Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୩)

ସରଯୂ ନଦୀର ତୀରେ (୧୨୩)

4 mins
348



କୁମ୍ଭକର୍ଣ୍ଣର ଉପଦେଶ ରାବଣଙ୍କୁ ଭଲ ଲାଗିଲା ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ରାବଣ ପାଇଁ ଧର୍ମନୀତି ବା ରାଜନୀତି ଉପରେ ଭାଷଣ କିପରି ବା ଭଲ ଲାଗନ୍ତା ?ଭୟଙ୍କର କ୍ରୋଧରେ ଆରକ୍ତ ହେଲା ତାର ମୁଖମଣ୍ଡଳ। ତଥାପି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ରାବଣ କହିଲା.. କୁମ୍ଭକର୍ଣ୍ଣ ! ଏପରି ଭାଷଣ ଦେବା ବା ଶୁଣିବାର ସମୟ ଅତିକ୍ରାନ୍ତ ହୋଇଗଲାଣି। ବର୍ତ୍ତମାନ ପରିସ୍ଥିତିରେ ତୋ ବଳବୀର୍ଯ୍ୟର ଆବଶ୍ୟକତା ମୋ ପାଇଁ ଅଧିକ; ସମାଲୋଚନା ନୁହେଁ। ଯାହା ଘଟିଵା କଥା ଘଟି ଯାଇଛି;ମୋ ନିଷ୍ପତ୍ତି ଠିକ୍ ଥିଲା ବା ଭୁଲ୍, ଉଚିତ ଥିଲା ବା ଅନୁଚିତ, ତର୍ଜମା କରିବାପାଇଁ ବର୍ତ୍ତମାନ ସମୟ ନାହିଁ। ବର୍ତ୍ତମାନର ଗୁରୁତର ପରିସ୍ଥିତିରେ ଆମେ କ'ଣ କରିବା ଉଚିତ, ତାହା ହିଁ ପ୍ରମୁଖ ପ୍ରଶ୍ନ। ନିଜର ଅସୀମ ଶକ୍ତି ପ୍ରୟୋଗ କରି ଆମପାଇଁ ବିଜୟ ସୁନିଶ୍ଚିତ କରିବା ତୋର କର୍ତ୍ତବ୍ୟ। କୌଣସି ଭୁଲ୍ କାର୍ଯ୍ୟରୁ ଉତ୍ପନ୍ନ ବିଷମ ପରିସ୍ଥିତିରେ ଯେଉଁ ଭାଇ ଵା ବନ୍ଧୁ ସଙ୍କଟମୋଚନ ଭୂମିକା ନିର୍ବାହ କରନ୍ତି ସେ' ହିଁ ବାସ୍ତବ ବନ୍ଧୁ।


ଅନୁଜ ! ବାସ୍ତବରେ ତୋ ମନରେ ଯେବେ ମୋ ପାଇଁ ସ୍ନେହ ଓ ଶ୍ରଦ୍ଧା ଥାଏ ତଥା ଆପଦ ବିପଦରେ ସହାୟତା କରିବା ଇଚ୍ଛା ଥାଏ,ତାହେଲେ ମୋ କୃତକର୍ମ ଉପରେ ମନ୍ତବ୍ୟ ନଦେଇ ମୋର ସହାୟତା କର। ଜଟାଧାରୀ ରାମ ହାତରେ ପରାସ୍ତ ହୋଇ ଅପମାନରେ ମୋ ହୃଦୟ ଜଳୁଛି। ତାକୁ ଶାନ୍ତ କରିବାପାଇଁ କିଛି କର କୁମ୍ଭକର୍ଣ୍ଣ।ତୋର ଅସୀମ ସାହସ ଓ ବୀରତ୍ବ ବଳରେ ଶ୍ରୀରାମକୁ ବିନାଶକରି ମୋ ହୃଦୟକୁ ତୃପ୍ତ କର।"


ରାବଣର ଆବେଗପୂର୍ଣ୍ଣ ଅନୁରୋଧ କୁମ୍ଭକର୍ଣ୍ଣ ହୃଦୟକୁ ସ୍ପର୍ଶ କଲା। କୁମ୍ଭକର୍ଣ୍ଣ କହିଲା..ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ ଲଙ୍କେଶ, ମୁଁ ଆପଣଙ୍କର ଭ୍ରାତା ଏବଂ କଦାପି ଆପଣଙ୍କୁ ଛାଡି ପାରିବି ନାହିଁ।ଆପଣ ସ୍ଥିର ନିଶ୍ଚିତ ରହନ୍ତୁ ଯେ ରାମ ଲକ୍ଷ୍ମଣଙ୍କ ମୃତ୍ୟୁ ମୋ ହାତରେ ସୁନିଶ୍ଚିତ।ରାମ ଲକ୍ଷ୍ମଣଙ୍କର ସ୍କନ୍ଧଚ୍ୟୁତ ମସ୍ତକ ଆଣି ମୁଁ ଆପଣଙ୍କ ପାଦତଳେ ନିକ୍ଷେପ କରିବି।ଲକ୍ଷ ଲକ୍ଷ ବାନର ସୈନ୍ୟଙ୍କ ରକ୍ତରେ କର୍ଦ୍ଦମାକ୍ତ ହେବ ରଣକ୍ଷେତ୍ର।ଆପଣଙ୍କ ନିକଟକୁ ପହଞ୍ଚିବା ପାଇଁ ରାମଲକ୍ଷ୍ମଣଙ୍କୁ ମୋର ମୃତ ଶରୀର ଅତିକ୍ରମ କରିବାକୁ ହେବ, ଏବଂ ଆପଣ ଜାଣନ୍ତି ମୁଁ ଅଜେୟ,ମୋତେ ପରାସ୍ତ କିମ୍ବା ବିନାଶ କରିବା ପାଇଁ ବୀର ଏ ପର୍ଯ୍ୟନ୍ତ ଜନ୍ମ ହୋଇନାହାନ୍ତି।ଆପଣଙ୍କ ଶତ୍ରୁ ଦେବତା, ଇନ୍ଦ୍ର, ଅଗ୍ନି, ସୂର୍ଯ୍ୟ ବା ଯେ କେହି ହୁଅନ୍ତୁ, ନିଶ୍ଚିତ ଭାବରେ ମୁଁ ତାଙ୍କୁ ପରାସ୍ତ କରି ଭକ୍ଷଣ କରିବି।" ରାବଣ ଆନନ୍ଦିତ ହୋଇ କହିଲା..ଅନୁଜ କୁମ୍ଭକର୍ଣ୍ଣ ! ବିପଦ ସମୟରେ ମୋତେ ସହାୟତା ଦେଇ ତୁ ପ୍ରକୃତ ଭାଇର ପରିଚୟ ଦେଇଛୁ। ମୁଁ ବର୍ତ୍ତମାନ ରାମ ଲକ୍ଷ୍ମଣଙ୍କ ପରାଜୟ ନିଶ୍ଚିତ ବୋଲି ଜାଣିପାରୁଛି।" 


ଏକ ବିଶାଳ ଭାଲ ଧରି କୁମ୍ଭକର୍ଣ୍ଣ ଯୁଦ୍ଧଭୂମିକୁ ଯିବାପାଇଁ ପ୍ରସ୍ତୁତ ହେଲା।ରାବଣ ତାକୁ ଅଟକାଇ କହିଲା.. ନାଁ, ମୁଁ ତୋତେ ଏକା ରଣକ୍ଷେତ୍ରକୁ ଯିବାପାଇଁ ଦେବି ନାହିଁ;ତୁ ଅସୀମ ଶକ୍ତିର ଅଧିକାରୀ ହେଲେ ମଧ୍ୟ ଶତ୍ରୁ ଆମର ଦୁର୍ବଳ ନୁହେଁ।" 


କୁମ୍ଭକର୍ଣ୍ଣକୁ ନିଜେ ଯୁଦ୍ଧ ବେଶରେ ସଜାଇଦେଇ ଦେହରେ ନାନା ଅଳଙ୍କାର ବିମଣ୍ଡିତ କରି ,ମଥାରେ ବିଜୟ ଟୀକା ଲଗାଇଦେଇ,ଏକ ବିଶାଳ ରାକ୍ଷସ ସେନା ସହିତ ଯୁଦ୍ଧଭୂମିକୁ ବିଦାୟ ଦେଲା ରାବଣ।ଯିବା ପୂର୍ବରୁ କୁମ୍ଭକର୍ଣ୍ଣକୁ କୋଳାଗ୍ରତ କରି ,ମଥା ଚୁମ୍ବନ କରି ରାବଣ ଆନନ୍ଦ ଗଦ୍'ଗଦ କଣ୍ଠରେ କହିଲା..ରଣକ୍ଷେତ୍ରରୁ ଶତ୍ରୁ ବିନାଶ କରି ଅତିଶୀଘ୍ର ଫେରିଆ ମୋ ପ୍ରିୟ ଅନୁଜ, ବିଜୟୀ ଭବ।"


ରାବଣର ସିଂହାସନକୁ ପ୍ରଦକ୍ଷିଣ କରି ,ପାଦତଳେ ମଥା ନୁଆଇଁ ଯେତେବେଳେ କୁମ୍ଭକର୍ଣ୍ଣ ଯୁଦ୍ଧ ଭୂମିକୁ ବିଶାଳ ସେନା ଅଗ୍ରଭାଗରେ ବାହାରିଲା,ଲଙ୍କାର ରାଜରାସ୍ତାକୁ ବାହାରି ଆସି ଗଡର ଅନ୍ତେବାସୀ ମାନେ ତା ଉପରେ ପୁଷ୍ପ ବୃଷ୍ଟି କଲେ। ଲାଗିଲା ଯେପରି ସୃଷ୍ଟି ଅନ୍ତସମୟରେ ନିଜେ ମହାକାଳ ସବୁ କିଛି ଧ୍ବଂସ କରିବା ପାଇଁ ଆଗେଇ ଯାଉଛନ୍ତି।


ରଣକ୍ଷେତ୍ରରେ କୁମ୍ଭକର୍ଣ୍ଣକୁ ଦେଖି ବାନରମାନେ ଇତସ୍ତତ ପଳାୟନ କଲେ। କିଛି ଯାଇ ନବ ନିର୍ମିତ ସେତୁବନ୍ଧ ଉପରେ ବସିଲେ ତ କିଛି ଯୁଦ୍ଧ କ୍ଷେତ୍ର ନିକଟରେ ଥିବା ଅରଣ୍ୟରେ ଲୁଚିଲେ। ହନୁମାନ ଅଙ୍ଗଦ ଆଦି ବୀରମାନେ ସେମାନଙ୍କୁ ପୁନଃ ଏକତ୍ରିତ କରି ଯୁଦ୍ଧପାଇଁ ପ୍ରସ୍ତୁତ କରାଇଲେ। କଦଳୀବନକୁ ହାତୀ ଦଳିଲା ଭଳି କୁମ୍ଭକର୍ଣ୍ଣ ବାନର ମାନଙ୍କୁ ହତ୍ୟା କରି ଖେଳନା ଭଳି ମହାଶୂନ୍ୟକୁ ଫିଙ୍ଗିଦେଉଥାଏ। କୌଣସି ବୀର ତା ଆଗରେ ତିଷ୍ଠି ପାରିଲେ ନାହିଁ।ବିନ୍ଦ,ଦ୍ବିବିଦ, ହନୁମାନ,ଅଙ୍ଗଦ ,ଜାମ୍ବବାନ,ନଳ,ନୀଳ, ସୁଗ୍ରୀବ ଆଦି ବୀରମାନେ ମହାନ ସାହସିକତା ଦେଖାଇ ରାକ୍ଷସ ସହିତ ମିଳିତ ହୋଇ ଯୁଦ୍ଧ କଲେ, କିନ୍ତୁ ସେମାନଙ୍କର ସମସ୍ତ ଅସ୍ତ୍ର ଶସ୍ତ୍ର କୁମ୍ଭକର୍ଣ୍ଣ ଉପରେ କିଛି ପ୍ରଭାବ ପକାଇଲା ନାହିଁ।


ଅଙ୍ଗଦ , କୁମ୍ଭକର୍ଣ୍ଣ ଠାରୁ ଏକ ବଜ୍ର ପ୍ରହାର ପାଇ ଚେତନା ହରାଇ ଭୂମିରେ ପଡ଼ିଗଲେ। ସୁଗ୍ରୀବ ମଧ୍ୟ କୁମ୍ଭକର୍ଣ୍ଣ ପ୍ରହାରରେ ଚେତାଶୂନ୍ୟ ହୋଇ ପଡିଗଲେ। କିଷ୍କିନ୍ଧ୍ୟାର ରାଜାଙ୍କୁ ଏପରି ଅବସ୍ଥାରେ ପାଇ କୁମ୍ଭକର୍ଣ୍ଣ ସୁଗ୍ରୀବଙ୍କୁ କାନ୍ଧରେ ପକାଇ ଲଙ୍କା ଅଭିମୁଖେ ଆଗେଇ ଚାଲିଲା। ଉଦ୍ଦେଶ୍ୟ ଥିଲା ରାବଣକୁ ଭେଟି ଦେଇ କହିବ..ବାନର ମାନଙ୍କ ମୁଖ୍ୟ ଆମ ହାତକୁ ଆସିଛି, ହତୋତ୍ସାହିତ ହୋଇ ବାନର ମାନେ ଯୁଦ୍ଧ କ୍ଷେତ୍ର ଛାଡି ପଳାୟନ କରିବେ। ଏଣିକି ଏକା ରାମ ଲକ୍ଷ୍ମଣଙ୍କୁ ବିନାଶ କରିବା ମୋ ପାଇଁ ବାମ ହାତର ଖେଳ ସହିତ ସମାନ ।"


ସୁଗ୍ରୀବଙ୍କୁ କାନ୍ଧରେ ପକାଇ ଲଙ୍କାଗଡର ରାଜପଥ ଉପରେ ଯେତେବେଳେ କୁମ୍ଭକର୍ଣ୍ଣ ଯାତ୍ରା କଲା, ଲଙ୍କାବାସୀଙ୍କ ଆନନ୍ଦ କହିଲେ ନସରେ। ସମସ୍ତେ ଘରୁ ବାହାରି ଆସି କୁମ୍ଭକର୍ଣ୍ଣ ଉପରେ ଗନ୍ଧ-ପୁଷ୍ପ ମିଶ୍ରିତ ସୁବାସିତ ଜଳ ବୃଷ୍ଟି କଲେ। ସେହି ଜଳରୁ କିଛି ଅଚେତନ ସୁଗ୍ରୀବଙ୍କ ଉପରେ ପଡ଼ିବାରୁ ଚେତନା ଲାଭକଲେ କପିଶ୍ରେଷ୍ଠ। ସଙ୍ଗେ ସଙ୍ଗେ କୁମ୍ଭକର୍ଣ୍ଣର ନାସା ଓ କର୍ଣ୍ଣକୁ,ନଖ ଓ ଦନ୍ତରେ ବିଦୀର୍ଣ୍ଣ କଲେ ସୁଗ୍ରୀବ।ଘୋର ଯନ୍ତ୍ରଣାରେ ଅତିଷ୍ଠ ହୋଇ ସୁଗ୍ରୀବଙ୍କୁ ତଳେ ପକାଇ ଦେଇ ପାଦରେ ଦଳି ଦେବାପାଇଁ ଚେଷ୍ଟା କଲା କୁମ୍ଭକର୍ଣ୍ଣ।ବିଶାଳ ଶରୀର ରକ୍ତାକ୍ତ ହୋଇ ଏକ ଜ୍ୱଳନ୍ତ ପର୍ବତ ଭଳି ଦେଖାଗଲା କୁମ୍ଭକର୍ଣ୍ଣ।

ରାକ୍ଷସ ଠାରୁ ମୁକ୍ତି ଲାଭକରି ଗୋଟିଏ ଲମ୍ଫରେ ଆକାଶକୁ ଉଠିଲେ ସୁଗ୍ରୀବ ଏବଂ ପର ମୁହୂର୍ତ୍ତରେ ଶ୍ରୀରାମଙ୍କ ସମ୍ମୁଖରେ ଅବତରଣ କରି ରାକ୍ଷସକୁ ଦେଇଥିବା ଦୁରାବସ୍ଥା ବର୍ଣ୍ଣନାକଲେ। ସୁଗ୍ରୀବଙ୍କ ଅଚେତ ଶରୀରକୁ କୁମ୍ଭକର୍ଣ୍ଣ ରଣସ୍ଥଳରୁ ଉଠାଇ ନେବା ପରେ ହନୁମାନଙ୍କର ବିଶ୍ବାସ ଥିଲା ଯେ ସୁଗ୍ରୀବ କୌଣସି ଉପାୟରେ ନିଜକୁ ମୁକ୍ତ କରି ଫେରିଆସିବେ। ଅଗତ୍ୟା ସୁଗ୍ରୀବଙ୍କୁ ସମ୍ମୁଖରେ ଦେଖି ଏବଂ କୁମ୍ଭକର୍ଣ୍ଣର ଦୁରାବସ୍ଥା କଥା ଶୁଣି ବାନର ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା। ଦୁଇଗୁଣ ଉତ୍ସାହ ସହିତ ସେମାନେ ରାକ୍ଷସ ସୈନ୍ୟ ମାନଙ୍କ ଉପରକୁ ଲମ୍ଫଦେଲେ। 


ରକ୍ତାକ୍ତ ଶରୀର ନେଇ ରଣକ୍ଷେରକୁ ଫେରି ଆସି ଭୟଙ୍କର କ୍ରୋଧରେ କୁମ୍ଭକର୍ଣ୍ଣ ଯୁଦ୍ଧରେ ମାତିଗଲା।ନାଶା କର୍ଣ୍ଣ ଓ ମୁଖରୁ ଧାର ଧାର ଲହୁ ବହି ଯାଉଥାଏ। କୃଷ୍ଣମେଘ ଖଣ୍ଡକୁ ଅସ୍ତଗାମୀ ସୂର୍ଯ୍ୟଙ୍କ ବିଭା ଯେପରି ଉଜ୍ଜଳ କରିଥାଏ ସେହିପରି ଦେଖାଯାଉଥିଲା କୁମ୍ଭକର୍ଣ୍ଣର ରକ୍ତାକ୍ତ ମୁଖ ମଣ୍ଡଳ।ମୁଖରୁ ଝରିଯାଇ ଲହୁ ସମଗ୍ର ଅବୟବକୁ ପ୍ଲାବିତ କରିଦେଇଥିଲା।ଭୟଙ୍କର ଗର୍ଜନ କରି କୁମ୍ଭକର୍ଣ୍ଣ ଖୋଜୁଥିଲା ସୁଗ୍ରୀବଙ୍କୁ।


କାଳାନ୍ତକ ଯମ ଭଳି ମାଡ଼ି ଆସୁଥିଲା ରାକ୍ଷସ। ପଦାଘାତରେ ଶହ ଶହ ବାନରଙ୍କୁ ମୃତ୍ୟୁ ମୁଖରେ ପକାଇଲା କୁମ୍ଭକର୍ଣ୍ଣ। ଲକ୍ଷ୍ମଣ ଅନେକ ଦିବ୍ୟବାଣ ପ୍ରୟୋଗ କରି ତାକୁ ବଧ କରିବାକୁ ଚେଷ୍ଟା କଲେ। କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା।ଲକ୍ଷ୍ମଣଙ୍କୁ ହେୟଜ୍ଞାନ କରି ତାଙ୍କୁ ଅତିକ୍ରମ କରି ଶ୍ରୀରାମଙ୍କ ନିକଟରେ ପହଞ୍ଚିଲା କୌଣପ। ଅନେକ ସମୟ ଧରି ଶ୍ରୀରାମଙ୍କ ସହିତ ଯୁଦ୍ଧ କଲା ରାକ୍ଷସ। ଯେଉଁ ବାଣରେ ଶ୍ରୀରାମ ସପ୍ତଶାଳ ଭେଦ କରିଥିଲେ, ତାହା ମଧ୍ୟ କୁମ୍ଭକର୍ଣ୍ଣର କିଛି କ୍ଷତି କରିପିରିଲା ନାହିଁ।


ଶେଷରେ ତୀକ୍ଷ୍ଣତର ଅମୋଘ ବାଣ ପ୍ରୟୋଗକରି ଶ୍ରୀରାମ କୁମ୍ଭକର୍ଣ୍ଣର ଦୁଇବାହୁ ଏବଂ ଦୁଇ ଗୋଡ଼ କାଟିଦେଲେ। ତଥାପି ମଧ୍ୟ ମୃତ୍ୟୁ ତାକୁ ସ୍ପର୍ଶ କରୁନଥିଲା।ତାର କବନ୍ଧ ଶରୀର ମାଡିଚାଲିଥିଲା ବାନର ମାନଙ୍କୁ ପାଟିରେ ଚୋବାଇ ବିନାଶ କରିବାପାଇଁ।


ଶେଷରେ ଶ୍ରୀରାମଙ୍କ ଅମୋଘ ବାଣରେ କୁମ୍ଭକର୍ଣ୍ଣର ମସ୍ତକ ଶରୀରରୁ ବିଚ୍ୟୁତ ହୋଇ ବାଣର ପ୍ରବଳ ଗତି ଯୋଗୁଁ ଲଙ୍କାର ରାଜପଥ ଉପରେ ଯାଇ ପଡ଼ିଲା।ରାଜପଥ ଉପରେ ଠକ୍ ଠକ୍ ହୋଇ ଡେଉଁଥିଲା କୁମ୍ଭକର୍ଣ୍ଣର ରକ୍ତାକ୍ତ ମସ୍ତକ।


କ୍ରମଶଃ



Rate this content
Log in

Similar oriya story from Classics