ଦେବୀ ଶୈଳପୁତ୍ରୀ
ଦେବୀ ଶୈଳପୁତ୍ରୀ
ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତି ଦେବୀ ଶୈଳପୁତ୍ରୀ। ଶୈଳପୁତ୍ରୀ ବା ପର୍ବତ ନନ୍ଦିନୀ ହେଉଛନ୍ତି ଦେବୀ ପାର୍ବତୀ। ପାର୍ବତୀଙ୍କ ପୂର୍ବଜନ୍ମର ନାମ ଥିଲା ସତୀ।ସତୀ ଥିଲେ ବ୍ରହ୍ମାଙ୍କ ମାନସପୁତ୍ର ଦକ୍ଷ ପ୍ରଜାପତିଙ୍କର ଅନେକ କନ୍ୟା ମାନଙ୍କ ମଧ୍ୟରୁ ଅନ୍ୟତମ। ବିଷ୍ଣୁ ପୁରାଣ ଅନୁଯାୟୀ ଦକ୍ଷ ପ୍ରଜାପତିଙ୍କର ୪୦ ଗୋଟି କନ୍ୟା ଥିଲେ।ପଦ୍ମପୁରାଣ ଏବଂ ଲିଙ୍ଗପୁରାଣ ଅନୁସାରେ ସେହି କନ୍ୟା ମାନଙ୍କର ସଂଖ୍ୟା ଥିଲା ଷାଠିଏ।ସେ ସଂଖ୍ୟା ଯାହା ହେଉନା କାହିଁକି, ପ୍ରଜାପତିଙ୍କ ଇଚ୍ଛା ବିରୁଦ୍ଧରେ ସତୀ ଶ୍ମଶାନବାସୀ ଶିବଙ୍କୁ ପତିରୂପରେ ବରଣ କରିଥିବାରୁ ସେ କନ୍ୟା ଉପରେ ଅସନ୍ତୁଷ୍ଟ ଥିଲେ।
ଦକ୍ଷପ୍ରଜାପତି ଥରେ ଏକ ସଂସାର-କଲ୍ୟାଣକାରୀ ଯଜ୍ଞର ଆୟୋଜନ କଲେ। କନ୍ୟାମାନେ ବିବାହ କରିଥିବା ବିଭିନ୍ନ ଋଷି ଓ ଦେବତା ମାନଙ୍କୁ ସେ ଜାମାତା ରୂପରେ ଯଜ୍ଞ ଅନୁଷ୍ଠାନ ପାଇଁ ନିମନ୍ତ୍ରଣ କଲେ। କିନ୍ତୁ ଶିବ କିମ୍ବା କନ୍ୟା ସତୀଙ୍କୁ ସେହି ଯଜ୍ଞରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେନାହିଁ।ଶିବ, ପ୍ରଜାପତିଙ୍କର ଏହି ଉଦ୍ଧତ ବ୍ୟବହାରକୁ ଅଣଦେଖା କରିଦେଲେ ସିନା, କିନ୍ତୁ ସତୀଙ୍କ ମନରେ ଗଭୀର ଦୁଃଖ ଆସିଲା। ପିତାଙ୍କ ଗୃହରେ ଏତେବଡ ମହୋତ୍ସବ;ସବୁ ଭଉଣୀମାନେ ଏକତ୍ରିତ ହୋଇଛନ୍ତ;ସତୀଙ୍କ ମନ କେମିତି ବା ବୁଝିବ?ଶିବଙ୍କ ପାଖରେ ଅଳିକଲେ ପିତ୍ରାଳୟ ଯିବାପାଇଁ।ଶିବ ଅନେକ ବୁଝାଇ ଶୁଝାଇ କହିଲେ... କାହିଁକି ପିତାଙ୍କ ଘରେ ଭଉଣୀ-ଭିଣୋଇଙ୍କ ଆଗରେ ଅପମାନିତା ହେବାପାଇଁ ତୁମେ ଚାହୁଁଛ ?ମୋ ମତରେ ଅନାହୂତ ହୋଇ ସେଠାକୁ ତୁମର ଯିବା ଉଚିତ ହେବନାହିଁ।"
ସତୀ କିନ୍ତୁ ଶିବଙ୍କ ଆକଟ ମାନିଲେ ନାହିଁ,ଅଳିକରି ବସିଲେ ଶିବଙ୍କ ପାଖରେ।ଶିବ ପ୍ରାଣରୁ ବଳି ଭଲ ପାଉଥିଲେ ସତୀଙ୍କୁ।ତାଙ୍କ ଅନୁରୋଧ ଭାଙ୍ଗି ପାରିଲେ ନାହିଁ।ଅନାହୂତ ହୋଇ ନିଜେ ତ ଯିବେ ନାହିଁ; ସେଥିପାଇଁ ସତୀଙ୍କୁ ଅନୁଚର ନନ୍ଦି, ଭୃଙ୍ଗୀଙ୍କ ଦାୟିତ୍ଵରେ ଶ୍ବଶୁରାଳୟ ପଠାଇ ଦେଲେ।
ସତୀଙ୍କୁ ଦେଖିବାମାତ୍ରେ ଦକ୍ଷପ୍ରଜାପତି ହିତାହିତ ଜ୍ଞାନ ଶୂନ୍ୟ ହୋଇ ଗାଳିଦେବା ଆରମ୍ଭ କରିଦେଲେ।ଯେ ପର୍ଯ୍ୟନ୍ତ ସତୀଙ୍କୁ ଗାଳି ଦେଉଥିଲେ ଠିକ୍ ଥିଲା;କିନ୍ତୁ ସବୁ ଭଉଣୀ ଏବଂ ଭିଣୋଇ ମାନଙ୍କ ଆଗରେ ସ୍ବାମୀ ଶିବଙ୍କପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିବାରୁ ଅପମାନ ,ଅଭିମାନ ଓ ଦୁଃଖରେ ଜର୍ଜରିତ ହୋଇ ଯଜ୍ଞକୁଣ୍ଡ ଭିତରକୁ ସତୀ ଡେଇଁ ପଡିଲେ।ଘୋର ବିତ୍ପାତ ଘଟିଗଲା।ମହା ଦୁଃଖରେ ଲୁହ ଗଡ଼ାଇ ନନ୍ଦି ଏବଂ ଭୃଙ୍ଗୀ ଶିବଙ୍କ ପାଖରେ ପହଞ୍ଚି ସବୁକଥା ଟିକିନିଖି ବର୍ଣ୍ଣନା କଲେ।
ପ୍ରଚଣ୍ଡ କ୍ରୋଧରେ ଗର୍ଜିଉଠିଲେ ଧୂର୍ଜଟି।କ୍ଷଣମାତ୍ର ବିଳମ୍ବ ନକରି ପହଞ୍ଚିଲେ ଦକ୍ଷପ୍ରଜାପତିଙ୍କର ଯଜ୍ଞସ୍ଥଳରେ।ଶିବଙ୍କ କ୍ରୋଧରେ ପ୍ରକମ୍ପିତ ସାରା ସଂସାର। ଅନନ୍ତଶୟନରେ ଚମକି ଉଠିଲେ ବିଷ୍ଣୁ,ବ୍ରହ୍ମାଙ୍କ ପଦ୍ମାସନ ଥରି ଉଠିଲା ଏବଂ ବାସୁକୀଙ୍କ ଫଣା ଉପରେ ଟଳମଳ ହେଲେ ପୃଥିବୀ।
ଭୟରେ ଦକ୍ଷପ୍ରଜାପତିଙ୍କ ପତ୍ନୀ,ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ପୂଜା ଥାଳି ଧରି ପହଞ୍ଚିଲେ। କିନ୍ତୁ ଶିବ ସେ ପୂଜାଥାଳି ଫିଙ୍ଗିଦେଇ ଯଜ୍ଞକୁଣ୍ଡ ନିକଟରେ ପହଞ୍ଚିଲେ ଏବଂ ଦକ୍ଷପ୍ରଜାପତିଙ୍କ ମୁଣ୍ଡକାଟି ଯଜ୍ଞକୁଣ୍ଡ ଭିତରକୁ ଫିଙ୍ଗିଦେଲେ।ଯଜ୍ଞକୁଣ୍ଡ ଭିତରୁ ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀର କାନ୍ଧରେ ପକାଇ ,ଭୀଷଣ ତାଣ୍ଡବ ନୃତ୍ୟ କରି ଜଳ ସ୍ଥଳ ଆକାଶ ଘୂରିବୁଲିଲେ ଧୂର୍ଜଟି।କେଶ ମୁକ୍ତ, ତୃତୀୟ ଅଗ୍ନି ପ୍ରଜ୍ବଳିତ, ଡମ୍ବରୁର ଭୟଙ୍କର ନିନାଦରେ ତ୍ରସ୍ତ ସମଗ୍ର ଜଗତ !ମନେହେଲା ସମୟ ପୂର୍ବରୁ ପ୍ରଳୟ ଆଗତ ପ୍ରାୟ।କିଏ ପ୍ରଶମିତ କରିବ ଭୂତେଶଙ୍କର କ୍ରୋଧାଗ୍ନି?କୌଣସି ଦେବତା ସାହସ କଲେନାହିଁ।ଶେଷରେ ସ୍ବୟଂ ବିଷ୍ଣୁ ପ୍ରସ୍ତୁତ ହେଲେ। ବିଷ୍ଣୁ ଜାଣିଥିଲେ ଯେପର୍ଯ୍ୟନ୍ତ ସତୀଙ୍କର ଶବ ଶିବଙ୍କ କାନ୍ଧରେ ଥିବ ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ପ୍ରଶମିତ ହେବନାହିଁ। ବିଷ୍ଣୁ ସୁଦର୍ଶନ ଚକ୍ରଙ୍କୁ ଆଦେଶ ଦେଲେ ସତୀଙ୍କର ଶରୀରକୁ ଖଣ୍ଡଖଣ୍ଡ କରି କାଟିବା ପାଇଁ।ଖଣ୍ଡଖଣ୍ଡ ହୋଇ ଏକାବନ ଖଣ୍ଡ ହୋଇଗଲା ସତୀଙ୍କର ମୃତ ଶରୀର।ଭାରତ ଭୂଖଣ୍ଡର ବିଭିନ୍ନ ସ୍ଥାନରେ ପଡ଼ି ଏକାବନ ଶକ୍ତି ପୀଠର ସୃଷ୍ଟି ହେଲା।
ଶିବଙ୍କର କ୍ରୋଧ ପ୍ରଶମିତ ହେଲାପରେ ସମସ୍ତ ଦେବତାଙ୍କ ଅନୁରୋଧ କ୍ରମେ ସେ ଦକ୍ଷପ୍ରଜାପତିଙ୍କୁ ଜୀବନ୍ୟାସ ଦେବାପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ସେ ସମୟକୁ ପ୍ରଜାପତିଙ୍କ ମସ୍ତକଟି ଯଜ୍ଞକୁଣ୍ଡରେ ଜଳି ଯାଇଥିଲା।ନିକଟରେ ବୁଲୁଥିବା ଗୋଟିଏ ଛାଗଳର ମସ୍ତକ କାଟି ଦକ୍ଷପ୍ରଜାପତିଙ୍କ କାନ୍ଧରେ ଯୋଡି ତାଙ୍କୁ ଜୀବନ୍ୟାସ ଦେଲେ ମହାଦେବ। ଏହି ଘଟଣା ପରେ ଘୋର ମନସ୍ତାପରେ ହିମାଳୟର କୈଳାସ ପର୍ବତକୁ ତପସ୍ୟା କରିବାପାଇଁ ଚାଲିଗଲେ ମହାଦେବ।ଏଣେ ସତୀ ପରଜନ୍ମରେ ପର୍ବତ ରାଜ ହିମାଳୟଙ୍କ କନ୍ୟା ହୋଇ ଜନ୍ମ ହେଲେ ଏବଂ ଶିବଙ୍କୁ ପୁନର୍ବାର ସ୍ବାମୀରୂପରେ ପାଇବା ପାଇଁ ଘୋର ତପସ୍ୟାରେ ମଗ୍ନ ହେଲେ।