Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୫)

ସରଯୂ ନଦୀର ତୀରେ (୧୨୫)

4 mins
354



ବୈଦ୍ୟରାଜ ସୁଷେଣଙ୍କ ପରାମର୍ଶ ଅନୁଯାୟୀ ହନୁମାନ ଲମ୍ଫଦେଇ ଆକାଶ ମାର୍ଗକୁ ଉଠିଲେ ଏବଂ ଉଡ଼ି ଚାଲିଲେ ହିମାଳୟ ଅଭିମୁଖେ। ହନୁମାନଙ୍କର ହିମାଳୟ ଯାତ୍ରାର ସମ୍ବାଦ ରାବଣର କର୍ଣ୍ଣଗୋଚର ହେଲା।ରାବଣର ରାଜସଭାରେ କାଳନେମୀ ନାମକ ଏକ ମାୟାବୀ ରାକ୍ଷସ ମନ୍ତ୍ରୀ ରୂପେ ନିଯୁକ୍ତ ଥିଲା।କାଳନେମୀ ଦିବଙ୍ଗତ ମାରୀଚର ପୁତ୍ର ଥିଲା ଏବଂ ପିତା ଭଳି ମାୟାବିଦ୍ୟାରେ ଧୁରନ୍ଧର ଥିଲା।ରାବଣ କାଳନେମୀକୁ କହିଲା..ବାୟୁପୁତ୍ର ହନୁମାନ ବର୍ତ୍ତମାନ ମୃତ୍ୟୁସଞ୍ଜିବନୀ ଜଡ଼ିବୁଟି ପାଇଁ ଦ୍ରୋଣଗିରି ଅଭିମୁଖେ ଯାତ୍ରା କରୁଛି। ସଞ୍ଜିବନୀ ଔଷଧି ପ୍ରଭାତ ପୂର୍ବରୁ ଆଣି ନ'ପାରିଲେ ଲକ୍ଷ୍ମଣର ମୃତ୍ୟୁ ସୁନିଶ୍ଚିତ। ସେହି ଦୁଃଖରେ ରାମ ମଧ୍ୟ ଝୁରି ଝୁରି ପ୍ରାଣତ୍ୟାଗ କରିଵ।ପରାଜୟର ଦ୍ୱାରଦେଶରେ ରହିଥିବା ଲଙ୍କାଗଡ ନିଶ୍ଚିତ ଭାବରେ ବିଜୟଶ୍ରୀ ବିମଣ୍ଡିତ ହେବ।କାଳନେମୀ ! ହନୁମାନକୁ ତୋତେ କୌଣସି ପ୍ରକାରେ ଅଟକାଇବାକୁ ହେବ।ସେଥିପାଇଁ ମୁଁ ତୋତେ ଉପଯୁକ୍ତ ପୁରସ୍କାର ପ୍ରଦାନ କରିବି। କାଳବିଳମ୍ବ ନକରି ତୁ ଏହି କାର୍ଯ୍ୟ ସମ୍ପାଦନ କର।"


କାଳନେମୀ ଏକ ବୁଦ୍ଧିମାନ ରାକ୍ଷସ ଥିଲା।ସେ ପ୍ରଶ୍ନକଲା.. ମୁଁ ହନୁମାନକୁ ଅଟକାଇବାରେ ସଫଳ ହେଲେ ମୋତେ ଆପଣ କେଉଁ ପ୍ରକାର ପୁରସ୍କାର ଦେବେ ଲଙ୍କପତି ?" ରାବଣ କହିଲା.. ମୁଁ ତୋତେ ଲଙ୍କା କଟକର ଅର୍ଦ୍ଧେକ ଦାନକରି ସେଠାରେ ରାଜପଦରେ ଅଭିଷିକ୍ତ କରିବି।" ଏହାଶୁଣି କାଳନେମୀ ଆନନ୍ଦରେ ଗଦ୍'ଗଦ ହୋଇ କହିଲା..ଆପଣଙ୍କ ଯୋଜନା ସଫଳ ହେଲା ବୋଲି ଜାଣନ୍ତୁ ଲଙ୍କେଶ। ହନୁମାନକୁ ବିନାଶ କରି ମୁଁ ଆପଣଙ୍କ ଯୋଜନାକୁ ସଫଳ କରିବି।ମୋର ଅନୁରୋଧ,ମୁଁ ସଫଳକାମ ହୋଇ ଫେରିବା ପରେ ସଙ୍ଗେ ସଙ୍ଗେ ମୋତେ ଆପଣ ଲଙ୍କା କଟକରୁ ଅର୍ଦ୍ଧେକ ପ୍ରଦାନ କରି ରାଜା ଘୋଷିତ କରିବେ।"


ଏହା ଶୁଣି ରାବଣ କହିଲା.. ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ।, କିନ୍ତୁ ଭାବିଲା..ମନେ ମନେ ଲଡ଼ୁ ଖାଉଛି କାଳନେମୀ, ଫେରିଲେ 'କାଳନେମୀ'କୁ 'ସ୍ବର୍ଗଗାମୀ' ହେବାକୁ ପଡ଼ିବ।"'


ହିମାଳୟର ପାଦଦେଶରେ କାଳନେମୀ ଏକ ମାୟାଆଶ୍ରମ ନିର୍ମାଣ କରି ସେଠାରେ ସନ୍ୟାସୀ ବେଶରେ ଧ୍ୟାନମଗ୍ନ ହେଲା। ଆଶ୍ରମର ପରିବେଶ ଅତ୍ୟନ୍ତ ମନୋହର ଥିଲା।ନାନା ରଙ୍ଗର ପ୍ରସ୍ଫୁଟିତ ପଦ୍ମ ଫୁଲରେ ଭରା ପୁଷ୍କରିଣୀର ସୁଶୀତଳ ଜଳ ଦେଖି ସେଠାରେ ସ୍ନାନ କରିବା ପାଇଁ ହନୁମାନଙ୍କର ଇଚ୍ଛା ହେଲା। ଆକାଶମାର୍ଗରୁ ନିମ୍ନଗାମୀ ହୋଇ ହନୁମାନ ଆଶ୍ରମରେ ପହଞ୍ଚି ଧ୍ୟାନମଗ୍ନ ଋଷିଙ୍କୁ କହିଲେ..ମୁନିଶ୍ରେଷ୍ଠ ! ଆପଣଙ୍କ ଅନୁମତି ପାଇଲେ ଏହି ସୁଶୀତଳ ପୁଷ୍କରିଣୀରେ ସ୍ନାନ କରି ଶ୍ରମ ଅପନୋଦନ କରନ୍ତି।


 ମାୟାବୀ କାଳନେମୀ କହିଲା.. ନିଶ୍ଚିତ ଭାବରେ ବତ୍ସ ! କେବଳ ସ୍ନାନ କାହିଁକି,ସ୍ନାନ ଅନ୍ତେ ଫଳମୂଳ ସେବନ କରି କ୍ଷୁଧା ନିବାରଣ କର।ତୁମେ ଯେଉଁ ମହତ କାର୍ଯ୍ୟରେ ଯାତ୍ରା କରୁଛ, ମୋତେ ତାହା ଭଲଭାବରେ ଜଣା। ଦ୍ରୋଣ ଗିରିରେ ସଞ୍ଜିବନୀ ଠାବ କରିବାରେ ମୁଁ ତୁମକୁ ସାହାଯ୍ୟ କରିବି, ଚିନ୍ତା କରନାହିଁ।"


ହନୁମାନଙ୍କ ମନରେ କିଛି ସନ୍ଦେହ ଜାତ ହେଲା।ଭାବିଲେ..ମୋ ଯାତ୍ରାର ଉଦ୍ଦେଶ୍ୟ ଏ ମହାଶୟ କିପରି ଜାଣିଲେ ?, କିନ୍ତୁ ପ୍ରକାଶ୍ୟରେ କହିଲେ..ମୁନିଶ୍ରେଷ୍ଠ ! ମୋର ଖାଦ୍ୟ ବା ବିଶ୍ରାମ ଆବଶ୍ୟକ ନାହିଁ,କେବଳ ପୁଷ୍କରିଣୀରେ ସ୍ନାନ ଶେଷକରି ମୁଁ ମୋ ଗନ୍ତବ୍ୟ ପଥରେ ଚାଲିଯିବି।"ମାୟାଋଷି ରୂପୀ କାଳନେମୀ କହିଲା.. ଯେପରି ତୁମର ଇଚ୍ଛା ବତ୍ସ !


ହନୁମାନ ପୁଷ୍କରିଣୀ ଜଳରେ ପ୍ରବେଶ କରୁ କରୁ ଏକ ବିଶାଳକାୟ କୁମ୍ଭୀର ତାଙ୍କୁ ଆକ୍ରମଣ କଲା। କୁମ୍ଭୀର ମୁଖ ବ୍ୟାଦାନ କରି ହନୁମାନଙ୍କୁ ଗିଳିବା ପାଇଁ ପ୍ରୟାସ କଲା। ହନୁମାନ କୁମ୍ଭୀରର ପାଟିକୁ ଦୁଇଫାଳ କରି ଚିରିଦେଲେ। ପୁଷ୍କରିଣୀର ଜଳ ରକ୍ତାକ୍ତ ହୋଇଗଲା। ରକ୍ତାକ୍ତ ଜଳ‌ ଦେଖି କାଳନେମୀ ଭାବିଲା ହନୁମାନଙ୍କୁ କୁମ୍ଭୀର ଭକ୍ଷଣ କରିଛି।ମନ ତାର ଆନନ୍ଦରେ ଉଦ୍ବେଳିତ;ଲଙ୍କା ରାଜ୍ୟରୁ ଅର୍ଦ୍ଧେକ ପାଇବା ଆଶାରେ ରାବଣ ପାଖକୁ ଫେରିବା ଆରମ୍ଭ କଲା କାଳନେମୀ।


ବାସ୍ତବରେ କୁମ୍ଭୀର ଏକ ଅଭିଶପ୍ତ ଦେବକନ୍ୟା ଥିଲା। ହନୁମାନଙ୍କ ହାତରେ କୁମ୍ଭୀରର ମୃତ୍ୟୁ ପରେ ତା' ଶରୀରରୁ ବାହାରି ଯୋଡହସ୍ତରେ ଦେବକନ୍ୟା କହିଲା..ହେ ଆଞ୍ଜନେୟ! ମୁଁ ଆପଣଙ୍କ ପାଖରେ ଚିରଋଣୀ, ପ୍ରଜାପତିଙ୍କଠାରୁ ଅଭିଶାପ ପାଇ ମୁଁ କୁମ୍ଭୀର ରୂପରେ ଅନେକ ଦିନ ଧରି ଆପଣଙ୍କ ଅପେକ୍ଷାରେ ରହିଥିଲି। ପ୍ରଜାପତି ମୋତେ କହିଥିଲେ ,ଆପଣ ଯେତେବେଳେ ଶ୍ରୀରାମଙ୍କ କାର୍ଯ୍ୟରେ ଦ୍ରୋଣ ଗିରିକୁ ଯାତ୍ରାକରିବେ ଏହି ପୁଷ୍କରିଣୀରେ ଆପଣଙ୍କୁ ଆକ୍ରମଣ କଲେ କୁମ୍ଭୀରକୁ ବିନାଶ କରି ଆପଣ ମୋତେ ମୁକ୍ତି ପ୍ରଦାନ କରିବେ।ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି। ମୁଁ ମୁକ୍ତିଲାଭ କରି ସ୍ୱର୍ଗକୁ ଯାତ୍ରା କରୁଛି,ଆପଣଙ୍କ ଯାତ୍ରା ସଫଳ ହେଉ।" 


ହନୁମାନ ମାୟାବୀ ଋଷିର ପ୍ରକୃତ ପରିଚୟ ପାଇ ତା ପଛରେ ଆକାଶ ମାର୍ଗରେ ଗତିକରି ତାକୁ ଆକ୍ରମଣ କଲେ। ଦୁହିଁଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିଲା। ଶେଷରେ କାଳନେମୀକୁ ବିନାଶ କରି ହନୁମାନ ତାର ଶବକୁ ଲଙ୍କାଗଡ ଦିଗକୁ ଫିଙ୍ଗିଦେଲେ।କାଳନେମୀର ରକ୍ତାକ୍ତ ମୃତ ଶରୀର ରାବଣ ନିକଟରେ ପଡ଼ିଲା।


କାଳ ବିଳମ୍ବ ନକରି ହନୁମାନ ହିମାଳୟର ରିଷଭ ଏବଂ କୈଳାସ ପର୍ବତର ମଝିରେ ଥିବା ଦ୍ରୋଣ ଗିରି ବା ଗନ୍ଧମାର୍ଦ୍ଦନ ନାମକ ଔଷଧି-ପର୍ବତକୁ,ସଞ୍ଜିବନୀ ବୁଟି ପାଇଁ ତନ୍ନ ତନ୍ନ କରି ଖୋଜିବାରେ ଲାଗିଲେ।ବୈଦ୍ୟରାଜ ସୁଷେଣ ସଞ୍ଜିବନୀ ଔଷଧର ଯେଉଁ ପ୍ରକାର ବର୍ଣ୍ଣନା କରିଥିଲେ, ହନୁମାନ ତାହା ଖୋଜି ଖୋଜି ପାଇଲେ ନାହିଁ।ଏଣେ ସମୟ ଅତିକ୍ରାନ୍ତ ହୋଇ ଯାଉଛି। ପ୍ରଭାତ ହେଲେ ଔଷଧି କୌଣସି କାର୍ଯ୍ୟରେ ଲାଗିବ ନାହିଁ। କାଳବିଳମ୍ବ ନକରି ହନୁମାନ ଔଷଧି ପର୍ବତକୁ ଉତ୍ପାଟନ କରି ଆକାଶ ମାର୍ଗକୁ ଉଠିଲେ। ବାଟରେ ଅଯୋଧ୍ୟା ନଗ୍ରର ଉପକଣ୍ଠ ନନ୍ଦିଗ୍ରାମ ନିକଟରେ, ଆକାଶ ମାର୍ଗରେ ପର୍ବତ ଶିଖର ଧରି ଉଡୁଥିବା ହନୁମାନଙ୍କୁ ଦେଖି ଭରତ ଆଶ୍ଚର୍ଯ୍ୟ ହେଲେ।କି ଅଦ୍ଭୁତ ଏ ଦୃଶ୍ୟ ! ଉଡ୍ଡୀୟମାନ ହନୁମାନଙ୍କୁ ମାୟାବୀ ରାକ୍ଷସ ମନେକରି ତାଙ୍କ ଉପରକୁ ବାଟୁଳି ପ୍ରହାର କଲେ ଭରତ। ବିଜୁଳି ବେଗରେ ବାଟୁଳି ଯାଇ ହନୁମାନଙ୍କ କପାଳରେ ଲାଗିଲା।ଇନ୍ଦ୍ରଙ୍କ ବଜ୍ରଠାରୁ ଅଧିକ ଶକ୍ତିଶାଳୀ ଥିଲା ଭରତଙ୍କ ବାଟୁଳି। ସେହିଠାରେ ଅଚେତ ହୋଇ ଭୂମିରେ ପଡ଼ିଗଲେ ମାରୁତି।


ରାମାନୁଜ ଭରତ ସେଠାରେ ପହଞ୍ଚି ହନୁମାନଙ୍କ ମୁଖରେ ଜଳ ସିଞ୍ଚନ କରି ସାଷ୍ଟାଂମ କରିବା ପରେ, ହନୁମାନଙ୍କ ମୁଖରୁ "ହେ ରାମ,ହେ ରାମ !" ଶବ୍ଦ ଶୁଣି କହିଲେ..କିଏ ତୁମେ ମହାତ୍ମା ! ମୋ ଦେବୋପମ ଅଗ୍ରଜଙ୍କର ନାମ ଭଜନ କରୁଛ ! ହନୁମାନ କହିଲେ.. ମୁଁ ଅଯୋଧ୍ୟାର ଜ୍ୟେଷ୍ଠଯୁବରାଜ ଶ୍ରୀରାମଙ୍କ ଭୃତ୍ୟ। ପ୍ରଭୁଙ୍କ କାର୍ଯ୍ୟରେ ହିମାଳୟକୁ ଯାଇଥିଲି ସଞ୍ଜିବନୀ ଜଡ଼ିବୁଟି ପାଇଁ।ସଞ୍ଜିବନୀ ଲତା ଚିହ୍ନି ନପାରି ଦ୍ରୋଣ ଗିରି ଉତ୍ପାଟନ କରି ପ୍ରଭୁଙ୍କ ନିକଟକୁ ଫେରୁଥିଲି।ମୋ ପ୍ରଭୁଙ୍କ ଭଳି ଦେଖାଯାଉଛନ୍ତି ଆପଣ।ଆପଣଙ୍କ ପରିଚୟ ଦିଅନ୍ତୁ।"


ଆଖି ସଜଳ ହୋଇଗଲା ଭରତଙ୍କର। ଗଭୀର ଆବେଗରେ ହନୁମାନଙ୍କୁ ଆଲିଙ୍ଗନ କରି ଭରତ କହିଲେ.. ମୁଁ ମଧ୍ୟ ଆପଣଙ୍କପରି ପ୍ରଭୁ ଶ୍ରୀରାମଙ୍କର ଜଣେ ଭୃତ୍ୟ;ନାମ ମୋର ଭରତ।"


ହନୁମାନ କହିଲେ..କି ଭାଗ୍ୟ ମୋର ! ପ୍ରଭୁଙ୍କଠାରୁ ଆପଣଙ୍କ ଭୂୟସୀ ପ୍ରଶଂସା ଅନେକବାର ଶୁଣିଛି;ଆଜି ସାକ୍ଷାତ ହୋଇଗଲା ଦେବୋପମ ଭ୍ରାତା ଭରତଙ୍କ ସହିତ।"

ତାପରେ ଶ୍ରୀରାମଙ୍କ ସହିତ ଘଟିଥିବା ଦୁର୍ଦ୍ଦଶାର ବର୍ଣ୍ଣନା କରି ସାମ୍ପ୍ରତିକ ପରିସ୍ଥିତିରେ ଶକ୍ତିଭେଦର ଶିକାର ହୋଇଥିବା ଲକ୍ଷ୍ମଣଙ୍କ ବିଷୟରେ ଭରତଙ୍କୁ ଅବଗତ କରାଇଲେ ହନୁମାନ।ଭରତଙ୍କୁ ସବୁ କିଛି ଅଜ୍ଞାତ ଥିଲା। ସୀତାଙ୍କ ହରଣ ଠାରୁ ଆରମ୍ଭ କରି ରମ-ରାବଣ ଯୁଦ୍ଧ ପର୍ଯ୍ୟନ୍ତ ସମସ୍ତ ଘଟଣା ଶୁଣି ବିଦଗ୍ଧ ହୃଦୟରେ ଅଶ୍ରୁମୋଚନ କଲେ ଭାରତ। କହିଲେ..ମୋ ପାଇଁ ପ୍ରଭୁ କେତେ କଷ୍ଟ ଭୋଗ କରୁଛନ୍ତି ସତେ ! ମୋ ଅପରିଣାମଦର୍ଶୀ ମାତା କୈକେୟୀଙ୍କ ଯୋଗୁଁ ଆଜି ମୋ ଭ୍ରାତାଙ୍କ ଏହି ଦୁର୍ଦ୍ଦଶା। ଏହିକ୍ଷଣି ଅଯୋଧ୍ୟାର ସୈନ୍ୟ ସାମନ୍ତ ନେଇ ମୁଁ ଲଙ୍କାଗଡରେ ପହଞ୍ଚି ଶ୍ରୀରାମଙ୍କ ସହାୟତା କରନ୍ତି, କିନ୍ତୁ ଅଯୋଧ୍ୟା ଛାଡି ଯିବାପାଇଁ ପ୍ରଭୁ ରାମଚନ୍ଦ୍ରଙ୍କର ମୋ ପ୍ରତି ଆଜ୍ଞା ନାହିଁ।"


ହନୁମାନ କହିଲେ..ଆପଣ ଯୁଦ୍ଧର ପରିଣାମ ନେଇ ବିବ୍ରତ ହୁଅନ୍ତୁ ନାହିଁ ଭ୍ରାତା ଭରତ ! ଯୁଦ୍ଧ ଆମ ସପକ୍ଷରେ ନିର୍ଣ୍ଣାୟକ ସ୍ଥିତିରେ ଅଛି।ଅଳ୍ପ ଦିନ ମଧ୍ୟରେ ରାବଣର ମୃତ୍ୟୁ ସୁନିଶ୍ଚିତ।ଏବେ ଆପଣ ମୋତେ ବିଦାୟ ଦିଅନ୍ତୁ ଭ୍ରାତା ଭରତ।ପ୍ରଭାତ ପୂର୍ବରୁ ପହଞ୍ଚି ନପାରିଲେ ସଞ୍ଜିବନୀ ଜଡ଼ିବୁଟି କାର୍ଯ୍ୟ କରିବ ନାହିଁ।"

ଭରତ କହିଲେ..ବାଣ ଅଗ୍ରରେ ତୁମ୍ଭ ସମେତ ଦ୍ରୋଣଗିରିକୁ ଖଞ୍ଜି ମୁଁ ତୁମକୁ ଭ୍ରାତାଙ୍କ ନିକଟକୁ ପ୍ରେରଣ କରିପାରିବି ଆଞ୍ଜନେୟ। ତା'ଦ୍ବାରା ତୁମର ସମୟ ଓ ଶକ୍ତି ଅପଚୟ ହେବନାହିଁ।"

ବିନମ୍ରତା ସହିତ ପ୍ରତ୍ୟାଖ୍ୟାନ କରି ହନୁମାନ କହିଲେ..ତାହା ଆବଶ୍ୟକ ନାହିଁ ଭ୍ରାତା ଭରତ।ପ୍ରଭୁ ଶ୍ରୀରାମଙ୍କ ଦୟାରୁ ଏ ଭୃତ୍ୟର ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ରହିଛି।ପ୍ରଭାତ ହେବାର ବହୁ ପୂର୍ବରୁ ପ୍ରଭୁଙ୍କ ନିକଟରେ ଦ୍ରୋଣଗିରି ଚୂଡା ସହିତ ମୁଁ ପହଞ୍ଚି ଯିବି।ବିଦାୟ ଦିଅନ୍ତୁ।

ବିଷ୍ଣୁ କଳାଧାରୀ ଭରତଙ୍କ ଆଲିଙ୍ଗନ ପାଇ ହନୁମାନଙ୍କ ଦେହରେ ଅସୀମ ଶକ୍ତି ଜାଗ୍ରତ ହେଲା।ଅବଲୀଳାକ୍ରମେ ପର୍ବତକୁ ଉତ୍ତୋଳନ କରି ଆକାଶ ମାର୍ଗକୁ ଉଠିଲେ ହନୁମାନ।ଅଳ୍ପ ସମୟ ମଧ୍ୟରେ ଶ୍ରୀରାମଙ୍କ ନିକଟରେ ପହଞ୍ଚିଲେ ମହାବଳୀ।ବୈଦ୍ୟରାଜ ସୁଷେଣ ମୃତ୍ୟୁ ସଞ୍ଜିବନୀ ଜଡ଼ିବୁଟିରୁ ଲେପ ପ୍ରସ୍ତୁତ କରି ଲକ୍ଷ୍ମଣଙ୍କ ଘାତସ୍ଥାନରେ ଉପଯୋଗ କରିବାପରେ ନିଦରୁ ଉଠିଲା ପରି ଲକ୍ଷ୍ମଣ ଉଠି ବସିଲେ। ଆନନ୍ଦର ଲହରୀ ଖେଳିଗଲା ଶ୍ରୀରାମଙ୍କ ଶିବିରରେ।


କ୍ରମଶଃ...

(କୁଳମଣି ଷଡଙ୍ଗୀ)


Rate this content
Log in

Similar oriya story from Classics