Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୮)

ସରଯୂ ନଦୀର ତୀରେ (୧୨୮)

4 mins
403



ରାବଣ ଜାଣିଥିଲା ଏହା ଶ୍ରୀରାମଙ୍କ ବିରୁଦ୍ଧରେ ତାର ଅନ୍ତିମ ଯୁଦ୍ଧ।ଜୟ ହେଲେ ଅଖଣ୍ଡ ପୃଥିବୀ ଭୋଗ;ପରାଜୟ ହେଲେ ନାରାୟଣଙ୍କ ହସ୍ତରେ ମୃତ୍ୟୁ ଲାଭକରି ସ୍ବର୍ଗପ୍ରାପ୍ତି।ପର୍ବତ ଭଳି ଦେଖାଯାଉଥିବା ବିଶାଳ ରଥ,ଭୟଙ୍କର ପିଙ୍କାର ଛାଡି ମାଡ଼ି ଚାଲିଥିବା ଅଗଣିତ ହସ୍ତୀ ଏବଂ ଉଚ୍ଚୈଶ୍ରବା ଭଳି ସୁଦୃଶ୍ୟ ଅଶ୍ବମାନଙ୍କ ପୃଷ୍ଠରେ ବସି ରାବଣ ସହିତ ବିରୁପାକ୍ଷ,ମହୋଦର ଓ ମହାପାର୍ଶ୍ବ ସମେତ ମହାପରାକ୍ରମୀ ରାକ୍ଷସ ବୀରଗଣ ଶ୍ରୀରାମଙ୍କ ସେନା ବାହିନୀ ସହିତ ଯୁଦ୍ଧ କରିବାକୁ ରଣଭୂମିରେ ଅବତୀର୍ଣ୍ଣ ହେଲେ।ପୂର୍ଣ୍ଣ ସୈନ୍ୟଶକ୍ତି ସହିତ ରଣାଙ୍ଗନରେ ଅବତୀର୍ଣ୍ଣ ବିଂଶପାଣି।ଉଲ୍କାପାତ,ଦିବସରେ ଶୃଗାଳ ନର୍ତ୍ତନ,ଆକାଶରୁ ରକ୍ତପାତ ଏବଂ ଭୂମିକମ୍ପ ଭଳି ଅପଶକୁନ, ଯୁଦ୍ଧ ଭୂମିରେ ପହଞ୍ଚିବା ପୂର୍ବରୁ ଦେଖାଗଲେ ମଧ୍ୟ ସେଥିପାଇଁ ଚିନ୍ତା କରିବାର ଅବସର ନଥିଲା ବିଂଶପାଣି ପାଖରେ।


ସମ୍ମୁଖରେ ରାକ୍ଷସମାନଙ୍କୁ ରାବଣ ସହିତ ଉପସ୍ଥିତ ଦେଖି ଶ୍ରୀରାମବାହିନୀ ଶିଳା,ଶୈଳ,ବୃକ୍ଷ ଆଦି ହାତରେ ଧରି ବୀର ବିକ୍ରମରେ ସେମାନଙ୍କ ଉପରେ ପ୍ରହାର କଲେ।ରାକ୍ଷସ ଯୋଦ୍ଧାମାନେ ଖଡ଼୍'ଗ ଭାଲ ଭୂଷା ଆଦି ଧରି ବାନର ମାନଙ୍କୁ ଆକ୍ରମଣ କଲେ।ଭୟଙ୍କର ଯୁଦ୍ଧରେ ଥରି ଉଠିଲା ରଣାଙ୍ଗନ। ରାକ୍ଷସମାନଙ୍କ ଆକ୍ରମଣରେ ଅଗଣିତ କପିସେନା ମୃତ ହେବାର ଦେଖି ଶ୍ରୀରାମ ଧନୁରେ ବାଣ ସଂଯୋଗ କରି ବିଶାଳ ରାକ୍ଷସ ବାହିନୀ ଉପରେ ପ୍ରହାର କଲେ। ଶ୍ରୀରାମଙ୍କ ବାଣରେ କଟାରରେ କଦଳୀ ବୃକ୍ଷ କଟିଲାପରି ଅସୁମାରୀ ରାକ୍ଷସ ଯୁଦ୍ଧ କ୍ଷେତ୍ରରେ ପଡି ମୃତ୍ୟୁର ଶୀତଳ ସ୍ପର୍ଶ ଲାଭ କଲେ।ଆକାଶରୁ ବାଣ ନୁହେଁ ,ଅଗ୍ନି ବର୍ଷା ହେଉଥିଲା। ଅସୁମାରୀ ରାକ୍ଷସଙ୍କ ଶବରେ ସୃଷ୍ଟହେଲା ପାହାଡ।ରାକ୍ଷସମାନେ ପଳାଇବା ପାଇଁ ବାଟ ପାଇଲେ ନାହିଁ।ବିରୁପାକ୍ଷ,ମହୋଦର ଏବଂ ସୁପାର୍ଶ୍ବ ଯୁଦ୍ଧରେ ପ୍ରାଣ ହରାଇଲେ।


ମହାକାଳ ଭଳି ଲକ୍ଷ୍ମଣ ମାଡ଼ି ଆସୁଥିଲେ ରାବଣର ସମ୍ମୁଖୀନ ହେବାପାଇଁ।ରାବଣ କିନ୍ତୁ ଜଣଙ୍କୁ ଖୋଜି ବୁଲୁଥିଲା;ତାର ଚିରଶତ୍ରୁ ଶ୍ରୀରାମଙ୍କୁ। ଘୃଣା ଓ ପ୍ରତିଶୋଧ ଭାବନାରେ ଜଳୁଥିଲା ତାର ହୃଦୟ। ଲକ୍ଷ୍ମଣଙ୍କୁ ଅତିକ୍ରମ କରି ସେ ଶ୍ରୀରାମଙ୍କ ସମ୍ମୁଖୀନ ହେଲା। ଶ୍ରୀରାମ ନିଜେ ବିସ୍ମୃତ ଥିଲେ ଯେ ସେ ବିଷ୍ଣୁଙ୍କର ପୂର୍ଣ୍ଣବ୍ରହ୍ମ ଅବତାର ଏବଂ ରାବଣ ଦିନେ ଥିଲା ବିଷ୍ଣୁଙ୍କ ବୈକୁଣ୍ଠ ପୁରର ଅଭିଶପ୍ତ ଦ୍ଵାରପାଳ। ସ୍ମୃତି ବିସ୍ମୃତ ଭକ୍ତ ଓ ଭଗବାନ ଆଜି ଭୟଙ୍କର ଯୁଦ୍ଧ ପାଇଁ ପରସ୍ପରର ସମ୍ମୁଖୀନ ହୋଇଛନ୍ତି। ଋଷି,ଦେବତା,ଯକ୍ଷ,ଗନ୍ଧର୍ବ,ନାଗଲୋକବାସୀ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ଏହି ମହାସଂଗ୍ରାମ ନିଃଶୁଳ୍କ ଦେଖିବା ପାଇଁ।


ଶ୍ରୀରାମଙ୍କୁ ସମ୍ମୁଖରେ ଦେଖି ମହାକ୍ରୋଧରେ ଅମୋଘ ବାଣର ବର୍ଷା କଲା ରାବଣ।ରାବଣର ଵାଣବର୍ଷା ଶ୍ରୀରାମଙ୍କୁ ତିଳେହେଁ ବିଚଳିତ କଲାନାହିଁ।ରାବଣର ସମସ୍ତ ବାଣ ପ୍ରତିହତ କରି ଶ୍ରୀରାମ ରାକ୍ଷସ ଉପରକୁ ଅନେକ ଦିବ୍ୟବାଣ ପ୍ରହାର କଲେ, କିନ୍ତୁ ସେ ସମସ୍ତ ଵାଣ ରାଵଣର ବକ୍ଷ ଭେଦ କଲାନାହିଁ।ବେଳୁ ବେଳ ଯୁଦ୍ଧ ଭୟଙ୍କର ହେବାରେ ଲାଗିଲା; ପୃଥିବୀ ଥରଥର ହୋଇ କମ୍ପିଲା। ଏପରି ଯୁଦ୍ଧ ଅଭୂତପୂର୍ବ ଏବଂ ଅଶ୍ରୁତପୂର୍ବ ବୋଲି ଦେବତା ଓ ଋଷିମାନେ କୁହାକୁହି ହେଲେ।


ବିଭୀଷଣଙ୍କୁ ନିକଟରେ ଦେଖି ରାବଣର ମୁଣ୍ଡକୁ ଅଗ୍ନି ଚଢିଗଲା। "ଘରବୁଡା ବିଭୀଷଣ,ଆଜି ତୋର ମୃତ୍ୟୁ ମୋ ହାତରେ ସୁନିଶ୍ଚିତ"କହି ରାବଣ, ବିଭୀଷଣ ଉପରକୁ ଏକ ଅମୋଘ ଶକ୍ତି କ୍ଷେପଣ କଲା।ତାହା ନିଶ୍ଚିତ ଭାବରେ ବିଭୀଷଣଙ୍କୁ ନିହତ କରିଥାନ୍ତା; କିନ୍ତୁ ବିଜୁଳି ବେଗରେ ଲକ୍ଷ୍ମଣ ସେହି ଶକ୍ତିକୁ ପ୍ରତିହତ କରି ବିଭୀଷଣଙ୍କ ପ୍ରାଣ ବଞ୍ଚାଇ ଦେଲେ।ରାବଣ ପୁନର୍ବାର ଏକ ଅମୋଘ ଶକ୍ତି ବିଭୀଷଣ ଉପରକୁ ନିକ୍ଷେପ କଲା।ତାହା ମଧ୍ୟ ଲକ୍ଷ୍ମଣ ପ୍ରତିହତ କଲେ।ଲକ୍ଷ୍ମଣଙ୍କର ଏଭଳି କାର୍ଯ୍ୟରେ ବିରକ୍ତ ହୋଇ ରାବଣ ଲକ୍ଷ୍ମଣଙ୍କ ଉପରକୁ ଏକ ଶକ୍ତି ପ୍ରହାରକରି କହିଲା..ମୋ' ପୁତ୍ରହନ୍ତା ଲକ୍ଷ୍ମଣ ! ଏବେ ତୋର ମୃତ୍ୟୁ ସୁନିଶ୍ଚିତ ।" 


ଶକ୍ତିର ପ୍ରଭାବରେ ଲକ୍ଷ୍ମଣ ଚେତନାଶୂନ୍ୟ ହୋଇଗଲେ।ଏବେ ଶ୍ରୀରାମଙ୍କ ବାଣରେ ସମ୍ମୁଖୀନ ହେଲା ରାବଣ।ରାମ ରାବଣଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ସମୟରେ ହନୁମାନ ହିମାଳୟର ଦ୍ରୋଣ ଗିରିକୁ ଦ୍ଵିତୀୟ ବାର ଯାଇ, ସଞ୍ଜିବନୀ ଔଷଧି ଆଣି, ଶକ୍ତି ଆଘାତରେ ଚେତନା ଶୂନ୍ୟ ହୋଇ ପଡିଥିବା ଲକ୍ଷ୍ମଣଙ୍କୁ ଆରୋଗ୍ୟ କଲେ। ନୂତନ ଶକ୍ତି ଲାଭକରି ନୂତନ ଉଦ୍ଦିପନା ସହିତ ଲକ୍ଷ୍ମଣ ପୁନର୍ବାର ରଣଭୂମିରେ ଅବତୀର୍ଣ୍ଣ ହେଲେ।(ବାଲ୍ମୀକି ରାମାୟଣ ଅନୁଯାୟୀ ହନୁମାନ ଦୁଇଥର ମୃତ୍ୟୁ ସଞ୍ଜିବନୀ ଔଷଧି ପାଇଁ ହିମାଳୟସ୍ଥ ଦ୍ରୋଣଗିରିକୁ ଯାଇ ଲକ୍ଷ୍ମଣଙ୍କ ପ୍ରାଣ ବଞ୍ଚାଇଥିଲେ)।


ଦେବରାଜ ଇନ୍ଦ୍ର ଆକାଶ ମାର୍ଗରୁ ରାମ-ରାବଣ ଯୁଦ୍ଧ ଉତ୍ସୁକତାର ସହିତ ଦେଖୁଥିଲେ। ବିଶାଳ ରଥରେ ଆସୀନ ରାବଣ ସହିତ ବିନାରଥ କିମ୍ବା ବାହନରେ ଯୁଦ୍ଧ କରୁଥିବା ଶ୍ରୀରାମଙ୍କ ସହାୟତା ପାଇଁ ସେ ନିଜର ରଥ ଶ୍ରୀରାମଙ୍କ ନିକଟକୁ ପ୍ରେରଣ କଲେ। ଇନ୍ଦ୍ରଙ୍କ ସାରଥୀ ମାତଳି ଶ୍ରୀରାମଙ୍କ ନିକଟରେ ପହଞ୍ଚି କହିଲେ.. ପ୍ରଭୁ ,ଆପଣ ଦେବଲୋକ,ନାଗଲୋକ ଏବଂ ମର୍ତ୍ତ୍ୟଲୋକର ସମସ୍ତ ପ୍ରାଣୀଙ୍କ ପାଇଁ ଏହି ମହା ସଂଗ୍ରାମରେ ବ୍ରତୀ ଅଛନ୍ତି।ଆପଣଙ୍କ ସହାୟତା ପାଇଁ ଦେବରାଜ ଏହି ରଥ ଆପଣଙ୍କ ପାଇଁ ପ୍ରେରଣ କରିଛନ୍ତି; ଦୟା ପୂର୍ବକ ଗ୍ରହଣ କରନ୍ତୁ।"


ଶ୍ରୀରାମ ଆନନ୍ଦର ସହିତ ଦେବରାଜଙ୍କର ସହାୟତା ଗ୍ରହଣ କଲେ।ଦେବତାମାନଙ୍କୁ ନମସ୍କାର କରି, ଇନ୍ଦ୍ରପ୍ରଦତ୍ତ ରଥକୁ ପ୍ରଦକ୍ଷିଣକରି ଶ୍ରୀରାମ ,ମାତଳିଙ୍କ ଦ୍ବାରା ଚାଳିତ ରଥ ଆରୋହଣ କଲେ ଏବଂ ରାବଣ ସହିତ ଭୟଙ୍କର ଯୁଦ୍ଧରେ ନିମଜ୍ଜିତ ହେଲେ। ଶ୍ରୀରାମଙ୍କ ବାଣ ଆଘାତରେ ରାବଣ ଅଚେତ ହୋଇ ପଡ଼ିବାର ଦେଖି ତାର ସାରଥୀ ଦ୍ରୁତ ଗତିରେ ରଥକୁ ଲଙ୍କା ଆଡ଼କୁ ବାହିନେଲା।ନିଜର ପ୍ରାସାଦରେ ପହଞ୍ଚିବା ପୂର୍ବରୁ ରାବଣ ଚେତନା ଲାଭକରି ଯେତେବେଳେ ସାରଥୀର କାର୍ଯ୍ୟ କଳାପ ଜାଣିଲା, କ୍ରୋଧରେ କମ୍ପିଯାଇ ସାରଥୀକୁ ଭର୍ତ୍ସନା କରି କହିଲା.. ପଛଘୁଞ୍ଚା ବା ପଳାୟନ ରାବଣର ଜାତକରେ ନାହିଁ।ଅତି ଶୀଘ୍ର ମୋ ରଥ ରଣକ୍ଷେତ୍ରକୁ ଲେଉଟାଇ ନିଅ।"


ରାବଣର ପ୍ରତ୍ୟାବର୍ତ୍ତନ ପରେ ପୁଣି ଥରେ ଭୟଙ୍କର ଯୁଦ୍ଧ ଲାଗିଗଲା ଶ୍ରୀରାମ ଓ ରାବଣ ମଧ୍ୟରେ। ପରସ୍ପରଙ୍କ ବାଣ ଆଘାତରେ ସୃଷ୍ଟି ହେଉଥିଲା ଲେଲିହାନ ଅଗ୍ନିଶିଖା।ବହୁସମୟ ଏହିପରି ମହାସଂଗ୍ରାମ ଲାଗି ରହିଲା। ସୁଯୋଗ ପାଇ ମାତଳି ଧୀର କଣ୍ଠରେ ଶ୍ରୀରାମଙ୍କୁ କହିଲେ..ରାବଣର ଅନ୍ତ ସମୟ ଉପସ୍ଥିତ ପ୍ରଭୁ ! ଆପଣ କ'ଣ ଭୁଲିଗଲେ ବ୍ରହ୍ମାସ୍ତ୍ର ଆପଣଙ୍କ ପାଖରେ ରହିଛି ବୋଲି ?


ଶ୍ରୀରାମ ବ୍ରହ୍ମାସ୍ତ୍ରକୁ ଆବାହନ କରି ରାବଣ ଉପରେ ପ୍ରହାର କଲେ।ଆକାଶରୁ ଉଲ୍'କାର ମାଳ ଖସିଲା ପରି ରାବଣର ଦଶ ମସ୍ତକ ଭୂଲୁଣ୍ଠିତ ହେଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, ପୁନର୍ବାର ଦଶଗୋଟି ମସ୍ତକ କାନ୍ଧ ଉପରେ ସୃଷ୍ଟି ହେଲେ। ରାମଚନ୍ଦ୍ର ପୁନର୍ବାର ବାଣ ପ୍ରହାର କଲେ।ଏଥର ମଧ୍ୟ ବିକର୍ତ୍ତିତ ହୋଇ ଦଶ ମସ୍ତକ ଭୂଲଣ୍ଠିତ ହେବାପରେ ପୁନର୍ବାର କାନ୍ଧ ଉପରେ ସୃଷ୍ଟ ହେଲେ ଦଶ ମସ୍ତକ।ମାତଳି କହିଲେ.. ପ୍ରଭୁ ,ରାକ୍ଷସର ମସ୍ତକ କର୍ତ୍ତନ ନକରି ବ୍ରହ୍ମାସ୍ତ୍ରକୁ ବକ୍ଷଦେଶରେ ପ୍ରହାର କଲେ ତାର ମୃତ୍ୟୁ ଅବଶ୍ୟମ୍ଭାବୀ,ଏହା ଆପଣ ଜାଣନ୍ତି, ମୁଁ ଅଧିକ କଣ କହିବି ? କୌଣପର ବକ୍ଷରେ ରହିଛି ଅମୃତ ପାତ୍ର।ତାହା ବିନଷ୍ଟ ନହେଲେ କାନ୍ଧରେ ଏହିପରି ବାରମ୍ବାର ମସ୍ତକ ଉତ୍ତୀର୍ଣ୍ଣ ହେଉଥିବ ତଥା ରାକ୍ଷସର ମୃତ୍ୟୁ ହେବନାହିଁ।"

 

ପର ମୁହୂର୍ତ୍ତରେ ଅଗସ୍ତି ଋଷିଙ୍କ ପ୍ରଦତ୍ତ ବ୍ରହ୍ମାସ୍ତ୍ର ଶ୍ରୀରାମଙ୍କ କୋଦଣ୍ଡରୁ ନିର୍ଗତ ହୋଇ ରାବଣର ବକ୍ଷଦେଶ ବିଦ୍ଧକଲା।ରାବଣର ପ୍ରାଣହୀନ ଶରୀର ଯୁଦ୍ଧ କ୍ଷେତ୍ରରେ ପତିତ ହେଲା।ଅତ୍ୟାଚାରର ଗୋଟିଏ ଯୁଗର ଅନ୍ତ ହେଲା।


କ୍ରମଶଃ


Rate this content
Log in

Similar oriya story from Classics