍ଷସ ଗଡରେ ଧ୍ବଂସର ତାଣ୍ଡବଲୀଳା ସୃଷ୍ଟି କଲେ ଶ୍ରୀରାମଙ୍କ ସେନା ବାହିନୀ।


ମଧ୍ୟରାତ୍ରିରେ ପ୍ରାସାଦରେ ରକ୍ଷୀକୁ କରାୟତ କରି ରାଜପ୍ରସାଦ ଭିତରେ ପ୍ରବେଶ କଲେ ଶ୍ରୀରାମଙ୍କ ସେନା।ପ୍ରସାଦ ମଧ୍ୟରେ ମଧ୍ୟ ଅଗ୍ନି ସଂଯୋଗ କରି ଭୟଙ୍କର ପରିସ୍ଥିତି ସୃଷ୍ଟି କଲେ। ଯେଉଁ ସହର ଦିନେ ଅମରାବତୀକୁ ନିନ୍ଦା କରୁଥିଲା,ଅଳ୍ପ ସମୟ ଭିତରେ ତାହା ଧ୍ବଂସର ପାଉଁଶ ସ୍ତୁପରେ ପରିଣତ ହେଲା।


ବାଲ୍ମୀକିଙ୍କ ଦ୍ଵାରା ବର୍ଣ୍ଣିତ ଯୁଦ୍ଧର ଏହି ବିଭୀଷିକାର ଆଧୁନିକ ଯୁଗର ରଣ କୌଶଳ ସହିତ ଅନେକ ସାମଞ୍ଜସ୍ୟ ରହିଛି।ଦୁଇ ଦୁଇଟି ବିଶ୍ବଯୁଦ୍ଧ ସମୟରେ ସଂଗ୍ରାମ ରଣକ୍ଷେତ୍ରରେ ସୀମିତ ନରହି ସହର ଓ ଜନବସତିକୁ ବ୍ୟାପି ଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନାଗାସାକୀ ଓ ହିରୋସୀମାରେ ପରମାଣୁ ବୋମା ନିକ୍ଷେପ ଏହାର ଉଦାହରଣ।ଋଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟ ରଣକ୍ଷେତ୍ରରେ ସୀମିତ ନରହି ଜନବସତିକୁ ବହୁଳ ଭାବେ ପ୍ରଭାବିତ କରିଛି। 


ଜଳୁଥିବା ଲଙ୍କାର ଲେଲିହାନ ଅଗ୍ନି ମଧ୍ୟରେ ଦଣ୍ଡାୟମାନ ରାବଣ ଭୟଙ୍କର କ୍ରୋଧରେ କମ୍ପିଗଲା। କୁମ୍ଭକର୍ଣ୍ଣର ଦୁଇ ବୀରପୁତ୍ର କୁମ୍ଭ ଓ ନିକୁମ୍ଭଙ୍କୁ ଉପାକ୍ଷ ଏବଂ ଅନ୍ୟ ରାକ୍ଷସମାନଙ୍କ ସହିତ ରଣକ୍ଷେତ୍ରକୁ ପ୍ରେରଣ କଲାବେଳେ ଗର୍ଜନ କରୁଥିଲା ରାବଣ.. ଜଟାଧାରୀର ମର୍କଟ ଓ ଭଲ୍ଲୁକବାହିନୀକୁ ସମୂଳେ ବିନାଶ କରି ବିଜୟ ଧ୍ଵଜା ଉଡ଼ାଇ ଫେରଆସ ବୀର ପୁତ୍ରଗଣ ।ରଣକ୍ଷେତ୍ରରେ ଭୟଙ୍କର ଯୁଦ୍ଧରେ ସୁଗ୍ରୀବଙ୍କ ହାତରେ କୁମ୍ଭ ଏବଂ ହନୁମାନଙ୍କ ହାତରେ ନିକୁମ୍ଭ ବୀରଗତି ପ୍ରାପ୍ତ ହେଲେ।ଦିବଙ୍ଗତ ରାକ୍ଷସ ଖରର ପୁତ୍ର ମକରାକ୍ଷ ଶ୍ରୀରାମଙ୍କ ସହିତ ଯୁଦ୍ଧ କରିବାର ଦୁଃସାହସ କରି ଯମାଳୟ ଯାତ୍ରା କଲା।ଏହା ସଙ୍ଗେ ସଙ୍ଗେ ଅନେକ ବଳଶାଳୀ ରାକ୍ଷସ ପ୍ରାଣ ହରାଇଲେ। 


ଏଭଳି ଭୟଙ୍କର ପରିସ୍ଥିତିରେ ଅନନୋପାୟ ରାବଣ ପୁନର୍ବାର ପୁତ୍ର ଇନ୍ଦ୍ରଜିତକୁ ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କଲା। ବାରମ୍ବାର ଯୁଦ୍ଧ କରିବା ପରେ ସଫଳତା କରାୟତ ନହେବାରୁ ଇନ୍ଦ୍ରଜିତ ଏକ ନୂତନ ଉପାୟ ସ୍ଥିର କଲା।ଇନ୍ଦ୍ରଜାଲ ଶକ୍ତିର ପ୍ରୟୋଗ କରି ଇନ୍ଦ୍ରଜିତ ଏକ ମାୟା ସୀତା ସୃଷ୍ଟି କଲା ଏବଂ ନିଜ ରଥରେ ତାଙ୍କୁ ନେଇ ରଣ ଭୂମିରେ ସର୍ବସମକ୍ଷରେ ତା'ର ଶିରଛେଦନ କଲା।


ରଣଭୂମିରେ ମାୟାସୀତା ବଧ ପରେ ଶ୍ରୀରାମଙ୍କ ଶିବିରରେ ହାହାକାର ପଡିଗଲା। ରାମ ଓ ଲକ୍ଷ୍ମଣଙ୍କ ପାଖରେ ସମ୍ବାଦ ପହଞ୍ଚିବା ପାଇଁ ବେଶି ସମୟ ଲାଗିଲା ନାହିଁ।ଘୋର ଦୁଃଖରେ ମ୍ରିୟମାଣ ଦାଶରଥି ଅଶ୍ରୁମୋଚନ କରି କହିଲେ..ଆଉ କାହାପାଇଁ ଏ ଯୁଦ୍ଧ ?କଣ ଲାଭ ହେଲା ଏତେ ରକ୍ତପାତ ପରେ ; କିପରି ଅଯୋଧ୍ୟା ଫେରିଯାଇ ପ୍ରଜାଙ୍କ ସମ୍ମୁଖରେ ଏବଂ ପରିବାରବର୍ଗଙ୍କ ନିକଟରେ ମୁହଁ ଦେଖାଇବି ? ସଂସାର ନିନ୍ଦା କରି କହିବ..ରାମ ତା ପତ୍ନୀକୁ ସୁରକ୍ଷା ଦେଇ ପାରିଲା ନାହିଁ। କେଉଁ ମୁହଁ ନେଇ ମୁଁ ରାଜା ଜନକଙ୍କ ସମ୍ମୁଖୀନ ହେବି ?ହେ ବିଧାତା ! ଏ ତୁ କ'ଣ କଲୁ ! ସୀତା ବିନା ଏ ପ୍ରାଣ ଥାଇ କଣ ବା ହେବ ?"


ଶ୍ରୀରାମଙ୍କ ଦୁଃଖରେ ମ୍ରିୟମାଣ ସୌମିତ୍ରିଙ୍କ ଆଖିରୁ ବହିଗଲା ଅବାରିତ ଅଶ୍ରୁ।ମୁଖ ଅବନତ କରି ବସିଥିଲେ ଆଞ୍ଜନେୟ ହନୁମାନ,ଅଙ୍ଗଦ, ସୁଗ୍ରୀବ,ଜାମ୍ବବାନ,ନଳ ଏବଂ ନୀଳ ଆଦି ବୀରଗଣ।


ବିଭୀଷଣ ସେମାନଙ୍କ ନିକଟରେ ପହଞ୍ଚି କହିଲେ..ରାବଣ କଦାପି ସୀତାଙ୍କୁ ବଧ କରିବ ନାହିଁ।ଏହା ମାୟାବୀ ଇନ୍ଦ୍ରଜିତର ଇନ୍ଦ୍ରଜାଲ ଛଡ଼ା ଅନ୍ୟ କିଛି ନୁହେଁ। ଇନ୍ଦ୍ରଜିତ ମାୟା ସୀତା ସୃଷ୍ଟି କରି ସମସ୍ତଙ୍କୁ ବିଭ୍ରମ କରିବାପାଇଁ ସର୍ବସମକ୍ଷରେ ତାକୁ ହତ୍ୟା କରିଛି। ଏହାଦ୍ବାରା ସେ କିଛି ସମୟ ପାଇବ, ନିକୁମ୍ଭିଲା ଠାକୁରାଣୀଙ୍କ ପାଖରେ ଯଜ୍ଞକାର୍ଯ୍ୟ ସମାପନ କରି ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ।ବ୍ରହ୍ମାଙ୍କ ପ୍ରଦତ୍ତ ବର ଅନୁଯାୟୀ ସେ ଯେବେ ଯୁଦ୍ଧ ପୂର୍ବରୁ ଏପରି ଯଜ୍ଞ ସମାପନ କରି ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବାରେ ସମର୍ଥ ହେବ,ତାକୁ ବିନାଶ କରିବା ଅସମ୍ଭବ ବ୍ୟାପାର ହେବ। କାଳବିଳମ୍ବ ନକରି ଆମ୍ଭେମାନେ ସେହି ସ୍ଥାନକୁ ଯିବା ଯେଉଁଠାରେ ଇନ୍ଦ୍ରଜିତ ନିକୁମ୍ଭିଲା ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞକାର୍ଯ୍ୟରେ ନିୟୋଜିତ ଅଛି।ଯଜ୍ଞରେ ପୂର୍ଣ୍ଣାହୂତି ଦେବାପରେ ଇନ୍ଦ୍ରଜିତ ଅଜେୟ ହୋଇ ଉଠିବ।"


ନିକୁମ୍ଭିଲା ଠାକୁରାଣୀଙ୍କ ପୀଠକୁ ବିଭୀଷଣ ଲକ୍ଷ୍ମଣ , ହନୁମାନ ଏବଂ ଅଙ୍ଗଦଙ୍କୁ ବାଟ କଢାଇ ନେଲେ। ପୂର୍ଣ୍ଣାହୂତି ଦେବା ପୂର୍ବରୁ ଏହି ବୀରମାନେ ଯଜ୍ଞରେ ବିଘ୍ନ ସୃଷ୍ଟି କଲେ।ମହାକ୍ରୋଧରେ ଇନ୍ଦ୍ରଜିତ ଅଦୃଶ୍ୟ ହୋଇ ମେଘ ମଣ୍ଡଳରୁ ବାଣ ବୃଷ୍ଟି କଲା। ରଥରେ ବସି ଯୁଦ୍ଧ କରୁଥିବା ଇନ୍ଦ୍ରଜିତ ସହିତ ଭୂମିରେ ଦଣ୍ଡାୟମାନ ହୋଇ ଯୁଦ୍ଧ କରିବା ଲକ୍ଷ୍ମଣଙ୍କ ପାଇଁ ସମ୍ଭବ ହେଲାନାହିଁ। ହନୁମାନ ଲକ୍ଷ୍ମଣଙ୍କୁ ନିଜ କାନ୍ଧରେ ବହନକରି ଇନ୍ଦ୍ରଜିତ ସମ୍ମୁଖରେ ଦଣ୍ଡାୟମାନ ହେଲେ।ଲକ୍ଷ୍ମଣ ଏବଂ ଇନ୍ଦ୍ରଜିତ ମଧ୍ୟରେ ବହୁ ସମୟ ଧରି ଭୟଙ୍କର ସଂଗ୍ରାମ ଲାଗି ରହିଲେ ।


ଶେଷରେ ଶ୍ରୀରାମଙ୍କ ନାମ ଉଚ୍ଚାରଣ କରି ଲକ୍ଷ୍ମଣ ଇନ୍ଦ୍ରାସ୍ତ୍ର ପ୍ରୟୋଗ କଲେ।ଭୟଙ୍କର ଗର୍ଜନ କରି ଇନ୍ଦ୍ରାସ୍ତ୍ର ଇନ୍ଦ୍ରଜିତ ଉପରକୁ ମାଡିଚାଲିଲା। ସେହି ଅମୋଘ ବାଣକୁ ସମସ୍ତ ଚେଷ୍ଟାକରି ମଧ୍ୟ ପ୍ରତିରୋଧ କରିପାରିଲା ନାହିଁ ଇନ୍ଦ୍ରଜିତ।ବାଣ ମେଘନାଦର ମସ୍ତକ ବିକର୍ତ୍ତନ କରି ଲକ୍ଷ୍ମଣଙ୍କ ତୂଣୀରକୁ ଫେରି ଆସିଲା।ଇନ୍ଦ୍ରଜିତର ମସ୍ତକ ଭୂମିରେ ପଡିବା ସହିତ ଏକ ଉଜ୍ଜଳ ଜ୍ୟୋତିର ବିକିରଣ ହେଲା। ଆକାଶରେ ଦେବତା ଓ ଗନ୍ଧର୍ବମାନେ "ଜୟ ଶେଷଦେବ ସୌମିତ୍ରିଙ୍କ ଜୟ" ଧ୍ୱନିରେ ଗଗନ ପବନ ପ୍ରକମ୍ପିତ କରିଦେଲେ।ମହାବଳୀ ମେଘନାଦର ମୃତ୍ୟୁରେ ହାହାକାର ଖଳିଗଲା ରାବଣ ଶିବିରରେ।ଛତ୍ରଭଙ୍ଗ ଦେଇ ଲଙ୍କାକୁ ପଳାୟନ କଲେ ରାକ୍ଷସ ସୈନ୍ୟମାନେ।ସେମାନଙ୍କୁ ବାନର ସେନା ଗୋଡ଼ାଇ ଗୋଡ଼ାଇ ହତ୍ୟା କଲେ।


ଲକ୍ଷ୍ମଣ ଶ୍ରୀରାମଙ୍କ ପାଖରେ ପହଞ୍ଚିଲେ। ଇନ୍ଦ୍ରଜିତ'ର ବାଣ ଆଘାତରେ ରକ୍ତାକ୍ତ ହୋଇଥିଲା ଲକ୍ଷ୍ମଣଙ୍କ ସମଗ୍ର ଅବୟବ।ଦେହର ଏପରି କୌଣସି ସ୍ଥାନ ନଥିଲା ଯେଉଁଠାରୁ ଲହୁ ବହୁନଥିଲା।ଜାମ୍ବଵାନ ଓ ହନୁମାନଙ୍କ ସହାୟତାରେ ଧୀରେ ଧୀରେ ଚାଲୁଥିଲେ ସୌମିତ୍ରି। ଶ୍ରୀରାମଙ୍କ ଆଗରେ ଠିଆ ହେଲେ ଲକ୍ଷ୍ମଣ। ଶ୍ରୀରାମଙ୍କ ଆଖିରେ ଅଶ୍ରୁ ହିଁ ଅଶ୍ରୁ,ଆନନ୍ଦ ଆଉ ଯନ୍ତ୍ରଣାର ମିଶ୍ରିତ ଅଶ୍ରୁ।ରାଜୀବ ଲୋଚନ କହିଲେ..ଭାଇ ମୋର ଲକ୍ଷ୍ମଣ ,ମୋ କୋଳକୁ ଆ। ଆଜି ଅଭୂତପୂର୍ବ କାର୍ଯ୍ୟ କରିଛୁ ଅନୁଜ। ଇନ୍ଦ୍ରଜିତ'ର ବିନାଶ ସଙ୍ଗେ ସଙ୍ଗେ ରାକ୍ଷସ ବଂଶର ବିନାଶ ଘଟିଛି ଏବଂ କେବଳ ତୋ ପାଇଁ ତାହା ସମ୍ଭବ ହୋଇଛି ଭାଇ !"


ସୌମିତ୍ରିଙ୍କୁ କୋଳରେ ବସାଇ ,ନିଜ ଉତ୍ତରୀୟରେ ଲହୁ ପୋଛିଦେଇ କପାଳ ଚୁମ୍ବନ କଲେ ରାଜୀବ ଲୋଚନ ପ୍ରଭୁ ଦାଶରଥି।

ବାସ୍ତବରେ ଇନ୍ଦ୍ରଜିତକୁ ପରାସ୍ତ କରିବା ଅସମ୍ଭବ ବ୍ୟାପାର ଥିଲା। ନିଜେ ଶ୍ରୀବିଷ୍ଣୁଙ୍କ ଅବତାର ଶ୍ରୀରାମ ଇନ୍ଦ୍ରଜିତ ହାତରେ ପରାସ୍ତ ହୋଇ ନାଗଫାଶରେ ବନ୍ଦୀ ହୋଇଥିଲେ।ଗରୁଡଙ୍କ ପ୍ରଚେଷ୍ଟାରୁ ସେ ନାଗଫାଶରୁ ଉଦ୍ଧାର ପାଇଥିଲେ।ଲକ୍ଷ୍ମଣ ଦୁଇଥର ଇନ୍ଦ୍ରଜିତ ହାତରେ ପରାସ୍ତ ହୋଇଥିଲେ (ଥରେ ନାଗଫାଶ ଦ୍ବାରା, ଦ୍ବିତୀୟ ଥର ବ୍ରହ୍ମାସ୍ତ୍ର ଦ୍ବାରା)। ଶ୍ରୀରାମଙ୍କ ବିଜୟ ଓ ପରାଜୟ ମଝିରେ ଏକମାତ୍ର ଇନ୍ଦ୍ରଜିତ କଣ୍ଟକ ହୋଇ ଦଣ୍ଡାୟମାନ ଥିଲା।ଦୁଇ ପକ୍ଷରେ ସେ ଏକମାତ୍ର ବୀର ଥିଲା ଯାହା ପାଖରେ ତିନୋଟି ଧ୍ବଂସକାରୀ ମହାସ୍ତ୍ର ଯଥା ପାଶୁପତ, ବ୍ରହ୍ମାସ୍ତ୍ର ଏବଂ ନାରାୟଣାସ୍ତ୍ର ରହିଥିଲା। ଇନ୍ଦ୍ରଜିତ'ର ମୃତ୍ୟୁ ଭେଦ ଉନ୍ମୋଚନ କରିବାକୁ ଯାଇ ବିଭୀଷଣ ଶ୍ରୀରାମଙ୍କୁ ଥରେ କହିଥିଲେ.. ଯେଉଁ ବ୍ୟକ୍ତି ଚଉଦବର୍ଷ କାଳ ନିରନ୍ତର ଅନିଦ୍ରା ଏବଂ ନିରାହାର ରହିଥିବ ତଥା ପତ୍ନୀ ସହିତ ସହବାସ କରିନଥିବ ସେ ହିଁ ଇନ୍ଦ୍ରଜିତକୁ ବଧ କରିପାରିବ।" ନିରାଶ ହୋଇ ଶ୍ରୀରାମ କହିଥିଲେ.. ଏଭଳି ବ୍ୟକ୍ତି ମୁଁ କେଉଁଠାରୁ ପାଇବି?" ଅଳ୍ପ ଦୂରରେ ଦଣ୍ଡାୟମାନ ଥିବା ଲକ୍ଷ୍ମଣ କହିଥିଲେ..ଅଗ୍ରଜ ! ମୁଁ ସେହି ସମସ୍ତ ଗୁଣର ଅଧିକାରୀ।" ସେଦିନ ମଧ୍ୟ ଆନନ୍ଦ ଆତିଶଯ୍ୟରେ ଲକ୍ଷ୍ମଣଙ୍କୁ କୋଳାଗ୍ରତ କରି ମଥାରେ ଅଜସ୍ର ଚୁମ୍ବନ ଦେଇଥିଲେ ଦାଶରଥି,ଆଉ ଆଜି ଲକ୍ଷ୍ମଣଙ୍କ ଦ୍ବାରା ଇନ୍ଦ୍ରଜିତର ବିନାଶ ପରେ ରାଜୀବ ଲୋଚନଙ୍କ ଆଖିରେ ବିଜୟର ଚମକ ସ୍ପଷ୍ଟ ବାରି ହେଉଥିଲା।

କ୍ରମଶଃ...

(କୁଳମଣି ଷଡଙ୍ଗୀ)


Rate this content
Log in

Similar oriya story from Classics