Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୭)

ସରଯୂ ନଦୀର ତୀରେ (୧୨୭)

4 mins
385



ଲକ୍ଷ୍ମଣଙ୍କ ହାତରେ ଇନ୍ଦ୍ରଜିତର ବିନାଶ ବାର୍ତ୍ତା ରାବଣ ପାଖରେ ପହଞ୍ଚିବା ପାଇଁ ବେଶି ସମୟ ଲାଗିଲା ନାହିଁ।ବିଶଷତଃ  ଇନ୍ଦ୍ରଜିତ'ର ମୃତ୍ୟୁ ପାଇଁ ବିଭୀଷଣ ଲକ୍ଷ୍ମଣଙ୍କୁ ସାହାଯ୍ୟ କରିଥିବା ସମ୍ବାଦ ପାଇ ରାବଣର କ୍ରୋଧ ଶ୍ରାବଣୀ ନଦୀର ବନ୍ୟା ଭଳି ଭୟଙ୍କର ରୂପ ନେଲା। ବିଂଶ ଚକ୍ଷୁରୁ ବହିଚାଲିଲା ଅବିଶ୍ରାନ୍ତ ଅଶ୍ରୁ।ରାବଣର ବିଶ୍ବାସ ହେଉନଥାଏ ଯେ ଇନ୍ଦ୍ରଜିତ ବାସ୍ତବରେ ବୀରଗତି ପ୍ରାପ୍ତ ହୋଇଛି।ରୁଦ୍ଧକଣ୍ଠରେ ବିଳାପ କରିବାକୁ ଲାଗିଲା ରାବଣ.. ଆହା ପୁତ୍ର ଇନ୍ଦ୍ରଜିତ ! ତୋତେ ତିନି ପୁରରେ ପରାସ୍ତ କରିବା ଶକ୍ତି କାହାର ନଥିଲା।ଇନ୍ଦ୍ର ଉପରେ ଜୟଲାଭ କରି ବ୍ରହ୍ମାଙ୍କଠାରୁ ତୁ ଇନ୍ଦ୍ରଜିତ ନାମ ପ୍ରାପ୍ତ ହୋଇଥିଲୁ।ଜନ୍ମ ସମୟରେ ମେଘ ଘଡଘଡି ଭଳି ଶବ୍ଦ କରିବାରୁ ତୁ ମେଘନାଦ ନାମରେ ପରିଚିତ ଥିଲୁ। ବ୍ରହ୍ମାଙ୍କଠାରୁ ବର ପାଇଥିଲୁ ,ନିକୁମ୍ଭିଲା ଠାକୁରାଣୀଙ୍କୁ ସନ୍ତୋଷ କରିପାରିଲେ ତୋତେ ବିଶ୍ବରେ କେହି ବିନାଶ କରିପାରିବେ ନାହିଁ। ଶକ୍ତି ପ୍ରହାରକରି ଲକ୍ଷ୍ଣଣକୁ ଦୁଇଥର ଏବଂ ଶ୍ରୀରାମଙ୍କୁ ଥରେ ମୃତ୍ୟୁର ନିକଟବର୍ତ୍ତୀ କରାଇ ମୋ ମନରେ ଯୁଦ୍ଧରେ ବିଜୟ ପାଇଁ ଆଶା ସଞ୍ଚାର କରାଇଥିଲୁ। ବ୍ରହ୍ମାଙ୍କ ବର ଅନୁଯାୟୀ ନିରନ୍ତର ଅନିଦ୍ରା,ଖାଦ୍ୟବର୍ଜିତ ଏବଂ ନାରୀସଙ୍ଗ ବିବର୍ଜିତ ବ୍ୟକ୍ତି ହିଁ ତୋତେ ବିନାଶ କରିପାରିବ। ଦାନବ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଶିକ୍ଷା ଲାଭକରି ଶସ୍ତ୍ର ବିଦ୍ୟାରେ ତୁ ଶ୍ରେଷ୍ଠତା ଲାଭ କରିଥିଲୁ। ଏତେ ରକ୍ଷା କବଚ ଥାଇ ମଧ୍ୟ କିପରି ତୁ ବୀରଗତି ପ୍ରାପ୍ତ ହେଲୁ ପୁତ୍ର !ଏହା ତ ମୋ କଳ୍ପନାର ବାହାରେ।" 


କ୍ରନ୍ଦନ କରୁ କରୁ ପାଗଳ ଭଳି ପ୍ରଳାପ କରିବାକୁ ଲାଗିଲା ରାବଣ..ନା, ମୁଁ କ୍ରନ୍ଦନ କରିବି ନାହିଁ,ମନରେ ଦୁଃଖ ଆଣିବି ନାହିଁ। କାହିଁକି ମୁଁ କ୍ରନ୍ଦନକରିବି ? ବୀରଗତି ପ୍ରାପ୍ତ ହୋଇ ତୁ ମୋ ମସ୍ତକ ଉଚ୍ଚତର କରିଛୁ ପୁତ୍ର ! ବୀର ପୁତ୍ରର ପିତାକୁ ଶୋକ ଶୋଭା ପାଏ ନାହିଁ। କିନ୍ତୁ ଏ ସାରା ସଂସାରକୁ ତୁ ମୋ ପାଇଁ ମହାଶୂନ୍ୟରେ ପରିଣତ କରି ଚାଲି ଯାଇଛୁ।ମାତା ମନ୍ଦୋଦରୀଙ୍କ ଆଖିର ଲୁହ ଓ ହୃଦୟର କୋହ ମନା ମାନୁନାହାଁନ୍ତି ପୁତ୍ର;ତୋର ପତ୍ନୀ ସୁଲୋଚନାର ଶୋକ ଅବର୍ଣ୍ଣନୀୟ; କିଏ ଶାନ୍ତ୍ବନା ଦେବ ! ଫେରି ଆ ବୀରପୁତ୍ର,ତୋ ପିତାର କୋଳକୁ ଫେରି ଆ'। ମୋ ପାଇଁ ବର୍ତ୍ତମାନ ସବୁ ମହାଶୁନ୍ୟ, କାହିଁକି ଆଉ ବଞ୍ଚିବି ପୁତ୍ର !ତୋର ପ୍ରାଣତ୍ୟାଗ ସହିତ ସବୁ ଚାଲିଯାଇଛି। କେବଳ ହତାଶା ଓ ପ୍ରତିଶୋଧ ହିଁ ବାକି ରହିଛି।"


ତୋ ମୃତ୍ୟୁର ପ୍ରତିଶୋଧ ମୁଁ ନିଶ୍ଚୟ ନେବି ଇନ୍ଦ୍ରଜିଜ,ତୋ ହତ୍ୟାକାରୀ ନିଶ୍ଚୟ ମୋ ହାତରେ ବିନାଶ ହେବ।କୁଳବୁଡା ବିଭୀଷଣକୁ ମଧ୍ୟ ମୁଁ ଛାଡିବି ନାହିଁ।ସୀତା ହିଁ ସବୁ ଅନର୍ଥର କାରଣ।ମାୟା ସୀତାଙ୍କୁ ତୁ ରଣକ୍ଷେତ୍ରରେ ବିନାଶ କରିଥିଲୁ, ମୁଁ ଏବେ ବାସ୍ତବ ସୀତାଙ୍କୁ ହତ୍ୟା କରିବି।" କହୁକହୁ ମହା କ୍ରୋଧରେ କମ୍ପିଗଲା ରାବଣ।କରବାଳ ବିକୋଷିତ କରି ସୀତାଙ୍କୁ ଅଶୋକ ବନରେ ହତ୍ୟା କରିବାପାଇଁ ବାହାରିଲା ଦଶାନନ।ରାବଣର କିଛି ସମର୍ଥକ ଓ ଚାଟୁକାର ଏହି କାର୍ଯ୍ୟରେ ରାବଣକୁ ସମର୍ଥନ ଦେଇ କହିଲେ..ଆପଣ ଠିକ୍ ନିଷ୍ପତ୍ତି ନେଇଛନ୍ତି ଦଶାନନ।ବହୁ ପୂର୍ବରୁ ସୀତାଙ୍କୁ ହତ୍ୟା କରିବାର ଥିଲା। ଗୋଟିଏ ସାମାନ୍ୟ ନାରୀ ପାଇଁ ଲଙ୍କାର କେତେ ମହାବୀର ବଳି ପଡିଲେଣି। ଆଜି ତାର ଅନ୍ତିମ ଦିନ ହେବା ଆବଶ୍ୟକ।"


କିନ୍ତୁ ସୁପାର୍ଶ୍ବ ନାମକ ରାବଣର ଏକ ମନ୍ତ୍ରୀ ଏହି ନିଷ୍ପତ୍ତି ଶୁଣି ଘୋର ଅସନ୍ତୋଷ ପ୍ରକାଶ କରି କହିଲା..ଆପଣ ଏ'କଣ କରିବାକୁ ଯାଉଛନ୍ତି ମହାରାଜ ! ନାରୀହତ୍ୟା ଭଳି ଜଘନ୍ୟ ଅପରାଧ କରିବେ ! ଆପଣ ବିଶ୍ରବା ଋଷିଙ୍କର ପୁତ୍ର,କୁବେରଙ୍କ ଅନୁଜ,ଲଙ୍କାର ରାଜା ହୋଇ ଏପରି ଅପରିଣାମଦର୍ଶୀ କାର୍ଯ୍ୟ କାହିଁକି କରିବାକୁ ଯାଉଛନ୍ତି ମହାରାଜ !ସୀତାଙ୍କୁ ହରଣ କରି ଯେଉଁ ପାପ ଆପଣ ଅର୍ଜନ କରିଛନ୍ତି,ତାଙ୍କୁ ହତ୍ୟାକରିବା ଦ୍ବାରା ସେ ପାପ ବହୁଗୁଣିତ ହେବ।ଚତୁର୍ବେଦର ଜ୍ଞାତା ହୋଇ ଆପଣ ଏ ମହାପାପ କିପରି କରିବାପାଇଁ ଯାଉଛନ୍ତି ମହାରାଜ !ଏହା ଘୃଣ୍ୟ ଏବଂ ଲଜ୍ଜାଜନକ କାର୍ଯ୍ୟ।ଆପଣଙ୍କ କ୍ରୋଧ, ଶତ୍ରୁ ଉପରେ ପ୍ରତିଶୋଧ ନେଇ ଶାନ୍ତ କରନ୍ତୁ ! ଶ୍ରୀରାମଙ୍କୁ ରଣ କ୍ଷେତ୍ରରେ ବିନାଶ କରି ସୀତାଙ୍କୁ ବିବାହ କରନ୍ତୁ।ଯଶ ଲାଭ କରିବେ; ନାରୀ ହତ୍ୟାକରି ଅପଯଶ କାହିଁକି ମୁଣ୍ଡାଇବେ ?"


ସୁପାର୍ଶ୍ବର ଉପଦେଶ ରାବଣକୁ ଠିକ୍ ଲାଗିଲା। ଯେତେବେଳେ ବିପରୀତ ପରିସ୍ଥିତିରେ ପ୍ରାଣୀର ଅହଂକାର କମିବାକୁ ଲାଗେ ସେ ସମୟରେ ଅନ୍ୟମାନଙ୍କ ଉପଦେଶ ଗ୍ରହଣ କରିବା ମାନସିକତା ସ୍ବତଃ ଆସିଯାଏ।ପ୍ରଥମ ଥର ପାଇଁ ବୋଧହୁଏ ରାବଣ ନିଜର ପରିବାର ଏବଂ ଦରବାରୀ ମାନଙ୍କ କଥାକୁ ସମ୍ମାନ ଦେବା ଶିଖିଲା।


କ୍ରନ୍ଦନରତା ,ଆଲୁଳାୟିତ କୁନ୍ତଳା ମନ୍ଦୋଦରୀ ରାବଣର ପାଦ ଧରି ଅନୁନୟ ବିନୟ ହୋଇ କହିଲେ..ଏବେ ତ ମୋ କଥା ଥରେ ଶୁଣ ସ୍ବାମୀ ! ସ୍ବର୍ଣ୍ଣଲଙ୍କାର ଧ୍ବଂସର କାରଣ ସୀତାଙ୍କୁ ଶ୍ରୀରାମଙ୍କ ନିକଟରେ ସମର୍ପଣ କରି କ୍ଷମାଭିକ୍ଷା କର,ଲଙ୍କାବାସୀ ଧ୍ବସମୁଖରୁ ରକ୍ଷା ପାଇଯିବେ।ଆପଣଙ୍କ ଅପରିଣାମଦର୍ଶୀତା ଯୋଗୁଁ ଲଙ୍କାଗଡରେ ଆଜି ଘରେ ଘରେ ବିଧବାଙ୍କ ଆର୍ତ୍ତଚିତ୍କାର ଶୁଣାଯାଉଛି।ମୋର ସମସ୍ତ ପୁତ୍ର ବୀରଗତି ପ୍ରାପ୍ତ ହୋଇଛନ୍ତି।ବିଧବା ବଧୂ ମାନଙ୍କର ଆକୁଳ କ୍ରନ୍ଦନ ମୁଁ ଆଉ ଶୁଣି ପାରୁନାହିଁ ଲଙ୍କେଶ, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ।"


ପ୍ରଥମଥର ପାଇଁ ମନ୍ଦୋଦରୀ ଉପରେ କ୍ରୋଧିତ ନହୋଇ ରାବଣ,ବେଦନାକ୍ତ ହସ ହସି କହିଲା.. ଦେବୀ ! ଆତ୍ମସମ୍ମାନକୁ ବଳିଦେଇ ନିଜକୁ ଶ୍ରୀରାମଙ୍କ ଚରଣ ତଳେ ସମର୍ପଣ କଲେ ମଧ୍ୟ ଏବେ ଆଉ କ'ଣ ଲାଭ ? ସବୁ ତ ସରିଯାଇଛି।ମୋ ପ୍ରିୟ ପୁତ୍ର ମାନେ ମୋତେ ଛାଡ଼ି ଯମାଳୟ ଚାଲି ଯାଇଛନ୍ତି। ସେମାନଙ୍କ ଶବ ଉପରେ ଶାନ୍ତି କ୍ରୟ କରି ଶ୍ମଶାନଶାନ୍ତି ମୁଁ ଚାହେଁନା ମନ୍ଦୋଦରୀ। ସମସ୍ତେ କହୁଛନ୍ତି ଶ୍ରୀରାମ ସ୍ବୟଂ ନାରାୟଣ।ତାହା ଯେବେ ସତ୍ୟ, ନାରାୟଣଙ୍କ ହାତରେ ପ୍ରାଣ ଗଲେ ମୋତେ ବୈକୁଣ୍ଠ ପ୍ରାପ୍ତି ହେବ;ଭୀରୁ କାପୁରୁଷଙ୍କ ପରି ଆତ୍ମସମର୍ପଣ କରି ଜୀବନ୍ମୃତ ହୋଇ ମୁଁ ବଞ୍ଚିବାକୁ ଚାହେଁନା ମନ୍ଦୋଦରୀ। ଶ୍ରୀରାମଙ୍କ ପାଖକୁ ସନ୍ଧିପ୍ରସ୍ତାବ ପଠାଇବା ସମୟ ଅତିକ୍ରାନ୍ତ ହୋଇ ଯାଇଛି।ଶେଷ ଯୁଦ୍ଧପାଇଁ ଯିବା ପୂର୍ବରୁ ମୋ ପ୍ରିୟ ମେଘନାଦ ମଧ୍ୟ ମୋତେ କହିଥିଲା ..ଶ୍ରୀରାମ ସ୍ବୟଂ ନାରାୟଣ ଏବଂ ତାଙ୍କୁ ପରାସ୍ତ କରିବା ସମ୍ଭବ ନୁହେଁ;ତେଣୁ ସୀତାଙ୍କୁ ସମର୍ପଣ କରି ଶ୍ରୀରାମଙ୍କ ପାଖରେ କ୍ଷମା ଯାଚନା କରନ୍ତୁ ।" ମୁଁ ମେଘନାଦ କୁ ଭୀରୁ କାପୁରୁଷ ଆଦି ଅପଶବ୍ଦ କହି ଯୁଦ୍ଧ କରିବାପାଇଁ ତାକୁ ବିବଶ କରିଥିଲି।ମୋର ଅହଂକାରକୁ ବଞ୍ଚାଇବାକୁ ତାହା ଥିଲା ଶେଷ ପ୍ରୟାସ।ମୋତେ କ୍ଷମାକର ମନ୍ଦୋଦରୀ,ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଶ୍ରୀରାମଙ୍କ ସହିତ ମୁଁ ଯୁଦ୍ଧ କରିବି। ଆତ୍ମସମର୍ପଣ କିମ୍ବା ସନ୍ଧି ରାବଣର ଜାତକରେ ନାହିଁ।


ପ୍ରିୟ ପୁତ୍ର ମେଘନାଦର ଶବ ରାଜପ୍ରାସାଦରେ ପହଞ୍ଚିବା ପରେ ଅଭୂତପୂର୍ବ ଶୋକାକୁଳ ପରିବେଶ ସୃଷ୍ଟି ହେଲା। ମେଘନାଦର ପତ୍ନୀ ସୁଲୋଚନାର ହୃଦୟ ବିଦାରକ କ୍ରନ୍ଦନରେ କେବଳ ରାଜପ୍ରାସାଦ ନୁହେଁ ସମଗ୍ର ଲଙ୍କାଗଡ ଅଶ୍ରୁମୋଚନ କରିବାକୁ ଲାଗିଲା। ସ୍ବାମୀ ସୋହାଗିନୀ ସୁଲୋଚନା ଇନ୍ଦ୍ରଜିତ'ର ପ୍ରେରଣାର ସ୍ରୋତ ଥିଲା।ଶେଷନାଗଙ୍କର ଏହି କନ୍ୟା ଅତ୍ୟନ୍ତ ସାହସୀ ଏବଂ ସନ୍ତୁଳିତ ମସ୍ତିସ୍କା ଥିଲା।ସେ ଜାଣିଥିଲା ଯେ ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ବିରୁଦ୍ଧରେ ଜୟଯୁକ୍ତ ହେବା ଇନ୍ଦ୍ରଜିତ ପାଇଁ ଅସମ୍ଭବ ବ୍ୟାପାର। ତଥାପି ଯେତେବେଳେ ଇନ୍ଦ୍ରଜିତ ଅନ୍ତିମ ଯୁଦ୍ଧ ପାଇଁ ରଣକ୍ଷେତ୍ରକୁ ଯିବାପାଇଁ ବାହାରିଲା ସ୍ୱାମୀର ମଥାରେ ବିଜୟ ଟୀକା ଦେଇ ଯୁଦ୍ଧ ବେଶରେ ସଜ୍ଜିତ କରି ରଣକ୍ଷେତ୍ରକୁ ପ୍ରେରଣ କରିଥିଲା ସୁଲୋଚନା।


ସ୍ୱାମୀର ଚିତାରେ ଝାସ ଦେଇ ସତୀ ହେବାପାଇଁ ନିଜର ଇଚ୍ଛା ପ୍ରକାଶ କଲା ସୁଲୋଚନା। ସୁଲୋଚନାର ମାନସିକ ଦୃଢ଼ତା ଆଗରେ ରାଜପୁରର ଅନ୍ତେବାସୀଙ୍କର ସମସ୍ତ ବାରଣ ବିଫଳ ହେଲା।ଅହ୍ୟ-ସୁଲକ୍ଷଣୀ ବେଶରେ ସୁଲୋଚନା ଇନ୍ଦ୍ରଜିତ'ର ଚିତାରେ ଶରୀର ସମର୍ପଣ କଲା।


(ଇନ୍ଦ୍ରଜିତ'ର ପତ୍ନୀ ସୁଲୋଚନା ଉପାଖ୍ୟାନ ବାଲ୍ମୀକି ରାମାୟଣରେ ଅଂଶ ବିଶେଷ ନୁହେଁ।ଜନକଙ୍କ ପତ୍ନୀ ସୁନୟନା ଏବଂ ଇନ୍ଦ୍ରଜିତର ପତ୍ନୀ ସୁଲୋଚନାଙ୍କ ନାମ ମଧ୍ୟ ବାଲ୍ମୀକି ରାମାୟଣରେ ଉଲ୍ଲେଖ ନାହିଁ। ପରବର୍ତ୍ତୀ ସମୟରେ ବିଭିନ୍ନ ଭାଷାରେ ରଚିତ କଥା/ଉପକଥାରେ ଏମାନଙ୍କ ବିଷୟରେ ଉଲ୍ଲେଖ ରହିଛି।)


କ୍ରମଶଃ



Rate this content
Log in

Similar oriya story from Classics