Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୨୨)

ସରଯୂ ନଦୀର ତୀରେ (୧୨୨)

4 mins
395



ଶ୍ରୀରାମ ଦୟାକରି ରାବଣକୁ ଯୁଦ୍ଧକ୍ଷେତ୍ରରୁ ଛାଡିଦେଲେ।ଆହତ ବ୍ୟାଘ୍ର ଭଳି ଗର୍ଜନ କରୁଥିଲା ବିଂଶପାଣି।ଘୋର ଲଜ୍ଜା ଓ ଅପମାନରେ ମୁଣ୍ଡ ତଳକୁ ନଇଁ ଯାଇଥିଲା। ଏହାଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର ଥିଲା। ଯେଉଁ ରାମଙ୍କୁ ସେ ନଗଣ୍ୟ ଜଟାଧାରୀ ସନ୍ୟାସୀ ବୋଲି ତୁଚ୍ଛ ମନେ କରୁଥିଲା,ସେ ଆଜି ତାର ଅହଂକାରକୁ ଖଣ୍ଡ ଖଣ୍ଡ କରି କାଟି ତା ହାତରେ ଧରାଇ ଦେଇଛନ୍ତି।ତାର ମନେହେଲା,ଲଙ୍କାଗଡର ଛୋଟ ବାଳକମାନେ ମଧ୍ୟ ତା ପଛରେ ତାଳିମାରି ତାକୁ ଥଟ୍ଟା କରୁଛନ୍ତି। ସବୁଦିନ ଅଶୋକ ବନ ଆଡ଼କୁ ତାର ଦୃଷ୍ଟି ଆପେ ଆପେ ଚାଲିଆଯାଏ, ସୁନ୍ଦରୀ ସୀତାଙ୍କର ଭୁବନମୋହିନୀ ମୁହଁର ଟିକିଏ ଝଲକ ପାଇବା ପାଇଁ।ଆଜି କିନ୍ତୁ ସେ ଦିଗକୁ ଲଜ୍ଜାରେ ଚାହିଁ ପାରିଲା ନାହିଁ ରାବଣ।ତାର ମନେହେଲା ସୀତା ଯେପରି ତାକୁ ତାତ୍ସଲ୍ୟ କରି କହୁଛନ୍ତି.. କାପୁରୁଷ ! ଏଇ ତୋର ପୁରୁଷ ପଣିଆ ?ମୋ ରାମଙ୍କ ତୁଳନାରେ ନିଜକୁ ବଡ଼ ବୀର ବୋଲି କହି ବଡିମା ଉଦ୍'ଗାର କରୁଥିଲୁ !" 


ରାବଣର ଆହତ ପୁରୁଷତ୍ବ ତାଙ୍କୁ ଉପହାସ କରୁଥିଲା।  

ରଣଭୂମିର ଅପାରଗତା ତାର ଛାତି ରୁନ୍ଧି ଦେଉଥିଲା।କ୍ରୋଧରେ ଦିଗ ବିଦିଗ ଶୂନ୍ୟ ହୋଇ ଭାବିଲା ରାବଣ.. ଏହି ମୁହୂର୍ତ୍ତରେ ସୀତା'ର ଶରୀରକୁ ଖଣ୍ଡଖଣ୍ଡ କରି ଶ୍ରୀରାମଙ୍କ ଆଗରେ ନେଇ ଫିଙ୍ଗିଦେବ।ପର ମୁହୂର୍ତ୍ତରେ ଭାବିଲା..ତାହା ତ ମୋର ଭୟଭୀତ ମନର ମୁକ୍ତ ପରିପ୍ରକାଶ ହେବ। ନା, ରାମ ଉପରେ ବିଜୟପ୍ରାପ୍ତି ହିଁ ଅପମାନର ବାସ୍ତବ ପ୍ରତିଶୋଧ ହେବ। କିନ୍ତୁ କିଏ ସେହି ବୀର, ଯାହାର ବାହୁବଳ ଉପରେ ବିଜୟ ପାଇଁ ସେ ନିର୍ଭର କରିବ ?


ରାବଣର ମନେ ପଡ଼ିଲା ଭ୍ରାତା କୁମ୍ଭକର୍ଣ୍ଣ କଥା। କୁମ୍ଭକର୍ଣ୍ଣ ତିନିପୁରରେ ଅଦ୍ୱିତୀୟ ବୀର।ପର୍ବତ ସମାନ ତାର ବିଶାଳ କଳେବର । ବିଧାତା'ଙ୍କୁ ଘୋର ତପସ୍ୟାରେ ସନ୍ତୁଷ୍ଟ କରି ସେ ଇନ୍ଦ୍ରାସନ ମାଗିବାକୁ ଯାଉଥିଲା।ବର ମାଗିବା ପୂର୍ବରୁ ଇନ୍ଦ୍ର ଏହା ଜାଣିପାରି ସରସ୍ବତୀଙ୍କୁ ହାତଯୋଡି କହିଲେ..ମାତା ! ମୋ ସିଂହାସନ ରକ୍ଷା କରନ୍ତୁ।ବର ମାଗିବା ସମୟରେ ବାକ୍'ଦେବୀ କୁମ୍ଭକର୍ଣ୍ଣର ଜିହ୍ବାକୁ ମୋଡି ଦେଲେ।"ଇନ୍ଦ୍ରାସନ" ମାଗିବା ସମୟରେ "ନିଦ୍ରାସନ"ଶବ୍ଦଟି ବାହାରିପଡିଲା।ସଙ୍ଗେ ସଙ୍ଗେ 'ତଥାସ୍ତୁ' କହିଦେଲେ ବ୍ରହ୍ମଦେବ। କୁମ୍ଭକର୍ଣ୍ଣ ଯେତେବେଳେ ନିଜର ଭୁଲ୍ ହୃଦୟଙ୍ଗମ କରିପାରିଲା କରଯୋଡ଼ି ବ୍ରହ୍ମଦେବଙ୍କୁ କହିଲା..ଏ କଣ ହେଲା ପ୍ରଭୁ !ବରଦାନ ଅଭିଶାପରେ ପରିଣତ ହୋଇଗଲା !! ମୁଁ ଯେବେ ସର୍ବଦା ନିଦ୍ରାଯିବି ମୋ ଜୀବନର ମୂଲ୍ୟ କ'ଣ ରହିବ ? ଏହି ବରଦାନ ଫେରାଇ ନିଅନ୍ତୁ।" 


ବଡ଼ ଆଦରରେ କୁମ୍ଭକର୍ଣ୍ଣର ମଥାରେ ହାତ ବୁଲାଇ ବ୍ରହ୍ମା କହିଲେ..ପୁତ୍ର କୁମ୍ଭକର୍ଣ୍ଣ,ମୋର ବରଦାନ କଦାପି ଅନ୍ୟଥା ହେବନାହିଁ। କିନ୍ତୁ ତୁମର ଦୁଃଖ ମୋତେ ବିଗଳିତ କରିବାରୁ ନିଦ୍ରାସନର ଅବଧି ମୁଁ ଛ'ମାସକୁ ହ୍ରାସ କରିଦେଉଛି; ଅର୍ଥାତ୍ ତୁମେ ଛଅ ମାସ ଘୋର ନିଦ୍ରାରେ ବିତାଇବା ଏବଂ ବାକି ଛମାସ ନିଦ୍ରାହୀନ ରହିବ।


ସେହି ଦିନଠାରୁ କୁମ୍ଭକର୍ଣ୍ଣ ୬ମାସକାଳ ଘୋର ନିଦ୍ରା ଯାଇଥାଏ।ନିଦରୁ ଉଠିବା ପରେ ତାକୁ ସର୍ବଗ୍ରାସୀ ଭୋଖ ମାଡିବସେ।ସେ ସମୟରେ ତାର ଇପ୍ସିତ ଖାଦ୍ୟ ଗାଈ ଗୋରୁ ଛେଳିମେଣ୍ଢା,ମଦ୍ୟ ମାଂସ ଇତ୍ୟାଦି ଭକ୍ଷଣ କରିବା ପାଇଁ ନଦେଲେ ନିକଟରେ ଉପସ୍ଥିତ ଯେ କୌଣସି ବ୍ୟକ୍ତିକୁ ମଧ୍ୟ ଭକ୍ଷଣ କରିଥାଏ ଏବଂ ବୁଭୁକ୍ଷା ଯୋଗୁଁ ଘୋର ଉତ୍ପାତ ସୃଷ୍ଟିକରେ।


କୁମ୍ଭକର୍ଣ୍ଣ ପୂର୍ବେ ଶ୍ରୀବିଷ୍ଣଙ୍କର ଦ୍ଵାରପାଳ ଥିଲା।ନାମ ଥିଲା ବିଜୟ। ସନକାଦି, ବ୍ରହ୍ମାଙ୍କର ଚାରି ମାନସପୁତ୍ରଙ୍କ ଅଭିଶାପ ଯୋଗୁ ତ୍ରେତୟା ଯୁଗରେ ସେ କୁମ୍ଭକର୍ଣ୍ଣ ନାମରେ ମହର୍ଷି ବିଶ୍ରାବାଙ୍କ ପୁତ୍ର ଭାବରେ ଜନ୍ମଲାଭ କରିଥିଲା।ପ୍ରପିତାଙ୍କ ନାମ ପୁଲସ୍ତ୍ୟ ଏବଂ ମାତାଙ୍କ ନାମ କୈକେଶୀ (କେଶିନୀ ଏବଂ ନିକଷା ଅନ୍ୟ ଦୁଇଟି ନାମ)।ପର୍ବତ ସମାନ ଶରୀର ଏବଂ ଦେହରେ ଶତ ହସ୍ତୀର ବଳ।ଧର୍ମ ପରାୟଣ ଏବଂ ବୁଦ୍ଧିମାନ ରାକ୍ଷସ ଭାବରେ ସେ ପରିଚିତ। ଦୁଇ ପତ୍ନୀଙ୍କ ନାମ 'ବଜ୍ରଜ୍ବାଳା' ଓ କର୍କଟୀ।ବଜ୍ରଜ୍ବାଳାଙ୍କ ଗର୍ଭରୁ ଜାତ ଦୁଇ ‌ପୁତ୍ରଙ୍କ ନାମ କୁମ୍ଭ ଏବଂ ନିକୁମ୍ଭ।କର୍କଟୀଙ୍କ ଗର୍ଭରୁ ଜାତ ପୁତ୍ର ନାମ ଭୀମାସୁର।ଅଗ୍ରଜଙ୍କ ନାମ ଲଙ୍କେଶ୍ଵର ରାବଣ,ଅନୁଜ ବିଭୀଷଣ ତଥା ଭଗ୍ନୀ ନାମ ସୂର୍ପଣଖା।


ଅଗ୍ରଜ ରାବଣପ୍ରତି ଗଭୀର ଆସ୍ଥା, ସମ୍ମାନ,ଭ୍ରାତୃଭକ୍ତି ଓ ପ୍ରତିବଦ୍ଧତା ରହିଥିଲା କୁମ୍ଭକର୍ଣ୍ଣର। କିନ୍ତୁ ସତ୍ୟ ଯେତେ ଅପ୍ରିୟ ହେଲେ ମଧ୍ୟ ରାବଣ ଆଗରେ ପ୍ରକାଶ କରିବାପାଇଁ କେବେ କୁଣ୍ଠାବୋଧ କରିନାହିଁ କୁମ୍ଭକର୍ଣ୍ଣ। କୁମ୍ଭକର୍ଣ୍ଣର ଦେଶପ୍ରେମ ଅତୁଳନୀୟ। କୁମ୍ଭକର୍ଣ୍ଣ ଏବଂ ତାଙ୍କ ଅନୁଜ ବିଭୀଷଣ ଉଭୟେ ଧର୍ମପଥାଚାରୀ; ଧର୍ମ ଓ ଭ୍ରାତୃପ୍ରେମ ମଧ୍ୟରୁ ବିଭୀଷଣଙ୍କ ପାଇଁ ଧର୍ମ ସର୍ବପ୍ରଥମ , କିନ୍ତୁ କୁମ୍ଭକର୍ଣ୍ଣପାଇଁ ଭ୍ରାତୃଭକ୍ତି ସର୍ବ ପ୍ରଥମ।ରାବଣର ସୀତାହରଣ କାର୍ଯ୍ୟକୁ ଅଧର୍ମ କାର୍ଯ୍ୟ ବୋଲି ସମାଲୋଚନା କରିଥିଲେ ମଧ୍ୟ ବର୍ତ୍ତମାନର ପରିସ୍ଥିତିରେ କୁମ୍ଭକର୍ଣ୍ଣ ରାବଣକୁ ତ୍ୟାଗକରି ଚାଲିଯିବା କଥା ସ୍ୱପ୍ନରେ ମଧ୍ୟ ଚିନ୍ତା କରିନାହିଁ। 


ଯୁଦ୍ଧ ଆରମ୍ଭର ମାତ୍ର ନଅଦିନ ଆଗରୁ କୁମ୍ଭକର୍ଣ୍ଣର ଷଡମାସିକ ନିଦ୍ରାର ଅବଧି ଆରମ୍ଭ ହୋଇଛି।ନିଦ୍ରାର ଛଅ ମାସ ଅବଧି ପୂର୍ଣ୍ଣ ହେବା ପୂର୍ବରୁ କୁମ୍ଭକର୍ଣ୍ଣକୁ ଅର୍ଦ୍ଧଚେତନ ଅବସ୍ଥାରେ ଜାଗ୍ରତ କରାଇଲେ ବ୍ରହ୍ମାଙ୍କ ବରଦାନର ଅବମାନନା ହେବା ଏବଂ ଫଳ ସ୍ବରୂପ କୁମ୍ଭକର୍ଣ୍ଣର କ୍ଷତି ହେବା ସମ୍ଭାବନା ଥିଲେ ମଧ୍ୟ ରାବଣ ନିଜର ସ୍ବାର୍ଥପରତାକୁ ଅଗ୍ରାଧିକାର ଦେଇ ନିଜ ଜୀବନ ଏବଂ ଲଙ୍କାଗଡର ସୁରକ୍ଷା ପାଇଁ କୁମ୍ଭକର୍ଣ୍ଣର ନିଦ୍ରାଭଙ୍ଗ କରିବାକୁ ଆଦେଶ ଦେଲା।


କୁମ୍ଭକର୍ଣ୍ଣର ନିଦ୍ରା ଭଙ୍ଗ କରିବା ଏତେ ସହଜ କାମ ନଥିଲା।ଢୋଲ,ଭେରୀ,ଖୋଳ, ମର୍ଦ୍ଦଳ,ଘଣ୍ଟା ଇତ୍ୟାଦି କାନ ପାଖରେ ବାରମ୍ବାର ବଜାଇବା ସତ୍ତ୍ୱେ କୁମ୍ଭକର୍ଣ୍ଣର ନିଦ୍ରାଭଙ୍ଗ ନହେବାରୁ, ଖଡ୍'ଗ ଭାଲ, ଛୁରୀ ଇତ୍ୟାଦିରେ ଆଘାତ କରିବାକୁ ପଡିଲା ପ୍ରାସାଦର ରକ୍ଷୀମାନଙ୍କୁ। ଶେଷରେ ଭୟଙ୍କର ଗର୍ଜନ କରି ନିଦ୍ରାରୁ ଉଠି ବସିଲା କୁମ୍ଭକର୍ଣ୍ଣ।ଶରୀର ଦେଖାଯାଉଥାଏ ଭୂମିରୁ ଉଠିଥିବା ଉଚ୍ଚ ପାହାଡଟିଏ ଭଳି। କିଛି କହିବା ଶୁଣିବା ପୂର୍ବରୁ ପାଖରେ ରଖାଯାଇଥିବା ଶଗଡ ଶଗଡ଼ ଖାଦ୍ୟ ଭକ୍ଷଣ କରିବାକୁ ଲାଗିଲା କୁମ୍ଭକର୍ଣ୍ଣ।ଗାଡି ଗାଡ଼ି ଅନ୍ନ,ମଦ,ମାଂସ ,ଭକ୍ଷଣ କରି, ଦହି-ନବାତର ପଣା ଆକଣ୍ଠ ପାନକରି, ଆଠ ଦଶହାଣ୍ଡି ନରରକ୍ତ ପାନକଲା ରାକ୍ଷସ। କ୍ଷୁଧା ନିବାରଣ ପରେ ଭୟଙ୍କର କ୍ରୋଧରେ ଗର୍ଜନ କରି କୁମ୍ଭକର୍ଣ୍ଣ କହିଲା..ମୋର ନିଦ୍ରା ଭଙ୍ଗକରି କିଏ ମୃତ୍ୟୁକୁ ନିମନ୍ତ୍ରଣ ଜଣାଇଛି ?" 


ଯୋଡହସ୍ତରେ ଜଣେ ଭୃତ୍ୟ ଜଣାଇଲା..ଲଙ୍କେଶ୍ବର ରାବଣଙ୍କ ଆଦେଶରେ ଆପଣଙ୍କ ନିଦ୍ରା ଭଙ୍ଗ କରାଯାଇଛି ମହାଭାଗ।ଲଙ୍କାକୁ ବିପଦ ମାଡ଼ି ଆସିଛି।"


ପର୍ବତାକାର ରାକ୍ଷସ କୁମ୍ଭକର୍ଣ୍ଣ ରାବଣର ସଭାରେ ପହଞ୍ଚି ରାବଣକୁ ଯୋଡହସ୍ତରେ ନମସ୍କାର କରିବା ପରେ ଜିଜ୍ଞାସା କଲା.. କହନ୍ତୁ ଲଙ୍କେଶ, କେଉଁଠାରେ ଅଛି ଆପଣଙ୍କ ଶତ୍ରୁ ; ଗୋଟିଏ ମୁହୂର୍ତ୍ତରେ ତାକୁ ବିନାଶ କରି ଆପଣଙ୍କ ପାଦତଳେ ତାର ଶବ ନିକ୍ଷେପ କରିବି।"


ରାବଣ, ସୀତା ହରଣ ଠାରୁ ଆରମ୍ଭ କରି ଶ୍ରୀରାମଙ୍କ ସହିତ ଶତ୍ରୁତା,ବିଭୀଷଣର ଲଙ୍କାତ୍ୟାଗ ଇତ୍ୟାଦି ସମସ୍ତ ଘଟଣା ବର୍ଣ୍ଣନା କରି କହିଲା.. ବର୍ତ୍ତମାନ ଜଟାଧାରୀ ଏବଂ ତା'ର ବାନରସେନା ଆମ୍ଭମାନଙ୍କ ଉପରେ ଭାରି ପଡିଛନ୍ତି।ରାମ, ଲକ୍ଷ୍ମଣ ସହିତ ବାନରସେନାଙ୍କୁ ନିଶ୍ଚିହ୍ନ କରି ଲଙ୍କାକୁ ସୁରକ୍ଷା ପ୍ରଦାନ କର ଅନୁଜ।"


କୁମ୍ଭକର୍ଣ୍ଣ ପ୍ରଥମେ ଭୟଙ୍କର ଗର୍ଜନ କରି, ଶତ୍ରୁକୁ ଗୋଟିଏ ମୁହୂର୍ତ୍ତରେ ନିଃଶେଷ କରିବାପାଇଁ ପଣ କଲା।ପର ମୁହୂର୍ତ୍ତରେ ରାବଣକୁ କୁମ୍ଭକର୍ଣ୍ଣ କହିଲା.. କିନ୍ତୁ କ୍ଷମା କରନ୍ତୁ ଅଗ୍ରଜ, ସୀତା ହରଣ ସମୟରେ ଆମ୍ଭେମାନେ ଆପଣଙ୍କୁ ଯେଉଁ ପରାମର୍ଶ ଦେଇଥିଲୁ, ସେଥିପ୍ରତି ଆପଣ କର୍ଣ୍ଣପାତ କଲେନାହିଁ। ବର୍ତ୍ତମାନ ନିଜର ପାପର ଫଳ ଆପଣ ଭୋଗ କରୁଛନ୍ତି। ସୀତାଙ୍କ ପ୍ରତି ଆପଣଙ୍କର ଅହେତୁକ ଆକର୍ଷଣ ଆଜି ଆପଣଙ୍କୁ ବିନାଶର ଦ୍ୱାରଦେଶରେ ଠିଆ କରାଇଛି।କଣ ଆବଶ୍ୟକ ଥିଲା ରାମଲକ୍ଷ୍ଣଙ୍କ ଅନୁପସ୍ଥିତିରେ ଭୀରୁ ଭଳି ସୀତାଙ୍କୁ ଅପହରଣ କରିବା ? ଯେବେ ଆପଣଙ୍କର ନିଜ ଶକ୍ତି ଉପରେ ବିଶ୍ବାସ ଥିଲା,ରାମ ଲକ୍ଷ୍ମଣଙ୍କୁ ବୀରଭଳି ଯୁଦ୍ଧରେ ନିହତ କରି ସୀତାଙ୍କୁ ଆଣି ପାରିଥାନ୍ତ।ପରଦାରା ହରଣ କରିବା ମହାପାପ ବୋଲି ଆପଣ କ'ଣ ଜାଣନ୍ତି ନାହିଁ ଅଗ୍ରଜ ! ଜାଣି ଜାଣି ପରନାରୀ ହରଣ କରି ନିଜର ଆୟୁ କାହିଁକି କ୍ଷୟ କଲେ ?


ଆପଣ କାହା ସହିତ ପରାମର୍ଶ କରି ସୀତାଙ୍କୁ ହରଣ କରିଥିଲେ ଅଗ୍ରଜ ? ହରଣ କରିବାପରେ ନିଜର ହିତୈଷୀ ମାନଙ୍କର ଉପଦେଶକୁ ମଧ୍ୟ ଅଣଦେଖା କରି ନିଜର ଅହଙ୍କାର ଓ ବାସନାକୁ ଅଗ୍ରାଧିକାର ଦେଲେ।ଜଣେ ରାଜା ହୋଇ ଆପଣ କଣ ଜାଣିନଥିଲେ ଆପଣଙ୍କ କର୍ମର ଫଳାଫଳ କଣ ହେବ ?ନିଜ ବାସନା ଚରିତାର୍ଥ କରିବାପାଇଁ ପ୍ରଜାଙ୍କର ସୁରକ୍ଷାକୁ ବାଜି ଲଗାଇଦେଲେ !କିଏ ଶତ୍ରୁ କିଏ ହିତୈଷୀ ଜାଣିନପାରି ଆପଣଙ୍କ ମଙ୍ଗଳ କାମନା କରୁଥିବା ଅନୁଜ ବିଭୀଷଣକୁ ଆପଣ ନିର୍ବାସନ ଦଣ୍ଡ ଦେଇଦେଲେ ଅଗ୍ରଜ !!


କ୍ରମଶଃ...



Rate this content
Log in

Similar oriya story from Classics